ଅକ୍ଷୟ ତୃତୀୟା: ଉଚ୍ଚ ଦର ସତ୍ତ୍ୱେ ସୁନା ବଜାରରେ ଚମକ

0

ଭୁବନେଶ୍ୱର : ବୁଧବାର ଥିଲା ପବିତ୍ର ଅକ୍ଷୟ ତୃତୀୟା । ସୁଖ ଆଉ ସମୃଦ୍ଧି ଭାବେ ମନେ କରାଯାଉଥିବା ଏହି ଦିନରେ କେବଳ କୃଷି କିମ୍ବା ଗୃହ ପ୍ରବେଶ ନୁହେଁ କୌଣସି ଧାତବ ଜିନିଷ କିଣିବାକୁ ଓଡ଼ିଆ ଘରେ ମଙ୍ଗଳମୟ ବିବେଚନା କରାଯାଏ। ଏହି ଦିନ ସୁନା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି ବୋଲି ସମସ୍ତଙ୍କ ବିଶ୍ବାସ। ଏଥିପାଇଁ ରାଜଧାନୀ ସମେତ ରାଜ୍ୟର ପ୍ରମୁଖ ସହରର ସୁନା ଗହଣା ଦୋକାନରେ ଆଜି ଦେଖିବାକୁ ମିଳିଥିଲା ଭିଡ। ଶୁଭ ଦିନଟିରେ ସୁନା କିଣିବାକୁ ଗ୍ରାହକଙ୍କ ମଧ୍ୟରେ ବେଶ ଆଗ୍ରହ ଦେଖିବାକୁ ମିଳିଥିଲା। ଦିନ ତମାମ୍‌ ଶୋ’ ରୁମ୍‌ଗୁଡିକରେ ଲାଗି ରହିଥିଲା ଗ୍ରାହକଙ୍କ ଭିଡ। ଫଳରେ ଏଥର ଅକ୍ଷୟ ତୃତୀୟାରେ ଭୁବନେଶ୍ୱର ଏବଂ କଟକରେ ପାଖପାଖି ୫୫ କୋଟି ଟଙ୍କାର ସୁନା ବିକ୍ରି ହୋଇଛି।
ଅକ୍ଷୟ ତୃତୀୟା ଅବସରରେ ରାଜଧାନୀର ଶୋ ରୁମ୍‌ଗୁଡିକରେ ବେଶ ଭିଡ ପରିଲକ୍ଷିତ ହୋଇଥିଲା। ଦିନରେ ଟାଣ ଖରା ଥିବାରୁ ସନ୍ଧ୍ୟା ବେଳକୁ ଭିଡ ଅଧିକ ହୋଇଥିଲା। ଶୁଭ ଦିନଟିରେ ମୂଲ୍ୟବାନ ଧାତବ ସାମଗ୍ରୀ କିଣିବା ସୁଯୋଗକୁ ହାତ ଛଡା କରିବାକୁ ଚାହିଁ ନ ଥିଲେ ରାଜଧାନୀବାସୀ। ରାଜଧାନୀ ଭୁବନେଶ୍ୱରର ଛୋଟ ବଡ ପାଖପାଖି ୨୦୦ ଶୋ’ ରୁମ୍‌ରେ ଲାଗି ରହିଥିଲା ଗ୍ରାହକଙ୍କ ଭିଡ। ବିଭିନ୍ନ ଶୋ ରୁମ୍‌ ପକ୍ଷରୁ ଘୋଷିତ ଆକର୍ଷଣୀୟ ଅଫର ବର୍ଷା ଗ୍ରାହକଙ୍କୁ ଟାଣି ଆଣିଥିଲା ଶୋ ରୁମ୍‌କୁ। କ୍ୟାସ କାଉଣ୍ଟରରେ ଲମ୍ବା ଧାଡିରେ ଛିଡା ହୋଇ ଗ୍ରାହକ କିଣୁଥିଲେ ସୁନା। କେବଳ ରାଜଧାନୀ କାହିଁକି ରାଜ୍ୟର କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ଅନୁଗୋଳ ଏବଂ ବାଲେଶ୍ୱର ଆଦି ସହରରେ ସୁନା କିଣା କାରବାର ବେଶ ଜମିଥିଲା। ଦିନବେଳା ଗ୍ରୀଷ୍ମର ଅସହ୍ୟ ତାତି ରୋକିପାରି ନ ଥିôଲା ଗ୍ରାହକଙ୍କ ସୁନା କିଣିବା ଆଗ୍ରହକୁ। ଅପରାହ୍ନରେ ବର୍ଷା ଭିଜା ବାଦଲରେ ଥଣ୍ଡା ପବନ ଏ ନେଇ ଅନୁକୂଳ ପାଗ ସୃଷ୍ଟି କରିଥିଲା। ଏହି ସମୟରେ ଅଧିକ ଭିଡ ପରିଲକ୍ଷିତ ହୋଇଥିଲା। ଗତବର୍ଷ ଭୁବନେଶ୍ୱରରେ ୨୨ କ୍ୟାରେଟ୍‌ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୨୮,୮୧୦ ଟଙ୍କା ରହିଥିବାବେଳେ ରୁପା ମୂଲ୍ୟ କିଲୋ ପିଛା ୪୧,୫୦୦ ଟଙ୍କା ରହିଥିଲା। ତେବେ ଚଳିତଥର ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୩୧,୩୨୦ ଓ ରୁପା ମୂଲ୍ୟ ୪୦,୬୦୦ ଟଙ୍କା ରହିଥିଲା। ଏବର୍ଷ ସୁନା ଦର ୩୧,୦୦୦ ଟଙ୍କା ସ୍ତର ଉପରେ ରହିଥିଲେ ମଧ୍ୟ ଗ୍ରାହକଙ୍କ ସୁନା କିଣିବା ଟ୍ରେଣ୍ଡ୍‌କୁ ଏହା ରୋକିପାରିନାହିିଁ। ଜନପଥର ବାଣୀବିହାରଠାରୁ ରାଜମହଲ ଯାଏ ସୁନା ଦୋକାନ ରହିଥିବାଯୋଗୁ ଏହି ରାସ୍ତାରେ ଟ୍ରାଫିକ୍‌ ସମସ୍ୟା ଦେଖାଦେଇଥିଲା। ଏ ସମ୍ପର୍କରେ ବିଜେବି ନଗରର ଗ୍ରାହକ ସସ୍ମିତା ପାଢୀ କୁହନ୍ତି, ଆଜି ଶୁଭ ଦିନ ହୋଇଥିବାରୁ ପ୍ରତ୍ୟେକ ବର୍ଷ ଭଳି ଏବର୍ଷ ସୁନା କିଣାକିଣି କରିଛୁ। ଏଥର ଦର ଅଧିକ ଥିଲେ ମଧ୍ୟ ଭଲ ଅଫର ଯୋଗୁ ମୂଲ୍ୟର ପ୍ରଭାବ ଜଣାପଡୁନାହିଁ। ଏହି କ୍ଷେତ୍ର ସହ ଜଡିତ ବିଶେଷଜ୍ଞଙ୍କ ମତରେ ଏଥର ଅକ୍ଷୟ ତୃତୀୟାରେ ରାଜଧାନୀ ଭୁବନେଶ୍ୱର ଏବଂ କଟକରେ ପାଖପାଖି ୫୫ କୋଟି ଟଙ୍କାର ସୁନାଗହଣା ଅର୍ଥାତ୍‌ ଦେଢ କୁଇଣ୍ଟାଲରୁ ଅଧିକ ମୂଲ୍ୟର ସୁନା ଗହଣା ବିକ୍ରି ହୋଇଥିବା ଜଣାଯାଇଛି। ଏସବୁବ୍ୟତୀତ ଆଜିର ଦିନରେ ଅନେକ ଲୋକ ଶୋ’ ରୁମ୍‌ରେ ସୁନା କଏନ୍‌, ରୁପାର ଉପହାର ସହ ଫ୍ୟାଶନ୍‌ ଜୁଏଲେରୀ କିଣୁଥିବାର ଦେଖିବାକୁ ମିଳିଛି। ଏ ସମ୍ପର୍କରେ ଖିମ୍‌ଜୀର ଡାଇରେକ୍ଟର ମିତେଶ ଖିମ୍‌ଜୀ କୁହନ୍ତି, ଗତବର୍ଷ ବିମୁଦ୍ରାୟନ ଏବଂ ଜିଏସ୍‌ଟି ପାଇଁ କାରବାର ଭଲ ରହି ନ ଥିଲା। ଆଗକୁ ବିବାହ ଋତୁ ରହିଥିବାରୁ ସୁନା ଗହଣା କିଣିବା ପାଇଁ ଏହା ପ୍ରକୃଷ୍ଟ ସମୟ। ସେଥିପାଇଁ ଅଧିକ ସଂଖ୍ୟାରେ ଗ୍ରାହକ କିଣାକିଣି କରୁଛନ୍ତି। ଏହି ଦୃଷ୍ଟିରୁ ଭଲ ବ୍ୟବସାୟ ଆଶା କରୁଛୁ। ଏଥର ପୂର୍ବବର୍ଷ ତୁଳନାରେ ବିକ୍ରି ୧୦%ରୁ ୧୫% ଅଧିକ ରହିବ। ଟାଇଟନ୍‌ କମ୍ପାନୀ ଲିମିଟେଡ୍‌ର ଜୁଏଲେରୀ ଡିଭିଜନ୍‌ର ବରିଷ୍ଠ ଉପସଭାପତି ସନ୍ଦୀପ୍‌ କୁଲହାଲିଙ୍କ ମତରେ ପୂର୍ବବର୍ଷ ତୁଳନାରେ ଏଥର ଆମର ବିକ୍ରିରେ ଭଲ ଅଭିବୃଦ୍ଧିି ଘଟିଛି। ଅଧିକାଂଶ ଗ୍ରାହକ ବିବାହ କାର୍ଯ୍ୟ ପାଇଁ ସୁନା ଗହଣା କିଣୁଛନ୍ତି। ମେଟ୍ରୋ ବ୍ୟତୀତ ଅଣ ମେଟ୍ରୋ ସହରରେ ଆମର ବିକ୍ରି ଉତ୍ସାହଜନକ ରହିଛି।

Leave A Reply