www.samajalive.in
Sunday, December 14, 2025
26.1 C
Bhubaneswar

ଦୁର୍ନୀତି: କାରଣ, ପରିଣାମ ଓ ପ୍ରତିକାର

ଦୁର୍ନୀତି ହେଉଛି ଏକ ଅସାଧୁ ବ୍ୟବହାର ବା କାର୍ଯ୍ୟ। ମିଳିଥିବା କ୍ଷମତାକୁ ବ୍ୟକ୍ତିଗତ ଲାଭ ପାଇଁ ଦୁରୁପ‌େ‌ଯାଗ କରିବା ହେଉଛି ଦୁର୍ନୀତି। ଦୁର୍ନୀତି ବିଶ୍ବାସ ହାନି ଘଟାଏ, ଗଣତନ୍ତ୍ରକୁ ଦୁର୍ବଳ କରେ, ଅର୍ଥନୈତିକ ବିକାଶରେ ବାଧା ସୃଷ୍ଟିକରେ ଏବଂ ଅଧିକନ୍ତୁ ଅସାମଞ୍ଜସ୍ୟ, ଦାରିଦ୍ର୍ୟ, ସାମାଜିକ ବର୍ଗୀକରଣ ଏବଂ ପରିବେଶଜନିତ ସମସ୍ୟାକୁ ବଢ଼ାଇଦିଏ। ଦୁର୍ନୀତି ସାଧାରଣତଃ ଯୋଗାଣ ବନାମ ଚାହିଦା, ବଡ଼ ବନାମ ଛୋଟ, ପାରମ୍ପରିକ ବନାମ ଅଣପାରମ୍ପରିକ ଏବଂ ସର୍ବସାଧାରଣ ବନାମ ବ୍ୟକ୍ତିଗତ ରୂପ ପରିଗ୍ରହ କରିଥାଏ। ଏହା ମଧ୍ୟ ଲାଞ୍ଚ, ବ୍ୟକ୍ତିଗତ ଆତ୍ମସାତ୍‌, ପ୍ରଭାବ,ଅବୈଧ ବିକ୍ରି, ଟିକସ ଫାଙ୍କି, ସ୍ବଜନ ପ୍ରୀତି, ଅବୈଧ ଯୌନ ସମ୍ପର୍କ, ବେଠି ଏବଂ ପୃଷ୍ଠପୋଷକତା ରୂପ ନେଇପାରେ। ଦୁର୍ନୀତି ଉତ୍ତମ ଶାସନ, ମୂଲ୍ୟବୋଧ ଏବଂ ସାଧାରଣ ବିଶ୍ବାସର ଯଥେଷ୍ଟ କ୍ଷତି କରିଥାଏ। ଦୁର୍ନୀତି ଆମେ ରହୁଥିବା ସମାଜର ଏକ ଗମ୍ଭୀର ସମସ୍ୟା। ବର୍ତ୍ତମାନ ଏହା ସମସ୍ତ କ୍ଷେତ୍ରରେ ପ୍ରଭାବ ବିସ୍ତାର କରିଛି। ସରକାରଙ୍କଠାରୁ ଆରମ୍ଭ କରି ବ୍ୟବସାୟ ଏବଂ ଆମର ସମଗ୍ର ଦୈନନ୍ଦିନ ଜୀବନ ଦୁର୍ନୀତିଗ୍ରସ୍ତ। ଏହି ଦୁର୍ନୀତି ବିଭିନ୍ନ ରୂପରେ ପ୍ରକାଶିତ। ଲାଞ୍ଚଠାରୁ ଆରମ୍ଭ କରି ଆତ୍ମସାତ୍‌, ଜବରଦସ୍ତି ଟଙ୍କା ଆଦାୟଠାରୁ ଆରମ୍ଭକରି ଧୋକାଦେବା ପର୍ଯ୍ୟନ୍ତ ଏହା ଆଜି ପରିଦୃଷ୍ଟ। ଯାହା ଫଳରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ଅନୁଷ୍ଠାନମାନ ଭାଙ୍ଗିଯାଉଛି ଏବଂ ସର୍ବୋପରି ଜନସାଧାରଣ କାହାକୁ ବିଶ୍ବାସକୁ ନେଉନାହାନ୍ତି। ଦୁର୍ନୀତିର ସୀମା ଆଜି ବିସ୍ତାରିତ ଏବଂ ଏହା ଜାତିର ସାମାଜିକ, ଅର୍ଥନୈତିକ ଏବଂ ସଂରଚନାର ବିକାଶକୁ ବହୁ ପରିମାଣରେ କମାଇ ଦେଇଛି। ଦୁର୍ନୀତି ନକାରାତ୍ମକ ଭାବରେ ସମାଜକୁ ପ୍ରଭାବିତ କରେ, ଆମେ ସଚେତ ନାଗରିକ ଭାବରେ ତାହାର ମୁକାବିଲା କରିବା ଉଚିତ ଏବଂ ସମାଜର ମଙ୍ଗଳ ପାଇଁ ଦୁର୍ନୀତିଜନିତ ସମସ୍ୟାର ସମାଧାନ କରିବା ଉଚିତ। ଆମେ ଦେଖିବା ଯେପରି ଦୁର୍ନୀତି ଅପାରଗତା, ଅନ୍ୟାୟ ଓ ସମ୍ବଳର ଅଭାବ ଆଡ଼କୁ ନେଇ ନଯିବ, ରାଜନୈତିକ ଓ ପ୍ରଶାସନିକ କ୍ଷେତ୍ରରେ ଜାତିର ବିକାଶକୁ ବାଧା ଦେବନାହିଁ। ଲୋକମାନଙ୍କର ମୌଳିକ ଅଧିକାରଗୁଡ଼ିକୁ ଯଥା- ସମାନତା ଅଧିକାର, ସ୍ବାଧୀନତା ଅଧିକାର, ସମାନ ସୁଯୋଗର ଅଧିକାର ତଥା ଅନିବାର୍ଯ୍ୟ ସ୍ବାସ୍ଥ୍ୟ ଓ ଶିକ୍ଷାର ଅଧିକାରକୁ ଜବରଦସ୍ତି କରି ଛଡ଼ାଇ ନେବ ନାହିଁ।

ଦୁର୍ନୀତି କରିବାର ବିଭିନ୍ନ ଉପାୟ ରହିଛି। ଯଥା-ଲାଞ୍ଚ ନେବା, ଆତ୍ମସାତ୍‌ କରିବା, ଅବୈଧଭାବରେ କୌଣସି ପଦାର୍ଥକୁ ବିକ୍ରି କରିଦେବା, ଟିକସ ଫାଙ୍କିବା,ସ୍ବଜନ-ପ୍ରୀତି ଏବଂ ପୃଷ୍ଠପୋଷକତା କରିବା ଇତ୍ୟାଦି। ପଦପଦବୀରେ ଥାଇ ଜଣେ ବ୍ୟକ୍ତି ଅନୁଗ୍ରହ କରିବା ବା କୌଣସି କାମ କରିଦେବା ପାଇଁ ଲାଞ୍ଚ ନିଏ ଅଥବା ଲାଞ୍ଚ ମାଗେ। ବେଳେବେଳେ ସେ ଜଣେ ବ୍ୟକ୍ତିକୁ ଲାଞ୍ଚଦେବା ପାଇଁ ବାଧ୍ୟକରେ। ଜନସାଧାରଣଙ୍କ ହିତ ପାଇଁ ଜଣେ ବ୍ୟକ୍ତିକୁ ଖର୍ଚ୍ଚ କରିବା ପାଇଁ ଦିଆଯାଇଥିବା ଟଙ୍କାପଇସା ଏବଂ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସମ୍ପତ୍ତିକୁ ସେ ନିଜ ପାଇଁ ଅବୈଧ ଭାବରେ ଆହରଣ କରେ, ଏହାକୁ ଆତ୍ମସାତ୍‌ କୁହାଯାଏ। ନିଜର ପଦବୀ ବା କ୍ଷମତାର ଅପବ୍ୟବହାର କରି ନିଜର ବ୍ୟକ୍ତିଗତ ଲାଭ ପାଇଁ ସର୍ବସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ସମ୍ପତ୍ତିକୁ ବିକିଦେବା ଅବୈଧ। ନିଜ ପଦବୀ ବା କ୍ଷମତାର ପ୍ରୟୋଗକରି ନିଜ ଲୋକଙ୍କୁ ନିଯୁକ୍ତି ଦେବା ହେଉଛି ପୃଷ୍ଠପୋଷକତା କେବଳ ଆନୁଗତ୍ୟ ହେଉଛି ସେହି ନିଜ ଲୋକଙ୍କର ଯୋଗ୍ୟତା। ଖୁସାମତ କଲେ ଏବଂ ସେ ଚାହିଁଲେ ଜଣକୁ ଉପରକୁ ଯିବାକୁ ଦେବେ ଏବଂ ଖୁସାମତ ନକଲେ ସେ ଜଣକୁ ତଳିତଳାନ୍ତ କରିପାରିବେ। ସମାଜରେ କେବଳ ଏହିଭଳି ଦୁର୍ନୀତି ଦେଖାଯାଏ ନାହିଁ। ଅନ୍ୟ ପ୍ରକାର ଦୁର୍ନୀତିମାନ ରହିବା, ଯଥା- ଯୌନକୃପାଦୃଷ୍ଟି, ଯୌନ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା, ବେଠି ଖଟାଇବା, ମାଗଣା ବା ଅଳ୍ପ ପଇସାରେ ଜିନିଷ ନେବା ଏବଂ ଅନୈତିକ ଉପାୟରେ କାର୍ଯ୍ୟହାସଲ କରିବା ପ୍ରଭୃତି। ଦୁର୍ନୀତିର ଅନେକ କାରଣ ରହିଛି। ସେଥିମଧ୍ୟରୁ କେତେକ ମୁଖ୍ୟ କାରଣ ନିମ୍ନରେ ପ୍ରଦତ୍ତ। ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବର ଅଭାବ ଏକ ପ୍ରମୁଖ କାରଣ। ଯେତେବେଳେ ଏକ ସମ୍ପର୍କରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବ ନଥାଏ, ତାହା ଦୁର୍ନୀତି କରିବା ପାଇଁ ସୁଯୋଗ ଦେଇଥାଏ। ଉଦାହରଣ ସ୍ବରୂପ ଯଦି ଏକ ସଂଗଠନ ବା ସଂସ୍ଥାରେ ସମ୍ବଳ ଉପଯୋଗ ପାଇଁ ସ୍ପଷ୍ଟତା ନଥାଏ, ତା’ହେଲେ ସେଥିରେ ନିଯୁକ୍ତ ଅଧିକାରୀମାନେ ସେ ସମ୍ବଳର ଦୁରୁପଯୋଗ କରିଥାଆନ୍ତି।

- Advertisement -

ଦ୍ବିତୀୟ ମୁଖ୍ୟ କାରଣ ହେଉଛି ନିୟନ୍ତ୍ରଣ ଓ ସନ୍ତୁଳନର ଅଭାବ। କ୍ଷମତାର ଅପପ୍ରୟୋଗକୁ ରୋକିବାପାଇଁ ଏହାର ଯଥେଷ୍ଟ ଆବଶ୍ୟକତା ରହିଛି। ଯଦି ଏହା ଆଦୌ ନଥାଏ କିମ୍ବା ଯଥେଷ୍ଟ ପରିମାଣରେ ନଥାଏ, ତାହେଲେ ଏକ ସଂସ୍ଥାରେ ନିଶ୍ଚୟ ଦୁର୍ନୀତି ରହିବ। ଲୋଭ ଦୁର୍ନୀତିର ଏକ ମୁଖ୍ୟ କାରଣ। ମହାତ୍ମା ଗାନ୍ଧୀ କହିଥିଲେ; The World has enough for everyone’s needs, but not enough for everybody’s greed. ଲୋଭର ସୀମା ନଥାଏ। ଯେତେବେଳେ ଲୋକମାନେ ଲୋଭୀ ହୋଇଥାଆନ୍ତି, ସେମାନେ ଯାହା ଚାହୁଁଛନ୍ତି, ତାହା ପାଇବାପାଇଁ ଦୁର୍ନୀତିପୂର୍ଣ୍ଣ କାର୍ଯ୍ୟ କରିବାରେ ପ୍ରବଣ ହୋଇଥାଆନ୍ତି, ଲୋଭର ଏକ ଉଦାହରଣ ହେଲା ଆଜିର ମାଗଣା ସଂସ୍କୃତି। ବିନା କାମରେ ମାଗଣା ପଦାର୍ଥମାନ ପାଇବା ଲୋଭର ଏକ ନିଦର୍ଶନ। ମାଗଣା ପଦାର୍ଥ ବଦଳରେ ସେମାନେ ଭୋଟବ୍ୟାଙ୍କ୍‌ ସୃଷ୍ଟିରେ ସହାୟତା କରିଥାଆନ୍ତି। ନୈତିକ ମୂଲ୍ୟବୋଧର ଅଭାବ ଦୁର୍ନୀତି କରିବାର ଅନ୍ୟ ଏକ କାରଣ। ଯେତେବେଳେ ଦୃଢ଼ ନୈତିକ ମୂଲ୍ୟବୋଧ ନଥାଏ, ସେତେବେଳେ ଦୁର୍ନୀତି ହୁଏ। ନୈତିକ ମୂଲ୍ୟବୋଧଗୁଡ଼ିକ ଠିକ୍‌ ଭୁଲର ଭାବକୁ ଲୋକମାନଙ୍କ ମଧ୍ୟରେ ଧୀରେଧୀରେ ପ୍ରବେଶ କରାନ୍ତି ଏବଂ ଅନୈତିକ ବା ଅବୈଧ କାର୍ଯ୍ୟ ନକରିବା ପାଇଁ ସେମାନଙ୍କୁ ପ୍ରେରଣା ଦିଅନ୍ତି।

ଭାରତୀୟ ସମାଜରେ ଦୁର୍ନୀତିର ବ୍ୟାପକତା ଏବଂ ଗ୍ରହଣଶୀଳତା ସ୍ପଷ୍ଟରୂପେ ଏହାର ବିପୁଳ ପ୍ରସାରକୁ ପ୍ରମାଣ କରୁଛି। ଦୁର୍ନୀତି ଆଜି ଜୀବନଶୈଳୀରେ ପରିଣତ। ପୂର୍ବଅପେକ୍ଷା କମ୍‌ଲୋକ ଆଜିକାଲି ଦୁର୍ନୀତି ବିରୋଧରେ କହୁଛନ୍ତି ଓ ଲଢ଼ୁଛନ୍ତି। ତଥାପି ଦୁର୍ନୀତିକୁ ରୋକିବାର ଆବଶ୍ୟକତା ରହିଛି। ଏହାର ଅନେକ କୁ-ଫଳ ଥାଏ। ଦୁର୍ନୀତି ହେଲେ ଦେଶ, ଜାତି ବା ସମାଜର ପ୍ରଗତି ସମ୍ଭବ ନୁହେଁ ଏବଂ ସାମାଜିକ ତଥା ରାଜନୈତିକ ସ୍ଥିରତା ଆସିବ ନାହିଁ। ଏହା ଅର୍ଥନୀତିକୁ ସ୍ଥାଣୁ କରିଦେବ, ଉତ୍ପାଦନକୁ କମେଇ ଦେବ ଏବଂ ଦୁର୍ନୀତିଖୋର କର୍ମଚାରୀମାନଙ୍କର ପକେଟ ହିଁ ଗରମ କରିବ। ଏହା ଉତ୍ପାଦନକ୍ଷମତା ଓ ଅଭିବୃଦ୍ଧିକୁ ଯଥେଷ୍ଟ ପରିମାଣରେ କମାଇଦେବ ଏବଂ ବିଦେଶୀ ପୁଞ୍ଜିନିବେଶକୁ ନିରୁତ୍ସାହିତ କରିବ। ପୁଣି ଯେହେତୁ ଫାର୍ମମାନଙ୍କୁୁ କଣ୍ଟ୍ରାକ୍ଟ ଏବଂ ନିୟାମକ ମଞ୍ଜୁରୀ ପାଇବାକୁ ଲାଞ୍ଚଦେବାକୁ ପଡ଼ିଥାଏ, ଏହା ସେମାନଙ୍କର ବ୍ୟବସାୟ କରିବାର ଖର୍ଚ୍ଚକୁ ବଢ଼ାଇଦିଏ। ଫଳରେ ବିଭିନ୍ନ ସାମଗ୍ରୀର ମୂଲ୍ୟ ବଢ଼ିଯାଏ ଏବଂ ଖାଉଟିମାନଙ୍କର କିଣିବାର ସାମର୍ଥ୍ୟ କମିଯାଏ। ଆର୍ଥିକ ଦୁର୍ନୀତି ଏବଂ ଅନ୍ୟ ପ୍ରକାରର ଦୁର୍ନୀତି ସାମାଜିକ ସ୍ଥିରତାକୁ ଦୁର୍ବଳ କରିଦିଏ। ସରକାର ଓ ବିଭିନ୍ନ ଅନୁଷ୍ଠାନ ଉପରେ ଲୋକଙ୍କର ବିଶ୍ବାସ କମିଯାଏ। ସମାଜରେ ବିଶୃଙ୍ଖଳା ଓ ହିଂସା ସୃଷ୍ଟିହୁଏ। ଦୁର୍ନୀତି ଲୋକମାନଙ୍କୁ ଅପରାଧ କରିବାକୁ ଉତ୍ସାହିତ କରେ ଏବଂ ଅପରାଧୀ ଗୋଷ୍ଠୀଗୁଡ଼ିକର ବିକାଶ ପାଇଁ ସୁଯୋଗ ଦିଏ। ଏହା ରାଜନୈତିକ ଅସ୍ଥିରତାର କାରଣ ହୋଇଯାଏ ଏବଂ ଗଣତନ୍ତ୍ରରେ ଲୋକମାନଙ୍କର ବିଶ୍ବାସକୁ ଦୁର୍ବଳ କରେ। ଶେଷରେ ଏହା ଏକଛତ୍ରବାଦ ଓ ବିପ୍ଳବ କରିବାର ମାନସିକତାକୁ ଜନ୍ମଦିଏ। ତେବେ ଦୁର୍ନୀତିକୁ କିପରି ରୋକାଯାଇପାରିବ? ଏହି ପ୍ରଶ୍ନର ସରଳ ଉତ୍ତର ନାହିଁ। କିନ୍ତୁ ଏହାକୁ ଦୂର କରିବାପାଇଁ ବା କମାଇଦେବା ପାଇଁ କେତେକ ଉପାୟ ଅଛି। ଦୁର୍ନୀତି ବନ୍ଦ କରିବାପାଇଁ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବ ଗୋଟିଏ ବାଟ। ସେଥିପାଇଁ ସାର୍ବଜନିକ ଅଧିକାରୀମାନଙ୍କୁ ନିଜ ନିଜର ସମ୍ପତ୍ତି ଏବଂ ଆୟକୁ ଘୋଷଣା କରିବାକୁ ହେବ। ଦୁର୍ନୀତି ଅଭିଯୋଗର ଅନୁସନ୍ଧାନ ପାଇଁ ନ୍ୟାୟପୂର୍ଣ୍ଣ କ୍ରିୟାବିଧି ରହିବା ଆବଶ୍ୟକ।

ଦୁର୍ନୀତି କମାଇବାର ଅନ୍ୟ ଏକ ବାଟ ହେଉଛି ଶାସନ ପଦ୍ଧତିରେ ସୁଧାର ଆଣିବା ଏବଂ ଏହାକୁ ଉନ୍ନତ କରିବା, ଏହାର ସାମର୍ଥ୍ୟକୁ ବଢ଼ାଇବା ଏବଂ ବିଭିନ୍ନ ସଂସ୍ଥା ମଧ୍ୟରେ ସମନ୍ବୟ ସ୍ଥାପନ କରିବା। ଶାସନର ସମସ୍ତ ପଦ୍ଧତି ସୁବ୍ୟବସ୍ଥିତ ହେବା ଉଚିତ, ତା’ହେଲେ କୌଣସି ବ୍ୟକ୍ତି ବା ଗୋଷ୍ଠୀର ଅତ୍ୟଧିକ କ୍ଷମତା ରହିବ ନାହିଁ। ଶେଷରେ କୁହାଯାଇପାରେ ଯେ ଦୁର୍ନୀତିକୁ ରୋକିବାପାଇଁ ଉଭୟ ବ୍ୟକ୍ତିଗତ ଓ ସାମୂହିକ ପ୍ରଚେଷ୍ଟା ଆବଶ୍ୟକ। ସେଥିପାଇଁ ସରକାର, ବ୍ୟବସାୟୀ ଓ ନାଗରିକ ସମାଜର ବିଭିନ୍ନ ଗୋଷ୍ଠୀ ଏବଂ ଅନ୍ୟମାନେ ଏକାଠି କାର୍ଯ୍ୟ କରିବେ, ତା’ହେଲେ ଗୋଟିଏ ଦେଶ ବା ଜାତିର ବାସ୍ତବ ପ୍ରଗତି ହୋଇପାରିବ। ଦୁର୍ନୀତିର ମୂଳୋତ୍ପାଟନ ପାଇଁ ଓଡ଼ିଶା ସରକାର ୫-ଟି ଧାରଣାକୁ ସୃଷ୍ଟି କରିଛନ୍ତି। ଏହା ହେଉଛି ଦଳଗତ ସମ୍ପାଦିତ କର୍ମ, ପ୍ରଯୁକ୍ତିବିଦ୍ୟା ବା ଉଦ୍ୟୋଗ, ସ୍ବଚ୍ଛତା, ରୂପାନ୍ତର ଓ ସମୟ ସୀମା। ଏହା ଦ୍ବାରା ସରକାରୀ କର୍ମଚାରୀ ଓ ପରିଯୋଜନାଗୁଡ଼ିକର ମୂଲ୍ୟାୟନ କରାଯିବ ଏବଂ ଅଧିକ ଭଲ ସେବା ସର୍ବସାଧାରଣଙ୍କୁ ଯୋଗାଇଦିଆଯିବ ବୋଲି କୁହାଯାଇଛି। ଯୋଜନାଟି ଆଦର୍ଶ ସ୍ଥାନୀୟ କିନ୍ତୁ ଏହାର ସଫଳ ରୂପାୟନ ହେବା ଆବଶ୍ୟକ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories