ଉତ୍କଳୀୟ ଚେତନାର ଅମ୍ଳାନ ଜ୍ୟୋତି
- ଦାଶରଥୀ ଶତପଥୀ, ସଚିବ, ଓଡ଼ିଶା ବିଧାନସଭା
ଏହି ଅମୃତମୟ ସୃଷ୍ଟିରେ ଗୋଟିଏ ଦେଶ ଓ ଜାତି ଯେତେବେଳେ ଘୋର ବିପଦର ସମ୍ମୁଖୀନ ହୁଏ ସେତେବେଳେ ଏହାକୁ ପ୍ରତିହତ କରିବା ପାଇଁ ଧରାପୃଷ୍ଠରେ କେତେ ଜଣ ଯୋଗଜନ୍ମା ଆବିର୍ଭାବ ହୋଇଥାନ୍ତି ଏବଂ ମାନବ ସେବାକୁ ମାଧବ ସେବାଭାବେ ଜୀବନକୁ ବ୍ରତ ଭାବେ ଗ୍ରହଣ କରି ଜୀବନର ଶେଷ ପର୍ୟ୍ୟନ୍ତ ସମାଜର ସେବା କରିଥା’ନ୍ତି। ସେହିପରି ବହୁମୁଖୀ ପ୍ରତିଭାର ଅଧିକାରୀ ଉତ୍କଳର ବରପୁତ୍ର ଉତ୍କଳମଣି ଗୋପବନ୍ଧୁ ଥିଲେ ସାମାଜିକ ଚେତନାର ପ୍ରବୃଦ୍ଧ ବ୍ୟକ୍ତିତ୍ବ ଯାହାଙ୍କର ଓଡ଼ିଆ ଜାତି ପ୍ରତି ଥିବା ତ୍ୟାଗ ଓ ତିତିକ୍ଷା ନିକଟରେ ସମଗ୍ର ଓଡ଼ିଆ ଜାତି ଚିର କୃତଜ୍ଞ। ସ୍ବାଧୀନତା ସଂଗ୍ରାମର ମହାନାୟକଭାବେ କାର୍ୟ୍ୟ କରି, ଶିକ୍ଷା କ୍ଷେତ୍ରରେ, ସମାଜ ସଂସ୍କାର କ୍ଷେତ୍ରରେ, ସାହିତ୍ୟ ଓ ସାମ୍ବାଦିକତାରେ ସର୍ବୋପରି ଜନପ୍ରତିନିଧି ଭାବରେ ତାଙ୍କର ଘଟଣା ବହୁଳ ଜୀବନର ପ୍ରତି ମୁହୂର୍ତ୍ତରେ ଛାଡ଼ିଯାଇଥିବା ପଦଚିହ୍ନ ଏହି ଜାତି ପାଇଁ ଗୋଟିଏ ଗୋଟିଏ ମହାର୍ଘ୍ୟ। ୧୮୭୭ ମସିହା ଅକ୍ଟୋବର ୯ ତାରିଖରେ ପୁରୀ ଜିଲା ସତ୍ୟବାଦୀ ନିକଟସ୍ଥ ସୁଆେଥଣ୍ଡା ଗ୍ରାମର ଏକ ମଧ୍ୟମ ଓ ସୁସଂସ୍କୃତ ବ୍ରାହ୍ମଣ ପରିବାରରେ ଜନ୍ମିତ ଗୋପବନ୍ଧୁ ଅତି ଶୈଶବରୁ ମାତୃହରା ହୋଇଥିଲେ।
ବାଲ୍ୟକାଳରୁ ସରଳ, ନିରାଡ଼ମ୍ବର ଜୀବନଶୈଳୀ ବିତାଇଥିବା ଗୋପବନ୍ଧୁ ଜଣେ ମେଧାବୀ, ଅଧ୍ୟବସାୟୀ, ପରିଶ୍ରମୀ, ନିଷ୍ଠାପର, ଅଧ୍ୟୟନପ୍ରିୟ, ସୁବକ୍ତା, ଉତ୍ତମ ସଂଗଠକ, କଠୋର ସମାଲୋଚକ, ସ୍ବଦେଶପ୍ରେମୀ କବି, ସ୍ବାଧୀନଚେତା ନିର୍ଭୀକ ସତ୍ୟାନୁରାଗୀ ଏବଂ ଅସୁସ୍ଥ ଅସହାୟ ଛାତ୍ରର ଦରଦୀ ବନ୍ଧୁ ଥିଲେ। ତାଙ୍କର ଛାତ୍ରାବସ୍ଥା,ଗାଁ ଚାଟଶାଳୀରୁ ପୁରୀ ଜିଲା ସ୍କୁଲ ଓ ପରେ କଟକର ରେଭେନ୍ସା କଲେଜ ପର୍ୟ୍ୟନ୍ତ ଜଣେ ସଫଳ ପୂର୍ଣ୍ଣାଙ୍ଗ ମଣିଷ ଭିତରେ ଆଧ୍ୟାତ୍ମିକତବାଦ ପୂରି ରହିଥିଲା। ବିଦ୍ୟାଳୟରେ ଅଧ୍ୟୟନ ସମୟରୁ ସ୍ବଦେଶପ୍ରୀତି, ଜନସେବା ଓ ଜାତୀୟ ସମସ୍ୟା ପ୍ରତି ଆକୃଷ୍ଟ ହୋଇ ରୋଗୀ, ଦୁଃଖୀ, ଦରିଦ୍ରମାନଙ୍କର ସେବା କରି ମାନସିକ ଶାନ୍ତି ପାଉଥିଲେ। ବନ୍ୟା ପ୍ରପୀଡ଼ିତ, ଅନାହାରକ୍ଳିଷ୍ଟ, ବୁଭୁକ୍ଷୁ ଜନତା ଖାଦ୍ୟ ବସ୍ତ୍ର ପାଇଁ ହା ଅନ୍ନ ବୋଲି କ୍ରନ୍ଦନ କରୁଥିବାବେଳେ ସ୍ବେଚ୍ଛାସେବୀମାନଙ୍କ ସହ ଚୁଡ଼ା, ଚାଉଳ, ବସ୍ତ୍ର ଧରି ଦେବଦୂତଭାବେ ଉଭା ହେଉଥିଲେ ଗୋପବନ୍ଧୁ।
ରେଭେନ୍ସାରେ ସ୍ନାତକ କଲାବେଳେ ୧୯୦୯ ମସିହାରେ କଟକରେ ଅନୁଷ୍ଠିତ ମଧୁସୂଦନ ଦାସଙ୍କ ଦ୍ବାରା ଗଠିତ ଉତ୍କଳ ସମ୍ମିଳନୀର ପ୍ରଥମ ଅଧିବେଶନରେ ଯୋଗଦାନ କରିିଥିଲେ ଏବଂ ସ୍ବତନ୍ତ୍ର ଉତ୍କଳ ଗଢ଼ିବା ସଂକଳ୍ପ ନେଇ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ଉଦ୍ଦେଶ୍ୟରେ ସାଂଗଠନିକ ପ୍ରସ୍ତୁତି ପାଇଁ ଛାତ୍ର ବନ୍ଧୁମାନଙ୍କୁ ନେଇ ଗଢ଼ିଥିଲେ ଉତ୍କଳ ଯୁବ ସମିତି। ରେଭେନ୍ସାରୁ ସ୍ନାତକ ପରେ ସ୍ବାଧୀନଚେତା ଗୋପବନ୍ଧୁ ଦେଶ ସେବା ଓ ସମାଜ ସେବାକୁ ଜୀବନର ଶ୍ରେଷ୍ଠଭାବେ ଗ୍ରହଣ କରି ଆଇନ ଶିକ୍ଷା କରିବାକୁ କଲିକତା ଗଲେ ଓ ସେଠାରୁ ବି.ଏଲ.ପାସ କରି ଓଡ଼ିଶା ପ୍ରତ୍ୟାବର୍ତ୍ତନ କରି କଟକ ଓ ପୁରୀରେ ଓକିଲାତି କଲେ। ଏହି ସମୟରେ ସମାଜରୁ କୁସଂସ୍କାର, ଅନ୍ଧବିଶ୍ବାସ, ସ୍ଥାଣୁତ୍ବ କେବଳ ଶିକ୍ଷା ଦ୍ବାରା ହିଁ ଦୂର ହୋଇପାରିବା ସଙ୍ଗେସଙ୍ଗେ ରାଜ୍ୟରୁ ଦାରିଦ୍ର୍ୟ ଦୂରୀକରଣ, ଏକତ୍ବଭାବ, ଦେଶପ୍ରୀତି, ଭ୍ରାତୃଭାବ ସୃଷ୍ଟି ହୋଇପାରିବ ଚିନ୍ତା କରି, ଏହି ପରିପ୍ରେକ୍ଷୀରେ ତାଙ୍କର ବନ୍ଧୁ ନୀଳକଣ୍ଠ ଦାସ, ଆଚାର୍ୟ୍ୟ ହରିହର, ଗଣସେବକ ଗୋଦାବରୀଶ, ବାଗ୍ମୀ କୃପାସିନ୍ଧୁ (ସତ୍ୟବାଦୀର ପଞ୍ଚସଖା)ଙ୍କୁ ନେଇ ସତ୍ୟବାଦୀଠାରେ ବନବିଦ୍ୟାଳୟର ଶୁଭାରମ୍ଭ କଲେ ୧୯୦୯ ମସିହା ଅଗଷ୍ଟ ୧୨ ତାରିଖରେ।
ପଣ୍ଡିତ ଲିଙ୍ଗରାଜ ମିଶ୍ର, ପଣ୍ଡିତ ବାସୁଦେବ ରଥ, ରାମଚନ୍ଦ୍ର ରଥ, ଲୋକନାଥ ମହାପାତ୍ର, ବଂଶୀଗୋପାଲାଚାରୀ ଭଳି ଗରିଷ୍ଠ ଜ୍ଞାନର ଅଧିକାରୀ, ଛାତ୍ରବତ୍ସଳ, କର୍ତ୍ତବ୍ୟନିଷ୍ଠ ଶିକ୍ଷକମାନଙ୍କୁ ନେଇ ଗୋପବନ୍ଧୁ ଛାତ୍ରମାନଙ୍କ ମଧ୍ୟରେ ଯେଉଁ ଜାତୀୟତାବୋଧ ଓ ଦେଶପ୍ରୀତିର ମନ୍ତ୍ର ଫୁଙ୍କିଥିଲେ ତାହା ସତ୍ୟବାଦୀ ବନବିଦ୍ୟାଳୟକୁ ଏକ ମଣିଷଗଢ଼ା କାରଖାନାରେ ପରିଣତ କରି, ପରବର୍ତ୍ତୀ ସମୟରେ ଆମ ଜାତୀୟ ଚରିତ୍ରକୁ ପରିପୁଷ୍ଟ କରିଥିଲା।
ବିହାର ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଗଠନ ହେବାପରେ, ଏହି ପ୍ରଦେଶର ବିହାର ଓଡ଼ିଶା କାଉନସିଲର ସଦସ୍ୟରୂପେ ଗୋପବନ୍ଧୁ ଯୋଗଦାନ କରି ନିଜର ଅଧ୍ୟୟନ, ସାଧାରଣ ଲୋକଙ୍କ ପ୍ରତି ସମ୍ବେଦନଶୀଳତା, ଆଇନ ଶାସ୍ତ୍ରରେ ଗଭୀର ଜ୍ଞାନ ଦ୍ବାରା ସମସ୍ତଙ୍କୁ ଆକୃଷ୍ଟ କରିପାରିବା ସଙ୍ଗେସଙ୍ଗେ ନିଜ ବ୍ୟକ୍ତିତ୍ବର ସ୍ବାଭିମାନକୁ ନେଇ ନିଜକୁ ଏକ ଯୁଗାନ୍ତକାରୀ ଲୋକପ୍ରତିନିଧିଭାବେ ପ୍ରତିପାଦିତ କରିଥିଲେ। ସେହି ସମୟରେ ଉତ୍କଳଗୌରବ ମଧୁସୂଦନ ଦାସଙ୍କ ସହ ମିଶି ଉତ୍କଳ ସମ୍ମିଳନୀର ସଭାପତିଭାବେ କାର୍ୟ୍ୟଭାର ଗ୍ରହଣ କରି ସମଗ୍ର ଓଡ଼ିଆ ଜାତିର ପ୍ରାଣରେ ଜାତୀୟତାଭାବ ଉଦ୍ରେକ କରିଥିଲେ। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳଲକ୍ଷ୍ୟ ନେଇ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ଗୋପବନ୍ଧୁ କଂଗ୍ରେସର ସ୍ବତନ୍ତ୍ର ଅଧିବେଶନରେ ଯୋଗଦାନ କରିଥିଲେ।
୧୯୨୧ ମସିହା ମାର୍ଚ୍ଚ ୨୩ ତାରିଖରେ ଗୋପବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଗାନ୍ଧିଜୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିଲା। ସେହିଦିନ ସନ୍ଧ୍ୟାବେଳେ କଟକର କାଠଯୋଡ଼ି ନଦୀର ବିସ୍ତୃତ ବାଲୁକା ଶଯ୍ୟାରେ ବିରାଟ ସଭା ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ, ଗୋପବନ୍ଧୁଙ୍କ ଭାଷଣ ଶୁଣିବା ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥିଲା। ସେଠାରେ ଗୋପବନ୍ଧୁ ଜନସମାଜକୁ ଦେଇଥିବା ଓଜସ୍ବିନୀ ଭାଷଣ ଥିଲା ଯୁଗାନ୍ତକାରୀ। ଆମ ଉତ୍କଳୀୟ ଧର୍ମରେ କିପରି ନାନା ଧର୍ମ, ବର୍ଣ୍ଣ, ସଂପ୍ରଦାୟର ଲୋକେ ଏକୀଭୂତ ହୋଇଛନ୍ତି ଏବଂ ଏହି ଆମ ପୁରୀ ଧାମରେ କିପରି ଜାତିଭେଦ ନାହିଁ, ଗାନ୍ଧିଜୀଙ୍କ ଆଗମନରେ ରାଜନୀତି ହିଁ ଧର୍ମନୀତିରେ ପରିଣତ ହୋଇଛି ତାହା ସେ ବିରାଟ ଜନସମାଗମକୁ ଉଦ୍ବୋଧନ ଦେଇ ସ୍ବାଧୀନତାର ବାର୍ତ୍ତା ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଗାନ୍ଧିଜୀ, ଗୋପବନ୍ଧୁଙ୍କ ସଭାପତିତ୍ବରେ ଓଡ଼ିଶାରେ ପ୍ରଥମ ଉତ୍କଳ କଂଗ୍ରେସ ଗଠନ କରିଥିଲେ, ଯାହାଫଳରେ ଗୋପବନ୍ଧୁଙ୍କ ନେତୃତ୍ବରେ ସଂଗଠିତ ସ୍ବାଧୀନତା ସଂଗ୍ରାମ ଥିଲା ଏକ ଅଭୂତପୂର୍ବ ଜନଆନ୍ଦୋଳନ।
ତାଙ୍କର ଦେଶଭକ୍ତି, ତାଙ୍କ ନେତୃତ୍ବରେ ଜନଆନ୍ଦୋଳନ ଦେଖି ବ୍ରିଟିଶ ସରକାର ତାଙ୍କୁ ଦୁଇବର୍ଷରୁ ଊର୍ଦ୍ଧ୍ବକାଳ କାରାଦଣ୍ଡରେ ଦଣ୍ଡିତ କରି ବିହାରର ହଜାରିବାଗ ଜେଲରେ ରଖିଥିଲେ। ଜେଲରୁ ଫେରି ସାଧାରଣ ଜନତାଙ୍କ ମଧ୍ୟରେ ନବଜାଗରଣ ସୃଷ୍ଟି ଓ ସଠିକ ସମ୍ବାଦ ପରିବେଷଣ କରିବା ମୂଳ ଲକ୍ଷ୍ୟ ନେଇ ସମାଜ ଅନୁଷ୍ଠାନ ପ୍ରତିଷ୍ଠା କଲେ।
ଗୋପବନ୍ଧୁଙ୍କ ଦୃଷ୍ଟିରେ ଦେଶ ଓ ଜାତି ଗଠନରେ, ଜାତୀୟ ଚେତନା ଜାଗ୍ରତ କରିବାରେ ସାହିତ୍ୟର ଭୂମିକା ଅତୀବ ତାତ୍ପର୍ୟ୍ୟପୂର୍ଣ୍ଣ। ତାଙ୍କ ମତରେ ଏକ ପରାଧୀନ ଜାତି, ସାହିତ୍ୟ ମାଧ୍ୟମରେ ହିଁ ପରାଧୀନତାର ନିଗୂଢ଼ ବନ୍ଧନରୁ ମୁକ୍ତି ଲାଭ କରିବାପାଇଁ ବାଟ ଖୋଜିପାଏ। ସାହିତ୍ୟ ହିଁ ସମାଜର ନିର୍ମାତା, ସଂଗଠନ ଓ କଲ୍ୟାଣକାରୀ। ଏହି ପରିପ୍ରେକ୍ଷୀରେ ସେ ରଚନା କରିଥିଲେ ଅନେକ କବିତା, ଯେଉଁଥିରେ ବିଶ୍ବ ମାନବବାଦ, ନବଜାଗରଣର ସୂଚନା ଓ ସତ୍ୟ, ଅହିଂସା ପ୍ରତିଷ୍ଠା ଥିଲା ଗୋପବନ୍ଧୁ ସାହିତ୍ୟର ମୂଳ ନିର୍ୟ୍ୟାସ। ବନ୍ଦୀର ଆତ୍ମକଥା, କାରା କବିତା, ଧର୍ମପଦ, ଅବକାଶ ଚିନ୍ତା, ଗୋ-ମାହାତ୍ମ୍ୟ ଏବଂ ନଚିକେତା ଉପାଖ୍ୟାନ ତାଙ୍କର ଅମ୍ଳାନ କୃତି। ଦେଶ ମାତୃତାକୁ ବିଦେଶୀ ହାତରୁ ମୁକୁଳାଇବା ପାଇଁ ସମାଜେ୍ର ନବଜାଗରଣ ସୃଷ୍ଟି ନିମିତ୍ତ ତାଙ୍କ ପ୍ରାଣ ବିକଳ ହୋଇ ଉଠିଥିଲା ତାହା ବନ୍ଦୀର ଆତ୍ମକଥାରେ ପ୍ରସ୍ଫୁଟିତ ହୋଇଛି।
ବର୍ତ୍ତମାନର ପରିସ୍ଥିତିକୁ ଯଦି ଦେଖିବା ମହାମାରୀ କରୋନାର ଆତଙ୍କର ଭୟାବହତାରେ ସମଗ୍ର ଦେଶ, ରାଜ୍ୟ ହନ୍ତସନ୍ତ ହେଉଥିବାବେଳେ ଡାକ୍ତର ନର୍ସ, ପୁଲିସ ବନ୍ଧୁ, ସ୍ବାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ, ସ୍ବେଚ୍ଛାସେବୀ ସଂଗଠନମାନେ ସରକାରଙ୍କ ସହ କରୋନା ଯୋଦ୍ଧା ସାଜି ଜନତାଙ୍କ ସେବା କରୁଥିବାବେଳେ ଏଭଳି ପ୍ରାକୃତିକ ବିପତ୍ତି ସମୟର ସଚ୍ଚା ସେବକ ଦେବଦୂତ ଉତ୍କଳମଣି ଗୋପବନ୍ଧୁ ସ୍ମରଣକୁ ଆସିଥାନ୍ତି। ବାସ୍ତବିକ ସେ ଥିଲେ ଯୁଗପୁରୁଷ, ପୁଣ୍ୟଶ୍ଳୋକ ଓ ଦୀନବନ୍ଧୁ, ଉତ୍କଳର ମଣି ଉତ୍କଳମଣି ଗୋପବନ୍ଧୁ….।
Comments are closed.