QNETIC – Mobile

ସାଂପ୍ରତିକ ସମୟର ବୁଦ୍ଧିଜୀବୀ

ଛାୟାକାନ୍ତ ଷଡ଼ଙ୍ଗୀ

ବୁଦ୍ଧିଜୀବୀ ସଂପ୍ରଦାୟକୁ ଜାତିର ମସ୍ତିଷ୍କ ବୋଲି ବିବେଚନା କରାଯାଏ। ଶାବ୍ଦିକ ବିଶ୍ଳେଷଣ ଅନୁସାରେ ଯେଉଁମାନେ ବୁଦ୍ଧିଦ୍ୱାରା ଜୀବିକା ନିର୍ବାହ କରନ୍ତି ସେମାନେ ବୁଦ୍ଧିଜୀବୀ। ଜଣେ ଚୋର ମଧ୍ୟ ତା’ର ବୁଦ୍ଧିଦ୍ୱାରା ଜୀବିକା ନିର୍ବାହ କରେ। ମାତ୍ର ଆମେ ତାକୁ ବୁଦ୍ଧିଜୀବୀ କହୁନାହୁଁ। ବୁଦ୍ଧିଜୀବୀ ଶବ୍ଦଟି ସର୍ବଦା ସକାରାତ୍ମକ ଅର୍ଥରେ ବ୍ୟବହାର ହୁଏ।

କଠୋପନିଷଦରେ କୁହାଯାଇଛି ଶରୀର ହେଉଛି ରଥ ଓ ଆତ୍ମା ହେଉଛି ରଥାଧିକାରୀ। ଏହି ଶରୀର ରଥର ସାରଥି ହେଉଛି ବୁଦ୍ଧି ଯାହା ମନ ରୂପକ ଲଗାମ ଦ୍ୱାରା ଇନ୍ଦ୍ରିୟରୂପୀ ଅଶ୍ୱମାନଙ୍କୁ ନିୟନ୍ତ୍ରଣ କରେ। ବୁଦ୍ଧି ସାରଥି ହୋଇଥିବାରୁ ମଣିଷକୁ ଏହା ଯଦି ଠିକ୍‍ ମାର୍ଗରେ ପରିଚାଳିତ କରେ, ମଣିଷ ତା’ର ଲକ୍ଷ୍ୟ ପଥରେ ନିର୍ବିଘ୍ନରେ ପହଞ୍ଚିପାରେ। ଏଣୁ ଆମେ ଆଶା କରୁ ବୁଦ୍ଧି ବିବେକ ଦ୍ୱାରା ପ୍ରେରିତ ହେଉ। ଏହି ବିବେକ ପ୍ରେରିତ ବୁଦ୍ଧିଦ୍ୱାରା ଯେଉଁମାନେ ଜୀବିକା ନିର୍ବାହ କରନ୍ତି ସେମାନଙ୍କୁ ଆମେ ବୁଦ୍ଧିଜୀବୀ କହୁ। ସେହି ଦୃଷ୍ଟିରୁ ସୁଶିକ୍ଷିତ ନାଗରିକ, ପ୍ରଶାସକ, ଶିକ୍ଷକ, ବୈଜ୍ଞାନିକ, ଆଇନଜୀବୀ, ରାଜନୀତିଜ୍ଞ, ସାରସ୍ୱତ ସାଧକ ଆଦିଙ୍କୁ ଆମେ ବୁଦ୍ଧିଜୀବୀ ବୋଲି ଗ୍ରହଣ କରୁ। ଯେତେବେଳେ ଏହି ବୁଦ୍ଧିଜୀବୀମାନେ ବ୍ୟକ୍ତି ସ୍ୱାର୍ଥଠାରୁ ଜୀତୀୟ ସ୍ୱାର୍ଥକୁ ଅଗ୍ରାଧିକାର ଦିଅନ୍ତି, ସେତେବେଳେ ଦେଶର ଗୌରବ ବଢ଼େ ମାତ୍ର ତାର ବିପରୀତ ହେଲେ ଦେଶର ଦୁର୍ଭାଗ୍ୟ ଆରମ୍ଭ ହୁଏ।

ଯେଉଁ ଦଳ ବିରୋଧୀ ଆସନରେ ବସୁଛି, ସେ ଶାସକ ଦଳକୁ ଦୁର୍ନୀତିଗ୍ରସ୍ତ କହୁଛି। ସମୟକ୍ରମେ ସବୁଦଳ କେତେବେଳେ ବିରୋଧୀ ଆସନରେ ବସୁଛନ୍ତି ତ କେତେବେଳେ ଶାସକ ଦଳରେ ବସୁଛନ୍ତି। ପରସ୍ପର ନିଜକୁ ସ୍ୱଚ୍ଛ କହି ଅନ୍ୟକୁ ଦୁର୍ନୀତିଗ୍ରସ୍ତ କହୁଛନ୍ତି। ଶେଷରେ ସେମାନେ ପ୍ରମାଣ କରୁଛନ୍ତି ଯେ ସବୁଦଳ ଦୁର୍ନୀତିଗ୍ରସ୍ତ। ନିର୍ବାଚନ ପାଖେଇ ଆସିଲେ କିଛି ବିବେକବାନ ଯୁବକ ଦୁର୍ନୀତିଗ୍ରସ୍ତ ନେତାମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରନ୍ତି। ସବୁଦଳ ଦୁର୍ନୀତିଗ୍ରସ୍ତ ଜାଣିବାପରେ ପରିପକ୍ୱ ବୁଦ୍ଧିଜୀବୀମାନେ ଏହି ସଂଗ୍ରାମ ପ୍ରତି ବୀତସ୍ପୃହ ରହନ୍ତି ଓ ଗ୍ରୀକ୍‍ କାହାଣୀର ବୃଦ୍ଧ ଷଣ୍ଢ ଭଳି ନୀରବରେ ସବୁଦେଖି ବର୍ତ୍ତମାନକୁ ଗ୍ରହଣ କରିନିଅନ୍ତି। କଂସେଇମାନେ ଗୋରୁମାନଙ୍କୁ କଲବଲ କରି ହତ୍ୟା କରୁଥିବାରୁ ଦିନେ ସମସ୍ତ ଗୋରୁ ସ୍ଥିର କଲେ ଯେ ସେମାନେ ଏକତାବଦ୍ଧ ହୋଇ ନିଜ ନିଜର ତୀକ୍ଷ୍ମ ଶିଙ୍ଘ ସାହାଯ୍ୟରେ ସେମାନଙ୍କୁ ମାରି ପକାଇବେ। ମାତ୍ର ଗୋଟିଏ ବୃଦ୍ଧ ଷଣ୍ଢ ଏହି ପ୍ରସ୍ତାବ ପ୍ରତି ଉଦାସୀନ ରହି ଗୋଟିଏ କୋଣରେ ଶୋଇ ପାକୁଳେଇ ଚାଲିଥାଏ। ଯୋଦ୍ଧା ଗୋରୁମାନେ ବୃଦ୍ଧ ଷଣ୍ଢଠାରୁ ଉଦାସିନତାର କାରଣ ଜାଣିବାକୁ ଚାହିଁବାରୁ ସେ ପଚାରିଲା, ‘କଂସେଇମାନେ କେଉଁଠୁ ଆସନ୍ତି?’ ଗୋରୁମାନେ ଉତ୍ତର ଦେଲେ, ‘ମଣିଷ ଜାତିରୁ’। ଷଣ୍ଢ ପଚାରିଲା, ‘ତୁମେ କଣ ସମଗ୍ର ମଣିଷ ଜାତିକୁ ମାରିଦେଇ ପାରିବ?’ ଉତ୍ତର ମିଳିଲା ‘ନା’। ବୃଦ୍ଧ ଷଣ୍ଢ କହିଲା, ‘ତୁମେ ଯେଉଁ କଂସେଇମାନଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିବାକୁ ଯାଉଛ, ସେମାନେ ବଂଶାନୁକ୍ରମେ ତୁମକୁ ମାରି ଆସୁଥିବାରୁ ସେମାନେ ମାରିବାର ଏକ ସୁଗମ କୌଶଳ ଆୟତ୍ତ କରି ସାରିଲେଣି। ସେମାନଙ୍କୁ ମାରି ପକାଇଲେ ଯେଉଁ ନୂଆ କଂସେଇ ଦଳ ଆସିବେ ସେମାନେ ମାରିବାର କୌଶଳ ଶିଖି ନ ଥିବାରୁ ତୁମକୁ ମାରିବା ବେଳେ ଆହୁରି କଷ୍ଟହେବ। ଏଣୁ ବର୍ତ୍ତମାନର କଂସେଇମାନଙ୍କ ବିରୋଧରେ ଯୁଦ୍ଧଘୋଷଣା ନ କରି ମୋ ଭଳି ନୀରବରେ ବସି ପାକୁଳେଇ ଥାଅ।’ ଠିକ୍‍ ଏହିଭଳି ଭାରତର ଗୋଟିଏ ଗୋଷ୍ଠୀର ବୁଦ୍ଧିଜୀବୀ ନିର୍ବାଚନ ସମୟରେ ଉଦାସୀନ ଓ ବୀତସ୍ପୃହ ହୋଇ ଆଖି ଖୋଲି ନୀରବରେ ବସି ରହିଛନ୍ତି, କାରଣ ଗୋଟିଏ ଦଳକୁ ଶାସନରୁ ହଠାଇ ଆଉ ଗୋଟିଏ ଦଳକୁ ଶାସନରେ ବସାଇଲେ ବି ଅବସ୍ଥାର କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହି ଗୋଷ୍ଠୀ ବର୍ତ୍ତମାନ ଆତ୍ମ ନିର୍ବାସିତ।

ଏହିଭଳି ହତାଶାଭାବେ ଦିନେ ପ୍ରପୀଡ଼ିତ ହୋଇଥିଲେ ବିଶିଷ୍ଟ ଦାର୍ଶନିକ ସାନ୍ତାୟନ୍‍। ବାର୍ଟ୍ରାଣ୍ଡ ରସେଲ ଆଣବିକ ମାରଣାସ୍ତ୍ର ନିଷିଦ୍ଧ କରିବାପାଇଁ ପ୍ରୟାସ କରୁଥିଲେ। ସମସାମୟିକ ପୃଥିବୀର ପ୍ରଖ୍ୟାତ ମନୀଷୀମାନଙ୍କ ସନ୍ତକ ସଂଗ୍ରହ କରି ସେ ଏକ ଶାନ୍ତିସୂତ୍ର ଘୋଷଣା ପତ୍ର ପ୍ରସ୍ତୁତ କରୁଥିଲେ। ଆଣବିକ ଅସ୍ତ୍ର ନିଷିଦ୍ଧ କରି ମଣିଷକୁ ତିଷ୍ଠି ରହିବାର ଅଧିକାର ପ୍ରଦାନ କରିବା ଥିଲା ସେହି ସନନ୍ଦର ଆଭିମୁଖ୍ୟ। ସେ ଇସ୍ତାହାରର ଏକ ନକଲ ପଠାଇଲେ ଜର୍ଜ ସାନ୍ତାୟନଙ୍କ ନିକଟକୁ ଓ ଅନୁରୋଧ କଲେ ସେ ସେଥିରେ ଦସ୍ତଖତ କରି ଫେରାଇ ଦେବାପାଇଁ। ମାତ୍ର ଜର୍ଜ ସାନ୍ତାୟନଙ୍କଠାରୁ କୌଣସି ଉତ୍ତର ଆସିଲା ନାହିଁ। ରସେଲ ତାଙ୍କୁ ଦ୍ୱିତୀୟଥର ପାଇଁ ଅନୁରୋଧ କଲେ ତଥାପି ସାନ୍ତାୟନ କୌଣସି ଉତ୍ତର ଦେଲେ ନାହିଁ। କିଛି ମାସ ପରେ ଉଭୟଙ୍କ ଭେଟ ହେଲା। ରସେଲ୍‌ଫ ପଚାରିଲେ, ‘ଆପଣ ମୋ ଚିଠି ଓ ଇସ୍ତାହାର ପାଇଥିଲେ?’ ସାନ୍ତାୟନ କହିଲେ, ‘ପାଇଥିଲି’। ରସେଲ୍‌ଫ କହିଲେ, ‘ତା’ହେଲେ ଇସ୍ତାହାରରେ ଦସ୍ତଖତ କରି ପଠାଇଲେ ନାହିଁ କାହିଁକି?’ ସାନ୍ତାୟନଙ୍କ ଉତ୍ତର ଥିଲା, ‘ଯଦି ପ୍ରକୃତି ମଣିଷ ଜାତିକୁ ଲୋପ କରିଦେବା ଭଳି ବ୍ୟବସ୍ଥା କରୁଛି, ତେବେ ତୁମେ ତାହା ତାକୁ କରିବାକୁ ଦେବନାହିଁ କାହିଁକି? ତୁମେ ମଣିଷ ଜାତିର କେଉଁ ଗରିମା ଦେଖି ଏତେ ମୁଗ୍ଧ ଯେ ଏହାକୁ ବଜାୟ ରଖିବାକୁ ଉତ୍ସୁକ ହେଉଛ?’

ଏହାର ଅର୍ଥ ନୁହେଁ ଯେ ଜର୍ଜ ସାନ୍ତାୟନ ମଣିଷ ଜାତିର ବିନାଶ ଦେଖିବାପାଇଁ ଚାହୁଁଥିଲେ। ମଣିଷର ଅପକର୍ମ ଦେଖି ସେ ନିରାଶାରେ ସେ ଏଭଳି ମନ୍ତବ୍ୟ ଦେଇଥିଲେ। ଆଜି ଭାରତରେ ଗୋଟିଏ ବୁଦ୍ଧିଜୀବୀ ଗୋଷ୍ଠୀ ଏହିଭଳି ନୈରାଶ୍ୟ ଭାବରେ ଜର୍ଜରିତ ହୋଇ ଉପର୍ଯ୍ୟୁକ୍ତ ବୃଦ୍ଧ ଷଣ୍ଢ ଭଳି ନୀରବରେ ଅବକ୍ଷୟର ଦୃଶ୍ୟକୁ ଦେଖି ଚାଲିଛନ୍ତି ଠିକ୍‍ ଯେମିତି ଦିନେ ଭୀଷ୍ମ ଶରଶଯ୍ୟାରେ ଶାୟିତ ହୋଇ କୁରୁବଂଶର ଧ୍ୱଂସଲୀଳାକୁ ସ୍ୱଚକ୍ଷୁରେ ଅସହାୟ ଭାବରେ ଦେଖୁଥିଲେ।
ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ଅଛନ୍ତି ଆଉ ଗୋଟିଏ ଗୋଷ୍ଠୀ। କିଛି ବୁଦ୍ଧିଜୀବୀ-ଡାକ୍ତର, ଇଞ୍ଜିନିୟର, ଅଧ୍ୟାପକ, ପ୍ରଶାସନିକ ଅଧିକାରୀ, ରାଜନୈତିକ ନେତା-ଆଜି ଦୁର୍ନୀତିଗ୍ରସ୍ତ। ଏପରି କି ଧର୍ମାବତାର ଭାବରେ ବିବେଚିତ ବିଚାରପତି ଓ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ସି ବି ଆଇ ମଧ୍ୟ ଦୁର୍ନୀତିଗ୍ରସ୍ତ ହେଉଥିବାର ସମ୍ବାଦ ପରିବେଷିତ ହେଉଛି। ଉଚ୍ଚଶିକ୍ଷା, ସାମାଜିକ ପ୍ରତିଷ୍ଠା, ପ୍ରଚଣ୍ଡ ପ୍ରତିଭା ଥିବା ସତ୍ତ୍ବେ ଏମାନେ ମାନସିକତାର କାଙ୍ଗାଳ। ଏମାନଙ୍କ ପାଇଁ ଜାତୀୟ ସ୍ୱାର୍ଥଠାରୁ ବ୍ୟକ୍ତିସ୍ୱାର୍ଥ ବଡ଼। ଏଣୁ ଏମାନଙ୍କ ମଧ୍ୟରୁ ଅନେକ ରାଜଭକ୍ତ ସାଜନ୍ତି। ଅବସର ପରେ କିଛି ଉଚ୍ଚନିଯୁକ୍ତି, କିଛି ପୁରସ୍କାର ହାତେଇବା ପାଇଁ ଏମାନେ ସରକାରଙ୍କ ଗେହ୍ଲାପୁଅ ସାଜନ୍ତି। କବିବର ରାଧାନାଥଙ୍କ ଭାଷାରେ ‘ପଦ ପାଇଁ ଲୋକେ ହୋଇ ଲାଳାୟିତ/ ତୋଷିବାକୁ ବ୍ୟସ୍ତ ମନୁଷ୍ୟର ଚିତ୍ତ। ଭ୍ରମନ୍ତି ମନୁଷ୍ୟ ପାଦ ଅନୁସରି/ ସେହି ମନୁଷ୍ୟର ପୋଷା ଶ୍ୱାନ ପରି’ (ଦରବାର)। ଆଜିର କଳୁଷିତ ରାଜନୀତିକୁ ଲକ୍ଷ୍ୟକରି କେହି କେହି କହୁଛନ୍ତି ବୁଦ୍ଧିଜୀବୀମାନେ ରାଜନୀତିରେ ସାମିଲ ହେଲେ ଦେଶର ଅବସ୍ଥା ସୁଧୁରିବ। ମାତ୍ର ଏବେ ମଧ୍ୟ କିଛି ବିଶିଷ୍ଟ ବୁଦ୍ଧିଜୀବୀ ଓ ତଥାକଥିତ ଜ୍ଞାନବନ୍ତ ବ୍ୟକ୍ତି ରାଜନୀତିରେ ଜଡ଼ିତ। ମାତ୍ର ସେମାନେ କେଉଁ ଆଦର୍ଶରେ ବିଶ୍ୱାସ କରନ୍ତି, ତାହା ବୁଝିବା କଷ୍ଟକର। କାରଣ ସେମାନଙ୍କ କୌଣସି ନିର୍ଦ୍ଦିଷ୍ଟ ଆଦର୍ଶ ନାହିଁ। ନିଜର ସ୍ୱାର୍ଥପାଇଁ ସେମାନଙ୍କ ଆଦର୍ଶ ବାରମ୍ବାର ବଦଳୁଛି। ଏଣ୍ଡୁଅମାନଙ୍କ ଭଳି ସେମାନେ ବାରମ୍ବାର ରଙ୍ଗ ବଦଳାଉଛନ୍ତି।

ମନେପଡ଼େ ଏକ ଲୋକ କଥା। ଗୋଟିଏ ଦ୍ୱୀପରେ ଅନେକ ପ୍ରକାର ଜୀବଜନ୍ତୁ ଥିଲେ, ମାତ୍ର ଏଣ୍ଡୁଅ ନଥିଲା। ରାଜା ଘୋଷଣା କଲେ ଯିଏ ଏଣ୍ଡୁଅଟିଏ ଯୋଗାଡ଼ କରିପାରିବ ତାକୁ ଏକଶତ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ଦିଆଯିବ। ତିନିଜଣ ବନ୍ଧୁ ଏଣ୍ଡୁଅ ସନ୍ଧାନରେ ବାହାରିଲେ ଏକ ନୂଆ ରାଜ୍ୟକୁ। ଗୋଟିଏ ଏଣ୍ଡୁଅ ସଂଗ୍ରହ କରି ଏକ ବାକ୍ସରେ ତାକୁ ପୂରାଇ ବୋଇତରେ ନିଜ ଦେଶକୁ ଫେରିଲେ। ରାଜାଙ୍କଠାରୁ ଏକଶତ ସ୍ୱର୍ଣ୍ଣମୁଦ୍ରା ପୁରସ୍କାର ପାଇବେ ବୋଲି ସେମାନଙ୍କ ଆନନ୍ଦର ସୀମା ନଥାଏ। ଜଣେ ବନ୍ଧୁ କହିଲା, ‘ଏ ଅଦ୍ଭୁତ ସବୁଜ ଜୀବଟିକୁ ଦେଖିଲେ ରାଜା ଭାରି ଖୁସି ହେବେ’, ଦ୍ୱିତୀୟ ବନ୍ଧୁ କହିଲା, ‘ରାଜା ନିଶ୍ଚୟ ଖୁସି ହେବେ, କିନ୍ତୁ ତୁମେ ଭୁଲ କହୁଛ, ଏ ଜୀବଟି ସବୁଜ ନୁହେଁ, ଲାଲ।’ ତୃତୀୟ ବନ୍ଧୁ କହିଲା, ‘ତୁମେ ଦୁଇଜଣ ଭୁଲ କହୁଛ, କାରଣ ଏଣ୍ଡୁଅର ରଙ୍ଗ ମାଟିଆ।’ ତିନିଜଣ ବନ୍ଧୁଙ୍କ ମଧ୍ୟରେ ଏଣ୍ଡୁଅର ରଙ୍ଗକୁ ନେଇ ଯୁକ୍ତିତର୍କ ଚାଲିଲା। ଶେଷରେ ବାକ୍ସଟି ଖୋଲାଗଲା। ଦେଖାଗଲା ଏଣ୍ଡୁଅଟି ଧଳା ଦିଶୁଛି। ତିନିଜଣ ଯାକ ବିସ୍ମିତ ହେଲେ। ଠିକ୍‍ ସେହି ସମୟରେ ଏଣ୍ଡୁଅଟି ବାକ୍ସ ଭିତରୁ ବାହାରକୁ ଖସିଯାଇ ବଣ ଭିତରକୁ ଚାଲିଗଲା। ବହୁ ବର୍ଷ ତଳେ ବିଶିଷ୍ଟ ଲେଖକ ମନୋଜ ଦାସ କହିଥିଲେ, ‘ପ୍ରାଗୈତିହାସିକ କାଳରୁ ଜୀବଜଗତକୁ ନେଇ କେତେ ପ୍ରକାର ପରୀକ୍ଷା କରିଆସିଛି ପ୍ରକୃତି। ଏଣ୍ଡୁଅକୁ ଘନଘନ ରଙ୍ଗ ବଦଳାଇବାର ଶକ୍ତି ବା ଗୁଣ ଦାନକରି ସେ ଯେଉଁ ପରୀକ୍ଷା ଆରମ୍ଭ କରିଥିଲା ତାହା ନିଶ୍ଚେ ଆଜି ଶେଷ ହୋଇନାହିଁ।

ସେହି ଅସମାପ୍ତ ପରୀକ୍ଷା ଆଜିର ରାଜନୀତି ଅଭିଳାଷୀମାନଙ୍କ ଚରିତ୍ର ଉପରେ ଦେଇ ପ୍ରକୃତି ପୁନର୍ବାର ଆରମ୍ଭ କରିଛି ବୋଲି ମନେହୁଏ।’ (କେତେ ଦିଗନ୍ତ) ନେତାମାନଙ୍କ ରଙ୍ଗ ବଦଳେ ଠିକ୍‍ ନିର୍ବାଚନ ପୂର୍ବରୁ। ଯଦି ସେମାନେ କୌଣସି କାରଣ ବଶତଃ ନିର୍ବାଚନରେ ଛିଡ଼ାହେବାପାଇଁ ଟିକେଟ ପାଆନ୍ତି ନାହିଁ, ସଙ୍ଗେ ସଙ୍ଗେ ପ୍ରତିକ୍ରିୟାଶୀଳ ହୁଅନ୍ତି ଓ ଏପରିକି ଯେଉଁ ଦଳକୁ ସେମାନେ ଦିନେ ଶତ୍ରୁ ବିଚାରୁଥିଲେ ସେହି ଦଳରେ ସେମାନେ ଯୋଗ ଦିଅନ୍ତି। ଆଦର୍ଶ ଥରେ ଅଧେ ବଦଳିବାର ସମ୍ଭାବନା ଥାଏ। ମାତ୍ର ଗୋଟିଏ ଆଦର୍ଶକୁ ତ୍ୟାଗ କରି ଆଉ ଏକ ଆଦର୍ଶକୁ ଆପଣେଇ ନେବାରେ କିଛି ଆପତ୍ତି ନାହିଁ। ମାତ୍ର ଗୋଟିଏ ଆଦର୍ଶକୁ ତ୍ୟାଗ କରି ଆଉ ଏକ ଆଦର୍ଶକୁ ଆପଣେଇ ନେବାର କିଛି ମାସ ପରେ ପୁଣି ପୂର୍ବ ଆଦର୍ଶକୁ ଫେରିବା ଏକ ପ୍ରହସନ ଓ ପ୍ରତାରଣା। ଏହାକୁ ପୁଣି ଘରବାହୁଡ଼ା କହିବା ଆହୁରି ଲଜ୍ଜାଜନକ। ଯେଉଁମାନେ ଏଭଳି ବ୍ୟବହାର ପ୍ରଦର୍ଶନ କରୁଛନ୍ତି ସେମାନେ ମୂର୍ଖ ନୁହନ୍ତି, ସମସ୍ତେ ବୁଦ୍ଧିଜୀବୀ। ଦେଶର ପ୍ରଗତି ସାଧନ କରିବାପାଇଁ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ସୃଷ୍ଟି କରାଯାଇ ବୁଦ୍ଧିଜୀବୀ ସୃଷ୍ଟି କରାଗଲା। ଆଶା କରାଯାଉଥିଲା, ଏହି ବୁଦ୍ଧିଜୀବୀମାନେ ନିଜର ପ୍ରଚଣ୍ଡ ପ୍ରତିଭା ବଳରେ ଦେଶକୁ ପ୍ରଗତିର ପଥରେ ଆଗେଇନେବେ। ଯଦି ଏହି ପ୍ରତିଭାବାନ୍‍ ବୁଦ୍ଧିଜୀବୀମାନେ ଏକ ଆଦର୍ଶ ଜୀବନ ଯାପନ ନ କରି ଦୁର୍ନୀତି ଓ ଭ୍ରଷ୍ଟାଚାରର ପଥକୁ ଆବୋରି ନେବେ, ତେବେ କାହାକୁ କହିବା, କପାଳରେ ସିନା କର ମାରିବା। ଏଣୁ ଏବେ ବି ସମୟ ଅଛି ବୁଦ୍ଧିଜୀବୀମାନେ ସେମାନଙ୍କର ବିବେକ ପ୍ରେରିତ ବୁଦ୍ଧି ଓ ପ୍ରତିଭାର ସଦୁପଯୋଗ କରି ରାଷ୍ଟ୍ରର ଉନ୍ନତି ବିଧାନ କରିବାରେ ବ୍ରତୀ ହୁଅନ୍ତୁ।

Comments are closed.