ଯାଜପୁର: ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ହରିଦାସପୁର ପଞ୍ଚାୟତର ନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ଵାଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ବିଜେପି। ଏଥିପାଇଁ ଦଳ ପକ୍ଷରୁ ସୋମବାର ଯାଜପୁର ଜିଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି।
ସକାଳୁ ସକାଳୁ ବିଜେପି କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଥିଲେ। ଏହା ବ୍ୟତୀତ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକୋ କରିଛନ୍ତି। ଫଳରେ ଯାନବାହନ ଚଳାଳଚ ବନ୍ଦ ରହିଛି। ଜାରକା ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଏବଂ ଯାଜପୁର ରୋଡ୍ର ଦଳା ଛକଠାରେ ୨୧୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ଦୋକାନ ବଜାର ସମେତ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ଜନସାଧାରଣ ଏବଂ ଯାତ୍ରୀମାନେ ବହୁ ହନ୍ତସନ୍ତ ହେଉଛନ୍ତି। ବହୁ ଶ୍ରମିକ କଳିଙ୍ଗନଗର ଶିଳ୍ପାଞ୍ଚଳକୁ ଯିବାକୁ ଅପେକ୍ଷା କରିଥିବାବେଳେ ବନ୍ଦ ଯୋଗୁ ଯାଇପାରି ନାହାନ୍ତି।



