ମୁମ୍ବଇ: ଦର୍ଶକଙ୍କୁ ବେଶ୍ ପସନ୍ଦ ଆସୁଛି ‘ସ୍ତ୍ରୀ ୨’। ଶ୍ରଦ୍ଧା କପୁର, ରାଜକୁମାର ରାଓ, ଅଭିଷେକ ବାନାର୍ଜୀ, ଅପାରଶକ୍ତି ଖୁରାନା ଓ ପଙ୍କଜ ତ୍ରିପାଠୀଙ୍କ ଏହି ଚଳଚ୍ଚିତ୍ର ପ୍ରମାଣ କରିଛି ଯେ, ଫିଲ୍ମକୁ ହିଟ୍ କରିବା ପାଇଁ ବଡ଼ ତାରକା ନୁହେଁ ବରଂ ଭଲ କାହାଣୀ ଆବଶ୍ୟକ।
ଏହି ହରର୍ କମେଡି ଭିତ୍ତିକ ଚଳଚ୍ଚିତ୍ର ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରିଛି, ଯାହା ଟ୍ରେଡ୍ ଆନାଲିଷ୍ଟଙ୍କୁ ମଧ୍ୟ ଚମକାଇ ଦେଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଅମର କୌଶିକଙ୍କ ଦ୍ଵାରା ନିର୍ଦେଶିତ ‘ସ୍ତ୍ରୀ ୨’କୁ ଚଳିତ ବର୍ଷ ହିନ୍ଦୀ ସିନେମାର ସବୁଠୁ ବଡ଼ ଓପନର୍ କୁହାଯାଉଛି। ହ୍ରିତିକ୍ ରୋଶନଙ୍କ ‘ଫାଇଟର’ ଓ ପ୍ରଭାସଙ୍କ ‘କଳ୍କି ୨୮୯୮ ଏଡି’(ହିନ୍ଦୀ)କୁ ମଧ୍ୟ ପଛରେ ପକାଇ ଦେଇଛି ‘ସ୍ତ୍ରୀ ୨’। ସୂଚନା ମୁତାବକ, ‘ଫାଇଟର’ ଓ ‘କଳ୍କି ୨୮୯୮ ଏଡି’(ହିନ୍ଦୀ) ପ୍ରଥମ ଦିନରେ ୨୨ରୁ ୨୪ କୋଟି ଟଙ୍କା ଆୟ କରିଥିବାବେଳେ ଶ୍ରଦ୍ଧା କପୁରଙ୍କ ‘ସ୍ତ୍ରୀ ୨’ ଏହି ବିଗ୍ ବଜେଟ୍ ପିଲ୍ମ ଦ୍ଵୟକୁ ଦୁଇ ଗୁଣା ବ୍ୟବଧାନରେ ପଛରେ ପକାଇ ଦେଇଛି। ‘ସ୍ତ୍ରୀ ୨’ କେବଳ ୨୦୨୪ର ସବୁଠୁ ବଡ଼ ବଲିଉଡ ଓପନର୍ ହୋଇନାହିଁ, ବରଂ ଏହା ହିନ୍ଦୀ ସିନେମାର ପ୍ରଥମ ଦିନରେ ସର୍ବାଧିକ ଆୟ କରିଥିବା ଶ୍ରେଷ୍ଠ ଦଶ ଚଳଚ୍ଚିତ୍ର ତାଲିକାରେ ସ୍ଥାନ ପାଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ‘ସ୍ତ୍ରୀ ୨’ ପ୍ରଥମ ଦିନରେ ୪୭ କୋଟି ଟଙ୍କାର ଜବରଦସ୍ତ ଆୟ କରିଛି, ଯାହା ଏକ ରେକର୍ଡ଼ ପାଲଟିଛି।
ସୂଚନା ଅନୁଯାୟୀ, ବଲିଉଡ଼ର ଶ୍ରେଷ୍ଠ ୧୦ ଚଳଚ୍ଚିତ୍ର ତାଲିକାରେ ‘ସ୍ତ୍ରୀ ୨’ ୭ମ ସ୍ଥାନରେ ଥିବା କୁହାଯାଉଛି। ଆୟ କ୍ଷେତ୍ରରେ ସଲମାନ ଖାନଙ୍କ ପିଲ୍ମ ‘ଟାଇଗର ୩’ ଓ ‘ଭାରତ’ ବ୍ୟତୀତ ଶାହରୁଖ ଖାନଙ୍କ ଫିଲ୍ମ ‘ହାପି ନ୍ୟୁ ଇୟର’କୁ ପଛରେ ପକାଇ ଦେଇଛି ‘ସ୍ତ୍ରୀ ୨’। ଫିଲ୍ମର ପେଡ୍ ପ୍ରିଭ୍ୟୁକୁ ସାମିଲ କଲେ, ‘ସ୍ତ୍ରୀ ୨’ ଭାରତରେ ୫୫ କୋଟି ଟଙ୍କା ଆୟ କରି ସାରିଲାଣି। ଆଗାମୀ ଦିନରେ ଛୁଟିଦିନ ଥିବାରୁ ଆୟ ଆହୁରି ବୃଦ୍ଧି ପାଇବ ବୋଲି ଅଶା କରାଯାଉଛି।



