ରଥଯାତ୍ରା ପୂର୍ବରୁ ଭଦ୍ରକ-ପଲାସା ମଧ୍ୟରେ ଚାଲିବ ଦ୍ରୁତଗାମୀ ମେମୁ ପାସେଞ୍ଜର ଟ୍ରେନ୍‌

0

ଭୁବନେଶ୍ୱର : ଦିଲ୍ଲୀ, ମୁମ୍ବଇ, ଚେନ୍ନଇ ଭଳି ମହାନଗରରେ ଯେପରି ବଡ଼ ବଡ଼ ଲୋକାଲ୍‌ ଟ୍ରେନ୍‌ ଚାଲୁଛି, ସେହି ଟ୍ରେନ୍‌ ଏବେ ଓଡ଼ିଶାରେ ଦୌଡ଼ିବ। ସ୍ୱତନ୍ତ୍ର ବ୍ୟବସ୍ଥା ଓ ଜ୍ଞାନକୌଶଳ ପାଇଁ କମ୍‌ ସମୟ ମଧ୍ୟରେ ଅଧିକ ବେଗ ହାସଲ କରିପାରୁ ଥିବା ମେନ୍‌ଲାଇନ୍‌ ଇଲେକ୍ଟି୍ରକ୍‌ ମଲ୍ଟିପୁଲ୍‌ ୟୁନିଟ୍‌ (ମେମୁ) ଟ୍ରେନ୍‌ ରଥଯାତ୍ରା ପୂର୍ବରୁ ଚାଲିବା ଆରମ୍ଭ କରିବ। ସର୍ବପ୍ରଥମେ ଏହି ଟ୍ରେନ୍‌ ୩୮୩ କିମି ଦୂରତା ବିଶିଷ୍ଟ ଭଦ୍ରକ-ପଲାସା ରେଳ ଲାଇନ୍‌ରେ ମଧ୍ୟରେ ଚାଲିବ। ମେମୁ ଟ୍ରେନ୍‌ର ମରାମତି ପାଇଁ ଓଡ଼ିଶାରେ ସେଡ୍‌ ନଥିବାରୁ ଏହି ଦ୍ରୁତଗାମୀ ପାସେଞ୍ଜର ଟ୍ରେନ୍‌ ଚାଲିପାରୁ ନଥିଲା। ତେବେ ଖୋର୍ଦ୍ଧାରୋଡ଼ ଷ୍ଟେସନ୍‌ ଠାରେ ଏହି ସେଡ୍‌ ନିର୍ମାଣ ଶେଷ ହୋଇଛି। ତେଣୁ ଆସନ୍ତା ରଥଯାତ୍ରା ପୂର୍ବରୁ ଭଦ୍ରକ-ପଲାସା ମଧ୍ୟରେ ମେମୁ ଟ୍ରେନ୍‌ ଚଳାଚଳ ଆରମ୍ଭ କରିବାରେ କିଛି ସମସ୍ୟା ନାହିଁ ବୋଲି ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଉମେଶ ସିଂହ ସୂଚନା ଦେଇଛନ୍ତି।
ଆଜି ରେଳ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଥିଲେ, ମେମୁ ହେଉଛି ଏକ ଦ୍ରୁତଗାମୀ ଓ ଭରସାଯୋଗ୍ୟ ଟ୍ରେନ୍‌। ଏହାର ବିଶେଷତ୍ୱ ହେଉଛି ଏଥିରେ ଉଭୟ ପଟେ ଇଞ୍ଜିନ୍‌ ରହିଥାଏ ଏବଂ ଷ୍ଟାର୍ଟ ହେବାମାତ୍ରେ ଏହା ୬୦ରୁ ୯୦ କିମି ବେଗରେ ଗତି କରିବ। ଇଞ୍ଜିନ୍‌ ବଦଳାଇବା ପାଇଁ ବହୁ ସମୟ ଓ ମାନବସମ୍ବଳ ନିୟୋଜିତ ହୋଇଥାନ୍ତି। କିନ୍ତୁ ଏଥିରେ ଇଞ୍ଜିନ୍‌ ବଦଳାଇବାକୁ ପଡିବ ନାହିଁ। ଯାତ୍ରୀଙ୍କ ସହଜରେ ଯିବା ଆସିବା ପାଇଁ ସାଧାରଣ ଟ୍ରେନ୍‌ ଠାରୁ ଏଥିରେ ଦୁଇଗୁଣା ଅଧିକ ଚଉଡ଼ାର ଦ୍ୱାର ରହିଛି। ଏବେ ଖୋର୍ଦ୍ଧାରୋଡ଼ ଷ୍ଟେସନ୍‌ ଠାରେ ନିର୍ମାଣ ହୋଇଥିବା ସେଡ୍‌ରେ ଏହି ସ୍ୱତନ୍ତ୍ର ଟ୍ରେନ୍‌ର ମରାମତି ପାଇଁ ସୁବିଧା ରହିଛି। ତେଣୁ ରଥଯାତ୍ରା ପୂର୍ବରୁ ପଲାସା-ଭଦ୍ରକ ମଧ୍ୟରେ ମେମୁ ଟ୍ରେନ୍‌ ଚଳାଚଳ ଆରମ୍ଭ ହେବ ବୋଲି ଶ୍ରୀ ସିଂହ କହିଥିଲେ। ରେଳ ଚଳାଚଳ ସୁରକ୍ଷା ଓ ପ୍ରକଳ୍ପର ସମୟୋଚିତ ସମ୍ପାଦନ ପାଇଁ ଏବେ ପୂର୍ବତଟ ରେଳପଥ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବା ଆରମ୍ଭ କରିଛି। ଖୋର୍ଦ୍ଧାରୋଡ଼ ଠାରେ ସେଣ୍ଟ୍ରାଲାଇଜ୍‌ଡ଼ ଟ୍ରେନ୍‌ କଣ୍ଟ୍ରୋଲ୍‌ ସିଷ୍ଟମ୍‌ (ସିଟିସିଏସ୍‌) ଜରିଆରେ ସେହିବାଟ ଦେଇ ଚଳାଚଳ କରୁଥିବା ପ୍ରତ୍ୟେକ ଟ୍ରେନ୍‌ର ବର୍ତ୍ତମାନ ଅବସ୍ଥିତି ସହଜରେ ଜାଣି ହେଉଛି। ସେହିପରି ବଡ଼ ବଡ଼ ରେଳ ପ୍ରକଳ୍ପର କାମ ଠିକ୍‌ ଚାଲିଛି କି ନାହିଁ, ତାହା ଜାଣିବା ପାଇଁ ଏବେ ରେଳବାଇ ସିସିଟିଭି ଓ ଡ୍ରୋନ୍‌ କ୍ୟାମେରାର ସହାୟତା ନେଉଛି। ବଲାଙ୍ଗିର-ଭଇଁସାପଲ୍ଲୀ ଲାଇନ୍‌ର ନିର୍ମାଣ କାର୍ଯ୍ୟ ଏବଂ ଅନ୍ୟ ପୋଲର ମରାମତି କାମ ଉପରେ ଏବେ ଏହା ଦ୍ୱାରା ଦୃଷ୍ଟି ରଖାଯାଇଛି। ଯଦ୍ଦ୍ୱାରା ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ସେହି ସ୍ଥାନରେ ଚାଲିଥିବା କାମ ଉପରେ ପ୍ରତ୍ୟକ୍ଷ ଭାବେ ନଜର ରଖି ପାରୁଛନ୍ତି। ଶ୍ରୀ ସିଂ କହିଥିଲେ, କିଛିମାସ ପୂର୍ବେ ବର୍ଷାରେ ଧୋଇଯାଇ ଥିବା କୋରାପୁଟ ନିକଟସ୍ଥ ଆରାପୁ ପୋଲ ଧୋଇ ଯାଇଥିବା ବେଳେ ରେଳ ଇଞ୍ଜିନିୟର ଓ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ହେତୁ ସେହି ପୋଲର ମରାମତି କାମ ମାତ୍ର ୫୪ ଦିନ ମଧ୍ୟରେ ଶେଷ ହୋଇ ପାରିଛି।

Leave A Reply