କୃତଜ୍ଞତାର କାହାଣୀ

ସନ୍ଧ୍ୟାରାଣୀ ସାହୁ

ଆମେଥି ଜିଲାର ଜଣେ ଯୁବଚାଷୀ, କ୍ଷେତରେ ଗୋଡ଼ଭାଙ୍ଗି ପଡ଼ିଥିବା ଏକ ସାରସ ପକ୍ଷୀକୁ ଉଦ୍ଧାର କରି ଘରକୁ ଆଣିଲେ । କ୍ଷତସ୍ଥାନରେ ମଲମ ଲଗାଇ ବ୍ୟାଣ୍ଡେଜ୍‌ କରିବା ସହ ପକ୍ଷୀଟିକୁ ଖାଇବାକୁ ଦେଲେ । ଅଳ୍ପ ଦିନରେ ପକ୍ଷୀଟି ଆରୋଗ୍ୟ ଲାଭ ପରେ ଜଂଗଲୀ ପକ୍ଷୀ ହୋଇଥିବାରୁ ତାର ସାଂଗ ସାଥୀ ଓ ପରିବାର ଗହଣକୁ ଚାଲିଗଲା।। ପରନ୍ତୁ ସଂଧ୍ୟାପୂର୍ବରୁ ପୁଣି ଫେରିଆସି ତାର ସେବା କରି ଆରୋଗ୍ୟ କରିଥିବା ଯୁବ ଚାଷୀଙ୍କ ପାଖରେ ପହଞ୍ଚିଗଲା । ଏକ ବର୍ଷ ହେବ ଏହି ପକ୍ଷୀଟି କୃତଜ୍ଞତାର ମହାନ ଆଦର୍ଶ ପାଳନ କରି ଆସୁଛି । ଯୁବକଟି ମୋଟର ସାଇକଲରେ ୩୦ରୁ ୪୦କି.ମି. ବାଟ ଗଲେ ବି ପକ୍ଷୀଟି ତାଙ୍କ ମୁଣ୍ଡ ନିକଟରେ ଉଡ଼ିଉଡ଼ି ଚାଲେ । ଯୁବକଟି ହାତବଢ଼ାଇ ସାରସକୁ ସ୍ପର୍ଶ କଲେ ଦୁହିଁଙ୍କ ମଧ୍ୟରେ ଏକ ଅପୂର୍ବ ଶିହରଣ ଖେଳିଯାଏ । ଏହି ଦୃଶ୍ୟ ତଥା ପକ୍ଷୀଟି କିପରି ତା’ ପରିବାର ଓ ସାଙ୍ଗସାଥୀ ମେଳକୁ ଚାଲିଯିବା ଆଦି ସମସ୍ତ କାର୍ଯ୍ୟକଳାପକୁ ଏକ ଡ୍ରୋନ୍‌ କ୍ୟାମେରା ସହଯୋଗ ନିଆଯାଇଥିଲା ।

ହରିୟାଣାର ଜଣେ କୃଷକ ନିକଟ ଗାଁରେ ତାଙ୍କର ଏକ ଗାଈ ବିକ୍ରି କରିଥିଲେ । ଅକସ୍ମାତ୍‌ କୃଷକଙ୍କର ମୃତ୍ୟୁ ହେବାରୁ ତାଙ୍କର ଶବଦାହ ହେବାପାଇଁ ଯେଉଁ ମଶାଣିକୁ ଯାଇଥିଲା, ସେଠାରେ ସେ ଗାଈଟି ଘାସ ଚରୁଥିଲା । ତାହାର ଘ୍ରାଣଶକ୍ତି ଏତେ ପ୍ରଖରଥିଲା ଯେ ଗାଈଟି ଘାସ ଚରିବା ଛାଡ଼ିଦେ ଶୁଙ୍ଗିଲା ଓ ତାକୁ ଜଗିରହିଲା । ଯେତେ ତଡ଼ିଲେ ମଧ୍ୟ ସେ ସ୍ଥାନ ଛାଡ଼ି ଯାଇନଥିଲା । ଶବଦାହ ସମୟରେ ଜୁଇର ଚାରିପଟେ ବୁଲିବା ସହିତ ଆଖିରୁ ଲୋତକ ଝରାଇଲା, ଯାହା ଶବଦାହକଙ୍କ ଆଖିରୁ ଲୁହ ଗଡ଼ାଇଥିଲା । ଜନ୍ମ ସମୟରେ ଖାମିଦର ସ୍ନେହ ସେ ଭୁଲିପାରିନଥିଲା । ମାଲିକ ପ୍ରତି କୃତଜ୍ଞତା ଜଣାଇ ସେ କେତେ ଉଚ୍ଚରେ ରହିଗଲା ସତେ !

prayash

ୟାସୁ ନାମକ ଏକ କ୍ରୀତଦାସ ରାଜାଙ୍କର ନିର୍ଯ୍ୟାତନା ସହିନପାରି ଲୁଚି ଜଙ୍ଗଲକୁ ଚାଲିଗଲା। ସେହି ଜଙ୍ଗଲରେ ଏକ ସିଂହପଞ୍ଝାରେ ଏକ ଜଂଗଲୀ କଣ୍ଟା ପଶିଯାଇଥିବାରୁ ସେ ଯନ୍ତ୍ରଣାରେ ଗର୍ଜନ କରୁଥାଏ । ୟାସୁ ଭୟନକରି ସିଂହ ପଞ୍ଝାରୁ କଣ୍ଟାଟି କାଢ଼ିଦେଲା । କୃତଜ୍ଞତା ପ୍ରଦର୍ଶନ ସ୍ୱରୂପ ହିଂସ୍ର ସିଂହ ୟାସୁର ଦେହ ଚାଟିବାକୁ ଲାଗିଲା । କେଇ ବର୍ଷ ପରେ ରାଜାଙ୍କ ଲୋକଙ୍କ ହାତରେ ଧରାପଡ଼ି ମୃତ୍ୟୁଦଣ୍ଡ ସ୍ୱରୂପ ଏକ ପରାକ୍ରମୀ ସିଂହଖୁଆଡ଼ରେ ତାକୁ ଛାଡ଼ି ଦିଆଗଲା । ମଣିଷ ଶିକାର ପାଇଁ ସିଂହ ଗର୍ଜନ କରି ୟାସୁ ଆଡ଼କୁ ଲମ୍ଫଦେଇ ଶାନ୍ତ ହୋଇଗଲା । ଜଂଗଲର ଯେଉଁ ସିଂହ ପଞ୍ଝାରୁ ସେ କଣ୍ଟା କାଢ଼ିଥିଲା ସେହି ସିଂହ ତାର କୃତଜ୍ଞତା ପ୍ରଦର୍ଶନ କଲା । ରାଜା ଏସବୁ ଘଟଣା ଦେଖି ୟାସୁକୁ କ୍ରୀତାଦାସ ଓ ମୃତ୍ୟୁଦଣ୍ଡରୁ ମୁକ୍ତି ଦେଲେ।

ଶତ୍ରୁ​‌େ‌ସୖନ୍ୟ ରାଜନବର ମଧ୍ୟକୁ ପ୍ରବେଶ କରି ମହାରାଜାଙ୍କୁ ହତ୍ୟାକରି ରାଜନବରର ପ୍ରତ୍ୟେକ କୋଠରିକୁ ତନ୍ନତନ୍ନ କରି ଖୋଜୁଥିଲେ ଏକମାତ୍ର ଶିଶୁପୁତ୍ର ଆଠମାସର ସନ୍ତାନ ଅମରସିଂଙ୍କୁ ହତ୍ୟା କରିବାପାଇଁ । ତାଙ୍କ ଦାୟିତ୍ୱରେ ଥିବା ପରିଚାରୀକା ପନ୍ନା ନିଶ୍ଚିତ ହୋଇଗଲେ ରାଜବଂଶ ନିଶ୍ଚିନ୍ନ ହୋଇଯିବ । କାଳବିଳମ୍ୱ ନକରି ସେହି ତୂଳିତଳ୍ପ ଶଯ୍ୟାରେ ନିଜର ଶିଶୁସନ୍ତାନକୁ ଶୁଆଇଦେଇ ଅମରଙ୍କୁ ନିଜ କୋଳକୁ ନେଇଗଲେ । ଶତ୍ରୁମାନେ ତାଙ୍କ ଆଖି ଆଗରେ ଶେଯରେ ଶୋଇଥିବା ଶୁଶିକୁ ଖଡ଼୍‌ଗରେ ଦୁଇଗଡ଼ କରି ହତ୍ୟା କଲେ । ଜଣେ ମା’ କୋହ ଓ ଲୁହକୁ ଚାପିରଖି ଏସବୁ ଦୃଶ୍ୟରେ ଭାଙ୍ଗି ନପଡ଼ି ଶିଶୁ ଅମରଙ୍କୁ କୋଳରେ ଧରି ସ୍ଥାନ ପରିତ୍ୟାଗ କଲେ । ଅମରସିଂଙ୍କ ପୁତ୍ର ଥିଲେ ମହାରାଣା ପ୍ରତାପ ସିଂ । ନିଜର କ୍ଷମତା ବଳରେ ମୁସଲମାନଙ୍କୁ ପରାଜିତ କରି ଜଣେ ମହାନ ଦେଶଭକ୍ତର ସମ୍ମାନ ଲାଭ କଲେ । ପାନ୍ନାଙ୍କର କୃତଜ୍ଞତା କାଳକାଳକୁ ଇତିହାସରେ ଅମର ହୋଇ ରହିଗଲା ।

ମଣିଷ ପୋଷୁଥିବା ପଶୁ ପକ୍ଷୀ, ସାପ ଏପରି କି ଜଙ୍ଗଲର ହିଂସ୍ରପ୍ରାଣୀ ମଣିଷ ପ୍ରତି କୃତଜ୍ଞତା ଜ୍ଞାପନ କରିଥାନ୍ତି । ମାଲିକର ଜୀବନ ବଂଚାଇବାକୁ ଯାଇ କେତେ ପୋଷା କୁକୁର ଓ ଅଇଁଠା କଣ୍ଟାଖାଇ ଘର ଆଗରେ ଶୋଇ ରହିଥିବା ବୁଲା କୁକୁର ଅଜଣା ଲୋକଙ୍କୁ ତଡ଼ିବା, ବିଷଧର ସର୍ପପ୍ରବେଶକୁ ବିରୋଧ କରି ମାରିଦେବା, ଆହତ କରିବା, ସାପଙ୍କ ବିଷଜ୍ୱାଳାରେ ନିଜେ ଜୀବନ ଦେବା ମାଲିକ ପ୍ରତି ଶ୍ରେଷ୍ଠ କୃତଜ୍ଞତା ହୋଇଥାଏ । ପଶୁ, ପକ୍ଷୀ, ଗୃହପାଳିତ ବା ଜଂଗଲୀ ହୁଅନ୍ତୁ ମଣିଷଠାରୁ ଉପକାର ପାଇଲେ କୃତଜ୍ଞତା ପ୍ରଦର୍ଶନ କରିଥାନ୍ତି । ରାମଭକ୍ତ ଜଟାୟୁ ମା’ ସୀତାଙ୍କୁ ଉଦ୍ଧାର କରିବାକୁ ଯାଇ ରାବଣକୁ ବିରୋଧ କରି ଜୀବନ ହାରିଥିଲା । ଶିବଙ୍କ ପରିବାରରେ ବୃଷଭ, ସର୍ପ, ମୂଷିକ, ବ୍ୟାଘ୍ର, ମୟୂର ପରସ୍ପର ଅରି ହୋଇଥିଲେ ମଧ୍ୟ ଏକତ୍ର ମିଶି ରହିଥାନ୍ତି । ମାଲିକଙ୍କ ପ୍ରତି ଏହା କୃତଜ୍ଞତା । କୃତଘ୍ନତା ଦେଖାଯାଏ ବିବେକବାନ୍‌ ମଣିଷଦ୍ୱାରା । ଈଶ୍ୱରଙ୍କ ସୃଷ୍ଟିରେ ଦାୟିତ୍ୱ ସୁଚାରୁ ରୂପେ ପରିଚାଳନା କରି ସୁନ୍ଦରରୁ ଅଧିକ ସୁନ୍ଦର କରିବା ପାଇଁ ସର୍ବଗୁଣ ସଂପନ୍ନ ମଣିଷ ହାତରେ ସମର୍ପି ଦେଇଥିବା ବେଳେ କୃତଜ୍ଞତା ପ୍ରଦର୍ଶନ କରିବା ଦୂରେ ଥାଉ, ଈଶ୍ୱରଙ୍କ ଭରସା, ବିଶ୍ୱାସ, ଭଗ୍ନ କରି ପ୍ରକୃତିକୁ ଧ୍ୱଂସ କରିବା ପରି କୃତଘ୍ନତା ଅନ୍ୟ ପ୍ରାଣୀ, ଉଦ୍ଭିଦଙ୍କ ଦ୍ୱାରା ଦେଖାଯାଏ ନାହିଁ । କେବଳ ପ୍ରକୃତି କାହିଁକି ସଂସାରକୁ ଆଣିଥିବା ପିତା, ମାତା ପ୍ରତି ମଣିଷ କୃତଘ୍ନ, ଭାଇ, ଭଉଣୀ, ସଂପର୍କୀୟଙ୍କ ସ୍ନେହ ଆଦର ଭୁଲି ଶତ୍ରୁ ପାଲଟି ଯାଆନ୍ତି ।
ସଂସାରରେ ସର୍ବୋତ୍କୃଷ୍ଟ ପ୍ରାଣୀ ମଣିଷ । ପଶୁପକ୍ଷୀଙ୍କ ଠାରୁ କୃତଜ୍ଞତାର ମହତ୍ତ୍ବ ଶିକ୍ଷା କରିବା ଉଚିତ୍‌ । ସାରସ ପକ୍ଷୀ, ଜଙ୍ଗଲରେ ବାସ କରେ, ସିଂହ ଏକ ଜଂଗଲୀ ହିଂସ୍ର ପ୍ରାଣୀ ସେମାନେ ସାହାଯ୍ୟ ପାଇ କୃତଜ୍ଞ । ଧାଈ ପାନ୍ନା, ଗାଈ ଆମର ଆଦର୍ଶ ହେବା ଉଚିତ୍‌ । ଆମେ ଯାହା ଏହି ପରିବାର, ସମାଜ, ପ୍ରକୃତିଠାରୁ ପାଇଛେ ତାହା କଦାପି ଜନ୍ମଜନ୍ମାନ୍ତରେ ଶୁଝି ହେବନାହିଁ । କୃତଜ୍ଞତା ପ୍ରଦର୍ଶନ ଏକମାତ୍ର ସୂତ୍ର ।

Comments are closed.