ରୋଗ ଆଁ’ରେ ଗାଁ
ହିମାଂଶୁ ଭୂଷଣ ସ୍ବାଇଁ
ସମୟାନ୍ତରରେ ଆମେମାନେ ନିଜ ନିଜର ଗ୍ରାମର ଲୋକଙ୍କ ବିଷୟରେ ସୂଚନା ସଂଗ୍ରହ କଲେ ଯେଉଁ ଅନ୍ଧାର ଦିଗଟି ଆବିଷ୍କୃତ ହେବ ତାହା ହେଲା, ଅଧିକାଂଶ ଲୋକଙ୍କ ‘ଦେହ ଭଲ ନ।ହିଁ।’ କୌଣସି ନା କୌଣସି ରୋଗରେ ଲୋକେ ଆକ୍ରାନ୍ତ। ପରିବାରର ଯୁବ ଗୋଷ୍ଠୀ ବା ସୁସ୍ଥ ରୋଜଗାରକ୍ଷମ ଯାହା ରୋଜଗାର କରୁଛନ୍ତି ସେସବୁ ରୋଗର ଅଗ୍ନିରେ ସ୍ବାହା ହୋଇଯାଉଛି। ଏକଦା ଶାନ୍ତ, ସବୁଜ, ପ୍ରଦୂଷଣମୁକ୍ତ ମୋ ଗାଁର ଜଳବାୟୁ, ଖାଦ୍ୟ, ପାନୀୟ ଓ ମାଟି ବିଷାକ୍ତ ହୋଇ ରୋଗର ଚକ୍ରବ୍ୟୂହ ସୃଷ୍ଟି କରିଛି ଓ ଆମେ ସମସ୍ତେ ଜଣ ଜଣ ହୋଇ ତାର ଶିକାର ହେଉଛୁ। ରୋଗ ଯେମିତି ଆମର ଶାରୀରିକ, ମାନସିକ, ଆଧ୍ୟାତ୍ମିକ, ଅର୍ଥନୈତିକ, ସାମାଜିକ ଭାରସାମ୍ୟକୁ ଦୋହଲାଇ ଦେଇ ପାରିବାରିକ ଶାନ୍ତିକୁ ଛଡାଇ ନେଇଛି।
୨୦୨୩ ବର୍ଷ ଆକଳନରେ ଭାରତର ମୋଟ ଜନସଂଖ୍ୟା ପ୍ରାୟ ୧୪୨, ୮୬, ୨୭, ୬୬୩; ଯାହାକି ପୃଥିବୀର ମୋଟ ଜନସଂଖ୍ୟାର ୧୭.୭୬ ପ୍ରତିଶତ। ସେଥିରୁ ପ୍ରାୟ ୩୬.୩ ପ୍ରତିଶତ ସହରାଞ୍ଚଳରେ ଓ ୬୩.୦୭ ପ୍ରତିଶତ ଗ୍ରାମାଞ୍ଚଳରେ ରହୁଥିବା ବେଳେ ଗ୍ରାମ ବହୁଳ ଆମ ରାଜ୍ୟ ଓଡ଼ିଶାର ମୋଟ ଜନସଂଖ୍ୟା ପ୍ରାୟ ୪, ୧୯, ୭୪, ୨୧୮ ରୁ ୮୩.୩ ପ୍ରତିଶତ ଗ୍ରାମାଞ୍ଚଳରେ ଓ ମାତ୍ର ୧୬.୭ ପ୍ରତିଶତ ସହରାଞ୍ଚଳରେ ରହୁଛନ୍ତି। ରୋଗ ଓ ରୋଗୀ ଦୃଷ୍ଟିକୋଣରୁ ଭାରତର ମୋଟ ଜନସଂଖ୍ୟାର ୧୧.୪ ପ୍ରତିଶତ ଅର୍ଥାତ୍ ପ୍ରାୟ ୧୦ କୋଟି ୧୦ ଲକ୍ଷ ଲୋକ ମଧୁମେହ ରୋଗରେ ପୀଡିତ ଥିବା ବେଳେ ପ୍ରାୟ ୧୫.୩ ପ୍ରତିଶତ ଅର୍ଥାତ୍ ୧୦ କୋଟି ୩୬ ଲକ୍ଷ ପ୍ରାକ୍ ମଧୁମେହ ଶ୍ରେଣୀରେ ଅଛନ୍ତି। ୨୦୧୯ ରୁ ୨୦୨୧ ଭିତରେ ୦୩ କୋଟି ୧୦ ଲକ୍ଷ ଲୋକ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ୩୫.୫ ପ୍ରତିଶତ (୩୧ କୋଟି ୦୫ ଲକ୍ଷ) ଉଚ୍ଚ ରକ୍ତଚାପ ରୋଗୀ, ୨୮.୬ ପ୍ରତିଶତ (୨୫ କୋଟି ୦୪ ଲକ୍ଷ) ମୋଟା ଜନିତ ସମସ୍ୟା, ୩୯.୫ ପ୍ରତିଶତ (୩୫ କୋଟି ୦୧ ଲକ୍ଷ) ତଳି ପେଟରେ ଚର୍ବି ଜମା ହେବା ଜନିତ ସମସ୍ୟା, ୨୪ ପ୍ରତିଶତଙ୍କ (୨୧ କୋଟି ୩୩ ଲକ୍ଷ) ରକ୍ତରେ କୋଲେଷ୍ଟେରଲ ଓ ୨୦.୯ ପ୍ରତିଶତଙ୍କ (୧୮ କୋଟି ୫୭ ଲକ୍ଷ) ରକ୍ତରେ ଖରାପ କୋଲେଷ୍ଟେରଲ ବଢିବା ସମସ୍ୟା ସହ ଲଢୁଛନ୍ତି। ଅକସ୍ମାତ୍ ମୃତ୍ୟୁ (ସଡନ୍ ଡେଥ୍) ବର୍ତ୍ତମାନର ଏକ ନୂଆ ଶବ୍ଦ। ବିନା କାରଣରେ ହଠାତ ଖୁବ କମ ବୟସରେ ଦେଖୁ ଦେଖୁ ମରିଯିବା ଯାହାକି ହୃଦ୍ଘାତ କିମ୍ବା ମସ୍ତିଷ୍କାଘାତ ଯୋଗୁଁ ସମ୍ଭବ। ଜାତୀୟ ଅପରାଧ ରେକର୍ଡ ବୁରୋ ପରିସଂଖ୍ୟାନ ୨୦୨୨ ଅନୁସାରେ ଭାରତରେ ୨୦୨୨ରେ ୫୬, ୬୫୩ ଜଣ ଓ ୨୦୨୧ ରେ ୫୦, ୭୩୯ ଜଣଙ୍କର ଅକସ୍ମାତ୍ ମୃତ୍ୟୁ ଜନିତ ମାମଲା ପଞ୍ଜିକୃତ ହୋଇଛି ଯାହାକି ୨୦୨୧ ଠାରୁ ୧୨ ପ୍ରତିଶତ ଅଧିକ। ଏଥିରେ ୫୭ ପ୍ରତିଶତ ହୃଦ୍ଘାତ ଓ ବାକି ମସ୍ତିଷ୍କାଘାତ କାରଣରୁ। ଅାନ୍ତର୍ଜାତିକ ସଂସ୍ଥା ଲାନ୍ସେଟର ଗବେଷଣାରୁ ଜଣାପଡେ ଯେ ଭାରତରେ ପ୍ରତିବର୍ଷ ୫ରୁ ୬ଲକ୍ଷ ଲୋକ ହୃଦ୍ଘାତରେ ଜୀବନ ହାରୁଛନ୍ତି ଓ ଏହା କ୍ରମ ବର୍ଦ୍ଧିଷ୍ଣୁ। ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ଡାକ୍ତରଙ୍କ ମତରେ ଭାରତରେ ପ୍ରତି ୪୦ ସେକେଣ୍ଡରେ ଜଣେ ମସ୍ତିଷ୍କାଘାତର ଶିକାର ହୋଇ ପ୍ରତି ୪ ମିନିଟରେ ଜଣଙ୍କର ଜୀବନ ଯିବା ସହ ବାକି ଅଚଳ ହୋଇ ଶଯ୍ୟାଶାୟୀ ହେଉଛନ୍ତି ଓ ବର୍ଷକୁ ପ୍ରାୟ ୧, ୮୫, ୦୦୦ ଲୋକଙ୍କର ଜୀବନ ଯାଉଛି।
ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ ଗଣନାରେ ୨୦୨୨ରେ ସବୁଠାରୁ ଭୟଙ୍କର ଓ କଷ୍ଟଦାୟକ ମୃତ୍ୟୁ ଦେଉଥିବା କର୍କଟ ରୋଗରେ ଭାରତରେ ୧୪,୬୧,୪୨୭ ଜଣ ପ୍ରାଣ ହରାଇଛନ୍ତି। ବର୍ଷକୁ ହାରାହାରି ୧୨.୮ ପ୍ରତିଶତ ବୃଦ୍ଧି ପାଉଥିବା ଏହି ରୋଗରେ ୨୦୨୫ ସୁଦ୍ଧା ୧୫ ଲକ୍ଷ ୭୦ ହଜାର ଲୋକ ପୀଡିତ ହେବେ ବୋଲି ଆକଳନ କରାଯାଇଛି। ପୁରୁଷମାନଙ୍କ ମଧ୍ୟରେ ଫୁସଫୁସ, ମୁଖ ଗହ୍ବର ଓ ପାକସ୍ଥଳି କର୍କଟ ଅଧିକ ଓ ମହିଳା ମାନଙ୍କର ସ୍ତନ ଓ ଗର୍ଭାଶୟ କର୍କଟ ପ୍ରଧାନ। ୩୦ ରୁ ୪୦ ପ୍ରତିଶତ ମୁଖ କର୍କଟ କେବଳ ଧୂମ ଯୁକ୍ତ ତମାଖୁ ଯଥା ବିଡି, ସିଗାରେଟ ଓ ଧୂମହୀନ ତମାଖୁ ଯେପରି ଗୁଟଖା, ଜର୍ଦା, ଖଇନି, ଧୂଆଁ ପତ୍ର, ଗୁଆ ସହ କଡା ମସଲା ବ୍ୟବହାର ଯୋଗୁଁ ସୃଷ୍ଟି ହେଉଛି। ତମାଖୁ ବ୍ୟବହାରରେ ଭାରତ ପୃଥିବୀରେ ପ୍ରଥମ ଥିବା ବେଳେ ଏହା ଅଳ୍ପ ଦାମରେ ମିଳୁଥିବାରୁ ଗ୍ରାମାଞ୍ଚଳରେ ଏହା ବହୁଳ ଭାବେ ବିକ୍ରି ହୁଏ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୨୦୧୮ ରେ କରାଯାଇଥିବା ସର୍ଭେରୁ ଜଣାପଡେ ଯେ ଭାରତରେ ପ୍ରାୟ ୨୩ କୋଟି ୨୪ ଲକ୍ଷ (୨୫ ପ୍ରତିଶତ ଭାରତୀୟ ) ତମାଖୁ ବ୍ୟବହାର କରନ୍ତି। ପ୍ରତି ତିନି ଜଣରେ ଜଣେ ଗ୍ରାମାଞ୍ଚଳରେ ଓ ପ୍ରତି ପାଞ୍ଚ ଜଣରେ ଜଣେ ସହରାଞ୍ଚଳରେ ପ୍ରତିଦିନ ଓ ୩ କୋଟି ୪୪ ଲକ୍ଷ ବେଳେ ବେଳେ ତମାଖୁ ବ୍ୟବହାର କରୁଛନ୍ତି। ଚୀନ ଓ ରୁଷିଆ ପରେ ଭାରତରେ ୧୦ ରୁ ୭୫ ବର୍ଷ ବୟସ୍କ ମୋଟ ୧୮.୭ ପ୍ରତିଶତ ଲୋକ (୧୯.୯ % ଗ୍ରାମାଞ୍ଚଳ ପୁରୁଷ, ୧୬.୫ % ସହରାଞ୍ଚଳ ପୁରୁଷ, ୧.୬% ଗ୍ରାମାଞ୍ଚଳ ମହିଳା ଓ ୦.୬% ସହରାଞ୍ଚଳ ମହିଳା) ଅଭ୍ୟାସଗତ ଭାବେ କିମ୍ବା ବେଳେ ବେଳେ ମଦ୍ୟପାନ କରନ୍ତି। ବିଦେଶୀ ତଥା ସହରୀ ନିଶା ହେରୋଇନ, ବ୍ରାଉନସୁଗର, ଚରସ ନିଶାରେ ଯୁବ ସମାଜ ଚୁର ଓ ଅନେକ ଗଞ୍ଜାଇ, ଅଫିମ ଓ ଆପୁରେ ମାତିଛନ୍ତି। ଏକଦା ଗ୍ରାମରୁ ଲୋକମାନେ ଯାଇ ସହରରେ କାମକରି କିମ୍ବା ଗ୍ରାମର ଶସ୍ୟ, ପନିପରିବା ଓ ଅନ୍ୟାନ୍ୟ ଉତ୍ପାଦ ସହରରେ ବିକ୍ରି କରି ଗ୍ରାମର ଅର୍ଥନୀତିକୁ ସୁଦୃଢ କରୁଥିଲେ; କିନ୍ତୁ ଏବେ ସହରୀ ଜିନିଷ ଓ ନିଶା ଗ୍ରାମାଞ୍ଚଳକୁ ପଶି ଗ୍ରାମର ପଇସାକୁ ଶୋଷି ନେଉଛି ଓ ପ୍ରତିଦାନରେ ରୋଗ ଦେଉଛି।
ଉପର ଆଲୋଚ୍ୟ ରୋଗଗୁଡିକୁ ଡାକ୍ତରମାନେ ରୋଗ ବୋଲି ନ କହି ଏହା ଆଧୁନିକ ମଣିଷର ବିଶୃଙ୍ଖଳିତ ଜୀବନଚର୍ଯ୍ୟାର ଏକ ବିଷମ ପ୍ରତିଫଳନ ବୋଲି କହୁଛନ୍ତି। ଜଣେ ବ୍ୟକ୍ତି ଏକା ସମୟରେ ମଧୁମେହ, ଉଚ୍ଚ ରକ୍ତଚାପ, ଗ୍ୟାସଟ୍ରିକ, ମୋଟାପା, କର୍କଟ, ହୃଦ୍ରୋଗରେ ପଡି ଅନ୍ଧ ହେବା, ଅଙ୍ଗ ଛେଦନ, ବୃକକ ଜନିତ ସମସ୍ୟା, ହୃଦ କିମ୍ବା ମସ୍ତିଷ୍କାଘାତ ପରି ଅନେକ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଡାକ୍ତରୀ ଭାଷାରେ ଏହାକୁ ‘ନନ କମ୍ୟୁନିକେବଲ ଡିଜିଜ’ ବା ‘ଅଣ ସଂକ୍ରାମକ ରୋଗ’ ବୋଲି କହନ୍ତି। ଥଣ୍ଡା, ଜର, ଡେଙ୍ଗୁ, ଚିକେନ ଗୁନିଆ ଭଳି ଏହା ବ୍ୟକ୍ତିରୁ ବ୍ୟକ୍ତିକୁ ସିଧା ସଳଖ ଭାବେ ବା ଜଳ, ବାୟୁ, ଭୂତାଣୁ, ଜୀବାଣୁ ବା ଅନ୍ୟ କୌଣସି ମାଧ୍ୟମ ଦେଇ ବ୍ୟାପେ ନାହିଁ। ଏହା ସମ୍ପୂର୍ଣ ବ୍ୟକ୍ତିଗତ ଓ ଏହି ସମସ୍ୟା ପାଇଁ ଆମେ ବ୍ୟକ୍ତିଗତ ଭାବେ ଉତ୍ତରଦାୟୀ ଅଟୁ। ଆମର ଅସନ୍ତୁଳିତ ଜୀବନଚର୍ଯ୍ୟା, ଖାଦ୍ୟ ନାମରେ ଅଖାଦ୍ୟ ଭକ୍ଷଣ, ମାତ୍ରାଧିକ କ୍ୟାଲୋରି, ରାସାୟନିକ ମସଲା, ରଙ୍ଗ, ଚିନି, ଲୁଣ ଓ ତୈଳଯୁକ୍ତ ଖାଦ୍ୟ, ବଜାରରେ ମିଳୁଥିବା ପ୍ୟାକେଟ ଖାଦ୍ୟ, ଥଣ୍ଡା ଓ ମଧୁର ପାନୀୟ, ଅନିଦ୍ରା, ତମାଖୁ ଓ ନିଶା ସେବନ, ମାନସିକ ଚାପ ଓ ବିଷାଦ, ଶୂନ୍ୟ ଶାରୀରିକ ପରିଶ୍ରମ ବା ଅତ୍ୟଧିକ ଆଳସ୍ୟ, ମେଦ ବହୁଳତା ଏହି ରୋଗ ସୃଷ୍ଟିର ମୁଖ୍ୟ କାରଣ। ଆୟୁର୍ବିଜ୍ଞାନୀଙ୍କ ମତରେ ଶୃଙ୍ଖଳିତ ଜୀବନ ଶୈଳୀ, ସୁଷମ ଖାଦ୍ୟ, ବିଶୁଦ୍ଧ ପାନୀୟ, ଉପଯୁକ୍ତ ବିଶ୍ରାମ, ନିଦ୍ରା, ମାନସିକ ଶାନ୍ତି ଓ ସନ୍ତୋଷ ଆମ ସ୍ବାସ୍ଥ୍ୟ ପାଇଁ ଅନୁକୂଳ ଓ ଏହା ପାଇବାକୁ ହେଲେ ପ୍ର।କୃତିକ ଔଷଧ ରୂପରେ ପ୍ରତିଦିନ କେତେ ଘଣ୍ଟା ପାଇଁ ବିଲ ବାଡିରେ ଝାଳବୁହା କଠିନ ପରିଶ୍ରମ କିମ୍ବା ସକାଳେ ସନ୍ଧ୍ୟାରେ ଚାଲିବା, ଖେଳକୁଦ, ବ୍ୟାୟାମ ଓ ଯୋଗର ନିତାନ୍ତ ଆବଶ୍ୟକତା ରହିଛି।
Comments are closed.