ସାଂସଦ-ବିଧାୟକଙ୍କ ବିଚାର ତ୍ୱରାନ୍ୱିତ ହେବ: ସ୍ୱତନ୍ତ୍ର ଅଦାଲତ ପାଇଁ ଅର୍ଥ ମଞ୍ଜୁର
ନୂଆଦିଲ୍ଲୀ : ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ମାମଲାର ବିଚାର ପାଇଁ କେନ୍ଦ୍ର ସରକାର ବାର୍ଷିକ ପ୍ରାୟ ୮କୋଟି ଟଙ୍କା ବ୍ୟୟ କରିବେ। ଏଥିଲାଗି ଗଠିତ ୧୨ଟି ସ୍ୱତନ୍ତ୍ର ଅଦାଲତ ପରିଚାଳନା ବାବଦରେ ଏହି ଅର୍ଥ ବ୍ୟୟ ହେବ। ସରକାର ସୋମବାର ଏ ବାବଦରେ ୧୧ଟି ରାଜ୍ୟ ପାଇଁ ଅର୍ଥ ମଞ୍ଜୁର କରିଛନ୍ତି। କେନ୍ଦ୍ର ନ୍ୟାୟ ଓ ଆଇନ ମନ୍ତ୍ରଣାଳୟ ପ୍ରତି ଅଦାଲତ ପିଛା କିସ୍ତି ଆକାରରେ ୧କୋଟି ୭୯ଲକ୍ଷ ଲେଖାଏଁ ଟଙ୍କା ମଞ୍ଜୁର କରିଛନ୍ତି। ଅବଶିଷ୍ଟ ଅର୍ଥ ସମ୍ପୃକ୍ତ ରାଜ୍ୟ ସରକାରଙ୍କଠାରୁ ବିନିଯୋଗ ପତ୍ର ମିଳିବା ପରେ ପ୍ରଦାନ କରାଯିବ ବୋଲି କୁହାଯାଇଛି। ଦେଶରେ ସାଂସଦ ଓ ବିଧାୟକମାନଙ୍କ ବିରୋଧରେ ବର୍ତ୍ତମାନ ପ୍ରାୟ ୧୫୮୧ ଆପରାଧିକ ମାମଲା(୨୦୧୪ ନିର୍ବାଚନ ସମୟରେ ପ୍ରଦତ୍ତ ସତ୍ୟପାଠ ଆଧାରରେ) ବିଚାରାଧୀନ ରହିଛି। ଏଗୁଡ଼ିକର ବିଚାର ପାଇଁ ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କେରଳ, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲେଙ୍ଗାନା, ଦିଲ୍ଲୀରେ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରାଯାଇଛି। ସମସ୍ତ ରାଜ୍ୟରେ ଗୋଟିଏ ଥିବାବେଳେ ଦିଲ୍ଲୀରେ ଦୁଇଟି ଅଦାଲତ ପ୍ରତିଷ୍ଠା କରାଯାଇଛି।
ସୁପ୍ରିମକୋର୍ଟ ଗତ ବର୍ଷ ନଭେମ୍ବର ମାସରେ ଏହି ସବୁ ମାମଲାର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର ଅଦାଲତ ପ୍ରତିଷ୍ଠା କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ ନିର୍ଦେଶମତେ ସରକାର ଏ ସଂକ୍ରାନ୍ତ ଯୋଜନା ପ୍ରସ୍ତୁତ ଉପସ୍ଥାପନ କରିଥିଲେ; ଯାହା କୋର୍ଟଙ୍କ ଅନୁମୋଦନ ଲାଭ କରିଥିଲା। ସୁପ୍ରିମକୋର୍ଟ ଏହି ଅଦାଲତ ପ୍ରତିଷ୍ଠା ପାଇଁ ଅର୍ଥ ବ୍ୟବସ୍ଥା କରିବାକୁ ନିର୍ଦେଶ ଦେଇଥିଲେ। ଆସନ୍ତା ମାର୍ଚ୍ଚ ୧ରୁ ଏହି ଅଦାଲତଗୁଡ଼ିକ କାର୍ଯ୍ୟାରମ୍ଭ କରିବ।