www.samajalive.in
Sunday, December 14, 2025
26.1 C
Bhubaneswar

ସଂସ୍କୃତି, ଅପସଂସ୍କୃତି ଓ ମହତ ସଂସ୍କୃତି

‘ସଂସ୍କାର’ ଶବ୍ଦରୁ ସଂସ୍କୃତି ଶବ୍ଦର ସୃଷ୍ଟି। ସ୍ୱାମୀ ବିବେକାନନ୍ଦ ‘ସଂସ୍କାର’ ଶବ୍ଦର ଅର୍ଥ ବୁଝାଇବାକୁ ଯାଇ କହିଥିଲେ ଏହା ହେଉଛି ସହଜାତ ପ୍ରବଣତା। ସେ ମନକୁ ଏକ ହ୍ରଦ ସହ ତୁଳନା କରିଛନ୍ତି। ହ୍ରଦରେ ତରଙ୍ଗ ସୃଷ୍ଟି ହୁଏ। ମାତ୍ର ତାହା ପ୍ରଶମିତ ହେଲେ ମଧ୍ୟ ସମ୍ପୂର୍ଣ୍ଣ ଲୁପ୍ତ ହୁଏ ନାହିଁ। ପୁଣି ପବନ ବହିଲେ ସେହି ତରଙ୍ଗର ପୁନରାବିର୍ଭାବର ସମ୍ଭାବନା ଥାଏ। ଠିକ୍‌‌ ସେପରି ଆମେ ଯାହାସବୁ କର୍ମକରୁ, ଯାହା ସବୁ ଚିନ୍ତା କରୁ, ସେଗୁଡ଼ିକ ଆମ ମନ ଉପରେ ଛାପ ଛାଡ଼ିଯାଆନ୍ତି। ସେହି ଛାପଗୁଡ଼ିକର ସମଷ୍ଟିକୁ ସଂସ୍କାର କୁହାଯାଏ। ସେହି ସଂସ୍କାର ଅବଚେତନ ମନରେ ଆମ ଅଜ୍ଞାତସାରରେ ମଧ୍ୟ କାର୍ଯ୍ୟ କରେ ଓ ଆମକୁ ପ୍ରଭାବିତ କରେ। ଆମେ ବର୍ତ୍ତମାନ ଯାହା, ତାହା ଆମ ଅତୀତ ଜୀବନର ଏହିସବୁ ସଂସ୍କାର ସମଷ୍ଟି ଦ୍ୱାରା ନିରୂପିତ ହୁଏ। ଏହାକୁ କୁହାଯାଏ ବ୍ୟକ୍ତିଗତ ସଂସ୍କୃତି। ଜଣକର ରୁଚିବୋଧ, ଆଦର୍ଶ ଆଚରଣ ଆଦି ଯେପରି ତାର ବ୍ୟକ୍ତିଗତ ସଂସ୍କୃତିର ସୂଚନା ଦିଏ, ସେହିପରି ଯେଉଁସବୁ ଗୁଣ ଆଦର୍ଶ ଓ ଆଚରଣ ଦ୍ୱାରା ଗୋଟିଏ ଗୋଷ୍ଠୀ, ସମାଜ ବା ଦେଶ ଚିହ୍ନିତ ହୁଅନ୍ତି ସେସବୁର ସମାହାର ହେଉଛି ସାମୂହିକ ସଂସ୍କୃତି।

‘ସଂସ୍କୃତ’ ଶବ୍ଦକୁ ଆମେ ‘ମାର୍ଜିତ’ ଅର୍ଥରେ ବ୍ୟବହାର କରୁ। ଏଣୁ ସାମୂହିକ ଦୁର୍ଗୁଣ ‘ସଂସ୍କୃତି’ର ଅନ୍ତର୍ଗତ ନୁହେଁ। ଯାହା ମଣିଷକୁ ମହତ୍ତର ଚିନ୍ତା ବା ଚେତନାର ଅନୁଭବ ଆଣିଦିଏ, ସାମୂହିକ ଜୀବନରେ ଯେଉଁ ବିଧିବିଧାନ ଜୀବନକୁ ଶୃଙ୍ଖଳିତ ଓ ମାର୍ଜିତ କରେ ତାକୁ ହିଁ ଆମେ ସଂସ୍କୃତି କହୁ। “Aesthetic and Ethical Culture” ପ୍ରବନ୍ଧରେ ଶ୍ରୀ ଅରବିନ୍ଦ କହିଛନ୍ତି, “ଗୋଟିଏ ଜାତି ଯଦି ଜ୍ଞାନ ବିଜ୍ଞାନ ଓ କଳାରେ ଯଥେଷ୍ଟ ବିକାଶ ଲାଭ କରିବା ସ‌େ‌ତ୍ତ୍ବ ସାଧାରଣ ଦୃଷ୍ଟିଭଙ୍ଗୀ, ଜୀବନଧାରା ଓ ଚିନ୍ତାରେ ଜ୍ଞାନ, ସତ୍ୟ, ସୌନ୍ଦର୍ଯ୍ୟବୋଧ ଓ ଜୀବନର ମହତ୍ତର ଆଦର୍ଶଦ୍ୱାରା ପରିଚାଳିତ ନ ହୋଇ ସ୍ଥୂଳ ପ୍ରାଣିକ ଆବେଗ, ଆର୍ଥନୀତିକ ବଣିକ ସୁଲଭ ଦୃଷ୍ଟିଭଙ୍ଗୀ ଦ୍ୱାରା ପରିଚାଳିତ ହୁଏ ସେ ଜାତି ଗୋଟିଏ ଅର୍ଥରେ ସଭ୍ୟ ହୋଇପାରେ, ମାତ୍ର ତାର ସମସ୍ତ ପ୍ରାଚୁର୍ଯ୍ୟ ଓ ସଭ୍ୟତାର ଯନ୍ତ୍ରପାତି ସ‌େ‌ତ୍ତ୍ବ ସେ ଜାତି ଏକ ସଂସ୍କୃତି ସମ୍ପନ୍ନ ମାନବଗୋଷ୍ଠୀ ହେବାର ପ୍ରତିଶ୍ରୁତି ବହନ କରେ ନାହିଁ।”

- Advertisement -

ପ୍ରତ୍ୟେକ ଜାତିର ସଂସ୍କୃତିର ଚେର ଥାଏ ହଜାର ହଜାର ବର୍ଷ ତଳେ। ତାର ବିକାଶ ପ୍ରକ୍ରିୟାରେ ତାହା ଅନ୍ୟ ସଂସ୍କୃତି ଦ୍ୱାରା ମଧ୍ୟ ପ୍ରଭାବିତ ହୋଇଥାଏ। ଜବାହାରଲାଲ ନେହେରୁ କହନ୍ତି, ପୃଥିବୀର କୌଣସି ସଂସ୍କୃତି ସମ୍ପୂର୍ଣ୍ଣ ମୌଳିକ ବା ଖାଣ୍ଟି ନୁହେଁ। କେହି କହିପାରିବେ ନାହିଁ ଯେ ସେ ଏକ ନିର୍ଦ୍ଦିଷ୍ଟ ମୌଳିକ ଜାତିର ଅନ୍ତର୍ଭୁକ୍ତ। ବେଳେବେଳେ କୌଣସି କୌଣସି ଗୋଷ୍ଠୀ ମଧ୍ୟରେ ଭୟ ହୁଏ ଯେ ସେମାନଙ୍କ ସଂସ୍କୃତି ବାହ୍ୟ ସଂସ୍କୃତି ଦ୍ୱାରା ପ୍ରଭାବିତ ହେଉଛି। ଏହି ଆଶଂକା ଯୋଗୁଁ ସେମାନେ ନିଜକୁ ଅନ୍ୟଠାରୁ ଦୂରେଇ ରଖନ୍ତି ଓ ଅନ୍ୟ ସଂସ୍କୃତିର ଚିନ୍ତା ଓ ଭାବନାକୁ ଗ୍ରହଣ କରନ୍ତି ନାହିଁ। ଏହା ଏକ ସମୁଚିତ ଅବସ୍ଥା ନୁହେଁ, କାରଣ ସ୍ଥିରତା ବିକାଶର ଲକ୍ଷଣ ନୁହେଁ। ସଂସ୍କୃତି ମଧ୍ୟ ପରିବର୍ତ୍ତନଶୀଳ। ଗୋଟିଏ ଦେଶ ବା ଜାତିର ସଂସ୍କୃତି ସେଠାକାର ଭୌଗୋଳିକ ଅବସ୍ଥା, ଜଳବାୟୁ ଓ ଅନ୍ୟାନ୍ୟ ପ୍ରାସଙ୍ଗିକ ଘଟଣା ଦ୍ୱାରା ପ୍ରଭାବିତ ହୁଏ। ପ୍ରାକୃତିକ ଅବସ୍ଥାର ପରିବର୍ତ୍ତନ ହେଲେ ସଂସ୍କୃତିର ମଧ୍ୟ ପରିବର୍ତ୍ତନ ହେବା ସ୍ୱାଭାବିକ।

ଏଣୁ କେବଳ ନିଜ ସଂସ୍କୃତିକୁ ଠିକ୍‌‌ କହି ଓ ଅନ୍ୟ ସଂସ୍କୃତିକୁ କ୍ଷତିକାରକ କହି ନିଜକୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ରଖିଲେ ଆମେ ସଂକୁଚିତ ହୋଇଯିବା। ଗଛଟିଏ କେବଳ ଚେରରେ ବଞ୍ଚେ ନାହିଁ। ସୂର୍ଯ୍ୟକିରଣ ଓ ମୁକ୍ତପବନ ବିନା ଗଛଟି ଶୁଖିଯିବ। ପ୍ରତ୍ୟେକ ଜାତିର ଏକ ସଂସ୍କୃତି ଅଛି ଯାହା ହେଉଛି ହଜାର ହଜାର ବର୍ଷର ଅନୁଭୂତି ଓ ପ୍ରଜ୍ଞାର ସମଷ୍ଟି। ମାତ୍ର ସେହି ସଂସ୍କୃତି ପଲ୍ଲବିତ ଓ ପୁଷ୍ପିତ ହୁଏ ଯେତେବେଳେ ତାହା ବାହ୍ୟ ଜଗତର ପ୍ରାକୃତିକ ପ୍ରଭାବକୁ ମଧ୍ୟ ଗ୍ରହଣ କରିନିଏ। ଆମେ ଅନ୍ୟମାନଙ୍କ ପ୍ରତି କିପରି ବ୍ୟବହାର ପ୍ରଦର୍ଶନ କରୁ ତାହା ହେଉଛି ଆମ ସଂସ୍କୃତି। ଏହାର ଅର୍ଥ ହେଉଛି ଅନ୍ୟମାନଙ୍କୁ ବୁଝିବାର ସାମର୍ଥ୍ୟ ଓ ଅନ୍ୟମାନେ ଆମକୁ ବୁଝିପାରିବା ଭଳି ବ୍ୟବହାର ପ୍ରଦର୍ଶନ କରିବାର ସାମର୍ଥ୍ୟ। ଯେଉଁ ବ୍ୟକ୍ତି ଅନ୍ୟବ୍ୟକ୍ତିର ଦୃଷ୍ଟିକୋଣକୁ ବୁଝିପାରେ ନାହିଁ ତାର ସଂସ୍କୃତିର ପରିସର ସୀମିତ, କାରଣ କୌଣସି ବ୍ୟକ୍ତି ସମ୍ପୂର୍ଣ୍ଣ ଜ୍ଞାନର ଅଧିକାରୀ ହୋଇପାରିବ ନାହିଁ। ଅନ୍ୟ ଜାତିର ମଧ୍ୟ ଜ୍ଞାନ ଗରିମା ଓ ସତ୍ୟ ପ୍ରତି ପ୍ରବଣତା ଥାଇପାରେ। ମାତ୍ର ଆମେ ଯଦି ସେଥିପ୍ରତି ଆଖି ବୁଜିଦେବା, ଆମେ ସେଥିରୁ ବଞ୍ଚିତ ହେବା ଓ ବିକଶିତ ହୋଇପାରିବା ନାହିଁ। ଏହା ଏକ ସଂସ୍କୃତି ସମ୍ପନ୍ନ ମଣିଷର ଦୃଷ୍ଟିଭଙ୍ଗୀ ନୁହେଁ। ଏଣୁ ଏକ ସଂସ୍କୃତି ସମ୍ପନ୍ନ ମନ ତାର ଦ୍ୱାର ଓ ଝରକାଗୁଡ଼ିକୁ ସର୍ବଦା ଖୋଲାରଖେ।

ଆମେ ସାଧାରଣତଃ ବିଦେଶୀ ସଂସ୍କୃତିର ପ୍ରଭାବକୁ ଅପସଂସ୍କୃତି କହୁଁ। ପ୍ରକୃତରେ ମୂଳତଃ ଅପସଂସ୍କୃତି ବା କୁ-ସଂସ୍କୃତି ବୋଲି କିଛି ନାହିଁ। ଭୌଗୋଳିକ ଅବସ୍ଥା ଓ ଜଳବାୟୁ ଆଦିରୁ ସଂସ୍କୃତି ସୃଷ୍ଟି ହେଉଥିବାରୁ ଯାହା ଗୋଟିଏ ଜାତି ପାଇଁ ଠିକ୍‌‌, ପରିବର୍ତ୍ତିତ ଭୌଗୋଳିକ ପରିସ୍ଥିତିରେ ତାହା ଠିକ୍‌‌ ହୋଇ ନ ପାରେ। ଆଜିର ଜଗତୀକରଣ ଯୁଗରେ କୌଣସି ଦେଶ ଅନ୍ୟଦେଶଠାରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ଓ ଅପ୍ରଭାବିତ ରହିବା ସମ୍ଭବ ନୁହେଁ। ଏଣୁ ବାହ୍ୟ ସଂସ୍କୃତିର କିଛି ଯଦି ଆମ ପାଇଁ ମଙ୍ଗଳକାରକ ମନେହୁଏ ତାକୁ ଗ୍ରହଣ କରିନେଲେ ତାକୁ ଅପସଂସ୍କୃତି କରିବାର କୌଣସି କାରଣ ନାହିଁ। ମାତ୍ର ସଂସ୍କୃତିର ଶକ୍ତିକୁ ଯେତେବେଳେ ମଣିଷ ଦୁଷ୍ଟିବୁଦ୍ଧି ପ୍ରଣୋଦିତ ହୋଇ ବ୍ୟବହାର କରେ, ସେତେବେଳେ ଆମେ ତାକୁ ଅପସଂସ୍କୃତି କହିପାରିବା। ଆଜି ଗଣମାଧ୍ୟମରେ ନୃତ୍ୟ, ସଙ୍ଗୀତ ଓ ଭାଷାର ଯେଭଳି ଅପବ୍ୟବହାର ଦେଖୁ ଓ ସାହିତ୍ୟ ନାମରେ ଆବର୍ଜନା ପରିବେଶିତ ହେବାର ଦେଖୁ ତାହା ହେଉଛି ଅପସଂସ୍କୃତି। ଆଜିର ଅଶ୍ଳୀଳ ନୃତ୍ୟ ସଙ୍ଗୀତ ଓ ସାହିତ୍ୟ ସମାଜର ମଙ୍ଗଳ କରୁନାହିଁ, ବରଂ ସାମାଜିକ ଜୀବନର ଅଧୋପତନ କରୁଛି।

ଯାହା ମଣିଷକୁ ମହତ୍ତର ସୋପାନକୁ ଉନ୍ନୀତ କରେ ତାହା ହେଉଛି ମହତ୍‌‌ ସଂସ୍କୃତି। ଶ୍ରୀ ଅରବିନ୍ଦଙ୍କ ଭାଷାରେ, “ମହତ୍‌‌ ସଂସ୍କୃତିର ଏକମାତ୍ର ଲକ୍ଷ୍ୟ ହେଲା ମଣିଷକୁ ଉପରକୁ ଉଠାଇବା, ଅକାତ ଅଜ୍ଞାନରୁ ଯାତ୍ରାରମ୍ଭ କରୁଥିବା ମଣିଷକୁ ଜ୍ଞାନ ଭିତରକୁ ଉନ୍ନୀତ କରିବା, ଅଯୌକ୍ତିକ ପର୍ଯ୍ୟାୟରୁ ତାକୁ ଯୁକ୍ତିଯୁକ୍ତ ଭାବରେ ଜୀବନ ଧାରଣ କରିବାକୁ ଅନୁପ୍ରାଣିତ କରିବା, ମଣିଷ ଅନ୍ଧଶକ୍ତି ଓ ଅସଂହତିର ଆୟତ୍ତରେ ଥିବା ସ୍ଥଳେ ତାକୁ ସୁମଙ୍ଗଳ ଓ ଏକତାର ଶିକ୍ଷା ଦେବା, ତାର ଗତାନୁଗତିକ ଜୀବନ ଭୟାବହ ବିକଟତା ଓ ବନ୍ୟ ପ୍ରବୃତ୍ତି ଅଧ୍ୟୁଷିତ ହୋଇଥିବା ସ୍ଥଳେ ତାକୁ ସୌନ୍ଦର୍ଯ୍ୟ ଓ ସଂହତିର ଜ୍ଞାନ ଦେବା, ସେ ଅହଂସର୍ବସ୍ୱ, ବସ୍ତୁସର୍ବସ୍ୱ, ଅଣଆଧ୍ୟାତ୍ମିକ ଓ ସ୍ଥୂଳକାମନା ବାସନାର ଦାସ ହୋଇଥିବା ସ୍ଥଳେ ତାକୁ ଆତ୍ମାର ମହତ୍ତର ବିଧାନ ସମ୍ପର୍କରେ ସଚେତ କରିବା। କୌଣସି ଏକ ସଭ୍ୟତାରେ ଯଦି ଏଭଳି ଲକ୍ଷ୍ୟ ନ ଥିବ, ତେବେ ତାର ସଂସ୍କୃତି ଅଛି ବୋଲି କୁହାଯାଇପାରିବ ନାହିଁ, ଅନ୍ତତଃ ତାର ମହତ୍‌‌ ସଂସ୍କୃତି ନାହିଁ” (Religion and Sprituatity)।(ଅନୁବାଦ: ମନୋଜ ଦାସ)

ସଭ୍ୟ ହେବା ଓ ସଂସ୍କୃତି ସମ୍ପନ୍ନ ହେବା ଏକା କଥା ନୁହେଁ। ଅରଣ୍ୟରେ ଉଲଗ୍ନ ଭାବରେ ରହୁଥିବା ହିଂସ୍ର ବର୍ବର ମାଂସ ଭକ୍ଷଣ କରୁଥିବା ମଣିଷ କାଳକ୍ରମେ ନୂଆ ନୂଆ କଥା ଚିନ୍ତା କଲା। ପୋଷାକ ପିନ୍ଧିଲା, ବୈଜ୍ଞାନିକ ଉଦ୍ଭାବନ ଓ ଆବିଷ୍କାର କଲା। ଏହି ପ୍ରକ୍ରିୟାରେ ବର୍ବର ମଣିଷ ସଭ୍ୟ ହେଲା। ପ୍ରଖ୍ୟାତ ଚିନ୍ତାନାୟକ ସି.ଇ.ଏମ୍‌‌ ଜୋଡ୍‌‌଼ କହିଲେ, ଯିଏ ସୁନ୍ଦର ପଦାର୍ଥ ସୃଷ୍ଟି କରିପାରେ, ମୁକ୍ତ ଭାବରେ ନୂଆ ନୂଆ କଥା ଚିନ୍ତା କରିପାରେ ଓ ଆଇନ୍‌‌ ମାନି ଚଳେ ସେ ହିଁ ସଭ୍ୟ। ଏହି ପରିଭାଷା ଅନୁଯାୟୀ ଏକବିଂଶ ଶତାବ୍ଦୀର ମଣିଷକୁ ସଭ୍ୟ କୁହାଯାଏ। ମାତ୍ର ତାର ଏହି ସଭ୍ୟତା ଯେ ବର୍ବରତାରୁ ମୁକ୍ତ ନୁହେଁ ତାହା ପ୍ରମାଣ କରେ ଏକ ମଜା କଥା। ଜଣେ ଧର୍ମ ପ୍ରଚାରକ ଏକ ଅନୁନ୍ନତ ଅଞ୍ଚଳରୁ ଫେରି କହୁଥାନ୍ତି, “ମୁଁ ସେ ଅଞ୍ଚଳର ସମସ୍ତ ଅସଭ୍ୟ ମଣିଷକୁ ସଭ୍ୟ କରିଦେଇଛି।” ଅନେକ ବର୍ଷ ଅତିକ୍ରାନ୍ତ ହେଲା। ଜଣେ ପରିବ୍ରାଜକ ସେହି ଅଞ୍ଚଳରୁ ଫେରି ସେହି ଧର୍ମ ପ୍ରଚାରକକୁ କହିଲେ, “ମହାଶୟ, ମୁଁ ଦେଖିଲି ସେହି ଅଞ୍ଚଳରେ ଏବେ ବି ଲୋକେ ନରମାଂସ ଖାଉଛନ୍ତି। କେମିତି କହୁଛନ୍ତି ଯେ ଆପଣ ସେମାନଙ୍କ ସଭ୍ୟ କରିଦେଲେ ?” ଧର୍ମ ପ୍ରଚାରକ କହିଲେ, “ସେମାନେ ନରମାଂସ ଖାଉଥାଇ ପାରନ୍ତି, ମାତ୍ର ପୂର୍ବର ଅସଭ୍ୟ ଅଭ୍ୟାସ ଅନୁସାରେ ହାତରେ ଖାଉ ନାହାନ୍ତି, କଣ୍ଟା ଚାମଚରେ ଖାଉଛନ୍ତି।” ଧର୍ମ ପ୍ରଚାରକଙ୍କ ପରିଭାଷାରେ ସେମାନେ ସଭ୍ୟ ହୋଇଥାଇପାରନ୍ତି, ମାତ୍ର ସେମାନେ ସଂସ୍କୃତି ସମ୍ପନ୍ନ ବା ମାର୍ଜିତ ନୁହନ୍ତି, କାରଣ ଏବେ ବି ସେମାନେ ସେହି ଆଦିମ ବନ୍ୟ ପ୍ରବୃତ୍ତି ଦ୍ୱାରା ପରିଚାଳିତ।

Hot this week

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

Related Articles

Popular Categories