ନିର୍ବାଚନ ଆୟୁକ୍ତ ଚୟନ ହେତୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ

ଶ୍ରୀକାନ୍ତ ଚାଟାର୍ଜୀ

ମାର୍ଚ୍ଚ ୨, ୨୦୨୩ ତାରିଖ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦେଶର ନିର୍ବାଚନ ଆୟୋଗ ସଂକ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କଲେ। ଏହି ପ୍ରବନ୍ଧରେ ଏ ବିଷୟରେ ଅଳ୍ପ ଆଲୋଚନା କରିବା। ଗୁପ୍ତ ମତଦାନ ମାଧ୍ୟମରେ ଅବାଧ ନିର୍ବାଚନ ହେଉଛି ଗଣତାନ୍ତ୍ରିକ ପ୍ରକ୍ରିୟାର ମୂଳଦୁଆ। ଏଥିପାଇଁ ଏକ ଦକ୍ଷ ଓ ନିରପେକ୍ଷ ସଂସ୍ଥା ଆବଶ୍ୟକ। ଭାରତରେ ଏଥିପାଇଁ ନିର୍ବାଚନ ଆୟୋଗ ଅଛି। ସମ୍ବିଧାନର ଧାରା ୩୨୪ରେ ନିର୍ବାଚନ ଆୟୋଗ ବିଷୟରେ ଉଲ୍ଲେଖ ଅଛି। ନଭେମ୍ବର ୨୬, ୧୯୪୯ ସମ୍ବିଧାନ ସଭାରେ ସମ୍ବିଧାନ ଗୃହୀତ ହେଲା। କିଛି ଧାରା ତତ୍‌କ୍ଷଣାତ୍‌ ଲାଗୁ ହେଲା। ଧାରା ୩୨୪ ସେ ଭିତରୁ ଅନ୍ୟତମ। ବାକି ତକ ଧାରା ଜାନୁଆରୀ ୨୬,୧୯୫୦ରୁ ଲାଗୁ ହେଲା। ଧାରା ୩୨୪ର ଶୀର୍ଷକ ହେଲା, ‘ନିର୍ବାଚନର ପରିଚଳନା, ନିର୍ଦେଶ ଓ ନିୟନ୍ତ୍ରଣ (ସୁପରିନ୍‌ଟେନ୍‌ଡେନ୍ସ, ଡାଇରେକ୍ସନ୍‌ ଆଣ୍ଡ କ‌େଣ୍ଟ୍ରାଲ) ନିର୍ବାଚନ ଆୟୋଗ ହାତରେ ନ୍ୟସ୍ତ’। ଉପଧାରା ୨ ଅନୁସାରେ ଆୟୋଗର ଜ​‌େ​‌ଣ ମୁଖ୍ୟ ଆୟୁକ୍ତ ରହିବେ। ରାଷ୍ଟ୍ରପତିଙ୍କ ଦ୍ବାରା ଆଉ କିଛି ଆୟୁୁକ୍ତଙ୍କ ନିଯୁକ୍ତି ହୋଇପାରେ। ମୁଖ୍ୟ ଏବଂ ଅନ୍ୟ ଆୟୁକ୍ତଙ୍କ ଚୟନ ପାଇଁ ସଂସଦ କର୍ତ୍ତୃକ ଆଇନ ପ୍ରଣୟନ କରାଯିବ। ଆଇନ ପ୍ରଣୟନ ନ ହେବା ପର୍ଯ୍ୟନ୍ତ ରାଷ୍ଟ୍ରପତି ତାଙ୍କୁ ଚୟନ କରିବେ। ଏକାଧିକ ଆୟୁକ୍ତ କ୍ଷେତ୍ରରେ ମୁଖ୍ୟ ଆୟୁକ୍ତ ନିର୍ବାଚନ ଆୟୋଗର ଚେୟାରମ୍ୟାନ୍‌ ଭାବରେ କାର୍ଯ୍ୟ ସମ୍ପାଦନ କରି‌େ‌ବ (ଉପଧାରା ୩)। ମୁଖ୍ୟ ଆୟୁକ୍ତଙ୍କ ସେବାରୁ ଅପସାରଣ (ରିମୁଭାଲ୍‌)ର ନିୟମ ସୁପ୍ରିମ୍‌କୋର୍ଟର ବିଚାରପତିଙ୍କ ଅପସାରଣ ନିୟମର ଅନୁରୂପ ହେବ। ନିଯୁକ୍ତି ପରେ ମୁଖ୍ୟ ଆୟୁକ୍ତଙ୍କ ନିଯୁକ୍ତି ସର୍ତ୍ତ ତାଙ୍କ ହିତ ବିପରୀତ ହୋଇପାରିବ ନାହିଁ। (ଉପଧାରା୫, ପ୍ରଥମ ପ୍ରୋଭାଇଜୋ)। ଆୟୁକ୍ତଙ୍କ ଅପସାରଣ ମୁଖ୍ୟ ଆୟୁକ୍ତଙ୍କ ସୁପାରିସ ବିନା ହୋଇପାରିବ ନାହିଁ। (ଉପଧାରା ୫, ଦ୍ବିତୀୟ ପ୍ରୋଭାଇଜୋ)। ଏଥିରୁ ଜଣାପଡ଼େ ଯେ ସମ୍ବିଧାନ ପ୍ରଣେତାମାନେ ନିର୍ବାଚନ ଆୟୋଗର ନିରପେକ୍ଷତା ବିଷୟରେ ସଚେତନ ଥିଲେ। ଏହି ରାୟରେ ସୁପ୍ରିମକୋର୍ଟ ଏ ସଂକ୍ରାନ୍ତୀୟ ସମ୍ବିଧାନ ସଭାରେ ହୋଇଥିବା ଆଲୋଚନା ସବୁର ବିସ୍ତୃତ ଆଲୋଚନା କରିଛନ୍ତି। ୧୯୮୯ ମସିହା ପର୍ଯ୍ୟନ୍ତ ଆୟୋଗରେ କେବଳ ମୁଖ୍ୟ ଆୟୁକ୍ତ ରହୁଥିଲେ। ମୁଖ୍ୟ ଆୟୁକ୍ତଙ୍କ ପାଇଁ ସମ୍ବିଧାନରେ ବିଶେଷ ପ୍ରାବଧାନ ରଖାଯାଇଥିଲା। ବର୍ତ୍ତମାନ ମୁଖ୍ୟ ଆୟୁକ୍ତ ଛଡ଼ା ଆଉ ଦୁଇଜଣ ଆୟୁକ୍ତ ରହୁଛନ୍ତି। ବରିଷ୍ଠତମ ଆୟୁକ୍ତଙ୍କୁ ମୁଖ୍ୟ ଆୟୁକ୍ତ ଭାବରେ ନିଯୁକ୍ତି ଦିଆଯାଉଛି।

ସ୍ପଷ୍ଟତଃ, ସମ୍ବିଧାନରେ ନିର୍ବାଚନ ଆୟୋଗକୁ ରାଜନୈତିକ/ ସରକାରୀ ପ୍ରଭାବରୁ ମୁକ୍ତ ରଖିବାପାଇଁ ପ୍ରୟାସ କରାହୋଇଛି। ହେଲେ, ନିର୍ଦିଷ୍ଟ ପ୍ରାବଧାନ ସତ୍ତ୍ବେ ଏ ପର୍ଯ୍ୟନ୍ତ ଧାରା ୩୨୪(୨) ଅନ୍ତର୍ଗତ ଆଇନ୍‌ ପାସ ହୋଇପାରିନାହିଁ। ଟି.ଏନ.ଶେଷାନ ୧୯୯୦-୯୬ ଅବଧିରେ ମୁଖ୍ୟ ଆୟୁକ୍ତ ନିଯୁକ୍ତ ହୋଇଥିଲେ। ତା’ ପୂର୍ବରୁ ସେ କ୍ୟାବିନେଟ ସଚିବ ଥିଲେ। ଧରାଯାଏ, ସରକାରଙ୍କ ସହ ମତଭେଦ ଯୋଗୁଁ ତାଙ୍କୁ ନିର୍ବାଚନ ଆୟୋଗକୁ ପଠାଯାଇଥିଲା। ପ୍ରକୃତରେ କହିଲେ, ଶେଷାନ୍‌ ଆସିବା ପୂର୍ବରୁ ନିର୍ବାଚନ ଆୟୋଗର ପ୍ରକୃତ କ୍ଷମତା ଜଣାପଡ଼ିନଥିଲା। ନିର୍ବାଚନ ଆୟୋଗ ଏକ ସାମ୍ବିଧାନିକ ସଂସ୍ଥା। ସାମ୍ବିଧାନିକ ସୁରକ୍ଷାପ୍ରାପ୍ତ ସଂସ୍ଥାର ମୁଖ୍ୟ ପଦରେ ଆସୀନ ହେବା ପରେ ଶେଷାନ ଆୟୋଗକୁ ଏକ ନୂଆ ରୂପ ପ୍ରଦାନ କଲେ। ତାଙ୍କର ଦକ୍ଷତା ଏବଂ ଦୂରଦର୍ଶିତା ଫଳରେ ଦେଶର ନିର୍ବାଚନ ପ୍ରକ୍ରିୟାରେ ବଡ଼ଧରଣର ପରିବର୍ତ୍ତନ ଆସିଲା। ରାଜନୈତିକ ନେତାମାନେ ଭୟଭୀତ ହେଲେ। ପ୍ରଥମେ ୧୯୮୯ ମସିହାରେ ଏକାଧିକ ଆୟୁକ୍ତ ନିଯୁକ୍ତିର ପ୍ରୟାସ ହୋଇଥିଲା। ପରେ ତାହା ପ୍ରତ୍ୟାହାର କରାଯାଇଥିଲା। ୧୯୯୩ ମସିହାରେ ପ୍ରଥମେ ଅଧ୍ୟାଦେଶ (ଏବଂ ପରେ ଆଇନ ସଂଶୋଧନ) ମାଧ୍ୟମରେ ଦୁଇଜଣ ଆୟୁକ୍ତଙ୍କୁ ନିଯୁକ୍ତି ଦିଆଗଲା- ଏମ୍‌.ଏସ୍‌.ଗିଲ ଏବଂ ଜି.ଭି.ଜି.କୃଷ୍ଣମୂର୍ତ୍ତି। ଧରାଯାଏ, ଶେଷାନଙ୍କ କ୍ଷମତା ଓ ପ୍ରଭାବକୁ କମ୍‌ କରିବାପାଇଁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବର୍ତ୍ତମାନ ବହୁ ଆୟୁକ୍ତ ବିଶିଷ୍ଟ ଆୟୋଗର ପରମ୍ପରା ଚାଲିଛି।

ଗତକିଛି ବର୍ଷରେ ନିର୍ବାଚନ ଆୟୋଗର ନିରପେକ୍ଷତା ଏବଂ ଆୟୁକ୍ତମାନଙ୍କ ନିଯୁକ୍ତିନେଇ ବିବାଦ ସୃଷ୍ଟି ହୋଇଛି। ୟା ଭିତରେ ‘ନିର୍ବାଚନ ଆୟୋଗ (ଆୟୁକ୍ତଙ୍କ ସେବା ସର୍ତ୍ତ ଏବଂ କାର୍ଯ୍ୟନିର୍ବାହ) ଆଇନ ୧୯୯୧’ ନାମକ ଏକ ଆଇନ ପ୍ରଣୀତ ହେଲା। ଏହି ଆଇନର ଧାରା ୪ ଅନୁସାରେ ନିର୍ବାଚନ ଆୟୋଗର ମୁଖ୍ୟ ଏବଂ ଅନ୍ୟ ଆୟୁକ୍ତଙ୍କ କାର୍ଯ୍ୟକାଳ ଛ’ବର୍ଷ ପାଇଁ ନିର୍ଦ୍ଧାରିତ ହେଲା। ସେବା ବୟସ ସୀମା ୬୫ ବର୍ଷକୁ ନିର୍ଦିଷ୍ଟ କରାଗଲା। ଅର୍ଥାତ୍‌ ଛ’ ବର୍ଷ ପୂର୍ବରୁ ୬୫ବର୍ଷ ବୟସ ହୋଇଗଲେ ସେବା ନିବୃତ୍ତ ହେବାକୁ ପଡ଼ିବ। ଚିନ୍ତାଶୀଳ ବ୍ୟକ୍ତିମାନେ ଲକ୍ଷ୍ୟକଲେ ଯେ ଅନେକ ସମୟରେ ଆୟୁକ୍ତମାନେ ଛ’ ବର୍ଷ କାର୍ଯ୍ୟକାଳ ପୂରଣ କରି ପାରୁନାହାନ୍ତି। ବାରମ୍ବାର ଆୟୁକ୍ତଙ୍କ ନିଯୁକ୍ତି ହେଉଛି। ଏହି ଅବସ୍ଥା ସନ୍ଦେହ ସୃଷ୍ଟି କଲା। ଏସବୁ କାରଣ ଯୋଗୁଁ ସମ୍ବିଧାନର ଧାରା ୩୨ ଅଧୀନରେ ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ ହେଲା। ୨୦୧୫ ମସିହାରେ ପ୍ରଥମେ ଅନୁପ ବରନ୍‌ୱାଲ୍‌ ଏହି ପିଟିସନ୍‌ ଦାଖଲ କରିଥିଲେ। ଦୁଇ ଜଜ୍‌ ବିଶିଷ୍ଟ ଖଣ୍ଡପୀଠ ଏହା ଉପରେ ବିଚାର ଆରମ୍ଭ କଲେ। ବିଷୟର ଗୁରୁତ୍ବ ଦୃଷ୍ଟିରୁ ଏହାକୁ ୨୦୧୮ ମସିହାରେ ସାମ୍ବିଧାନିକ ଖଣ୍ଡପୀଠକୁ ପ୍ରେରିତ କରାଗଲା। ୨୦୨୨ ମସିହାରେ ଆଉ ଦୁଇଟି ରିଟ୍‌ ଦାଏର ହେଲା। ଆବେଦନକାରୀମାନେ ଥିଲେ ପ୍ରଶାନ୍ତଭୂଷଣ, କାଳୀସ୍ବରମ୍‌ ରାଜ୍‌, ଅଶ୍ବିନୀ ଉପାଧ୍ୟାୟ ଏବଂ ଗୋପାଳ ଶଙ୍କର ନାରାୟଣ। ଖଣ୍ଡପୀଠର ବିଚାରପତିମାନେ ଥିଲେ କେ.ଏମ୍‌.ଜୋସେଫ, ଅନିରୁଦ୍ଧ ବୋଷ, ହୃଷୀକେଶ ରାୟ, ସିଟି ରବିକୁମାର ଏବଂ ଅଜୟ ରାସ୍ତୋଗୀ। ସବୁତକ ପିଟିସନକୁ ଏକା ସାଙ୍ଗରେ ବିଚାର କରି ଏହି ଖଣ୍ଡପୀଠ ୨ା୩ା୨୩ରିଖ ତାଙ୍କ ରାୟ ଶୁଣାଇଲେ। ପ୍ରଥମ ଚାରିଜଣ ନ୍ୟାୟାଧୀଶଙ୍କ ତରଫରୁ ବିଚାରପତି ଜୋସେଫ୍‌ ରାୟ ଲେଖିଲେ ଏବଂ ବିଚାରପତି ରାସ୍ତୋଗୀ ଅଲଗା ରାୟ ଲେଖିଲେ। ହେଲେ, ମୂଳ ରାୟରେ ସହମତି ଥିଲା। ଅର୍ଥାତ୍‌ ସର୍ବସମ୍ମତି କ୍ରମେ ପାସ୍‌ କରାଯାଇଥିବା ରାୟ। ନ୍ୟାୟାଧୀଶ ଯୋସେଫ୍‌ଙ୍କ ଲିଖିତ ମୁଖ୍ୟ ରାୟର ପାରା ୫୨ (ପୃ.୭୨-୭୮)ରେ ବିଭିନ୍ନ ସମୟରେ ନିଯୁକ୍ତିପ୍ରାପ୍ତ ଆୟୁକ୍ତମାନଙ୍କ କାର୍ଯ୍ୟକାଳର ବିବରଣୀ ଲେଖା ହୋଇଛି। ପୃ୭୬-୭୮ରେ ଏକ ତାଲିକା ମାଧ୍ୟମରେ ୨୦୦୪ ମସିହାରୁ ଆଜିକାର ସମୟ ପର୍ଯ୍ୟନ୍ତ ଆୟୁକ୍ତମାନଙ୍କ କାର୍ଯ୍ୟକାଳର ସୂଚନା ଦିଆହୋଇଛି। ୧୫ଜଣଙ୍କ ଏହି ତାଲିକାରେ ଦେଖାଯାଏ କେହି ଛ’ବର୍ଷ କାମ କରି ନାହାନ୍ତି। ସବୁଠୁ କମ୍‌ ୨ବର୍ଷ ୮ମାସ ୭ଦିନ (ଅନୁପ ଚନ୍ଦ୍ର ପାଣ୍ଡେ, ଆୟୁକ୍ତ) ଏବଂ ସର୍ବାଧିକ ୫ ବର୍ଷ ୧୧ମାସ ୧୨ ଦିନ (ଏସ୍‌ୱାଇ କୁରେଶୀ, ଆୟୁକ୍ତ; ଶେଷ ଦୁଇବର୍ଷ ୨୦୧୦-୧୨, ମୁଖ୍ୟ ଆୟୁକ୍ତ)। ଏହି ରାୟର ପାରା ୧୮୭ (ପୃ୨୩୦-୨୩୪)ରେ ଅରୁଣ ଗୋଏଲଙ୍କ ନିର୍ବାଚନ ଆୟୁକ୍ତ ଭାବେ ନିଯୁକ୍ତି ପ୍ରସଙ୍ଗ ବିଶେଷ ଭାବେ ଉଲ୍ଲେଖ କରାଯାଇଛି। ଆୟୁକ୍ତ ରାଜୀବ କୁମାରଙ୍କ ମୁଖ୍ୟ ଆୟୁକ୍ତ ପଦକୁ ଉନ୍ନୀତ ହେବା ପରେ ରିକ୍ତ ସ୍ଥାନ ପୂରଣ ନେଇ ସୁପ୍ରିମକୋର୍ଟରେ ଆସିଥିବା ପିଟିସନ୍‌ ବିଚାରାଧୀନ ଥିବା ସମୟରେ ଗୋଏଲଙ୍କୁ ହଠାତ୍‌ ଆୟୁକ୍ତ ଭାବରେ ନିଯୁକ୍ତି ଦିଆଗଲା। ସୁପ୍ରିମକୋର୍ଟ ସବୁତକ ସଂଶ୍ଳିଷ୍ଟ ଫାଇଲ ତଲବ ବିଲ ଏବଂ ତୀକ୍ଷ୍ଣ ମନ୍ତବ୍ୟ ସହିତ ସବୁତକ ତଥ୍ୟ ରାୟରେ ବର୍ଣ୍ଣନା କରିଛନ୍ତି।

ଏହି ଏବଂ ଅନ୍ୟାନ୍ୟ ଉପଲବ୍ଧ ତଥ୍ୟ ସବୁକୁ ବିବେଚନା କରି ସୁପ୍ରିମ କୋର୍ଟଙ୍କ ହୃଦ୍‌ବୋଧ ହେଲା ଯେ ନିର୍ବାଚନ ଆୟୋଗର ସ୍ବାଧୀନତା ଏବଂ ନିରପେକ୍ଷତା ବଜାୟ ରଖିବା ପାଇଁ ନ୍ୟାୟିକ ହସ୍ତକ୍ଷେପ ଆବଶ୍ୟକ। ସରକାରଙ୍କ ତରଫରୁ ଯୁକ୍ତି ସ୍ଥାପନ କରାଗଲା ଯେ ‘ସେପାରେସନ୍‌ ଅଫ୍‌ ପାୱାର’ (କ୍ଷମତାର ପୃଥକୀକରଣ)ର ସିଦ୍ଧାନ୍ତ ଅନୁସାରେ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକାର କାର୍ଯ୍ୟକ୍ଷେତ୍ର; ସ୍ପଷ୍ଟଭାବେ ନିରୂପିତ; ଏଣୁ କେହି ଅନ୍ୟ କାହାର କାର୍ଯ୍ୟ କ୍ଷେତ୍ରରେ ଦଖଲ ନେବା ଉଚିତ ନୁହେଁ। ସୁପ୍ରିମକୋର୍ଟ କାର୍ଯ୍ୟପାଳିକାର କାର୍ଯ୍ୟକ୍ଷେତ୍ରରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ଏହା ଅନୁଚିତ। ସୁପ୍ରିମକୋର୍ଟଙ୍କ ରାୟ ହେଲା, ନିର୍ଦିଷ୍ଟ ପ୍ରାବଧାନ ସ​‌େ​‌ତ୍ତ୍ବ ଧାରା ୩୨୪(୨) ଅଧୀନରେ ଏ ପର୍ଯ୍ୟନ୍ତ ଆଇନ ପ୍ରଣୟନ ହେଲା ନାହିଁ। ବର୍ତ୍ତମାନର ବ୍ୟବସ୍ଥାରେ ରାଷ୍ଟ୍ରପତିଙ୍କ ଦ୍ବାରା ଚୟନର ଅର୍ଥ ହେଲା ସରକାରଙ୍କ ଚୟନ। ଏହା ନିରପେକ୍ଷ କହି ହେବନାହିଁ/ନିର୍ଦିଷ୍ଟ ଆଇନ୍‌ ଆୟୋଗର ନିରପେକ୍ଷତା ପାଇଁ ରକ୍ଷା କବଚର କାମ କରିବ। ଏଣୁ ସୁପ୍ରିମ କୋର୍ଟ ଏ ସଂକ୍ରାନ୍ତରେ ଏକ ନିର୍ଦେଶନାମା ଜାରି କରିବାର ନିଷ୍ପତ୍ତି ନେଲେ। ସମ୍ବିଧାନର ଧାରା ୧୪୨ ଅଧୀନରେ ସୁପ୍ରିମକୋର୍ଟ ଏଭଳି ନିର୍ଦେଶନାମା ଜାରିକରି ପାରନ୍ତି ଏବଂ ଏହି ନିର୍ଦେଶନାମା ଆଇନର କାମ କରେ। ପାଠକଙ୍କୁ ବିନୀତ ନାରାୟଣ ମାମଲା (୧୯୯୭) ମନେଥିବ। କେନ୍ଦ୍ରୀୟ ସତର୍କତା ଆୟୋଗ (ସିଭିସି) ୧୯୬୪ ମସିହାରେ ଏକ ସରକାରୀ ଆଦେଶ (ଏକଜିକ୍ୟୁଟିଭ ଅର୍ଡର) ଜରିଆରେ ତିଆରି ହୋଇଥିଲା। ତେଣେ ସିବିଆଇର ଦକ୍ଷତା ଓ ନିରପେକ୍ଷତା ନେଇ ପ୍ରଶ୍ନ ସୃଷ୍ଟି ହେଉଥିଲା। ବିନୀତ ନାରାୟଣ ମାମଲାରେ ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୧୪୨ ପ୍ରୟୋଗ କରି ସିଭିସିକୁ ଏକ ନ୍ୟାୟିକ ସ୍ଥିତି ପ୍ରଦାନ କଲେ ଏବଂ ସରକାରଙ୍କୁ ଏଥିପାଇଁ ଆଇନ୍‌ ପ୍ରଣୟନ କରିବାପାଇଁ ନିର୍ଦେଶ ଦେଲେ। ସୁପ୍ରିମକୋର୍ଟ ଆହୁରି କହିଲେ ଯେ ଉକ୍ତ ଆଇନ ପ୍ରଣୟନ ପର୍ଯ୍ୟନ୍ତ ସୁପ୍ରିମ୍‌କୋର୍ଟଙ୍କ ନି​‌େ​‌ର୍ଦଶ ଆଇନର କାମ କରିବ। ପରେ ୨୦୦୩ ମସିହାର ସିଭିସି ଆଇନ ପ୍ରଣୀତ ହେଲା। ଏହି ରାୟରେ ସୁପ୍ରିମକୋର୍ଟ ସିବିଆଇର ନିର୍ଦେଶକ (ତଥା ପୁଲିସ, ଇଡି ଇତ୍ୟାଦି) ନିଯୁକ୍ତି ପାଇଁ ନିୟମାବଳି ସ୍ଥିର କଲେ। ସିବିଆଇ ନିର୍ଦେଶକଙ୍କ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳର ନେତା ଏବଂ ସୁପ୍ରିମକୋର୍ଟର ମୁଖ୍ୟ ନ୍ୟାୟାଧୀଶଙ୍କୁ ନେଇ ଗଠିତ ଏକ କମିଟିର ସୁପାରିସ କ୍ରମେ ସରକାର ନିଯୁକ୍ତି ଆଦେଶ ଜାରି କରିବେ। ଅନୁରୂପ ପ୍ରାବଧାନ ଲୋକାୟୁକ୍ତ ନିଯୁକ୍ତି ପାଇଁ ମଧ୍ୟ ପ୍ରଯୁଜ୍ୟ। ସେହିଭଳି ଗୋସ୍ବାମୀ କମିଟି ରିପୋର୍ଟ (୧୯୯୦), କେନ୍ଦ୍ରୀୟ ଆଇନ ଆୟୋଗର ୨୫୫ତମ ରିପୋର୍ଟ ଏବଂ ସ୍ବୟଂ ନିର୍ବାଚନ କମିସନ ନିର୍ବାଚନ ଆୟୋଗରେ ଆୟୁକ୍ତଙ୍କ ନିଯୁକ୍ତି ପାଇଁ ପ୍ରାୟ ଅନୁରୂପ ବ୍ୟବସ୍ଥା ସୁପାରିସ କରିଛନ୍ତି। ଏସବୁ ରିପୋର୍ଟକୁ ଭିତ୍ତିକରି ସୁପପ୍ରିମ୍‌କୋର୍ଟ ତାଙ୍କ ରାୟରେ ନିର୍ଦେଶ ଦେଲେ ଯେ ଏଣିକି ନିର୍ବାଚନ ଆୟୋଗର ମୁଖ୍ୟ/ ଆୟୁକ୍ତଙ୍କ ଚୟନ ପାଇଁ ଏକ କମିଟି ଗଠିତ ହେବ। କମିଟିର ସଦସ୍ୟମାନେ ହେଲେ ପ୍ରଧାନମନ୍ତ୍ରୀ, ବିରୋଧୀଦଳ ନେତା (ନ ହେଲେ ସବୁଠୁ ବଡ଼ ବିରୋଧୀ ଗୋଷ୍ଠୀର ନେତା) ଏବଂ ସୁପ୍ରିମ୍‌କୋର୍ଟର ମୁଖ୍ୟ ନ୍ୟାୟାଧୀଶ। ଏହି କମିଟିର ସୁପାରିସ ଅନୁସାରେ ସରକାର ଆୟୁକ୍ତ/ମୁଖ୍ୟ ଆୟୁକ୍ତ ନିଯୁକ୍ତି କରିବେ। ସରକାର ଧାରା ୩୨୪(୨) ଅନୁସାରେ ଆଇନ ପ୍ରଣୟନ କରିବେ। ଆଇନ ପ୍ରଣୟନ ନ ହେଲା ପର୍ଯ୍ୟନ୍ତ ଏହି ନିର୍ଦେଶ ହିଁ ଆଇନର କାମ କରିବ। ଆଇନ୍‌ ପ୍ରଣୟନ ନିଶ୍ଚିତ ଭାବେ ବ୍ୟବସ୍ଥାପିକାର କାମ। ଏହି ନିର୍ଦେଶନାମା ଏକ ମଧ୍ୟବର୍ତ୍ତୀକାଳୀନ ପଦକ୍ଷେପ।

ଉପସଂହାରକୁ ଆସିବା, ଏକ ସୁସ୍ଥ ଗଣତନ୍ତ୍ରପାଇଁ ଆବଶ୍ୟକ ଏକ ସୁସ୍ଥ ଓ ସବଳ ନିର୍ବାଚନ ଆୟୋଗ। ଏହି ରାୟରେ ସୁପ୍ରିମକୋର୍ଟ ‘ଏକ ପ୍ରଚଣ୍ଡ ଭାବେ ସ୍ବାଧୀନ, ନିଷ୍ଠାପର (ଅନେଷ୍ଟ), ଦକ୍ଷ ଏବଂ ନିରପେକ୍ଷ’ ନିର୍ବାଚନ ଆୟୋଗର ମୌଳିକ ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରିଛନ୍ତି। (ପାରା ୧୬୫,ପୃ.୨୦୫)। ଛ’ ବର୍ଷର ସୀମା ସତ୍ତ୍ବେ ବାରମ୍ବାର କମ୍‌ ଅବଧି ଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦେବା, ନିର୍ବାଚନ ଆୟୋଗର ନିରପେକ୍ଷତା ଉପରେ ସନ୍ଦେହ ସୃଷ୍ଟି ହେବା, ଅରୁଣ ଗୋଏଲ ଘଟଣା, ଧାରା ୩୨୪ (୨) ଅନୁସାରେ ଆଇନ ପ୍ରଣୟନ ନ ହେବା ଇତ୍ୟାଦି ସମ୍ବିଧାନର ରକ୍ଷକ ଭାବେ ସୁପ୍ରିମକୋର୍ଟଙ୍କୁ ଚିନ୍ତାଗ୍ରସ୍ତ କଲା। ଗଣତନ୍ତ୍ରର ମୂଳଦୁଆ-ଗୁପ୍ତ ଓ ଅବାଧ ନିର୍ବାଚନକୁ ଜୀବନ୍ତ ରଖିବାକୁ ହେଲେ ନିର୍ବାଚନ ଆୟୋଗର ସ୍ବାଧୀନତାକୁ ବଞ୍ଚାଇ ରଖିବାକୁ ପଡ଼ିବ। ଆଲୋଚ୍ୟ ରାୟ ଏ ଦିଗରେ ସୁପ୍ରିମକୋର୍ଟଙ୍କ ଏକ ବଳିଷ୍ଠ ପଦକ୍ଷେପ।

Comments are closed.