ଜାତୀୟ ସବ୍‍ଜୁନିୟର ବାଳିକା ଫୁଟ୍‍ବଲ: ଓଡ଼ିଶା-ମଣିପୁର ଫାଇନାଲ

0

କଟକ : କଟକରେ ଚାଲିଥିବା ଜାତୀୟ ସବ୍‍ଜୁନିୟର ବାଳିକା ଫୁଟ୍‍ବଲ ଚମ୍ପିଆନ୍‍ସିପର ଫାଇନାଲରେ ଆୟୋଜକ ଓଡ଼ିଶା ଓ ପୂର୍ବତନ ଚମ୍ପିଆନ୍‍ ମଣିପୁର ମଧ୍ୟରେ ମୁକାବିଲା ହେବ। ଫୁଟ୍‍ବଲ ଆସୋସିଏସନ୍‍ ଅଫ୍‍ ଓଡ଼ିଶା (ଫାଓ) ଆନୁକୂଲ୍ୟରେ କଟକରେ ଚାଲିଥିବା ଏହି ଟୁର୍ଣ୍ଣାମେଣ୍ଟରେ ମଙ୍ଗଳବାର ୨ଟି ସେମିଫାଇନାଲ ମ୍ୟାଚ୍‍ ଖେଳା ଯାଇଥିବା ବେଳେ ଏଥିରେ ଓଡ଼ିଶା ଓ ମଣିପୁର ବିଜୟୀହୋଇ ଫାଇନାଲରେ ପହଞ୍ଚିଛନ୍ତି।
ମଙ୍ଗଳବାର ବାରବାଟୀ ଷ୍ଟାଡିୟମ୍‍ରେ ଖେଳା ଯାଇଥିବା ସେମିଫାଇନାଲରେ କେରଳକୁ ୬-୧ ଗୋଲ୍‍ରେ ଓଡ଼ିଶା ପରାସ୍ତ କରିଛି। ଓଡ଼ିଶା ପାଇଁ ଜ୍ୟୋତି କୁମାରୀ, ମନୀଷା ନାୟକ ଓ ମାଳତୀ ମୁଣ୍ଡା ୨ଟି ଲେଖାଏଁ ଗୋଲ୍‍ ଦେଇଥିଲେ। କେରଳର ପି. ମାଳବିକା ଏକମାତ୍ର ଗୋଲ୍‍ ଦେଇଥିଲେ। ରେଭେନ୍‍ସା ବିଶ୍ୱବିଦ୍ୟାଳୟ ଗ୍ରାଉଣ୍ଡରେ ସଂଘର୍ଷପୂର୍ଣ୍ଣ ୨ୟ ସେମିଫାଇନାଳ ମ୍ୟାଚ୍‍ରେ ହିମାଚଳ ପ୍ରଦେଶକୁ ୩-୨ ଗୋଲ୍‍ରେ ମଣିପୁର ପରାସ୍ତକରି ଫାଇନାଲରେ ପହଞ୍ଚିଛି। ମଣିପୁଣ ପାଇଁ ଏସ୍‍. ଲିଣ୍ଡା କମ୍‍ ୨ଟି ଓ ହେମାମ୍‍ ସିଲ୍‍କି ଦେବୀ ଗୋଟିଏ ଗୋଲ୍‍ ଦେଇଥିଲେ। ହିମାଚଳ ପ୍ରଦେଶର ଅଧିନାୟିକା ଅଞ୍ଜୁ ୨ଟିଯାକ ଗୋଲ୍‍ ଦେଇଥିଲେ। ଗୁରୁବାର ଅପରାହ୍‍ଣ ୩.୩୦ରେ ଓଡ଼ିଶା-ମଣିପୁର ଫାଇନାଲ ମ୍ୟାଚ୍‍ ଖେଳାଯିବ।

Leave A Reply