ଆଠଗଡ: ଆଠଗଡ଼ ବ୍ୟାଡମିଣ୍ଟନ କ୍ଲବ ଉଦ୍ୟମରେ ପ୍ରଥମ ଥର ପାଇଁ ଏକ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚମ୍ପିଆନଶିପ ଶନିବାର ଉଦଘାଟିତ ହୋଇଯାଇଛି। ଦୁଇ ଦିନିଆ ଏହି ପ୍ରତିଯୋଗିତା ଆଠଗଡ ଇନଡୋର ଷ୍ଟାଡିୟମ ବିଜୁ ପଟ୍ଟନାୟକ ଖେଳ ଭବନଠାରେ ସେପ୍ଟେମ୍ବର ୨୭ ଓ ୨୮ ତାରିଖ ଦୁଇଦିନ ଧରି ଚାଲିବ। ଆୟୋଜକ କ୍ଲବ ସଭାପତି ଅଶୋକ କୁମାର ରାଉତ ଓ ସମ୍ପାଦକ ଆଇନଜୀବୀ ମନୋରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସମାଜସେବୀ ଲକ୍ଷ୍ମୀନାରାୟଣ ଭଞ୍ଜ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ଏହିଭଳି ପ୍ରତିଯୋଗିତା ଆୟୋଜନ ଦ୍ବାରା ବ୍ୟାଡମିଣ୍ଟନ ଖେଳ ପ୍ରତି ପିଲାମାନଙ୍କ ଆଗ୍ରହ ବୃଦ୍ଧି ହେବା ସହିତ ଆଞ୍ଚଳିକ ସଦଭାବ ଓ ଭାଇଚାରା ସୁଦୃଢ ହେବ ବୋଲି ଶ୍ରୀ ଭଞ୍ଜ ମତପ୍ରକାଶ କରିଥିଲେ।
ପ୍ରତିଯୋଗିତାରେ ମୋଟ ତିନିଟି ବର୍ଗରେ ଯଥା ୧୫ ବର୍ଷରୁ କମ୍ ବର୍ଗରେ ୧୬ଟି ଦଳ, ୧୬ରୁ ୪୦ ବର୍ଷ ବର୍ଗରେ ୩୨ଟି ଦଳ ଏବଂ ୪୦ ବର୍ଷରୁ ଊର୍ଦ୍ଧ୍ବ ବର୍ଗରେ ୧୬ଟି ଦଳ ଅଂଶଗ୍ରହଣ କରିଛନ୍ତି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଯଥା ଖୋର୍ଦ୍ଧା, ଢେଙ୍କାନାଳ, ଅନୁଗୋଳ, କଟକ, ଯାଜପୁର, ଭଦ୍ରକ, ନୟାଗଡ଼ ଓ ବାଲେଶ୍ୱରରୁ ପ୍ରତିଯୋଗୀମାନେ ଯୋଗ ଦେଇଛନ୍ତି । ଆଠଗଡ ବ୍ୟାଡମିଣ୍ଟନ କ୍ଲବର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଏହି ପ୍ରଥମ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରୁଛନ୍ତି।



