ରାଜ୍ୟ ପୁଲିସ ବାହିନୀର ୬୯ତମ ବୃତ୍ତିଗତ ପ୍ରତିଯୋଗିତା ଉଦ୍ଘାଟିତ
କଟକ: ରାଜ୍ୟ ପୁଲିସ ବାହିନୀର ୬୯ତମ ବୃତ୍ତିଗତ ପ୍ରତିଯୋଗିତା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଚାରି ଦିନ ଧରି ହେବାକୁ ଥିବା ଏହି ବୃତ୍ତିଗତ ପ୍ରତିଯୋଗିତା କଟକରେ ଆୟୋଜିତ ହେଉଛି। ଡିଜିପି ୱାଇବି ଖୁରାନିଆ ଏହି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଛନ୍ତି। ତେବେ ଏହି ବୃତ୍ତିଗତ ପ୍ରତିଯୋଗିତାରେ ରାଜ୍ୟ ପୁଲିସ ବାହିନୀର ୩୭ଟି ଟିମ୍ ଭାଗ ନେଇଛନ୍ତି। ଜିଲା ପୁଲିସ, କ୍ରାଇମ୍ବ୍ରାଞ୍ଚ୍, ଜିଆର୍ପି, ଏସ୍ଟିଏଫ୍ ବିଭିନ୍ନ ସଂସ୍ଥାର ଅଧିକାରୀମାନେ ଭାଗ ନେଇଛନ୍ତି। ଅପରାଧ ତଦନ୍ତ, ସାଇଣ୍ଟିଫିକ୍ ତଦନ୍ତ, ସାଇବର ଅପରାଧ, ଆଙ୍ଗୁଳି ଛାପ, ସ୍ବାନ୍, ଲିଫ୍ଟିଙ୍ଗ, ପ୍ୟାକିଂ ଆଦି ବୃତ୍ତିଗତ ସ୍ତରରେ ପ୍ରତିଯୋଗିତା ଅନୁଷ୍ଠିତ ହେବ।
କ୍ରାଇମ୍ବ୍ରାଞ୍ଚର ତତ୍ତ୍ୱାବଧାନରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତା ପରିଚାଳନା ପାଇଁ ଅଭିଜ୍ଞ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି। ଏହି ପ୍ରତିଯୋଗିତାରୁ ଗୋଟିଏ ଟିମ୍ ଚୟନ ହେବ, ଯିଏ କି ଆଗାମୀ ଦିନରେ ହେବାକୁ ଥିବା ସର୍ବଭାରତୀୟ ପୁଲିସ ଡ୍ୟୁଟି ମିଟ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବ। ପୁଲିସ ଡିଜି ଓ୍ବାଇବି ଖୁରାନିଆ କହିଛନ୍ତି ଯେ, ଓଡ଼ିଶା ପୁଲିସର ମୂଳ ଲକ୍ଷ୍ୟ ହେଉଛି ଅପରାଧ ଦମନ। ବର୍ତ୍ତମାନ ସମୟରେ ପୁଲିସ କର୍ମଚାରୀଙ୍କୁ ସବୁ ଦିଗରେ ଦକ୍ଷ କରାଇବା ଓ ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ପଦ୍ଧତିରେ ତଦନ୍ତ କରିବାର ଇଚ୍ଛାକୁ ଜାଗ୍ରତ କରିବା ପରେ ଅପରାଧ ଓ ଅପରାଧୀଙ୍କୁ ଦମନ କରିବାରେ ସଫଳ ହୋଇଛି ଓଡ଼ିଶା ପୁଲିସ। ଏହାସହ ମାଓ ଦମନ, ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଓ ଡିଜିଟାଲ ଏଭିଡେନ୍ସ ପ୍ରକ୍ରିୟାରେ ପୁଲିସ ସଫଳତା ହାସଲ କରିଛି। ଏଭଳି ପ୍ରତିଯୋଗିତା ଦ୍ବାରା ତଦନ୍ତ କୌଶଳ ଶାଣିତ ହୋଇଥାଏ ବୋଲି ପୁଲିସ ଡିଜି କହିଛନ୍ତି। ଏବେ ଅପରାଧର ଉପାୟ ବଦଳି ଥିବାରୁ ତଦନ୍ତ ପ୍ରକ୍ରିୟା ବଦଳିବାର ଆବଶ୍ୟକତା ରହିଛି। ଅତ୍ୟାଧୁନିକ ଓ ବୈଜ୍ଞାନିକ ତଦନ୍ତ କୌଶଳକୁ ଆପଣଉଛି ଓଡ଼ିଶା ପୁଲିସ ବୋଲି କହିଛନ୍ତି ଡିଜି। ଉଦ୍ଯାପନୀ ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପୁଲିସ ଅଧିକାରୀମାନଙ୍କୁ ପୁରସ୍କୃତ ଓ ଟ୍ରଫି ପ୍ରଦାନ କରିବେ। ଏଥିଲାଗି ରାଜ୍ୟ ପୁଲିସ୍ ବାହିନୀ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହାସହ ଗତ ଡିଜିପି ସମ୍ମିଳନୀରେ ଆତଙ୍କବାଦୀ ପନ୍ନୁନର ଭିଡିଓ ଧମକ ଘଟଣାରେ ପୁଲିସ ଡିଜି ଓ୍ବାଇ.ବି ଖୁରାନିଆ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଏହି ଘଟଣାର ତଦନ୍ତ ଚାଲିଛି, ଅନ୍ୟ ତଦନ୍ତକାରୀ ଏଜେନ୍ସୀର ସହଯୋଗ ନିଆଯାଉଛି। ସେହିପରି ଭୁବନେଶ୍ବରରେ କଲ୍ ସେଣ୍ଟର ନାଁରେ ସାଇବର ଠକେଇ ଘଟଣାରେ ଜନସାଧାରଣ ଅଧିକ ସଚେତନ ହେବାର ଆବଶ୍ୟକତା ରହିଛି। ଏଭଳି ଠକେଇରୁ ଲୋକେ ଦୂରେଇ ରୁହନ୍ତୁ। ଏହି ଘଟଣାରେ ପୁଲିସ୍ ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଡିଜିପି ୱାଇବି ଖୁରାନିଆ।
Comments are closed.