www.samajalive.in
Saturday, December 6, 2025
23.1 C
Bhubaneswar

ଚଳିତ ମାସରୁ ମିଳିବ ସ୍ପୁଟନିକ ଭି ଟିକା: ତ୍ୱରାନ୍ୱିତ ହେବ ଟିକାକରଣ

ନୂଆଦିଲ୍ଲୀ: କରୋନା ବିରୋଧରେ ଚାଲିଥିବା ଲଢେଇ ପାଇଁ ଆଉଏକ ଭଲ ଖବର। ଭାରତ ସରକାର କୋଭିଡ-୧୯ର ମୁକାବିଲା ନିମନ୍ତେ ରୁଷରେ ପ୍ରସ୍ତୁତ ସ୍ପୁଟନିକ ଭି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ପ୍ରଦାନ କରିବାର ଦୁଇଦିନ ପରେ ରୁଷରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନିଶ୍ଚିତ କରାଇ କହିଛନ୍ତି ଯେ ପ୍ରଥମ ଦଫା ସ୍ପୁଟନିକ ଭି ଟିକା ଚଳିତ ମାସରେ ଭାରତରେ ପହଞ୍ଚିବ। ରାଷ୍ଟ୍ରଦୂତ ବାଲା ଭେଙ୍କଟେଶଙ୍କ ଉକ୍ତିକୁ ଉଦ୍ଧାର କରି ରୁଷୀୟ ଖବର ସରବରାହ ସଂସ୍ଥା ଏହା କହିଛି। ସୂଚନାଯୋଗ୍ୟ ଯେ ସ୍ପୁଟନିକ ଟିକା ଆମଦାନୀ ଓ ବିକ୍ରି ପାଇଁ ଡ.ରେଡିସ୍‍ ଲାବୋରେଟୋରିଜ ଲିମିଟେଡ ପକ୍ଷରୁ ଏଥିପାଇଁ ଭାରତ ସରକାରଙ୍କ ଡ୍ରଗସ କଂଟ୍ରୋଲର ଜେନେରାଲଙ୍କ ନିକଟରେ ଆବେଦନ କରାଯାଇଥିଲା।
ଋୁଷରେ ମେସର୍ସ ଗାମାଲେୟା ଇନଷ୍ଟିଚ୍ୟୁଟ ପକ୍ଷରୁ ଏହି ଟିକା ପ୍ରସ୍ତୁତ କରାଯାଇଛି। ଏହାକୁ ଜରୁରୀକାଳୀନ ବ୍ୟବହାର ଉଦ୍ଦେଶ୍ୟରେ ପ୍ରସ୍ତୁତ କରାଯାଇଛି। ଏହି ଗାମ୍‍-କୋଭିଡ-ଭାକ ସହିତ ଭେକ୍ଟର ଭାକ୍ସିନ (କମ୍ପୋନେଣ୍ଟ ୧ ଏବଂ କମ୍ପୋନେଣ୍ଟ ୨)କୁ ରଷିଆନ ଫେଡେରେସନର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧୀନସ୍ଥ ନ୍ୟାସନାଲ ରିସର୍ଚ୍ଚ ସେଣ୍ଟର ଫର ଏପିଡେମିଓଲୋଜି ଆଣ୍ଡ ମାଇକ୍ରୋବାୟୋଲୋଜି ଦ୍ୱାରା ବିକଶିତ କରାଯାଇଛି ଏବଂ ସମଗ୍ର ବିଶ୍ୱରେ ୩୦ଟି ରାଷ୍ଟ୍ର ଏହାକୁ ଅନୁମୋଦନ କରିସାରିଛନ୍ତି। ୧୮ ବର୍ଷ ଅଥବା ତଦୁଦ୍ଧ୍ୱର୍ ବୟସ୍କଙ୍କ ଠାରେ କୋଭିଡ-୧୯ ରୋଗ ନିରାକରଣ ଉଦ୍ଦେଶ୍ୟରେ ଏହାକୁ ବ୍ୟବହାର କରାଯାଇପାରିବ। ଏହାକୁ ଥରକେ ୦.୫ ମିଲିଲିଟର ହିସାବରେ ୨୧ ଦିନ ବ୍ୟବଧାନରେ ଦୁଇଥର ଇଂଟ୍ରାମସ୍କୁଲାର ଭାବରେ ବ୍ୟବହାର କରାଯାଇପାରିବ। ପ୍ରଥମ ଦିନ କମ୍ପୋନେଣ୍ଟ ୧ ଦିଆଯିବା ପରେ ଠିକ ୨୧ତମ ଦିନ କମ୍ପୋନେଣ୍ଟ ୨ ଦେବାକୁ ପଡିବ। ଏହି ଟିକାକୁ ବିଯୁକ୍ତ ୧୮ ଡିଗ୍ରୀ ସେଲ୍‍ସିୟସରେ ରଖିବାକୁ ହେବ। ଇତିମଧ୍ୟରେ ଚଳିତ ଗ୍ରୀଷ୍ମଋତୁରେ ଭାରତରେ ୫୦ ନିୟୁତ ଡୋଜ ସ୍ପୁଟନିକ ଭି ଟିକା ତିଆରି କରିବାକୁ ରଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ (ଆରଡିଆଇଏଫ) ଲକ୍ଷ୍ୟ ରଖିଛି। ଚଳିତ ବର୍ଷ ଜାନୁଆରୀରେ ଭାରତର ଡ୍ରଗ କଂଟ୍ରୋଲର ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ସେରମ୍‍ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ତିଆରି କୋଭିସିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନକୁ କୋଭିଡ-୧୯ ନିୟନ୍ତ୍ରଣ ପାଇଁ ଜରୁରୀକାଳୀନ ବ୍ୟବହାର ଉଦ୍ଦେଶ୍ୟରେ ଅନୁମତି ପ୍ରଦାନ କରିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories