ବିଶ୍ୱ ଦେଖ ମଧୁମୟ

ସଲିଳା ତ୍ରିପାଠୀ

କଥାରେ ଅଛି ‘ଦୂର ବନ୍ଧୁ ସୁନ୍ଦର’। ସେମିତି ଦୂର ପରବତ ସୁନ୍ଦର। ସମ୍ପର୍କକୁ ସୁଦୃଢ଼ କରିବାକୁ ହେଲେ ସେଥିରେ ନିର୍ଦିଷ୍ଟ ଦୂରତା ରଖିବା ଜରୁରୀ। ନଚେତ୍‌‌ ସମ୍ପର୍କଟା ପାଣିଚିଆ ହୋଇଯାଏ। ଦିନ ଥିଲା ଭାବର ଆଦାନପ୍ରଦାନ ପାଇଁ ମଣିଷ ପକ୍ଷୀର ସାହାରା ବି ନେଉଥିଲା। ସଦ୍ୟ ବିବାହିତା ନବବଧୂଟିଏ ସୁଦୂରରେ ଥିବା ତା’ର ସାଥୀଟିଏ ଖବର ପାଇଁ କେତେ ଆକୁଳ ବିକଳ ହୋଇ ପୋଷ୍ଟମ୍ୟାନ୍‌‌ର ଘଣ୍ଟିକୁ ଅନାଇ ରହୁଥିଲା। ଦୂରରେ ଥିବା କଥା ଛାଡନ୍ତୁ ପାଖରେ ଥିବା ସ୍ୱାମୀର ମୁହଁ ବି ଦେଖିବା ସାତସପନ ଥିଲା। କଥା ହେଲେ ଅଣ୍ଡିରାଚଣ୍ଡୀ ବୋଲି କୁହାଯାଉଥିବାରୁ ପତ୍ନୀମାନେ ପାଟିରେ ବିଭିନ୍ନ ଶବ୍ଦ କରି ମନର କଥାକୁ ପରିପ୍ରକାଶ କରୁଥିଲେ।

ଅତି ଆବଶ୍ୟକୀୟ କଥା ବା ଖବରକୁ ପଠାଇବା ପାଇଁ ଦୁଇରୁ ଚାରିଦିନ ଲାଗି ଯାଉଥିଲା। ଯେତେବେଳକୁ ଘଟଣାର ଆବଶ୍ୟକତାର ମୂଲ୍ୟ ପ୍ରାୟ କମି ଯାଉଥିଲା। ରାଜା ଘରେ କଟୁଆଳମାନେ ଖବର ନେଇ ମାସ ମାସ, ବର୍ଷ ବର୍ଷ ଅନ୍ୟ ରାଜ୍ୟମାନଙ୍କୁ ଯାଉଥିଲେ। ଆଉ ଥରେ ଗୃହ ତ୍ୟାଗକରି ଗଲେ ବାଟରେ ଅନେକ ପ୍ରକାରର ଭୟ ଆଶଙ୍କା କରାଯାଉଥିଲା। ତା’ ଫଳରେ ଯିବା ଆୟତ୍ତ ଓ ଫେରିବା ଅଣାୟତ୍ତ ବୋଲି ଧରାଯାଉଥିଲା। କୋଣାର୍କ ମନ୍ଦିରର ଗଠନ ବେଳେ ତା’ର ମୁଖ୍ୟ କାରିଗର ବିଶୁ ମହାରଣା ଘରୁ ଆସିଲା ବେଳେ ତାଙ୍କର ପତ୍ନୀ ଆସନ୍ନପ୍ରସବା ଥିବାବେଳେ ପରବର୍ତ୍ତୀ ସମୟରେ ଘଟଣା ପ୍ରସଙ୍ଗରେ ତାଙ୍କର ୧୨ ବର୍ଷର ପୁତ୍ର ଧର୍ମପଦକୁ ନ ଚିହ୍ନି ପାରିବାର ସମ୍ଭାବନା ଏସବୁ ଅସୁବିଧାର ପ୍ରମାଣ ଦେଇଥାଏ। ବିଦେଶରେ ରହୁଥିବା ବଡ ଭାଇ ଭଉଣୀଙ୍କର ପଇସାକୁ ଅନାଇ ପରୀକ୍ଷାର ଫର୍ମ ପୂରଣ କରିବାର ଇଚ୍ଛା ଛୋଟ ଭାଇ ଭଉଣୀର ଇଚ୍ଛାରେ ହିଁ ରହିଯାଏ କିମ୍ବା ପଇସା ପାଇଲା ବେଳକୁ ପରୀକ୍ଷାର ସମୟ ଗଡ଼ି ଯାଇଥାଏ। କେତେବେଳେ ବାପ ମା’ଙ୍କର ଶେଷ ସମୟରେ ଅନୁପସ୍ଥିତ ହୋଇ ପିଲାମାନେ ସବୁଦିନ ପାଇଁ ଦୋଷୀ ପାଲଟି ଯାଆନ୍ତି। ପୁଣି ବେଳେବେଳେ ପ୍ରେମିକାଟିଏ ଅପେକ୍ଷାର ଜ୍ୱାଳାକୁ ସହନ କରି କରି ଆଉ କାହା ହାତ ଧରି ଚାଲିଯାଏ ମନ କଥା ମନରେ ଚାପି ସ୍ୱପ୍ନ ବହିର୍ଭୂତ ନୂତନ ସଂସାରଟିଏ ଗଢ଼ିବା ପାଇଁ।

ଚିଠିର ସମୟ ଆସିଲା ପରେ ଅତି କମ୍‌‌ରେ ମଣିଷ ମନର କଥାକୁ କାଗଜରେ ଉତ୍ତାରି ଦେଇ ମନକୁ ହାଲ୍‌‌କା କରିଥାଏ। ଚିଠିର ବାସ୍ନା ପ୍ରକୃତରେ ନିଆରା। ଆପଣାର ଲୋକଠାରୁ ଚିଠିଟିଏ ପାଇଲେ ତା’ର ମଜା ବାସ୍ତବିକ ସ୍ୱତନ୍ତ୍ର। ଜରୁରୀ ସମ୍ବାଦ ପାଇଁ ଟେଲିଗ୍ରାମ୍‌‌ ସୁବିଧା କଥା ମଧ୍ୟ ସେତେବେଳର ମଣିଷମାନେ ମନେ ରଖିଥିବେ। କାରଣ ଡାକବାଲା ର ଟେଲିଗ୍ରାମ୍‌‌ ଟେଲିଗ୍ରାମ୍‌‌ ଡାକଟିକୁ ଶୁଣିଲେ ଛାତି ଭିତରଟା କ’ଣ ହୋଇଯାଏ।

ଅନେକ ଘାତ ପ୍ରତିଘାତ ପରେ ମାନବ ସମାଜ ଟେଲିଫୋନ୍‌‌ର ସୁବିଧାକୁ ଉପଭୋଗ କଲା। ଏକବିଂଶ ଶତାବ୍ଦୀରେ ଘରେ ଘରେ ଟେଲିଫୋନ୍‌‌ ସୁବିଧା ହୋଇଗଲା। ଧୀରେ ଧୀରେ ଡାକବାଲାର ଚିଠି ଆଉ ଟେଲିଗ୍ରାମ୍‌‌ର ଡାକ କୁଆଡେ ଉଭେଇଗଲା। ଗ୍ରାମାଞ୍ଚଳରେ ମାତ୍ର ଦୁଇତିନିଟି ଘରେ ଟେଲିଫୋନ୍‌‌ର ସୁବିଧା। କିନ୍ତୁ ମାସ ଶେଷରେ ଲମ୍ବା ଲମ୍ବା ବିଲ୍‌‌କୁ ଦେଖି ଡର ମାଡେ। ଅତି ଜରୁରୀ ନହେଲେ କେହି ଫୋନ୍‌‌ କରିବାକୁ ଇଚ୍ଛା କରୁନଥିଲେ। କହିବାର ଅଭିପ୍ରାୟ ଏହି କି ଯେ ସମ୍ପର୍କ ତଥାପି ସୀମିତ ଥିଲା ଆଉ କିଛି କଥା ଅକୁହା ରହିଯାଉଥିଲା। ତା’ଛଡା ଦେଶ ବିଦେଶର ବଡ ବଡ ଖବର ଜାଣିବା ପାଇଁ ଗଣମାଧ୍ୟମର ପ୍ରମୁଖ ମାଧ୍ୟମ ସମ୍ବାଦପତ୍ର, ଟିଭି, ରେଡିଓ ଆଦି ମଧ୍ୟ ଉପଯୋଗ କରାଯାଉଥିଲା। ସମୟ ବଦଳିବା ସହିତ ଆମେ ସମସ୍ତେ ପ୍ରାୟତଃ ମୋବାଇଲ୍‌‌ ଫୋନ୍‌‌ ସହିତ ଅଙ୍ଗାଙ୍ଗୀ ଭାବେ ଜଡିତ ହୋଇଯାଇଛେ। ନୂଆ ନୂଆ ମୋବାଇଲ୍‌‌ ଫୋନ୍‌‌ ବାହାରିବା ବେଳେ ନାଁ ଲେଖା ହୋଇକି ବାହାରେ ଲାଗେ ଯା ହେଉ କି କରାମତି ଏଇ ମୋବାଇଲ୍‌‌ର। ଆଉ ଏବେ ତ ଟ୍ରୁ କଲର ଯୁଗ ହୋଇସାରିଛି। ମୋବାଇଲ୍‌‌ ଫୋନ୍‌‌ର ସମସ୍ତ ବିଧିବଦ୍ଧ ଉନ୍ନତି ବର୍ତ୍ତମାନ ଚରମସୀମାରେ ପହଞ୍ଚିଛି। ମଣିଷ ସବୁ ଭୁଲିପାରୁଛି କିନ୍ତୁ ନିଜ ସ୍ମାର୍ଟଫୋନ୍‌‌କୁ ଭୁଲିପାରୁନି। ଆପାତତଃ ନିଜର ସମସ୍ତ ତଥ୍ୟ ସହ ଅନେକ ଯୁଗୋପଯୋଗୀ ଆବଶ୍ୟକତାକୁ ପୂର୍ଣ୍ଣ କରୁଛି ଏଇ ମୋବାଇଲ୍‌‌। ସାରା ଦୁନିଆ ଏବେ ହାତପାହାନ୍ତାରେ ହୋଇଗଲାଣି। ଫୋନ୍‌‌ କମ୍ପାନୀମାନେ ଆଉ ପାୱାର ପ୍ଲସ ନ ପକାଇ ଏକାଥରକେ ମାଗଣା କଲ୍‌ ର ସୁବିଧାକୁ ଉପଭୋଗ କରାଉଛନ୍ତି। ସେଥିପାଇଁ କେହି ଆଉ ମିସ୍‌କଲ୍‌ କରୁ ନାହାନ୍ତି। ଆଉ ସବୁଠାରୁ ବଡ କଥା ହେଉଛି ଭିଡିଓକଲ୍‌‌। ଯାହା ଫଳରେ ସାତସମୁଦ୍ର ତେରନଈ ପାରିରେ ଥିବା ଆତ୍ମୀୟମାନଙ୍କୁ ଦେଖିବାର ଅନୁଭୂତି ସୃଷ୍ଟି ହେଉଛି। ହେଲେ କାହାରି ପାଖରେ ସମୟ ନାହିଁ। ବ୍ୟସ୍ତବହୁଳ ଜୀବନ ଭିତରେ ଅଶାନ୍ତ ମନ ନେଇ ଯେତେ କଥା ହେଲେ ମଧ୍ୟ ସେଇ ଅବୁଝାମଣାର ଶିକାର ହେବାକୁ ପଡୁଛି। ଶେଷରେ ସେଇ ଦୂରତା ହିଁ ଶ୍ରେୟ ବୋଲି ଭାବିବାକୁ ପଡୁଛି। କାରଣ ‘ଦୂରବନ୍ଧୁ ପରା ସୁନ୍ଦର’। ଏକଦା ଗୋଟିଏ ହ୍ବାଟ୍‌ସଅପ୍‌ ଗ୍ରୁପ୍‌ ଆନୁଷ୍ଠାନିକ ଭାବେ ଖୋଲାଯାଇ ସେଇ ରାତି ସୁଧା ଝଗଡ଼ା ଲାଗି ବନ୍ଦ ହୋଇଗଲା। ପରିବାରର ସମ୍ପର୍କକୁ ଦୃଢ଼ କରିବା ପାଇଁ ଅନେକ ଜାଗାରେ ଏହି ଗ୍ରୁପ୍‌‌ ଖୋଲାଯାଉଛି ମାତ୍ର ବେଶିଦିନ ଆଗ୍ରହର ସହିତ ତିଷ୍ଠି ପାରୁନି। ହୁଏତ ଏ ଗ୍ରୁପ୍‌‌ର କୌଣସି ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ ଏବଂ ମଝିରେ ମଝିରେ ପରସ୍ପର ଅଯଥା ଆରୋପ, ଉକ୍ତି ଓ ଉପଦେଶ ଦିଆନିଆ ହୋଇ ସମସ୍ତେ ନିଜ ହିସାବରେ ନୀରବ ଦର୍ଶକ ସାଜୁଛନ୍ତି। ଖାଲି ଗୋଟିଏ କଥା ମନକୁ ଆସୁଛି ବିଜ୍ଞାନର ଅଜସ୍ର ଉନ୍ନତିରେ ଯଦି ଆମ୍ଭମାନଙ୍କୁ ସ୍ୱର୍ଗ ନର୍କର ଚିତ୍ର ଓ ସେଠାକାର ପରିସ୍ଥିତି ସମ୍ପର୍କରେ ବା ନିଜର ଆତ୍ମୀୟ ସ୍ୱଜନଙ୍କର ଅବର୍ତ୍ତମାନରେ ଭିଡିଓ କଲ୍‌‌ କରି ଦେଖା ଯାଇପାରନ୍ତା ତେବେ ହିଁ ହୁଅନ୍ତା ଚମତ୍କାର। କାରଣ ବଞ୍ଚିଥିବା ଅବସ୍ଥାରେ ସମ୍ପର୍କର ମୂଲ୍ୟ ବୁଝିବା ବୋଧହୁଏ ଏତେ ସହଜ ନୁହେଁ। ସେଇଥିପାଇଁ ସମ୍ପର୍କର ସୂତାଖିଅ ଟିକକ ସାମାନ୍ୟ କଥାରେ ମଧ୍ୟ ଛିଣ୍ଡିଯାଏ। ଆଉ ତାକୁ ଯୋଡି ରଖିବା ପାଇଁ ଆବଶ୍ୟକ ଧୈର୍ଯ୍ୟ, ସହନଶୀଳତା, ତ୍ୟାଗକୁ ଆଦରି ଅହଙ୍କାର, ଅସୂୟା ଓ କ୍ରୋଧ ପରି ଦୁର୍ଗୁଣଗୁଡିକର ପାଖ ନ ମାଡିବା ହିଁ ଶ୍ରେୟ। ସ୍ୱଭାବକବି ଗଙ୍ଗାଧରଙ୍କ ଭାଷାରେ ‘ବିଶ୍ୱ ଦେଖ ମଧୁମୟ ରେ….’ ସେଥିପାଇଁ କୁହାଯାଏ ଏଇଠି ସ୍ୱର୍ଗ ଏଇଠି ନର୍କ। ଏବେ ତ ନିଜକୁ ନିଜେ ପଚାରିବାର ସମୟ ଆସିଯାଇଛି ଯେ ମଣିଷ ଓ ପଶୁ ମଧ୍ୟରେ କ’ଣ କିଛି ପ୍ରଭେଦ ନାହିଁ। କାହିଁକି ନା ଆମେ ନିଜର ସମସ୍ତ ସ୍ୱତନ୍ତ୍ରତା ଓ ମୂଲ୍ୟବୋଧକୁ ହରାଇବାରେ ଟିକେ ବି ହେଳା କରୁନାହେଁ।

Comments are closed.