ଆଇନ ଆଗରେ କ’ଣ ସମସ୍ତେ ସମାନ?
ପ୍ରହଲାଦ କୁମାର ସିଂହ
ଆମ ପବିତ୍ର ସମ୍ବିଧାନ ସମାନତାର ଅଧିକାର ଦେଇଛି। କୁହାଯାଏ ଆଇନ ଆଖିରେ ସମସ୍ତେ ସମାନ ଏବଂ ଆଇନ ତା’ ବାଟରେ ଯାଉଛି। ତେବେ ବହୁ ସମୟରେ ପ୍ରଭାବଶାଳୀ ଲୋକମାନେ ଆଇନକୁ ତା’ ବାଟରେ ଯିବାକୁ ନଦେଇ ନିଜ ପସନ୍ଦ ମୁତାବକ ମାର୍ଗରେ ମୋଡି ମକଚି ଚଲାନ୍ତି। ଫଳରେ ନ୍ୟାୟ ପାଇବାରୁ ବହୁ କ୍ଷେତ୍ରରେ ସାଧାରଣ ଲୋକମାନେ ବଞ୍ଚିତ ହୋଇଥାନ୍ତି। ଅନ୍ୟପକ୍ଷରେ କ୍ଷମତାଶାଳୀ ଧନୀ ଲୋକମାନେ ଫାଇଦା ଉଠାନ୍ତି। ଆମ ବ୍ୟବସ୍ଥାକୁ ବିଦ୍ରୂପ କରି କୁହାଯାଏ ଯେ କ୍ଷମତାଶାଳୀ ଲୋକେ ଶବ୍ଦର ଯାଦୁଖେଳ ମଧ୍ୟରେ ଲୋକଙ୍କୁ ସମାନତା ସଂକ୍ରାନ୍ତରେ ଭ୍ରାନ୍ତ ଧାରଣା ଦେଇ ବସ୍ତୁତଃ ଅସମାନତାର ପ୍ରସାର କରି ଦମନ ଓ ଶୋଷଣ ଚଳାଇଥାନ୍ତି।
ଶ୍ରୀ ଅରବିନ୍ଦ କହିଥିଲେ, ‘ଆଇନ ମଣିଷଙ୍କ ପାଇଁ ନୁହେଁ, ମଣିଷଙ୍କ ପାଇଁ ହିଁ ଆଇନ ଅଭିପ୍ରେତ।’ ସମ୍ବିଧାନ ପ୍ରଣୟନ ସଭାର ସଦସ୍ୟ ଥିବା ବିପ୍ଳବିଣୀ ନାରୀନେତ୍ରୀ ମାଳତୀ ଚୌଧୁରୀ ଆଉ ପାଦେ ଆଗେଇ କହିଥିଲେ, ‘ଆଇନ ମୁହଁକୁ ଚାହିଁ ଯେଉଁ ଜାତି ସମାଜ ପରିବର୍ତ୍ତନର ଆଶା ରଖେ ସେ ଜାତି ପକ୍ଷରେ ଉପର ସ୍ତରକୁ ଉଠିବା ସମ୍ଭବପର ନୁହେଁ।’ ସୁପ୍ରିମ୍କୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ବହୁଚର୍ଚ୍ଚିତ ନିର୍ଭୟା ଘଟଣାର ତଦନ୍ତ କମିସନ ଥିବା ଜଷ୍ଟିସ୍ ଜେ. ଏସ୍. ବର୍ମା ଏକଦା କହିଥିଲେ ଯେ ଆମ ଦେଶର ନ୍ୟାୟ ବ୍ୟବସ୍ଥା ପଞ୍ଚତାରକା ବ୍ୟାଧିରେ ସଂକ୍ରମିତ ହେଉଛି, ଫଳରେ ଯାହାର ଯେତେ ଅଧିକ ପଇସା ଅଛି ସେ ସେତେ ଖର୍ଚ୍ଚ କରି ତାଙ୍କ ବିରୁଦ୍ଧରେ ଥିବା ଅପରାଧିକ ମାମଲାକୁ ଲମ୍ବାଇ ଶେଷରେ ଖସି ଯାଉଛନ୍ତି। ବିଭିନ୍ନ ସମୟରେ ଆମ ଦେଶର ବହୁ ବିଚାରପତି ଓ ପୂର୍ବତନ ବିଚାରପତି ଏବଂ ଚିନ୍ତାଶୀଳ ଲୋକ ମଧ୍ୟ ଆଇନ ଆଗରେ ଅସମାନତା ଘେନି ଉଦ୍ବେଗ ପ୍ରକାଶ କରିବା ସହ ତ୍ୱରିତ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି। ଯେଉଁ ଅଳ୍ପ କେତୋଟି ମାମଲାରେ ଦୋଷୀଙ୍କୁ ଦଣ୍ଡବିଧାନ ହେଉଛି ତାଙ୍କୁ ଆମ ରାଜନୈତିକ ବ୍ୟବସ୍ଥା କିପରି ସୁରକ୍ଷା ଦେଇ ସହଜରେ ସମ୍ମାନର ସହ କାରାମୁକ୍ତ କରୁଛି ତାହାର ଅଳ୍ପ କେତୋଟି ଉଦାହରଣ ଏହି ଆଲେଖ୍ୟରେ ଉପସ୍ଥାପନ କରାଯାଉଛି।
ଉତ୍ତର ପ୍ରଦେଶର ଜଣେ ପୂର୍ବତନ ମନ୍ତ୍ରୀ ଅମରମଣି ତ୍ରିପାଠୀ ଓ ତାଙ୍କ ପତ୍ନୀ ମଧୁମଣିଙ୍କୁ ନାରୀକବି ମଧୁମିତା ଶୁକ୍ଳା ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରି ଉତ୍ତରାଖଣ୍ଡର ସିବିଆଇ କୋର୍ଟ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ଉତ୍ତରାଖଣ୍ଡ ହାଇକୋର୍ଟ ଏହି ଦଣ୍ଡାଦେଶକୁ କାଏମ ରଖିଥିଲେ। ପରବର୍ତ୍ତୀ ସମୟରେ ଅମରମଣି ତ୍ରିପାଠୀ ଓ ତାଙ୍କ ପତ୍ନୀଙ୍କୁ ଉତ୍ତରାଖଣ୍ଡରୁ ଉତ୍ତରପ୍ରଦେଶର ଗୋରଖପୁର ଜେଲକୁ ସ୍ଥାନାନ୍ତର କରାଗଲା। କେବଳ ସେତିକି ନୁହେଁ ତ୍ରିପାଠୀ ଦମ୍ପତି ଜେଲ୍ ପରିବର୍ତ୍ତେ ଗୋରଖପୁରରେ ଥିବା ବାବା ରାଘବ ଦାସ ମେଡିକାଲ କଲେଜର ଦୁଇଟି ଶୀତତାପ ନିୟନ୍ତ୍ରିତ ଆରାମ ଦାୟକ କ୍ୟାବିନ୍ରେ ପ୍ରାୟ ୧୦ବର୍ଷ ରହିଲେ। ଡାକ୍ତରଖାନା ଛାଡି ଏମାନେ ଦାମୀ ଗାଡ଼ିରେ ସହର ବୁଲିବା ସହ ଅନ୍ୟାନ୍ୟ ସ୍ଥାନକୁ ବି ଯାଉଥିଲେ। ମଧୁମିତା ଶୁକ୍ଳା ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ପରିବେର୍ତ୍ତ ଡାକ୍ତରଖାନାରେ ଥିବା ତ୍ରିପାଠୀ ଦମ୍ପତିଙ୍କୁ ଗତ ଅଗଷ୍ଟ ମାସରେ ଉତ୍ତରପ୍ରଦେଶ ସରକାର କାରାମୁକ୍ତ କରିଛନ୍ତି। ଏହା ବିରୁଦ୍ଧରେ ମୃତା ନାରୀକବି ମଧୁମିତାଙ୍କ ଭଉଣୀ ନିଧି ଶୁକ୍ଳା ସୁପ୍ରିମ୍କୋର୍ଟରେ ମାମଲା ରୁଜୁ କରିବାରୁ ଉତ୍ତରପ୍ରଦେଶ ସରକାରଙ୍କ ସମେତ ଅନ୍ୟ ପକ୍ଷମାନଙ୍କୁ ନୋଟିସ୍ ଜାରି କରାଯାଇଛି। ଅମରମଣିଙ୍କ ବିରୁଦ୍ଧରେ ଆଉ ବି ଅପରାଧିକ ମାମଲା ଅଛି। ଜଣେ ବ୍ୟବସାୟୀଙ୍କ ପୁଅକୁ ଅପହରଣ କରିବା ମାମଲା ତାଙ୍କ ବିରୁଦ୍ଧରେ ବହୁଦିନ ଧରି ଗଡୁଛି। ସାଂସଦ ଓ ବିଧାୟକମାନଙ୍କ ଏକ ସ୍ୱତନ୍ତ୍ର ଅଦାଲତରେ ଏହି ମାମଲା ବିଚାରାଧୀନ ରହିଛି। ଅମରମଣିଙ୍କ ଭଳି ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ମନ୍ତ୍ରୀ କିନ୍ତୁ କୋର୍ଟରେ ହାଜର ହେଉନାହାନ୍ତି। କେଉଁ ରୋଗ ପାଇଁ କେତେଦିନ ଧରି ଡାକ୍ତରଖାନାରେ ତାଙ୍କର କି ଚିକିତ୍ସା ଚାଲିଛି ଏ ସଂକ୍ରାନ୍ତରେ କୋର୍ଟ ତଥ୍ୟ ମାଗିଛନ୍ତି। ଜଣେ ସାଧାରଣ ଦିନ ମଜୁରିଆ ହୋଇଥିଲେ ସେ କ’ଣ ଅମରମଣିଙ୍କ ଭଳି ସ୍ୱତନ୍ତ୍ର ସୁବିଧା ପାଇ ଜେଲ୍ ପରିବର୍ତ୍ତେ ବର୍ଷ ବର୍ଷ ଧରି ସସ୍ତ୍ରୀକ ଡାକ୍ତରଖାନାରେ ରହିବା ସହିତ ସହଜରେ ସରକାରଙ୍କ ଆଦେଶ ମତେ ମୁକ୍ତି ପାଇଥାନ୍ତା?
୨୦୨୨ ଅଗଷ୍ଟ ୧୫ରେ ଗୁଜୁରାଟ ସରକାର ୧୧ଜଣ ଅପରାଧୀଙ୍କୁ କାରାମୁକ୍ତ କରିଥିଲେ। ଗଣଧର୍ଷଣ ଓ ଗଣହତ୍ୟା ଭଳି ସାଂଘାତିକ ମାମଲାରେ ଏମାନେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀ ପରିବର୍ତ୍ତେ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ଏହି ଭୟଙ୍କର ଅପରାଧୀମାନେ ଜଣେ ମା’ ଆଗରେ ତାଙ୍କର ୩ବର୍ଷର ଶିଶୁକୁ ହତ୍ୟା କରିବା ସହ ମା’ଟିକୁ ଗଣଧର୍ଷଣ କରିଥିଲେ। ଏମାନେ ୧୪ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲେ ବି ୭ଜଣଙ୍କ ମୃତଦେହ ମିଳିଥିଲା। ବିଲ୍କିସ୍ ବାନୋ ନାମ୍ନୀ ଜଣେ ମହିଳା ଏମାନଙ୍କ ଦ୍ୱାରା ଗଣଧର୍ଷଣର ଶିକାର ହୋଇଥିବା ଅଭିଯୋଗ ମୁମ୍ବଇର ସିବିଆଇ କୋର୍ଟରେ ପ୍ରମାଣିତ ହୋଇଥିଲା। ବମ୍ବେ ହାଇକୋର୍ଟ ମଧ୍ୟ ୨୦୧୭ରେ ଏମାନଙ୍କ ଦଣ୍ଡାଦେଶକୁ କାଏମ ରଖିଥିଲେ। ଏମାନଙ୍କୁ ସରକାର କାରାମୁକ୍ତ କରିବା ପରେ ଏହି ଅପରାଧୀମାନେ ଉଚ୍ଚଜାତି ସମ୍ପନ୍ନ ସଂସ୍କାରୀ ବ୍ୟକ୍ତିବୋଲି ବିବୃତି ଦିଆଯିବା ସହ ସେମାନଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ମଧ୍ୟ ଜ୍ଞାପନ କରାଯାଇଥିଲା। ଏମାନଙ୍କ ମୁକ୍ତି ବିରୁଦ୍ଧରେ ପୀଡିତା ବିଲ୍କିସ୍ ବାନୋ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଛୋଟ ଛୋଟ ଅପରାଧରେ ବହୁ ଅଭିଯୁକ୍ତ ବର୍ଷ ବର୍ଷ ଧରି କାରାଗାରରେ ଶଢୁଥିବାବେଳେ ଗଣଧର୍ଷଣ ଓ ଗଣହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତଙ୍କୁ ମୁକ୍ତ କରି ଆମ ବ୍ୟବସ୍ଥା ସମାନତା ଓ ମହିଳାଙ୍କ ନିରାପତ୍ତା ସଂକ୍ରାନ୍ତରେ କି ସନ୍ଦେଶ ଦେଉଛି?
ଅନ୍ୟ ଏକ ଉଦାହରଣ ହେଉଛନ୍ତି ମନୁ ଶର୍ମା ନାମରେ ପରିଚିତ ଜଣେ ପ୍ରଭାବଶାଳୀ ରାଜନୀତିଜ୍ଞଙ୍କ ପୁତ୍ର ସିଦ୍ଧାର୍ଥ ବଶିଷ୍ଠ। ସେ ଜେସିକା ଲାଲ୍ ନାମ୍ନୀ ଜଣେ ମଡେଲ୍ଙ୍କୁ ଗୁଳିମାରି ହତ୍ୟା କରିଥିଲେ। ତଳ କୋର୍ଟରୁ ସେ ମୁକ୍ତ ହେବାପରେ ହାଇକୋର୍ଟ ତାଙ୍କୁ ଦଣ୍ଡିତ କରିଥିଲେ ଓ ତାଙ୍କ ଆଜୀବନ କାରାଦଣ୍ଡାଦେଶ ସୁପ୍ରିମ୍କୋର୍ଟରେ କାଏମ ରହିଥିଲା। ତେବେ ଶେଷରେ ଦିଲ୍ଲୀ ସରକାରଙ୍କ କୃପାଦୃଷ୍ଟି ଏହି ଅପରାଧୀଙ୍କ ଉପରେ ପଡିଲା। ଦିଲ୍ଲୀ ସରକାରଙ୍କ ସୁପାରିସ ମୁତାବକ ଉପରାଜ୍ୟପାଳଙ୍କ ନିେର୍ଦଶକ୍ରମେ ସେ କାରାମୁକ୍ତ ହୋଇଛନ୍ତି। ଏଭଳି ସାଂଘାତିକ ଅପରାଧୀମାନଙ୍କୁ ଅଦାଲତ ଦଣ୍ଡିତ କରିଥିବାବେଳେ ସରକାର ଛାଡିଦେଲେ। ଅଥଚ ଓଡ଼ିଶାରେ ଶେଷ ଫାଶୀଦଣ୍ଡ ପାଇଥିବା ମୟୂରଭଞ୍ଜର ଆଦିବାସୀ ଯୁବକ ଲକ୍ଷ୍ମଣଙ୍କ ପ୍ରତି କିନ୍ତୁ ବ୍ୟବସ୍ଥା ସମାନ ଦୃଷ୍ଟି ଦେଲାନାହିଁ। କାରଣ ଏଠି ଧନୀ ଓ ଗରିବଙ୍କ ପାଇଁ ଆଇନର ଦୃଷ୍ଟିକୋଣ ଓ ତର୍ଜମା ଭିନ୍ନ ଭଳି ମନେହେଉଛି।
ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତିରେ ଛନ୍ଦି ହୋଇ ସିବିଆଇ କୋର୍ଟ ଦ୍ୱାରା ୫ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ ହୋଇଥିଲେ। ଲାଲୁ କେତେବେଳେ ଜେଲ୍ରେ ତ ଆଉ କେତେବେଳେ ଡାକ୍ତରଖାନାରେ କିମ୍ବା ବେଲ୍ରେ ରହୁଥିଲେ। ଝାଡ଼ଖଣ୍ଡ ହାଇକୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରିବାରୁ ଲାଲୁ ଏବେ ରାଜନୀତି କ୍ଷେତ୍ରରେ ବେଶ୍ ଚଳଚଞ୍ଚଳ। ବିହାରରେ ଜିଲାପାଳ ଥିବା
ଜଣେ ଆଇଏଏସ୍ ଅଫିସରଙ୍କୁ ଆନନ୍ଦ ମୋହନ ସିଂ ନାମକ ପ୍ରଭାବଶାଳୀ ସାଂସଦ ଗୁଳିମାରି ହତ୍ୟା କରିଥିଲେ। ଏହି ହତ୍ୟାକାଣ୍ଡରେ ଆନନ୍ଦମୋହନ ଜେଲ୍ରେ ଥିବାବେଳେ ନୀତୀଶ କୁମାରଙ୍କ ସରକାର ଦୟାପରବଶ ହୋଇ ଆନନ୍ଦମୋହନଙ୍କୁ ରାଜକ୍ଷମା ଦେଇ କାରାମୁକ୍ତ କରାଇଛନ୍ତି। ଗତ କିଛିବର୍ଷ ମଧ୍ୟରେ ବିଭିନ୍ନ ଅଭିଯୋଗରେ ଆମ ରାଜ୍ୟର କେତେଜଣ ବିଧାୟକ ଗିରଫ ହୋଇ ଜେଲ୍ ଯାଇଥିଲେ। ଏବେ ସେମାନେ ଜାମିନରେ ଅଛନ୍ତି। ତେବେ ଏହି ମାନ୍ୟବର ବିଧାୟକମାନେ ଅଧିକାଂଶ ସମୟ ଜେଲ୍ ପରିବର୍ତ୍ତେ ଚିକିତ୍ସା ଆଳରେ ଡାକ୍ତରଖାନାରେ ରହୁଥିଲେ। ଏହି ସୁବିଧା ଅନ୍ୟ ସାଧାରଣ ବିଚାରାଧୀନ ବନ୍ଦୀଙ୍କୁ ମିଳୁଛି ତ? ଜଜ୍ ଅରୱେଲ୍ଙ୍କ ଆନିମଲ୍ ଫାର୍ମ ଉପନ୍ୟାସରେ ଉଲ୍ଲେଖ ଥିବା ‘‘ଅଲ୍ ଆନିମଲ୍ସ ଆର୍ ଇକ୍ୟୁଆଲ୍, ବଟ୍ ସମ୍ ଆନିମଲ୍ସ ଆର୍ ମୋର୍ ଇକ୍ୟୁଆଲ୍ ଦ୍ୟାନ ଅଦର୍ସ’’ ଉକ୍ତିଟି ଏସବୁ ଘଟଣାରେ ବେଶ୍ ପ୍ରାସଙ୍ଗିକ। କୃଷକମାନଙ୍କ ଶୋଭାଯାତ୍ରା ଉପରେ ଜିପ୍ ଚଢାଇ ଓ ଗୁଳିକରି ନରହତ୍ୟା କଲେ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ପୁଅ। ତାଙ୍କୁ ବହୁ କଷ୍ଟରେ ଗିରଫ କରାଗଲା ଓ ସହଜରେ ଜାମିନ୍ରେ ଛାଡି ଦିଆଗଲା। ଏ କଥା ଉପର ଅଦାଲତଙ୍କ ଦୃଷ୍ଟିକୁ ଆସିବା ପରେ ମନ୍ତ୍ରୀପୁଅ ପୁଣି ଜେଲ୍କୁ ଫେରିଲେ। ଏବେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ କୌଶଳ କିଶୋରଙ୍କ ପୁଅ ବିକାଶ କିଶୋରଙ୍କ ନାଁରେ ଗୁରୁତର ଅଭିଯୋଗ ଉଠିଛି। ମନ୍ତ୍ରୀଙ୍କ ଘରେ ଜୁଆଖେଳ ଚାଲିଥିଲା ଓ କୌଣସି କାରଣରୁ ସେଠାରେ ଗୁଳିକାଣ୍ଡ ଘଟି ଅନ୍ୟଜଣେ ଦଳୀୟ ନେତା ବିନୟ ଶ୍ରୀବାସ୍ତବଙ୍କ ମୃତ୍ୟୁ ଘଟିଲା। ତତ୍କ୍ଷଣାତ୍ କେନ୍ଦ୍ରମନ୍ତ୍ରୀ ବିବୃତି ଜାରି କରି କହିଛନ୍ତି ଯେ ସେ ସମୟରେ କୁଆଡେ ତାଙ୍କ ପୁଅ ଘରେ ନଥିଲା। ତେବେ ଯେଉଁ ପିସ୍ତଲରୁ ଗୁଳି ଫୁଟିଲା ତାହାର ଲାଇସେନ୍ସ ମନ୍ତ୍ରୀଙ୍କ ପୁଅ ନାଁରେ ଥିଲା। ଏ ପ୍ରସଙ୍ଗରେ ଆଇନ ତା’ ନିଜ ବାଟରେ କ’ଣ ଯାଇପାରିବ? ଦେଶର ଅଧିକାଂଶ ରାଜ୍ୟରେ ଏଭଳି ଦୌରାତ୍ମ୍ୟ ଲାଗିରହିଛି। ଆମ ରାଜ୍ୟରେ ଅନେକ ଅପରାଧିକ ଘଟଣା ମଧ୍ୟରୁ ଛବିରାଣୀ ଗଣଧର୍ଷଣ ଓ ହତ୍ୟାକାଣ୍ଡ ଏବଂ ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡ ବେଶ୍ ଚର୍ଚ୍ଚିତ। ଛବିରାଣୀ ମାମଲା ସମାପ୍ତ ହେବାବେଳକୁ ପ୍ରାୟ ୨୪ବର୍ଷ ସମୟ ଲାଗିଥିବାବେଳେ ପର୍ଶୁରାମ ଶତପଥୀ ହତ୍ୟାକାଣ୍ଡର ଅଭିଯୁକ୍ତମାନଙ୍କୁ ଦଣ୍ଡବିଧାନ କରିବାକୁ ଲାଗିଗଲା ୪୦ବର୍ଷରୁ ଅଧିକ ସମୟ। ଏହାର ପ୍ରମୁଖ କାରଣ ହେଲା ଅପରାଧୀମାନେ କ୍ଷମତା ରାଜନୀତି ସହ ଜଡ଼ିତ। ଏବେ ବି କୋଟି କୋଟି ଅପରାଧିକ ମାମଲା ଆମ ଦେଶରେ ଗଡୁଛି। କେଉଁଠି ପ୍ରଭାବଶାଳୀ ଅଭିଯୁକ୍ତମାନେ ଓକିଲଙ୍କୁ କୋର୍ଟ ଭିତରେ ଗୁଳି କରୁଛନ୍ତି ତ ଆଉ କେଉଁଠି ସାକ୍ଷୀ ଓ ପୀଡିତ / ପୀଡିତାମାନଙ୍କୁ ମାରି ଦିଆଯାଉଛି କିମ୍ବା ଧମକଚମକ ହେଉଛି। ଏଡିଆର୍ ରିପୋର୍ଟ ଅନୁଯାୟୀ ବିଧାନସଭା ଓ ସଂସଦର ସଦସ୍ୟମାନଙ୍କ ମଧ୍ୟରୁ ଅନ୍ୟୂନ ଏକ ତୃତୀୟାଂଶଙ୍କ ବିରୁଦ୍ଧରେ ଅପରାଧିକ ମାମଲା ରହିଛି। ଅଭିଯୁକ୍ତ ସରକାରୀ ଦଳର ପୃଷ୍ଠପୋଷକତା ପାଇଲେ ମୂଳରୁ ପୁଲିସ ମାମଲାକୁ ଦୁର୍ବଳ କରେ ଏବଂ ପରେ ଆଇନ ଅଦାଲତରେ ବର୍ଷ ବର୍ଷ ଧରି ଏଭଳି ମାମଲା ଗଡାଇ ଗଡାଇ ଶେଷରେ ସେମାନେ ଖସି ଯାଆନ୍ତି। କେବଳ ସେତିକି ନୁହେଁ; ଅଭିଯୁକ୍ତ ପ୍ରଭାବଶାଳୀ ହୋଇଥିଲେ ରାତି ଅଧରେ ବି ସେମାନଙ୍କ ପାଇଁ ସ୍ୱତନ୍ତ୍ର କୋର୍ଟ ବସି ଜାମିନ ଦିଆଯିବାର ବ୍ୟବସ୍ଥା ହୋଇଥାଏ।
ହିଂସା, ନିଶା, ନୀତିବିହୀନ ରାଜନୀତି, ବେକାରୀ, ବେରୋଜଗାରୀ, ପୁଞ୍ଜିପତିଙ୍କ ଅର୍ଥ ଶୋଷଣ ଲାଳସା, ଅପସଂସ୍କୃତି, ଦୁର୍ନୀତି, ଭ୍ରଷ୍ଟାଚାର, ପକ୍ଷପାତିତା, ବିଳମ୍ବିତ ବିଚାର ଓ ଦଣ୍ଡବିଧାନ ହାର କମ ରହିବା ଆଦି କାରଣରୁ ଅପରାଧ ବଢୁଥିବାବେଳେ ଏହା କିଭଳି ନିୟନ୍ତ୍ରିତ ହେବ ସେ ଦିଗରେ ବିଶେଷ ଚିନ୍ତା ନକରି ଜେଲ୍ରେ ଥିବା ଅଭିଯୁକ୍ତ ଓ ଅପରାଧୀମାନଙ୍କୁ କିପରି ତୁରନ୍ତ ମୁକ୍ତ କରାଯିବ ସେଥିପାଇଁ ଆମ ସାମ୍ବିଧାନିକ ବ୍ୟବସ୍ଥାରେ ଉପରୁ ତଳ ପର୍ଯ୍ୟନ୍ତ ବହୁ ପଦାଧିକାରୀ ବ୍ୟସ୍ତ। ଏ ପରିପ୍ରେକ୍ଷୀରେ ବିଚାର ବିଭାଗରେ ଦୁର୍ନୀତି ରହିଥିବା ଘେନି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲୋତ୍ଙ୍କ ଖୋଲା ବିବୃତି ଏବଂ ପୂର୍ବତନ ଆଇନମନ୍ତ୍ରୀ ଶାନ୍ତିଭୂଷଣଙ୍କ ଦୁର୍ନୀତି ପ୍ରସଙ୍ଗରେ ବିଚାର ବ୍ୟବସ୍ଥାକୁ ଆହ୍ୱାନ ବେଶ୍ ପ୍ରଣିଧାନଯୋଗ୍ୟ। ଆଇନ ଆଗରେ ଯଦି ସମସ୍ତେ ସମାନ ରହନ୍ତେ ଏବଂ କାହାଦ୍ୱାରା ନିେର୍ଦଶିତ ନ ହୋଇ ଆଇନ ଯଦି ସ୍ୱାଧୀନ ଭାବେ ନିଜ ମାର୍ଗରେ ଚାଲନ୍ତା, ସାଧାରଣ ଲୋକଙ୍କ ଅଭିଯୋଗର ତୁରନ୍ତ ଫଇସଲା ହୁଅନ୍ତା ଓ ଗଣତନ୍ତ୍ରର ସମସ୍ତ ସ୍ତମ୍ଭ ନିଷ୍ଠାର ସହ ଦାୟିତ୍ୱ ନିର୍ବାହ କରନ୍ତେ ତେବେ ଦେଶର ବହୁ ସମସ୍ୟା ସହଜରେ ସମାଧାନ ହୋଇପାରନ୍ତା। ଯେଉଁଠି ରକ୍ଷକ ଭକ୍ଷକ ସାଜେ ଓ ବାଡ଼ କ୍ଷେତ ଖାଏ ସେଠି ବ୍ୟବସ୍ଥା ବିଗିଡିବା ନିଶ୍ଚିତ।
Comments are closed.