ଶ୍ରୀଦେବୀଙ୍କ ମୃତ୍ୟୁର ତଦନ୍ତ ଆବେଦନ ଖାରଜ

0

ନୂଆଦିଲ୍ଲୀ : ବଲିଉଡ୍‍ର ପ୍ରମୁଖ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ ଲାଗି ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଶୁକ୍ରବାର ଖାରଜ କରିଦେଇଛନ୍ତି। ଫେବୃଆରୀ ୨୪ରେ ଦୁବାଇସ୍ଥିତ ଏକ ହୋଟେଲର ବାଥ୍‍ଟବ୍‍ରେ ବୁଡି ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ମୃତ୍ୟୁରେ ସନ୍ଦେହ ପ୍ରକାଶ କରି ଏହାର ନିରପେକ୍ଷ ତଦନ୍ତ ଦାବିରେ ସୁନୀଲ ସିଂହ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।
ପ୍ରଧାନ ବିଚାରପତି ଦୀପକ ମିଶ୍ର, ବିଚାରପତି ଏ. ଏମ୍‍. ଖାନ୍‍ୱିଲକର୍‍ ଏବଂ ଡି. ୱାଇ. ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ଖଣ୍ଡପୀଠ ଉକ୍ତ ଆବେଦନକୁ ଖାରଜ କରିଦେଇଛନ୍ତି। ସୁନୀଲ ଏହା ପୂର୍ବରୁ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ। ମାତ୍ର ଭାରତ ଏବଂ ଦୁବାଇର ଅଧିକାରୀମାନେ ଶ୍ରୀଦେବୀଙ୍କ ଅକସ୍ମାତ୍‍ ମୃତ୍ୟୁ ଘଟଣାର ତଦନ୍ତ କରି ରିପୋର୍ଟ ଦେଇ ସାରିଥିବାରୁ ସୁନୀଲଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ହାଇକୋର୍ଟ ମନା କରିଥିଲେ। ଶ୍ରୀଦେବୀ ବାଥ୍‍ଟବରେ ସମ୍ପୂର୍ଣ୍ଣ ବୁଡି ରହିଥିବା ତାଙ୍କ ସ୍ୱାମୀ ବୋନି କପୁର ପ୍ରଥମେ ଦେଖିଥିଲେ। ପରେ ସେ ଅନ୍ୟମାନଙ୍କୁ ସୂଚନା ଦେଇଥିଲେ। ଦୁର୍ଘଟଣାବଶତଃ ପାଣିରେ ବୁଡ଼ି ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିବା ଶବବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡିବା ପରେ ଦୁବାଇ ପ୍ରଶାସନ ତାଙ୍କ ମୃତଦେହ ଭାରତ ଆଣିବାକୁ ଅନୁମତି ଦେଇଥିଲା। ମୃତ୍ୟୁର ୫ ଦିନ ପରେ ମୁମ୍ବଇଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା।

Leave A Reply