ଭୁବନେଶ୍ୱର : ନୋବେଲ ଶାନ୍ତି ପୁରସ୍କାର ବିଜେତା ବିଶିଷ୍ଟ ଅର୍ଥନୀତିଜ୍ଞ ପ୍ରଫେସର ମହମ୍ମଦ ୟୁନୁସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନାକୁ ଭୂୟସୀ ପ୍ରଶଂସା କରିଛନ୍ତି। ଓଡ଼ିଶା ଗସ୍ତରେ ଆସିଥିବା ପ୍ରଫେସର ୟୁନୁସ ଶନିବାର ଅପରାହ୍ଣରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଆଲୋଚନା ସମୟରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର କାର୍ଯ୍ୟକ୍ରମ, ଅନୁସୂଚିତ ଜନଜାତିଙ୍କ ବିକାଶ ସମେତ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ଅବଗତ କରିଥିଲେ। ପ୍ରଫେସର ୟୁନୁସ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟ ବିଶେଷ କରି ଦାରିଦ୍ର୍ୟଦୂରୀକରଣରେ ସରକାରଙ୍କ ସଫଳତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଶୁଣିଥିଲି, ଆଜି ତାଙ୍କୁ ଭେଟି ଅତ୍ୟନ୍ତ ଖୁସି ଅନୁଭବ କରୁଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ତାଙ୍କୁ ତାରକସିର ଏକ ଉପହାର ପ୍ରଦାନ କରିଥିଲେ।
Popular Categories



