ନାରୀର ଲୁହ ଓ ଆକ୍ରମଣାତ୍ମକ ପୁରୁଷ
ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା
କୁହାଯାଏ ଯେ ଜଣେ ନାରୀ (ସୀତା)ଙ୍କ ଲୁହରେ ଧ୍ବଂସ ପାଇଥିଲା ସ୍ବର୍ଣ୍ଣମୟୀ ଲଙ୍କା ଏବଂ ଆଉ ଜଣଙ୍କ (ଦ୍ରୌପଦୀ) ଲୁହରେ ପ୍ରବଳ ପ୍ରତାପୀ କୁରୁବଂଶ। କାହାଣୀଗୁଡ଼ିକ ପୌରାଣିକ ହେଲେ ହେଁ ତାହା ମନରେ ସ୍ବତଃ ପ୍ରଶ୍ନଟିଏ ଉତ୍ଥାପନ କରିଥାଏ। ପ୍ରକୃତରେ ନାରୀର ଲୁହରେ କ’ଣ ଏପରି କିଛି ବିଶେଷ ଶକ୍ତି ଅଛି? ବୈଜ୍ଞାନିକମାନଙ୍କ ମତରେ ଏହା ରହିଛି। ତେବେ ଧ୍ବଂସାତ୍ମକ ନୁହେଁ, ସୃଜନାତ୍ମକ…..। କାରଣ ତାହା ପୁରୁଷର ଆକ୍ରମଣାତ୍ମକ ସ୍ବଭାବକୁ ପ୍ରଶମିତ କରିଦେଇପାରେ।
ସାଧାରଣତଃ ଲୁହକୁ ଆମେ ଆମ ଭାବପ୍ରବଣତାର ଏକ ଭୌତିକ ପ୍ରବାହ ମନେକରୁ। ବିେଶଷକରି, ଦୁଃଖଦୁର୍ଦଶା ଓ ଯନ୍ତ୍ରଣା କାଳରେ ଏହା ଆମ ଚକ୍ଷୁରେ ପ୍ରବାହିତ ହୁଏ। ସେଥିପାଇଁ ସୁପ୍ରସିଦ୍ଧ ହିନ୍ଦୀ କବି ଜୟଶଙ୍କର ତାଙ୍କ କବିତା ‘ଆଁଶୁ’ରେ ପ୍ରଦାନ କରିଥିବା ସଂଜ୍ଞା ଅନୁସାରେ ଏହା ହେଲା ‘ଯାହା ଥିଲା ଘନୀଭୂତ ପୀଡ଼ା ସ୍ମୃତି ରୂପେ ଏ ମୋ’ର ମାନସେ, ଏ ଦୁର୍ଦିନେ ଅଶ୍ରୁରୂପେ ସେ ଆଜି ବରଷେ।’ ତେବେ ଅନେକ ସମୟରେ ସୁଖବେଳେ ମଧ୍ୟ ଆମେ ଏହା କରିଥାଉ। ଏପରି କି କେବେ କେମିତି ଛଳନା କରି ମଧ୍ୟ ଆମେ ଲୁହ ଗଡ଼ାଇବାର ଦେଖାଯାଏ। ଯାହାକୁ କହନ୍ତି ‘କୁମ୍ଭୀର କାନ୍ଦଣା’। ଏହାକୁ ଏପରି କହିବାର କାରଣ ହେଲା ଯେ ଏହି ହିଂସ୍ରଜୀବଟି ମଣିଷ ସମେତ ବିବିଧ ଜୀବଜନ୍ତୁଙ୍କୁ ମାରି ଖାଇଲାବେଳେ ତା’ଠାରୁ ସ୍ବତଃ ଲୁହ ଝରିଥାଏ। ତେବେ, ମଣିଷ କ୍ଷେତ୍ରରେ ସୁଖଦୁଃଖରେ କାନ୍ଦିବା ଲୁହଠାରୁ ଛଳନା ଲୁହର ରାସାୟନିକ ସଂରଚନା ଅଲଗା।
କାନ୍ଦିବା ଅଥବା ଲୁହ ଝରାଇବା କେବଳ କୌଣସି ସାମୟିକ କାରଣ ହେତୁ ଘଟିନଥାଏ। ଆମ ଜୀବନ ବ୍ୟାପୀ ତାହା ଘଟିଚାଲିଥାଏ ଅବିଶ୍ରାନ୍ତ ଭାବେ । ଆମେ ଜନ୍ମଲାଭ କରୁ କାନ୍ଦିବା ସହିତ। ତେବେ, ସେତେବେଳେ ଲୁହ ଝରେନାହିଁ। ପ୍ରାୟ ୧ ମାସ ହେଲା ପର୍ଯ୍ୟନ୍ତ ଏହା ଚାଲେ। ଅନ୍ୟ ପକ୍ଷରେ, ଜଣେ ସାଧାରଣ ମଣିଷ ବର୍ଷକୁ ୭୫ରୁ ୧୧୫ ଲିଟର ପର୍ଯ୍ୟନ୍ତ ଲୁହ ଉତ୍ପନ୍ନ କରେ ବୋଲି ଜଣାପଡ଼ିଛି। ‘ଆମେରିକାନ୍ ଏକାଡେମୀ ଅଫ୍ ଅପ୍ଥାଲ୍ମୋଲୋଜି’ର ଆକଳନରୁ। ସାଧାରଣତଃ ଆମେ ଅଧିକ କାନ୍ଦିଲେ ତା’ର ପ୍ରବାହ କ୍ରମେ ହ୍ରାସ ପାଏ ସତ ତେବେ ତାହା କଦାପି ବନ୍ଦ ହୁଏ ନାହିଁ। ପ୍ରକୃତି ଆମଠାରେ ଏ ବ୍ୟବସ୍ଥା ଖଞ୍ଜିଦେବାର ପ୍ରଧାନ କାରଣ ହେଲା ଚକ୍ଷୁକୁ ଚିକ୍କଣ, ପରିଷ୍କାର, ଆର୍ଦ୍ର ଓ ସୁସ୍ଥ ଏବଂ ଭାବପ୍ରବଣତାକୁ ସନ୍ତୁଳିତ ରଖିବା।
ଆମ ଉପର ଚକ୍ଷୁପତାର ପଛକୁ ଥିବା ‘ଲାକ୍ରିମାଲ୍ ଗ୍ରନ୍ଥି’ରେ ଲୁହ ସୃଷ୍ଟି ହୋଇଥାଏ। ଏହି ଜୀବାଣୁ ପ୍ରତିରୋଧକ ତରଳ ପଦାର୍ଥଟି ଡୋଳାର ବାହ୍ୟଭାଗରୁ କୋର୍ଣ୍ଣିଆ ଆଡ଼କୁ ଗତି କରେ ଏବଂ ଆଖି ପିଛଡ଼ା ମାରିଲାବେଳେ ଚକ୍ଷୁର ସମଗ୍ର ପୃଷ୍ଠଭୂମିକୁ ଆର୍ଦ୍ର କରିଦିଏ। ତେବେ, ସୁଖଦୁଃଖ, ଯନ୍ତ୍ରଣା ଭଳି ଅନୁଭୂତି ସମୟରେ ତାହା ଅଧିକ ମାତ୍ରାରେ ଉତ୍ପନ୍ନ ହୋଇ ବାହାରକୁ ବହିବାକୁ ଲାଗେ।
ସାଧାରଣତଃ ଲୁହ ତିନି ପ୍ରକାର। ତହିଁରୁ ପ୍ରଥମଟି ହେଲା ଅନବରତ ଉତ୍ପନ୍ନ ହେଉଥିବା ‘ମୌଳିକ’ ଲୁହ। ଏହା ଚକ୍ଷୁକୁ ସୁରକ୍ଷା ପ୍ରଦାନ ଲାଗି ଅଭିପ୍ରେତ। ଅନ୍ୟପକ୍ଷରେ ପ୍ରତିକ୍ରିୟାଜନିତ ଲୁହ ବୋଲି କୁହାଯାଉଥିବା ଦ୍ବିତୀୟ ପ୍ରକାର ନିର୍ଗତ ହୁଏ ଯେତେବେଳେ ଚକ୍ଷୁରେ କୌଣସି ବାହ୍ୟପଦାର୍ଥ (ଧୂଳିକଣା) ପଡ଼ିଯାଏ, ସେଥିରେ କିଛି କଟୁବାତ୍ସ୍ନା (ପିଆଜ କାଟିଲାବେଳେ) କିମ୍ବା ଧୂଆଁ ବାଜେ ନତୁବା ସଂକ୍ରମଣ ହୁଏ। ଅତି ଉଳ ଆଲୋକକୁ ଚାହିଁଲେ ମଧ୍ୟ ଏପରି ଘଟେ। ଏହାର ଲକ୍ଷ୍ୟ ହେଲା ସେହି ସବୁ ଆପଦ୍କାଳରେ ଚକ୍ଷୁକୁ ସୁରକ୍ଷା ଦେବା। ତେବେ, ତୃତୀୟ ପ୍ରକାରଟି ଆମର ଅତି ପରିଚିତ ଏବଂ ଜୟଶଙ୍କରଙ୍କ ବର୍ଣ୍ଣିତ ଲୁହ। ଏହାକୁ ‘ଭାବପ୍ରବଣତା ଲୁହ’ କିମ୍ବା ମନସ୍ତାତ୍ତ୍ବିକ ଲୁହ ବୋଲି କୁହାଯାଏ। ସୁଖଦୁଃଖ, ରାଗ ଆଦି ମାନସିକ ଚାପ ଭଳି ଭାବପ୍ରବଣତା କିମ୍ବା ଯନ୍ତ୍ରଣା ସମୟରେ ଆମେ କାନ୍ଦିଲେ ଏହା ପ୍ରଚୁର ପରିମାଣରେ ଉତ୍ପନ୍ନ ହୋଇ ଚକ୍ଷୁକୁ ପ୍ଲାବିତ କରି ବାହାରକୁ ବହି ଆସେ ଏବଂ ସାଥୀରେ ବହିଆଣେ ‘କୋର୍ଟିସଲ୍’ ଆଦି ଚାପ-ହର୍ମୋନ୍। ପୁନଶ୍ଚ ଅନେକ ସମୟରେ ଏହା ‘ଅକ୍ସିଟୋସିନ’ ଏବଂ ‘ଏଣ୍ଡୋର ଫିନସ୍’ ଭଳି ‘ଉତ୍ତମ ଅନୁଭବ ଦାୟୀ’ ହର୍ମୋନ୍ର ମଧ୍ୟ କ୍ଷରଣ ଘଟାଏ। ଏସବୁ ମାନସିକ ଅବସ୍ଥାରେ ସ୍ଥିରତା ଆଣେ ଏବଂ ଦେହ ଓ ମନର ଯନ୍ତ୍ରଣା ଦୂରକରେ। ଫଳରେ ଆମେ ଆଶ୍ବସ୍ତି ଲାଭ କରୁ।
ସାଧାରଣତଃ ନାରୀମାନେ ପୁରୁଷମାନଙ୍କଠାରୁ ଅଧିକ କାନ୍ଦିଥାନ୍ତି। ଅବଶ୍ୟ ସ୍ଥାନ-କାଳ-ପାତ୍ରରେ ଏହାର ପରିମାଣ ଅଲଗା ଅଲଗା ହୋଇଥାଏ। ତେବେ ବୈଜ୍ଞାନିକମାନଙ୍କ ମତରେ ଏହାର କାରଣ ହେଲା ଯେ ସେମାନଙ୍କ ଲୁହ ଉତ୍ପାଦନକାରୀ ଗ୍ରନ୍ଥୀ ଅପେକ୍ଷାକୃତ ବଡ଼। ପୁନଶ୍ଚ ନାରୀମାନଙ୍କ ଲୁହରେ ଥାଏ ପ୍ରାୟ ୬୦ ଶତାଂଶ ଅଧିକ ‘ପ୍ରୋଲାକ୍ଟିନ୍’ ନାମକ ହରମୋନ୍। ଅନ୍ୟ ପକ୍ଷରେ ପୁରୁଷମାନଙ୍କ ଲୁହରେ ଏହା କମ୍ ଥିଲାବେଳେ ଅଧିକ ମାତ୍ରାରେ ଥାଏ ପୁଂହରମୋନ୍ ‘ଟେଷ୍ଟୋଷ୍ଟେରୋନ୍’। ଯାହାକି କାନ୍ଦିବା ପ୍ରକ୍ରିୟାକୁ ପ୍ରତିରୋଧ କରେ। ଲୁହର ମୁଖ୍ୟ ଭାଗ ହେଲା ଜଳ। ଏହା ବ୍ୟତୀତ ଏଥିରେ ଥାଏ ପ୍ରାୟ ୧୫୦୦ରୁ ଅଧିକ ପ୍ରକାର ପ୍ରୋଟିନ୍, ବିବିଧ ଲବଣ, ମେଦ (ସ୍ନେହସାର), ଗ୍ଲୁକୋଜ ଇତ୍ୟାଦି। ଏହି ପ୍ରୋଟିନଗୁଡ଼ିକରୁ ଅନେକ ଏଞ୍ଜାଇମ୍ ଭଳି ଜୈବ-ସକ୍ରିୟ ପଦାର୍ଥ ରୂପେ ଥିଲାବେଳେ ଲବଣଗୁଡ଼ିକ ହେଲା ମୁଖ୍ୟତଃ ସୋଡ଼ିୟମ ଓ ପଟାସିୟମର ଏବଂ ଅଳ୍ପ ପରିମାଣରେ ମାଗ୍ନେସିୟମ ଓ କାଲସିୟମର ବାଇ-କାର୍ବୋନେଟ୍ ଏବଂ କ୍ଲୋରାଇଡ୍ ଭଳି ପଦାର୍ଥ, ଯାହାକି ଲୁହକୁ ଲୁଣିଆ କରେ। ତେବେ, ଏଥିରେ ଏକ ବିସ୍ମୟକର ଗୁଣବିଶିଷ୍ଟ ଉପାଦାନ ଥିବାର ପ୍ରମାଣ ପାଇଛନ୍ତି ଇସ୍ରାଏଲ୍ସ୍ଥିତ ‘ଉଇଜ୍ମ୍ୟାନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ’ର ସ୍ନାୟୁ ବିଜ୍ଞାନୀ ଶାନି ଆଗ୍ରୋନ୍ ଏବଂ ତାଙ୍କ ସହଯୋଗୀମାନେ। ପୁରୁଷମାନଙ୍କ ପରେ ଏହା ଆକ୍ରମଣାତ୍ମକ ଆଚରଣ ହ୍ରାସ କରେ ବୋଲି ଜଣାପଡ଼ିଛି ସେମାନଙ୍କ ପରୀକ୍ଷାରୁ। ନାରୀମାନଙ୍କ ଲୁହରେ ଏହା ପ୍ରାୟ ୪୦ ପ୍ରତିଶତ ଅଧିକ ଥାଏ ଏବଂ ତାହାକୁ ଆଘ୍ରାଣ କଲେ ପୁରୁଷମାନଙ୍କ ମସ୍ତିଷ୍କରେ କେତେକ ପରିବର୍ତ୍ତନ ଆସେ। ଫଳରେ ତାଙ୍କର ଏ ଆଚରଣ ବଦଳିଯାଏ। ଏହି ଗବେଷକ ଦଳର ଅନ୍ୟତମ ପ୍ରମୁଖ ସଦସ୍ୟ ତଥା ସ୍ନାୟୁ ବିଜ୍ଞାନୀ ନୋଆମ୍ ସୋବେଲ୍ ଆଗରୁ କରିଥିବା ଏକ ପରୀକ୍ଷାରେ ପୁରୁଷମାନଙ୍କୁ ନାରୀମାନଙ୍କ ଲୁହ ଶୁଙ୍ଘାଇବା ଫଳରେ ସେମାନଙ୍କଠାରେ ‘ଟେଷ୍ଟୋଷ୍ଟେରୋନ୍’ ହ୍ରାସ ପାଇବାର ଜଣାପଡ଼ିଥିଲା। ତାହା ସେମାନଙ୍କ ଆଚରଣକୁ ପ୍ରଭାବିତ କରେ ବୋଲି ଏବେ ଜଣା ପଡ଼ିଲା।
ପୁରୁଷମାନଙ୍କଠାରେ ନାରୀ ଲୁହ ପ୍ରତି ସମ୍ବେଦନ ଥିବା ସମ୍ବେଦନକାରୀ ବ୍ୟବସ୍ଥା ଅନେକ ପଶୁଙ୍କଠାରେ, ବିଶେଷ କରି ମୂଷାଠାରେ ଚିହ୍ନଟ ହୋଇପାରିଛି; କିନ୍ତୁ ମଣିଷ କ୍ଷେତ୍ରରେ ତାହା କମ୍ ବୋଧଗମ୍ୟ ହୋଇଛି। ସେଥିପାଇଁ ସୋବେଲ୍, ଆଗ୍ରୋନ୍ ଏବଂ ତାଙ୍କ ସହଯୋଗୀମାନେ ନିକଟରେ ପରୀକ୍ଷାଟିଏ କରିଛନ୍ତି। ଏଥିରେ ସେମାନେ ସିନେମା ଦେଖି ଭାବପ୍ରବଣ ହୋଇ କାନ୍ଦୁଥିବା କିଛି ନାରୀଙ୍କ ଲୁହ ସଂଗ୍ରହ କରିଥିଲେ। ତତ୍ପରେ ୩୧ଜଣ ପୁରୁଷଙ୍କୁ ଦୁଇ ଦଳରେ ବିଭକ୍ତ କରି ଗୋଟିଏ ଦଳକୁ ବିଶୁଦ୍ଧ ଲୁଣପାଣି ଏବଂ ଅନ୍ୟ ଦଳକୁ ଏହି ଲୁହ ଆଘ୍ରାଣ କରିବାକୁ ଦେଲା ପରେ ମନରେ ଆକ୍ରମଣାତ୍ମକ ମନୋଭାବ ସୃଷ୍ଟିକରି ପାରୁଥିବା କିଛି କମ୍ପ୍ୟୁଟର ଗେମ୍ ଖେଳିବାକୁ ଦେଲେ। ଫଳରେ ଦ୍ବିତୀୟ ଜଳର ପୁରୁଷମାନଙ୍କଠାରେ ଏ ଆଚରଣ ୪୩.୭ ପ୍ରତିଶତ କମ୍ ପ୍ରକଟିତ ହେବାର ଦେଖାଗଲା। ଏହା ପରେ ସ୍କାନର ବ୍ୟବହାରକରି ସେମାନଙ୍କ ମସ୍ତିଷ୍କର ଚିତ୍ର ଅଧ୍ୟୟନ କରିବାରୁ ତହିଁରୁ ତାଙ୍କ ମସ୍ତିଷ୍କରେ ଏ ସ୍ବଭାବକୁ ପରିଚାଳନା କରୁଥିବା ଅଂଶ ‘ପ୍ରି-ଫ୍ରଣ୍ଟାଲ୍ କୋର୍ଟେକସ୍’ ଏବଂ ‘ଆଣ୍ଟେରିଅର୍ ଇନ୍ସୁଲା’ ମଧ୍ୟରେ ସଂପୃକ୍ତି ବୃଦ୍ଧି ଏବଂ ଏ ଆଚରଣ ସହିତ ସଂପୃକ୍ତ ନେଟ୍ୱାର୍କର କ୍ରିୟାଶୀଳତା ହ୍ରାସ ପାଇବାର ଦେଖାଗଲା। ତେଣୁ ନାରୀ ଲୁହରେ ଅଧିକ ମାତ୍ରାରେ ଥିବା ସେହି ଉପାଦାନ ଆକ୍ରମଣାତ୍ମକ ସ୍ବଭାବ ପ୍ରତି ମସ୍ତିଷ୍କର ପ୍ରତିକ୍ରିୟାକୁ ନିୟନ୍ତ୍ରିତ କରେ ବୋଲି ସିଦ୍ଧାନ୍ତରେ ଉପନୀତ ହୋଇଥିବାର ସେମାନେ ସୂଚିତ କରିଛନ୍ତି ଗବେଷଣା ପତ୍ରିକା ‘ପ୍ଲୋସ୍ ବାଇଓଲୋଜି’ର ଡିସେମ୍ବର ୨୦୨୩ ସଂଖ୍ୟାରେ। ଅନ୍ୟପକ୍ଷରେ, ଡ୍ୟୁକ୍ ବିଶ୍ବବିଦ୍ୟାଳୟର ଗବେଷକମାନେ ମଣିଷଠାରେ ଚାରିପ୍ରକାର ଗନ୍ଧ ପ୍ରତି ସମ୍ବେଦନଶୀଳ ସ୍ନାୟୁକୋଷ ଆବିଷ୍କାର କରିଛନ୍ତି; ଯେଉଁଗୁଡ଼ିକ ଲୁହ ଦ୍ବାରା ମଧ୍ୟ କ୍ରିୟାଶଳ ହୁଏ। ଅତଏବ ସେଗୁଡ଼ିକ ତହିଁରେ ଥିବା ଆକ୍ରମଣାତ୍ମକ ସ୍ବଭାବ ହ୍ରାସକାରୀ ଉପାଦାନ ପ୍ରତି ପ୍ରତିକ୍ରିୟା ପ୍ରକଟ କରିପାରନ୍ତି ବୋଲି ସେମାନେ ମନେ କରନ୍ତି।
ଉଇଜ୍ମ୍ୟାନ୍ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସର ବୈଜ୍ଞାନିମାନେ ଅନୁମାନ କରନ୍ତି ଯେ’ ଶିଶୁମାନଙ୍କ କ୍ରନ୍ଦନରୁ ଉତ୍ପନ୍ନ ଲୁହର ପ୍ରାପ୍ତବୟସ୍କ ଲୋକଙ୍କ ଉପରେ ଏତାଦୃଶ ପ୍ରଭାବ ଥାଇପାରେ। ସମ୍ଭବତଃ ଏହା ସେମାନଙ୍କଠାରେ ତାଙ୍କ ପ୍ରତି ବାତ୍ସଲ୍ୟମମତା ସୃଷ୍ଟିକରେ। ସେହିପରି ନାରୀ ଲୁହର ଅନ୍ୟ ନାରୀମାନଙ୍କୁ ମଧ୍ୟ କିଛିମାତ୍ରାରେ ଏଭଳି ପ୍ରଭାବିତ କରିବାର ସମ୍ଭାବନା ରହିଛି ବୋଲି ସେମାନଙ୍କର ମତ। କ୍ରମେ ସେମାନେ ଏସବୁ ଉପରେ ଅଧ୍ୟୟନ ଚଳାଇବାଲାଗି ମନ ସ୍ଥିର କରିଛନ୍ତି। ଏହାର ସାମାଜିକ ପ୍ରଭାବ ଅତ୍ୟନ୍ତ ସୁଦୂରପ୍ରସାରୀ ହୋଇପାରେ ବୋଲି ସେମାନେ ମନେ କରନ୍ତି।
Comments are closed.