ଶ୍ରୀଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ତରଫରୁ ପୁସ୍ତକ ଲୋକାର୍ପଣ ଉତ୍ସବ, ‘ଭାବସମୁଦ୍ର’ର ଚତୁର୍ଥ ସଂସ୍କରଣ
ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ତରଫରୁ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟାଳୟଠାରେ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୋକୁଳାନନ୍ଦ ଦାସ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବକାଶରେ ପ୍ରଫେସର ସୁରେନ୍ଦ୍ର ନାଥ ଦାଶ, ଡ. ସ୍ମରିତା ପ୍ରଧାନଙ୍କ ଦ୍ୱାରା ସଂପାଦିତ ପୁସ୍ତକ ଭୀମଭୋଇଙ୍କ ସ୍ତୁତି ଚିନ୍ତାମଣି, ପୁସ୍ତକକୁ ଉନ୍ମୋଚନ କରି ପ୍ରଫେସର ଦାସ ଜଣେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଗଣିତ ବିଭାଗୀୟ ପ୍ରଫେସର ହେଲେ ମଧ୍ୟ ଶ୍ରୀଜଗନ୍ନାଥଙ୍କର ଅଲୌକିକତା ଏବଂ ରହସ୍ୟମୟତା ଉପରେ ନିଜର ଅଲୌକିକ ଅନୁଭୂତି ଉପସ୍ଥାପନା କରିଥିଲେ। ବିଶେଷ କରି ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଥିବା ସମୟରେ ଶ୍ରୀଜଗନ୍ନାଥଙ୍କର ଅଲୌକିକ ସତ୍ତାକୁ ଉପଲବ୍ଧି କରିଥିବା କଥା ଅବତାରଣା କରିଥିଲେ। ସମ୍ମାନିତ ଅତିଥି ଡ଼. ପୀତବାସ ରାଉତରାୟ ପ୍ରତିଷ୍ଠାନ ଦ୍ୱାରା ସଂପାଦିତ ‘ଭାବସମୁଦ୍ର’ର ଚତୁର୍ଥ ସଂସ୍କରଣ ଉନ୍ମୋଚନ କରି ତାଙ୍କ ଅନନ୍ୟ ଶ୍ରୀଜଗନ୍ନାଥ ସଂସ୍ଥାନ ଦ୍ୱାରା ଦୀର୍ଘ ଷୋହଳ ବର୍ଷ ଧରି ପ୍ରକାଶିତ ହେଉଥିବା ଅନୁଭୂତିରେ ଶ୍ରୀଜଗନ୍ନାଥ ପୁସ୍ତକର ସଂପାଦନାରେ ଶ୍ରୀଜଗନ୍ନାଥଙ୍କ କରୁଣା ଓ ଆଶୀର୍ବାଦରୁ ତାହା କିପରି ସଫଳ ହୋଇପାରିଛି ବହୁ ଦୃଷ୍ଟାନ୍ତ ସହ ଉପସ୍ଥାପନା କରିଥିଲେ। ଉତ୍ସବରେ ସଭାପତିତ୍ୱ କରିଥିଲେ ପ୍ରତିଷ୍ଠାନର ସଭାପତି ପ୍ରଫେସର ସୁରେନ୍ଦ୍ର ନାଥ ଦାଶ, ଆମନ୍ତ୍ରିତ ଅତିଥି ମାନଙ୍କର ସ୍ୱାଗତ ଓ ପରିଚୟ ସହ ପୁସ୍ତକ ଦୁଇଟିକୁ ସମୀକ୍ଷା ମଧ୍ୟ କରିଥିଲେ।
ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ ହେବାକୁ ଯାଉଥିବା ଓଡ଼ିଆ ସାହିତ୍ୟର ସଂପୂର୍ଣ୍ଣ ଇତିହାସ – ପ୍ରାକ୍ ସାରଳା ଆଧୁନିକ ଯୁଗ ୨୦୨୦ ମସିହା ପର୍ଯ୍ୟନ୍ତ ସମୟକୁ ପାଞ୍ଚ ଭାଗରେ ବିଭକ୍ତ କରି ଏକ ନୂତନ ଶୈଳୀରେ ତଥ୍ୟ ଓ ତତ୍ତ୍ୱପୂର୍ଣ୍ଣ ଇତିହାସ ରଚନା କରିବା ସଂପର୍କରେ ଗବେଷଣା ପ୍ରକଳ୍ପର ସଂଯୋଜକ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ। ପ୍ରତିଷ୍ଠାନ ଦ୍ୱାରା ସମସ୍ତ ଅତିଥିମାନଙ୍କୁ ପ୍ରତିଷ୍ଠାନର ପୃଷ୍ଠପୋଷକ ଅଲେଖ କୁମାର ଦାସ ଉତ୍ତରୀୟ ତଥା ପୁଷ୍ପଗୁଚ୍ଛ ପ୍ରଦାନ ସହ ଉପସ୍ଥାପକ ପୂଣ୍ୟଦର୍ଶନ ସାହୁଙ୍କୁ ସ୍ୱତନ୍ତ୍ର ଭାବରେ ସମ୍ମାନୀତ କରାଯାଇଥିଲା। ଉକ୍ତ ଉତ୍ସବରେ ପ୍ରଫେସର ନାରାୟଣ ସାହୁ, ପ୍ରଫେସର ପ୍ରମୋଦ କୁମାର ପରିଡ଼ା, ପ୍ରାଧ୍ୟାପକ ରୁଦ୍ରନାରାୟଣ ମହାପାତ୍ର, ଡ଼. ନିବେଦିତା ମହାନ୍ତି, ଡ଼. ସ୍ମରିତା ପ୍ରଧାନ, ପୁସ୍ତକ ପ୍ରକାଶକ ବିଜୟ କୁମାର ମହାପାତ୍ର ତଥା ଗବେଷକ ଲିଙ୍ଗରାଜ ରଥ ସହିତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମଧ୍ୟ ଉପସ୍ଥିତ ଥିଲେ।
Comments are closed.