ମହଙ୍ଗା ମାଡ଼ରେ କମୁଛି ସଞ୍ଚୟ
ବଜାର ଦର ଖାଉଟିଙ୍କ ପକେଟ ଖାଲି କରୁଥିବାବେଳେ ପରିବାରଗୁଡ଼ିକର ସଞ୍ଚୟ ସେହି ଅନୁଯାୟୀ ହ୍ରାସ ପାଇବାରେ ଲାଗିଛି
ବଜାର ଦର ହୁ ହୁ ହୋଇ ବଢୁଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ଏକପ୍ରକାର ଅନିୟନ୍ତ୍ରିତ ଅବସ୍ଥାରେ। ଖାଉଟି ଏ ବିଷୟରେ କହିବ କାହାକୁ। ଗଳି କନ୍ଦିର ଖୁଚୁରା ଦୋକାନୀକୁ ପଚାରିଲେ ସେ ଅବା କରିବ କ’ଣ। ସେ ଯେତିକିରେ କିଣିବ କିଛି ଲାଭ ରଖି ବିକିବା ସ୍ୱାଭାବିକ। ଖାଉଟିଙ୍କୁ ସେ ଏ କଥା କହି ଯେତେ ବୁଝେଇଲେ ବି ଖାଉଟି ବୁଝିବାକୁ ନାରାଜ। ସବୁ ଦୋଷ ଗାଳି ପଡୁଛି ଦୋକାନୀ ଉପରେ। ବୃହତ୍ କର୍ପୋରେଟ ସଂସ୍ଥା କୋଟି କୋଟି ଟଙ୍କା ଲୁଟିବାରେ ଲାଗିଛନ୍ତି। ସେମାନଙ୍କ ପାଇଁ ଦରଦାମ ବଢୁଛି। ଏ କଥା ବୁଝିଲା ଲୋକ ବୁଝୁଛନ୍ତି; କିନ୍ତୁ ଏହା ସେମାନେ କହିବେ କାହାକୁ, ରୋକିବ କିଏ। କହିବାକୁ ଗଲେ ଆଜିର ଦିନରେ କର୍ପୋରେଟଗୁଡିକ ହିଁ ବଜାର ଦର ନିୟନ୍ତ୍ରଣ କରୁଛନ୍ତି। ସେମାନେ ଚାହିଁଲେ ଦର ସ୍ଥିର ରହିବ, ଚାହିଁଲେ ଦର ବଢିବ। ଗତ ତିନି ମାସ ଭିତରେ ଚାଉଳ, ଡାଲି, ଅଟା, ସୁଜି ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଏତେ ଅଧିକ ବୃଦ୍ଧିପାଇଛି ଯେ ସାଧାରଣ ପରିବାରଟିଏ ତାହା ଆବଶ୍ୟକ ମୁତାବକ କିଣିବାକୁ ସମର୍ଥ ହେଉନାହିଁ। କେବଳ ସେତିକିରେ କର୍ପୋରେଟମାନଙ୍କର ମନ ବୁଝୁନାହିଁ। ଅନେକ ପ୍ୟାକେଟ ସାମଗ୍ରୀରେ ସେମାନେ ପରିମାଣ, ଓଜନ ହ୍ରାସ କରିବାରେ ଲାଗିଛନ୍ତି। ଏହାଦ୍ୱାରା ପୂର୍ବର ଦର ସମାନ ରହୁଛି; କିନ୍ତୁ ଓଜନ ବା ପରିମାଣ ହ୍ରାସ ପାଇବାରେ ଲାଗିଛି। ତେଲ, ସାବୁନ ଠାରୁ ବିସ୍କୁଟ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସମାନ ଅବସ୍ଥା। ଅଥଚ ସାଧାରଣ ଲୋକଟି ଯେତେବେଳେ ପୂର୍ବର ଦର ଦେଇ ଜିନିଷ କିଣୁଛି ସେ ତା’ଭିତରେ ଥିବା ପରିମାଣ ଅଥବା ଓଜନକୁ ପରଖୁନାହିଁ। ବଜାର ଦର ଖାଉଟିଙ୍କ ପକେଟ ଖାଲି କରୁଥିବାବେଳେ ପରିବାରଗୁଡିକର ସଞ୍ଚୟ ସେହି ଅନୁଯାୟୀ ହ୍ରାସ ପାଇବାରେ ଲାଗିଛି।
ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରେ ଦର୍ଶାଯାଇଛି ଯେ, ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶରେ ପରିବାରଗୁଡିକର ସଞ୍ଚୟ ମାତ୍ର ୫.୧% ହୋଇଛି, ଯାହା ଗତ ୫୦ ବର୍ଷ ମଧ୍ୟରେ ସବୁଠାରୁ କମ୍; କିନ୍ତୁ ସରକାର ଏହା ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଲୋକେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କିଣିବାକୁ ଅର୍ଥାଭାବର ସମ୍ମୁଖୀନ ହେଉଛନ୍ତି। ସେ ବାବଦରେ ନିଜର ଖର୍ଚ୍ଚ ସୀମିତ ରଖିବାକୁ ବାଧ୍ୟ ହେଉଥିବାବେଳେ କେନ୍ଦ୍ର ସରକାର ଅବାସ୍ତବ ଯୁକ୍ତି ଦର୍ଶାଇଛନ୍ତି। ସରକାରୀ ସୂତ୍ରରୁ କୁହାଯାଇଛି ଯେ, ଲୋକମାନେ ଘରବାଡି ଏବଂ ଗାଡ଼ି କିଣିବାକୁ ଋଣ କରୁଛନ୍ତି। ସେହି କାରଣରୁ ସେମାନଙ୍କର ସଞ୍ଚୟ ହ୍ରାସ ପାଉଛି। ତାହା ସହିତ ଏବେ ବହୁବିଧ ଆର୍ଥିକ ଉତ୍ପାଦ ବା ଯୋଜନା ଉପଲବ୍ଧ ହେଉଥିବାରୁ ଜନସାଧାରଣ ସେଥିରେ ନିବେଶ କରୁଛନ୍ତି। ଏହା ସେମାନଙ୍କର ପାରମ୍ପରିକ ସଞ୍ଚୟ ହ୍ରାସର ଅନ୍ୟତମ କାରଣ ବୋଲି ମଧ୍ୟ କୁହାଯାଇଛି। ଭାତ ହାଣ୍ଡିରୁ ଗୋଟିଏ ଚିପିଲେ ଜଣାପଡିବା ଭଳି ହରଡ ଡାଲିର ପାଇକାରୀ ଦର ତିନିମାସ ତଳେ କିଲୋ ପିଛା ୧୧୦ରୁ ୧୨୦ ଟଙ୍କା ଥିବାବେଳେ ଏବେ ତାହା ୧୫୦ରୁ ୧୬୫ ଟଙ୍କା ରହିଛି। ଖୁଚୁରା ବଜାରରେ ହରଡ ଡାଲି କିଲୋ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଛି।
ସାଧାରଣ କିସମର ଉଷୁନା ଚାଉଳ ପାଇକାରୀ ବଜାରରେ କିଲୋ ପିଛା ୨୫ ଟଙ୍କା ଥିବାବେଳେ ଏବେ ୩୫ ଟଙ୍କା। ଏହାର ଖୁଚୁରା ଦର ତା’ଠାରୁ ଅଧିକ। ସୁଜି ପାଇକାରୀ ଦର କିଲୋପିଛା ପ୍ରାୟ ୬ରୁ ୭ ଟଙ୍କା, ଅଟା ପାଖାପାଖି ୬ରୁ ୭ ଟଙ୍କା ବଢିଛି। ଏହି ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ଖରାପ ହେବା ଆଶଙ୍କା ଦେଖାଦେଇଛି। ଚଳିତ ବର୍ଷ ମୌସୁମୀରେ ନିଅଣ୍ଟିଆ ଓ ଅନିୟମିତ ବର୍ଷା କାରଣରୁ ଆମ ରାଜ୍ୟରେ କେବଳ ଧାନଚାଷ ଅଞ୍ଚଳ ପ୍ରାୟ ୧ ଲକ୍ଷ ହେକ୍ଟର ହ୍ରାସପାଇଛି। ଏହାଦ୍ୱାରା ଚାଉଳ ସଂଗ୍ରହ ନିଶ୍ଚିତ ଭାବରେ ହ୍ରାସପାଇବ, ଯାହାର ପ୍ରଭାବ ଏହି ମୁଖ୍ୟ ଖାଦ୍ୟଶସ୍ୟ ଉପରେ ପଡ଼ିବ। ଚାଷ ଅଞ୍ଚଳ ୧ ଲକ୍ଷ ହେକ୍ଟର ହ୍ରାସ ପାଇବାରୁ ସରକାର ପ୍ରାୟ ୧୦୦ ଲକ୍ଷ ଟନ୍ ଚାଉଳ ସଂଗ୍ରହ ନିମନ୍ତେ ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ହାସଲ ହୋଇପାରିବ ନାହିଁ।
ଫଳରେ ଚଳିତ ଖରିଫ ଋତୁରେ ରାଜ୍ୟରେ ପ୍ରାୟ ୩ ଲକ୍ଷ ଟନ୍ ଚାଉଳ କମ୍ ଉତ୍ପାଦିତ ହେବ। ଡାଲି ଉତ୍ପାଦନ ଅବସ୍ଥା ମଧ୍ୟ ସମାନ। ସରକାର ଚଳିତ ବର୍ଷ ପ୍ରାୟ ୭.୪୫ ଲକ୍ଷ ହେକ୍ଟର ଜମିରେ ଡାଲି ଚାଷ ପାଇଁ ଲକ୍ଷ୍ୟ ରଖିଥିବାବେଳେ ବାସ୍ତବ କ୍ଷେତ୍ରରେ ପ୍ରାୟ ୫ ଲକ୍ଷ ହେକ୍ଟର ଅଞ୍ଚଳରେ ଡାଲି ଚାଷ କରାଯାଇଛି। ସେଥିରୁ ଅମଳ ମଧ୍ୟ ପାଗ ପରିସ୍ଥିତି ଉପରେ ନିର୍ଭର କରୁଛି। ଲଘୁଚାପ ଜନିତ ବର୍ଷା, ବାତ୍ୟା ଭଳି ବିପର୍ଯ୍ୟୟ ସୃଷ୍ଟିହେଲେ ସେତକ ମଧ୍ୟ ଧୋଇଯିବା ଆଶଙ୍କା ରହିଛି। ସେଭଳି ପରିସ୍ଥିତିରେ ଖାଉଟି ପ୍ରଭାବିତ ହେବେ ଏବଂ ତାହା ସେମାନଙ୍କ ପକେଟକୁ ବାଧିବ। ଦରଦାମ୍ ବଢିଲେ, ହୁଏତ ଆହରଣ ପରିମାଣ ହ୍ରାସ ପାଇପାରେ; କିନ୍ତୁ ଜଣେ ନିଜ ଜୀବନ ନ ବଞ୍ଚାଇ ସଞ୍ଚୟ କେମିତି କରିବ?
Comments are closed.