ସମାଜ ଡିଜିଟାଲ ଡେସ୍କ: ଭାରତ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରାକ୍ଷସ ସଦୃଶ। ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଟ୍ରମ୍ପଙ୍କୁ ନେଇ ସବୁଠି ଏଭଳି ଚର୍ଚ୍ଚା। ଏବେ ଦୁର୍ଗାପୂଜା ମଣ୍ଡପରେ ବି ଏହାର ଝଲକ ଦେଖିବାକୁ ମିଳିଛି। ଟ୍ରମ୍ପଙ୍କୁ ଅସୁର ଭାବେ ଦର୍ଶାଇଛନ୍ତି କିଛି ମଣ୍ଡପ।
ବିଶେଷକରି ପଶ୍ଚିମବଙ୍ଗର ବହରାମପୁର ଅନ୍ତର୍ଗତ ଖାଗରା ଶ୍ମାଶାନ ଘାଟ ଦୁର୍ଗାପୂଜା କମିଟି ନିଜର ୫୯ତମ ଦୁର୍ଗୋତ୍ସବ ସମାରୋହ ପାଇଁ ଏପରି ଏକ ଥିମ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଛି। ଏଠାରେ ଟ୍ରମ୍ପଙ୍କ ରୂପରେ ଅସୁରଙ୍କୁ ଦର୍ଶାଯାଇଛି। ଏହାକୁ ଦେଖିବା ଲାଗି ମଧ୍ୟ ଲୋକଙ୍କ ଭିଡ଼ ଜମୁଛି।
ଆୟୋଜକଙ୍କ କହିବା ଅନୁସାରେ, ଭାରତ ସହିତ ଆମେରିକା ରାଷ୍ଟ୍ରପତି କରିଥିବା ବିଶ୍ଵାସଘାତକୁ ଦର୍ଶାଇବା ଲାଗି ଟ୍ରମ୍ପଙ୍କ ରୂପରେ ଅସୁର ମୂର୍ତ୍ତି କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ରମ୍ପଙ୍କୁ ମିତ୍ର ଭାବିଥିଲେ ଏବଂ ବିଦେଶ ନୀତିରେ ସହଯୋଗ କରିଥିଲେ। କିନ୍ତୁ ଟ୍ରମ୍ପଙ୍କ କାର୍ଯ୍ୟକଳାପ ଭାରତ ପାଇଁ ହାନିକାରକ। ମୂର୍ତ୍ତି ଜରିଆରେ ଏହି ଭାବନାକୁ ବ୍ୟକ୍ତ କରାଯାଇଛି ବୋଲି ଆୟୋଜକ କହିଛନ୍ତି।



