ଓଡ଼ିଶାର ଗ୍ରନ୍ଥ ଭଣ୍ଡାରକୁ ଗୁରୁଜୀଙ୍କ ଅବଦାନ

ସତ୍ୟବ୍ରତ ସାହୁ

ପୁସ୍ତକ ହେଉଛି ଜାତୀୟ ସମ୍ପଦ ଓ ଜାତିର ଅସ୍ମିତା । ଗୋଟିଏ ଜାତିର ଅସ୍ମିତା ଅକ୍ଷୁଣ୍ଣ ରହେ ଜାତୀୟ ସମ୍ପଦର ଠିକ୍ ରକ୍ଷଣାବେକ୍ଷଣ ହେଲେ । ଏହି ରକ୍ଷଣାବେକ୍ଷଣ ନିମନ୍ତେ ଗ୍ରନ୍ଥାଗାର ବା ଲାଇବ୍ରେରୀ ହେଉଛି ଏକ ନିରାପଦ ଗୃହ। ଭାରତ ସରକାରଙ୍କ ପ୍ରଥମ ପଞ୍ଚବାର୍ଷିକ ଯୋଜନା ଅନୁଯାୟୀ ଓଡ଼ିଶା ରାଜ୍ୟ ଗ୍ରନ୍ଥାଗାର ପ୍ରତିଷ୍ଠା ୧୯୫୯ ମସିହାରେ ହୋଇଥିଲା । ୧୯୮୭ ମସିହାରେ ଏହା ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ନାମରେ ନାମିତ ହେଲା। ଉକ୍ତ ଗ୍ରନ୍ଥାଗାରରେ ପ୍ରାୟ ୨ ଲକ୍ଷ ୪୦ ହଜାର ପୁସ୍ତକ ରହିଛି। ଏଠାରେ ପଠନ ସହିତ ଗବେଷଣା କାର୍ଯ୍ୟ ମଧ୍ୟ କରାଯାଉଛି। ପ୍ରତିଦିନ ୫ଶହ ବ୍ୟକ୍ତି ବସି ପଠନ କରିବାର ବ୍ୟବସ୍ଥା ରହିଛି । ରାଜ୍ୟ ସରକାରଙ୍କ ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ଏହି ଗ୍ରନ୍ଥାଗାରର ନବ କଳେବର କାର୍ଯ୍ୟ ଆରମ୍ଭ ହୋଇଛି ।

ଏହି ସମୟରେ ଏକ ଉଲ୍ଲେଖନୀୟ ଘଟଣାରେ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ, ଯିଏକି ଜଣେ ଆଇପିଏସ ଅଧିକାରୀ ଭାବରେ ଅବସରଗ୍ରହଣ କରିଛନ୍ତି ଓ ତାଙ୍କର ଜନକଲ୍ୟାଣ କାର୍ଯ୍ୟ ନିମନ୍ତେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସୁଖ୍ୟାତି ଅର୍ଜନ କରିଛନ୍ତି, ତାଙ୍କର ନିଜସ୍ୱ ଉଦ୍ୟମରେ ନୋଏଡାଠାରେ ପ୍ରତିଷ୍ଠିତ ଲାଇବ୍ରେରୀର ପ୍ରାୟ ସମସ୍ତ ବିରଳ, ଦୁଷ୍ପ୍ରାପ୍ୟ ଓ ଦୁର୍ଲଭ ଓଡ଼ିଆ ପୁସ୍ତକ ଓ ପତ୍ରପତ୍ରିକା ରାଜ୍ୟ ଗ୍ରନ୍ଥାଗାରକୁ ଦାନ କରିଦେଇଛନ୍ତି । ଏହାର ସଂଖ୍ୟା ଏକ ହଜାରରୁ ଊର୍ଦ୍ଧ୍ବ ହେବ, ଯାହା ମଧ୍ୟରେ ରହିଛି ଓଡ଼ିଆ ଭାଷାରେ ଲିଖିତ ପ୍ରଥମ ବ୍ୟାକରଣ, ପ୍ରଥମ ଉପନ୍ୟାସ ଏବଂ ବହୁ ପ୍ରାଚୀନ ପତ୍ରପତ୍ରିକା । କେତେକ ପୁସ୍ତକ ଶହେ ବର୍ଷ ତଳର, କିଛି ପଚାଶ ବର୍ଷ ପୁରୁଣା । ପୂର୍ଣ୍ଣଚନ୍ଦ୍ର ଭାଷାକୋଷଠାରୁ ଆରମ୍ଭକରି ମୟୂରଭଞ୍ଜ ରାଜ୍ୟର ମହାରାଜାଙ୍କ ରାଜ୍ୟାଭିଷେକର ଚିତ୍ର ଓ ତଥ୍ୟ ମଧ୍ୟ ରହିଛି । ଦୀର୍ଘବର୍ଷ ଧରି ଏହିସବୁ ପ୍ରାଚୀନ ଗ୍ରନ୍ଥ ଓ କୃତିକୁ ସେ ଯେପରି ସଯତ୍ନରେ ସାଇତି ସଂରକ୍ଷିତ କରି ରଖିଥିଲେ ତାହା ବାସ୍ତବରେ ଦେଖିବାର କଥା ।

ଗୁରୁଜୀଙ୍କର ପିତା ସ୍ବର୍ଗତ ଗୋକୁଳ ଚନ୍ଦ୍ର ଶତପଥୀ ୧୯୩୯ ମସିହାରେ ବିଲାତରୁ ଉଚ୍ଚଶିକ୍ଷା ଲାଭ କରି ଓଡ଼ିଶା ଫେରିବାପରେ ମୟୂରଭଞ୍ଜରେ ନିଜ ଘରେ ଲାଇବ୍ରେରୀ ପ୍ରତିଷ୍ଠା କରିଥିଲେ । ସେ ଜଣେ ସାହିତ୍ୟପ୍ରେମୀ ଥିଲେ । ପରବର୍ତ୍ତୀ ସମୟରେ ସେଥିରେ ମହତ୍ତ୍ବପୂର୍ଣ୍ଣ ଯୋଗଦାନ କରିଥିଲେ ତାଙ୍କର ସୁପୁତ୍ର ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ । ୧୯୬୫ ମସିହା ବେଳକୁ ଗୁରୁଜୀଙ୍କର ଲେଖକୀୟ ପ୍ରତିଭା ଫତୁରାନନ୍ଦଙ୍କ ଭଳି ପ୍ରତିଷ୍ଠିତ ସାହିତ୍ୟିକଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ସେ ସମୟରେ ସେ ସଂଗ୍ରହ କରିଥିବା ବହୁ ମୂଲ୍ୟବାନ ପତ୍ରିକା ଯଥା ଉତ୍କଳ ପ୍ରଭା, ଉତ୍କଳ ସାହିତ୍ୟ, ସହକାର, ଉତ୍କଳ ହିତୈଷଣୀ, ମୁକୁର ଆଦି ସହିତ ଓଡ଼ିଆ ସାହିତ୍ୟର ରତ୍ନଭଣ୍ଡାରକୁ ସମୃଦ୍ଧ କରିବାଭଳି ଅନେକ ପ୍ରାଚୀନ ଗ୍ରନ୍ଥ ରହିଛି । ଅର୍ଦ୍ଧ ଶତାବ୍ଦୀରୁ ଊର୍ଦ୍ଧ୍ବ କାଳ ଧରି ଏଗୁଡ଼ିକୁ ସଂରକ୍ଷିତ କରି ରଖିବା ଏତେ ସହଜ ନଥିଲା । ସେହିଭଳି ନିଷ୍ଠା, ତ୍ୟାଗ ଓ ମମତା ବିନା ଏହା କଦାପି ସମ୍ଭବ ହୋଇନଥାନ୍ତା । ଗୁରୁଜୀ ସ୍ବୟଂ କହନ୍ତି “ବୁଢାବଳଙ୍ଗ ନଦୀକୂଳରେ ଆମର ଘର ଯୋଗୁ ନଈବଢି ଓ ବର୍ଷାଦିନେ ପାଣି ପଶିଆସିବା ଦ୍ୱାରା ତଳ ମହଲା ଘରେ ଥିବା ବହିଗୁଡ଼ିକୁ ବଞ୍ଚାଇ ରଖିବା କଠିନ କାର୍ଯ୍ୟ ଥିଲା ଏବଂ ପ୍ରତିବର୍ଷ ଏହି ସମୟରେ ବହିଗୁଡ଼ିକୁ ଉପର ମହଲାକୁ ଉଠାଇ ନେବା ଓ ପୁଣି ସଯତ୍ନରେ ତାର ସଂରକ୍ଷଣ କରିବା ଏକ ଆହ୍ବାନ ଥିଲା”। ୧୯୮୨ରେ ପିତାଙ୍କ ଦେହାନ୍ତ ପରେ ଗୁରୁଜୀ ବହିଗୁଡ଼ିକୁ ନୂଆଦିଲ୍ଲୀ ନେଇଯାଇ ଏକ ସୁଦୃଶ୍ୟ ଲାଇବ୍ରେରୀ ପ୍ରତିଷ୍ଠା କରିଥିଲେ । ପ୍ରାଚୀନ ବହିଗୁଡ଼ିକର ମଲାଟ ବନ୍ଧେଇ ଓ ରାସାୟନିକ ପ୍ରକ୍ରିୟାରେ ଉପଚାର କରି ସଂରକ୍ଷିତ କରି ରଖାଗଲା । ସେହି ସମୟରେ ଏହି ପ୍ରକାର ଲାଇବ୍ରେରୀ ଅନେକଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ବାହାରର ଅନେକ ଲାଇବ୍ରେରୀ ଏହାକୁ ନେଇଯିବା ପାଇଁ ଅନୁରୋଧ କରିଥିଲେ; କିନ୍ତୁ ଗୁରୁଜୀ ଡଃ ଚନ୍ଦ୍ରଭାନୁ ଶତପଥୀ ଓଡ଼ିଶାକୁ ଏହା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଲେ ଓଡ଼ିଶାର ଛାତ୍ରଛାତ୍ରୀ, ଶିକ୍ଷକ ଓ ଗବେଷକମାନେ ବେଶୀ ଉପକୃତ ହେବେ ବୋଲି । ଆଜି ଏହା ସାକାର ହୋଇଥିବାରୁ ଗୁରୁଜୀ ହାର୍ଦ୍ଦିକ ଖୁସି ବ୍ୟକ୍ତ କରିବା ସହିତ ଅନ୍ୟମାନେ ବି ଏହିପରି ପଦକ୍ଷେପ ନେବେ ବୋଲି ଆଶା ପ୍ରକାଶ କରିଛନ୍ତି । ବାସ୍ତବରେ ଏହା ଗୁରୁଜୀଙ୍କର ତ୍ୟାଗପୂତ ମନୋଭାବ ଏବଂ ଓଡ଼ିଆ ଜାତି ପାଇଁ ମମତାର ପରିଚୟ।

ଶେଷରେ ଏତିକି କହିବି ଯେ ଗୁରୁଜୀଙ୍କ ଦ୍ବାରା ସୁରକ୍ଷିତ ଓ ସଂରକ୍ଷିତ ହୋଇ ରହିଥିବା ଏହି ପ୍ରାଚୀନ ଗ୍ରନ୍ଥ ଓ କୃତିସବୁ ଓଡ଼ିଶାର ସାରସ୍ବତ ଭଣ୍ଡାରକୁ ଉଜ୍ଜୀବିତ ଏବଂ ସମୃଦ୍ଧ କରିବ ତଥା ଓଡ଼ିଶାର ଛାତ୍ରଛାତ୍ରୀ, ପାଠକ, ବିଜ୍ଞଜନ, ଗୁଣୀ ଓ ଗବେଷକମାନେ ବହୁ ଭାବରେ ଉପକୃତ ହେବେ ଏଥିରେ ସନ୍ଦେହ ନାହିଁ। ଗୁରୁଜୀଙ୍କର ଏହି ଅବଦାନ ପାଇଁ ରାଜ୍ୟ ସରକାରଙ୍କର ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଗୁରୁଜୀଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି ଏବଂ ଆଗାମୀ ଦିନରେ ଅନ୍ୟମାନଙ୍କୁ ମଧ୍ୟ ଏହା ପ୍ରେରଣା ଯୋଗାଇବ ବୋଲି ଆଶା କରୁଛି ।

Comments are closed.