ଜୋ ଜିତା ୱହି ସିକନ୍ଦର
‘ଯୁଦ୍ଧ’ ତ ଯୁଦ୍ଧ। ଗୁଡ଼େ କ୍ଷମତା ସ୍ବାର୍ଥଲିପ୍ସୁ ବାଟବଣାଙ୍କ ରକ୍ତମୁଖା ମୁକାବିଲା ଓ ମୁହାଁମୁହିଁ ଇଏ। ଲୋମ ଟାଙ୍କୁରି ଉଠେ ଯୁଦ୍ଧ ନାଁ ଶୁଣିଲେ। ଏଥିରେ ପୁଣି ଗୋଟେ ଲଢ଼େଇ ଅଛି, ଯୁଦ୍ଧ ଅଛି ଯାହାକୁ ‘ଶୀତଳ ଯୁଦ୍ଧ’ କହୁଛନ୍ତି। ଏ ଯୁଦ୍ଧରେ ହାତ ହତିଆର, ବିଶେଷ ଦୃଷ୍ଟିଗୋଚର ହୁଏନି। ମାନସିକ ସ୍ତରରେ ଯାହା ଛନ୍ଦାଛନ୍ଦି, ଲୁଚକାଳି ଖେଳ। ଏ ଯୁଦ୍ଧ କିନ୍ତୁ ମଇଦାନ ଯୁଦ୍ଧଠୁ ବି ଢେର ଭୟଙ୍କର। ୟାର ପଦ୍ଧତି ହେଲା, ବିଶ୍ବାସରେ ବିଷ ମିଶା, ଅତର୍କିତ ଆକ୍ରମଣ, ଶତ୍ରୁର ଦୁର୍ବଳତାକୁ ଖୋଜିବା ଓ ସେତିକି ବେଳେ ମାଡ଼ ଚଢ଼େଇବା। ଅର୍ଥବଳ ଓ ବାହୁବଳର ପ୍ରୟୋଗ। ମାତ୍ର ଆମ ଯୁଦ୍ଧ, ଶୀତଳ ହେଉ କି ତତଲା ହେଉ ଏକ ନିର୍ଦିଷ୍ଟ ‘ନୀତି’ ଉପରେ ପ୍ରତିଷ୍ଠିତ। ଯୁଦ୍ଧ ପଡ଼ିଆରେ ଜଣଙ୍କର ଅସ୍ତ୍ର ଭାଙ୍ଗିଗଲା, ତା’ ରଥ ଖରାପ ହୋଇଗଲା, ଏପରି ଅସହାୟ ପରିସ୍ଥିତିରେ ଶତ୍ରୁ ଉପରେ ଆକ୍ରମଣ ନିଷିଦ୍ଧ, କାପୁରୁଷୋଚିତ, ମାତ୍ର ଯେନତେନ ପ୍ରକାରେଣ ଯୁଦ୍ଧ ଜିଣିବାବାଲାଙ୍କ ପାଇଁ, ଏପରି ମୁହୂର୍ତ୍ତ ଏକ ସୁବର୍ଣ୍ଣସୁଯୋଗ। କର୍ଣ୍ଣଙ୍କ ରଥ ଚକ ଦବିଗଲା। ସେ ରଥଚକ ଉଠାଇବା ଯାଏ, ସମୟ ମାଗିଲେ। ଲଗାମଧାରୀ ଶ୍ରୀକୃଷ୍ଣ କହିଲେ, ‘ମାର ଶର, ସିଏ ସଜିଲ ହୋଇଗଲେ, ତା’ଠି ଟିପ ଦେଇ ପାରିବନି। ଏଇ ମୁହୂର୍ତ୍ତରେ ଅସ୍ତ୍ର ଚଳା।’ ଯାହାକି ଯୁଦ୍ଧ ନିୟମର ବିରୋଧ କରେ। ସେମିତି ଅପରାଜେୟ ଭୀଷ୍ମ ପିତାମହଙ୍କ କଥା ଦେଖୁନା। ତାଙ୍କ ଆଗକୁ ଶିଖଣ୍ଡୀଙ୍କି ପଠେଇ, ତାଙ୍କୁ ନିରସ୍ତ୍ର କରି, ଶର ମାରିଲେ ଅର୍ଜୁନ, କୃଷ୍ଣଙ୍କ ନିର୍ଦେଶରେ। ଯୁଦ୍ଧ ଜୀବନ ମରଣର କଥା, ସେଠି ତେଣୁ ପ୍ରାଣରକ୍ଷା ପାଇଁ, ଯାହା ଇଚ୍ଛା ତା କରିପାର। ଇଏ ପ୍ରକୃତ ରଥୀର ଖେଳ ବା ଲଢ଼େଇ ନୁହଁ। ଆରେ ବାବୁ, ଏଥିରେ ପ୍ରକୃତ ଅପ୍ରାକୃତ କିଏ ଦେଖୁଛି! ଜୋ ଜିତା ୱହି ସିକନ୍ଦର। ପ୍ରଥମ ବିଶ୍ବଯୁଦ୍ଧରେ ରକ୍ତମୁଖା ବିଦ୍ରୋହୀ ସିପାହିମାନେ ସମ୍ରାଟ ଜାର୍, ତାଙ୍କ ସ୍ତ୍ରୀ ଜାରୀନା ଓ ୧୪ବର୍ଷର ରୋଗାକ୍ରାନ୍ତ ନିରୀହ ଓ ଅବୋଧ ଶିଶୁକୁ ବାୟୋନେଟ(ବନ୍ଧୁକ ଅଗରେ ଯୋଖା ବିଷାକ୍ତ ଛୁରୀ) ଭୁସି, ଅଶ୍ଳୀଳ ଆଚରଣ ଦେଖାଇ ଯେମିତି ନୃଶଂସ ହତ୍ୟାକଲେ, ତା’ କୋଉ ଯୁଦ୍ଧ ନିୟମ ବା ମଣିଷପଣିଆ ଥିଲା! ତେବେ ମଣିଷପଣିଆ ହରାଇଥିବା ଜଣେ, ଅନ୍ୟଠୁ ମଣିଷପଣିଆ ଆଶା କରିବା ଏକ ବିଡ଼ମ୍ବନା ଓ ବ୍ୟର୍ଥ ଆଶା। ସେମିତି ଦ୍ବିତୀୟ ବିଶ୍ବଯୁଦ୍ଧର ଅବସାନ ଘଟାଇଲା ‘ପରମାଣୁ ବୋମା’। ପୃଥିବୀ ପୃଷ୍ଠରେ ପ୍ରଥମ ଥର ପାଇଁ ଏ ଜୀବନ ହନ୍ତା ଅସ୍ତ୍ର ବିସ୍ଫୋରିତ ହେଲା। ଜାପାନର ନାଗାସାକୀ, ହିରୋସୀମା ସହରରେ। କି ନାରକୀୟ ଧ୍ବଂସଲୀଳା ଇଏ! ଅବଶ୍ୟ ତା’ପରେ ପରେ ଏ ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହୋଇଗଲା। ମାତ୍ର କେତେ ଯେ ଜୀବନ ଓ ସମ୍ପତ୍ତି ପାଉଁଶ ହୋଇଗଲେ ମୁହୂର୍ତ୍ତକରେ ତା’ର କଳନା ଏ ଯାଏ ବି ନାହିଁ। ଦି’ ଦଳ ଷଣ୍ଢଙ୍କ ଲଢ଼େଇରେ, ଦୂର୍ବାଦଳ ଦଳିଚକଟି ହେବା ଯାହା ସାର। ସବୁ ଯୁଦ୍ଧ ସବୁ ଦୁରାଶାର ଏଇ ଭୟାନକ ପରିଣତି। ଗାଁ ଗାଁ ଭିତରେ, ଗୋଷ୍ଠୀ ଗୋଷ୍ଠୀ ମଧ୍ୟରେ, ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ ଲଢ଼େଇ ଚାଲୁଛି। ଏ ସଭ୍ୟ ମଣିଷକୁ କେତେ ଯେ ମୂଲ୍ୟ ଦେବାକୁ ପଡୁଚି, ତା’ କ’ଣ ସେମାନେ ବୁଝୁନାହାନ୍ତି! ବୁଝୁଛନ୍ତି। କଥା ତ ଅଛି ‘ପୁରାଣାନ୍ତେ, ମୈଥୁନାନ୍ତେ, ଶ୍ମଶାନାନ୍ତେ ଚ ଯା ମତି, ସା ଯଦି ଶୁଚିରେତ୍ସ୍ୟାତ୍ କୋ ନ ମୁଚ୍ୟତେ ବନ୍ଧନାତ୍?’ ଅର୍ଥାତ୍ ପୁରାଣ ପାଠପରେ ମନରେ ଯେଉଁ ଭଗବତ୍ ଭାବ ଉଦୟ ହୁଏ, ମୈଥୁନ ପରେ ମନରେ ଯେଉଁ ଅବସନ୍ନତା ଆସେ ଓ ଶ୍ମଶାନରେ ଶବଦାହରେ ମନରେ ଯେଉଁ ବୈରାଗ୍ୟ ଭାବ ଆସେ ତା ଯଦି ଚିରସ୍ଥାୟୀ ରହନ୍ତା, କିଏ ଏ ସଂସାରବନ୍ଧନରୁ ମୁକ୍ତି ନ ପାଆନ୍ତା!! ମାତ୍ର ତା’ କ୍ଷଣିକ। ସେଇ ମୁହୂର୍ତ୍ତକର ଅନୁତାପ, ଅବସାଦ ପରେ ମଣିଷ ଯେଉଁ ଗୋଳକୁ ସେଇ େଗାଳରେ ସେମିତି ପ୍ରମତ୍ତ ହୁଏ।
ଏବେ ଏ ଗଣତାନ୍ତ୍ରିକ ପଦ୍ଧତିରେ ମଣିଷ ସବୁ ଦଳକୁ ଦଳ ଭାଗ ହୋଇଯାଉଛନ୍ତି। ଏମାନେ ତାଙ୍କ ଦଳ ପାଇଁ ‘କ୍ଷମତା’ ଆହରଣ କରି ବେଶ୍ ବଣ୍ଟାକୁଣ୍ଟା କରି ଜୀବନ ଭୋଗ କରିବେ। ଏ ବ୍ୟବସ୍ଥା ନାଁ ହେଲା ଗଣତନ୍ତ୍ର। ପାଞ୍ଚବର୍ଷିଆ ରାଜା, କ୍ଷମତାଧାରୀ ଏମାନେ। ପାଞ୍ଚବର୍ଷ ପରେ ସମଗ୍ର ଜନତାର ମତଦାନ ହେବ, ଏଥିପାଇଁ କଳବଳ କଉଶଳ ସବୁ ଯୋଚା ହୋଇଯିବ। ହଣାକଟା, ହତ୍ୟାକାଣ୍ଡ ଆଦି ଜଘନ୍ୟ କାଣ୍ଡମାନ ଏଥିପାଇଁ ଘଟିବ, ଘଟୁଛି ବି। ଏଥିରେ ପୁଣି ‘ନାରୀ ସଶକ୍ତୀକରଣ’ ଗୋଟେ ନୂଆ ଦୁଆ, ମହିଳା, ନାରୀ ବା ଯୁବତୀମାନଙ୍କୁ ଦୁଆରବନ୍ଧ ଡିଆଁ କରି ଦେଉଛି। ସବୁ ବର୍ତ୍ତମାନ ଘାଣ୍ଟ ଲୋ ବୋପା। ଯେଉଁଠି ମନ ମାନିଲାନି ସେଇଟା ‘ଦୁଷ୍କର୍ମ’, ଯେଉଁଠି ମନ ମାନିଲା, ସେଇଟା ‘ତେରା ମେରା ରାଜି କ୍ୟା କରେଗା କାଜି’। ଛାଡନ୍ତୁ ସେ କଥା। ଏବେ ଏ ଯେଉଁ ଗଣତାନ୍ତ୍ରିକ ଲଢ଼େଇ ଲାଗିଛି, ତା’ ପରିଣାମ ‘ଶୀତଳ ଯୁଦ୍ଧ’ ପରିଣାମଠୁ ତିଳେ ବି କମ୍ ନୁହେଁ। ଏବେ ରାଜ୍ୟର ଝାରସୁଗୁଡ଼ାରେ ଉପନିର୍ବାଚନ ହେଉଛି। ସେଠା ପ୍ରତିନିଧି ବା ଏମ୍ଏଲ୍ଏ ଥିଲେ ଜଣେ ଟାଣୁଆ ନେତା। ସେ କଂଗ୍ରେସରେ ଥିଲେ। ହଠାତ୍ କୁଦା ମାରିଲେ ବିଜେଡିକୁ। କ୍ୟାବିନେଟ ମନ୍ତ୍ରୀ ବନିଗଲେ। ତାଙ୍କୁ ଜଣେ ପୁଲିସ କର୍ମଚାରୀ ତାଙ୍କ ବିଭାଗୀୟ ପିସ୍ତଲରୁ ଗୁଳିକରି ହତ୍ୟା କଲେ। ଆରେ ଏମିତି କିଆଁ କଲେ?? ଇଏ ଏବେ ଅଡୁଆସୂତା ବଣ୍ଡିଲ ବନିଯାଇଛି। ସିଆଡକୁ ଗଲେ, ଆମେ ବି ବାଟବଣା ହୋଇଯିବା। ତାଙ୍କ ମୃତ୍ୟୁ ପରେ ସେଠି ଉପନିର୍ବାଚନ ହେବ। ଏବେ ସେ ପ୍ରକ୍ରିୟା ଚାଲିଛି ସେଠି। ମୃତ ମନ୍ତ୍ରୀ ତଥା ପ୍ରତିନିଧିଙ୍କ ଝିଅ ଏବେ ବିଜେଡି ଟିକେଟ ପାଇଛନ୍ତି। ପିଲା ବୟସର ଝିଅଟେ। ତେବେ ସେ ଏ ସୁଯୋଗକୁ ହାତଛଡ଼ା କିଆଁ କରିବେ? ବିରୋଧୀ ଦଳବାଲାଏ ବି ସେମାନଙ୍କ ପ୍ରାର୍ଥିପତ୍ର ଦେଇଛନ୍ତି। ଏଥିରେ ପ୍ରମୁଖ ହେଲେ ବିଜେପି ଓ କଂଗ୍ରେସ। ଦି’ ଦଳ ଏକାଠି ହୋଇଗଲେ ଲଢ଼େଇଟା ଲଢ଼େଇ ଭଳି ହୁଅନ୍ତା। ମାତ୍ର ୟେ ତ ନୀତି, ଆଦର୍ଶ ବା ଆବଶ୍ୟକତାର ଲଢ଼େଇ ନୁହେଁ। ୟେ କ୍ଷମତା ଓ ସ୍ବାର୍ଥ ଲାଭର ଲଢ଼େଇ। ନିଜ ସତ୍ତା ଅଲିଭା ରଖିବାକୁ ହେବ, ବାଜିଗଲେ ତ ‘କଚେପୁଅ ବାର’, ନ ବାଜିଲେ ବି ଯାଆସ ନାହିଁ। ଏଥିପୂର୍ବରୁ ପିପିଲିରେ ମଧ୍ୟ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହୋଇଛି। ୰ପ୍ରଦୀପ ମହାରଥୀଙ୍କ ପୁଅ ବିଜେଡି ଟିକେଟ ପାଇ ଜିତିଛନ୍ତି। ସେଠି ନିର୍ବାଚନ କେମିତି ଟଙ୍କାର ଶରଶଯ୍ୟା ଓ ରକ୍ତର ବନ୍ୟା ଛୁଟାଇଥିଲା ଲୋକେ ଜାଣନ୍ତି। ତା’ ପରେ ବାଲେଶ୍ବରରେ ବି ଉପନିର୍ବାଚନ ହେଲା। କ୍ଷମତାସୀନ ବିଜେଡି ବି ଏଥିରେ ଜିତିଲା। ଧାମନଗର ଉପନିର୍ବାଚନରେ ବିଜେପି କିନ୍ତୁ ତା’ ଆସନ ଏଠୁ ବଜାୟ ରଖିଲା। ବିଷ୍ଣୁ ସେଠୀ ଥିଲେ ବିଜେପି ପ୍ରତିନିଧି। ତାଙ୍କ ପୁଅ ସୂର୍ଯ୍ୟ ଜିତିଲେ; କିନ୍ତୁ ପଦ୍ମପୁରରେ ବର୍ଷା ସିଂ ବରିହା ଜିତିଲେ, ବାପାଙ୍କ ସିଟ୍ ରଖିଲେ। ବିଜେଡି ଜିତିଲା।
ଏହି ଆକଳନରୁ ଜଣାଯାଉଛି ଯେ, ଉପନିର୍ବାଚନରେ ପ୍ରାୟତଃ କ୍ଷମତାସୀନ ଦଳ ନିର୍ବାଚିତ ହେଉଛି। ଅର୍ଥବଳ, ବାହୁବଳ ଓ ଅନ୍ୟ ବଳ ସହ କ୍ଷମତାସୀନଙ୍କୁ କିଏ ହରେଇପାରିବେ। ଏ ନିର୍ବାଚନରେ ଭୋଟର ବା ମତଦାତା ହେଲେ ଆମ ଗଣତାନ୍ତ୍ରିକ ସ୍ତମ୍ଭ ବ୍ୟକ୍ତିବିଶେଷ ‘ଭୋଟର’। ତେବେ ଏମାନଙ୍କ ମନକୁ ମଙ୍ଗେଇବାକୁ ଏବେ ଆମ ଆଦର୍ଶର କାହାଣୀ କାମ ଦେଉନି। ଟଙ୍କା, ପଇସା ଏଇଲେ ମୁଖ୍ୟ ଆୟୁଧ। ସରକାର ଏଇ ମଉକାରେ ଲୋଭନୀୟ ଘୋଷଣାମାନ କରୁଛନ୍ତି। କେନ୍ଦୁପତ୍ର ତୋଳାଳିମାନଙ୍କୁ ଦ୍ବିତୀୟ ପର୍ଯ୍ୟାୟରେ ୧୧୧କୋଟି ଟଙ୍କା ଦିଆଯିବ। ସେମିତି ଅଗ୍ରିଆ ଜନଜାତିଙ୍କୁ ଭୁବନେଶ୍ବରରେ ଅଧ ଏକର ଜମି ସହ ୩ କୋଟି ଟଙ୍କା ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନର ପ୍ରତିଶ୍ରୁତି ଦିଆଯାଇଛି। ସାଧାରଣ ନିର୍ବାଚନ, ୨୦୨୪ରେ ହେବ। ତା’ ପୂର୍ବରୁ ଏ ଉପନିର୍ବାଚନ ଏକ ପ୍ରଭାବଶାଳୀ ବାର୍ତ୍ତା ସଞ୍ଚରିବ। ସେଥିପାଇଁ ଏଥିରେ ପର୍ଯ୍ୟାପ୍ତ ଅର୍ଥ ଆଦି ବଳ ଉଭୟ ପକ୍ଷରୁ ନିୟୋଜିତ ହେଉଛି।
ଏ ଉପନିର୍ବାଚନ ଯେମିତି ଓ ଯେଉଁ ଢଙ୍ଗରେ ଅନୁଷ୍ଠିତ ହେଉଛି, ସେଥିରେ ଗଣତନ୍ତ୍ରର ସଙ୍ଗୀତ ତ ଗାନ ହେଉନି; ବରଂ ଗଣତନ୍ତ୍ରର ଦଶାହକ୍ରିୟାର ଶାନ୍ତି ଉଦକ ସିଞ୍ଚା ଯାଉଛି। ‘ମାନୁଷେ କଦଳୀ ସ୍ତମ୍ଭେ ନିଃସାର ସାର ମାର୍ଗଣଂ’। ଜୟ ଜଗନ୍ନାଥ।
Comments are closed.