ଭୁବନେଶ୍ବର: କଟକ ଜିଲା ନରସିଂହପୁର ଜଙ୍ଗଲରେ ହାତୀ ମୃତ୍ୟୁ ଓ କଙ୍କାଳ ମିଳିବା ଘଟଣାର ତଦନ୍ତ ପାଇଁ ସ୍ବତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଏଟି) ଗଠନ କରାଯାଇଛି ବୋଲି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ(ପିସିସିଏଫ) ସୂଚନା ଦେଇଛନ୍ତି। ଉଚ୍ଚସ୍ତରୀୟ ତଦନ୍ତକାରୀ ୩ ଜଣିଆ ଦଳରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ, କ୍ଷେତ୍ରୀୟ ମୁଖ୍ୟ ବନ ସଂରକ୍ଷକ ଓ ବନ ସଂରକ୍ଷକ ରହିବେ। ସେହିପରି ତଦନ୍ତରେ କ୍ରାଇମବ୍ରାଞ୍ଚର ଡିଏସ୍ପି ବା ତର୍ଦୁଦ୍ଧ ରାଙ୍କର ଜଣେ ଅଧିକାରୀ ରହିବେ ବୋଲି ଜଣାପଡ଼ିଛି।
ନରସିଂହପୁର ଜଙ୍ଗଲରେ ହାତୀମୃତ୍ୟୁ ଘଟଣା ନେଇ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ଅବଗତ ହେବା ପରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଟୁଇଟ କରି ଉଦବେଗ ପ୍ରକାଶ କରିଛନ୍ତି। ସେ ଟୁଇଟ କରି କହିଛନ୍ତି ଯେ କେନ୍ଦ୍ର ସରକାର ନରସିଂହପୁର ହାତୀ ମୃତ୍ୟୁ ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି। ଏହି ଘଟଣାରେ ସଂପୃକ୍ତ ଥିବା ଲୋକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦିଆଯାଇଥିବା ସେ ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ନରସିଂହପୁର ଜଙ୍ଗଲରେ ଗତ ୪ ମାସ ମଧ୍ୟରେ ମୋଟ ୯ଟି ହାତୀ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେଥିମଧ୍ୟରୁ ୪ଟି ହାତୀ କଙ୍କାଳ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ୪ଟି ହାତୀ କଙ୍କାଳ ଭିତରୁ ୨ଟି ଦନ୍ତା ଥିବା ବେଳେ ଅନ୍ୟ ୨ଟି ମାଈ ହାତୀ ବୋଲି ଜଣାପଡ଼ିଛି। ସେହିପରି ୫ଟି ମୃତ ହାତୀଙ୍କ ମଧ୍ୟରୁ ୨ଟି ଦନ୍ତା, ୨ଟି ମାଈ ଓ ଗୋଟିଏ ଛୁଆ ରହିଛି। ଗତ ୪ ମାସ ଭିତରେ ଗୋଟିଏ ପରେ ଗୋଟିଏ ହାତୀ ମୃତ୍ୟୁ ହେବା ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି।



