ତେଣ୍ଡା, ଯନ୍ତ ଓ ସେଣା

ଅଭିମନ୍ୟୁ ଧଳ

କିଛି ବର୍ଷ ତଳେ ପ୍ରକୃତିର ସୌମ୍ୟରୂପକୁ ଲୋକ ଉପଭୋଗ କରିବା ସହିତ ଷଢ଼ଋତୁ ହାତ ଧରାଧରି ହୋଇ ଠିକ୍‌ ସମୟରେ ଧରଣୀକୁ ଆସୁଥିଲେ। ନୀରୋଗ ମଣିଷ ପ୍ରକୃତିର ଦାନକୁ ବିନିଯୋଗ କରିବା ପାଇଁ ଅକ୍ଳାନ୍ତ ପରିଶ୍ରମ କରି ଧରାବକ୍ଷକୁ ସୁନ୍ଦରରୁ ସୁନ୍ଦରତର କରି ଗଢ଼ି ତୋଳୁଥିଲା। ଠିକ୍‌ ସମୟରେ ମୌସୁମୀ ଆସୁଥିବାରୁ ଭାରତର ୭୦ ଭାଗ ଲୋକ, ଯେଉଁମାନେ କୃଷି ଉପରେ ନିର୍ଭରଶୀଳ ସେମାନେ ଏହି ବର୍ଷାପାଣିର ଉପଯୋଗ କରି ଚାଷ ଆରମ୍ଭ କରୁଥିଲେ। ବର୍ଷାଋତୁ ଚାଲିଗଲା ପରେ ସଂଚିତ ଜଳ ସବୁ ନାଳ, ଦଣ୍ଡା, ପୋଖରୀ ଗାଡ଼ିଆରେ ଭରପୂର ହୋଇ ରହୁଥିଲା। ଖରାଦିନିଆ ଫସଲ କରିବା ପାଇଁ ଚାଷୀଭାଇଙ୍କର ଜନସମସ୍ୟା ସୃଷ୍ଟି ହେଉନଥିଲା। ଫସଲରେ ପାଣି ମଡ଼ାଇବା ପାଇଁ ତେଣ୍ଡା, ଯନ୍ତ ଓ ସେଣାର ଉପଯୋଗ ହେଉଥିଲା।

ଖରାଦିନିଆ ଫସଲକୁ ପାଣି ଯୋଗାଇବା ନିହାତି ଦରକାର। ଖରାରେ ପାଣି ମଡ଼ାଇବା କଷ୍ଟ କାମ। ବର୍ତ୍ତମାନ ଯଦିଓ ଜଳସେଚନର ସୁବିଧା ପାଇଁ ଲିପ୍ଟ ଇରିଗେସନ, କେନାଲ ଓ ପାଣିପମ୍ପର ସୁବିଧା ହେଲାଣି; ପରନ୍ତୁ ଏହା ପୂର୍ବରୁ ତେଣ୍ଡା ଦ୍ୱାରା ଜଳସେଚନ କରାଯାଉଥିଲା। ସାଧାରଣତଃ ଜମିର ଉଚ୍ଚତା ଅଧିକ ଥିଲେ, ଏକ ଜଳସ୍ରୋତର ପାଣିକୁ ବଂଧାଇ ଅସ୍ଥାୟୀ କୁଣ୍ଡ ତିଆରି କରି ରଖାଯାଇଥାଏ। ଏହି କୁଣ୍ଡରୁ ତେଣ୍ଡା ସାହାଯ୍ୟରେ ପାଣି ମଡ଼ାଯାଏ। ଝରଣା, ଗାଡ଼ିଆ ଓ ପୋଖରୀର ପାଣି ତେଣ୍ଡା ସାହାଯ୍ୟରେ ଉଠାଇ ଏକ ଅସ୍ଥାୟୀ କୁଣ୍ଡରେ ରଖି ପରେ ତାକୁ ନାଳି ଜରିଆରେ ଜମିକୁ ଛଡ଼ାଯାଏ। ୨୦୧୦ ମସିହାରେ ଏକ ସର୍ବେକ୍ଷଣରୁ ଜଣାଯାଇଥିଲା ଯେ ଓଡ଼ିଶାର ୧୨.୮ ଶତକଡ଼ା ଚାଷୀ ତେଣ୍ଡା ସାହାଯ୍ୟରେ ଜଳସେଚନ କରିଥାନ୍ତି। ଆଗକାଳରେ ଅଳ୍ପ ଉଚ୍ଚତାରେ ରହୁଥିବା ନାଳକୁ ବନ୍ଧାଇ ସେହି ଜଳକୁ ତେଣ୍ଡା ସାହାଯ୍ୟରେ ଜମିକୁ ମଡ଼ା ଯାଉଥିଲା। ତେଣ୍ଡା ତିଆରି କରିବା ପାଇଁ ଭୂମି ଉପରେ ଗୋଟିଏ କେନା, (ଯାହାକୁ ମେଣ୍ଟା କୁହାଯାଏ) ଥିବା ଖୁଣ୍ଟ ପୋତି ତା ଉପରେ ତେଣ୍ଡା ବାହାର କରାଯାଏ। ବାହାରର ଜମିପଟକୁ ଥିବା ମୁଣ୍ଡରେ କାଠ, ପଥର ବାନ୍ଧି ଓଜନିଆ କରାଯାଏ। ଅନ୍ୟ ମୁଣ୍ଡରେ ପାଣି ଉଠାଇବା ପାଇଁ ତେଣ୍ଡା ବାଉଁଶ ବନ୍ଧାଯାଏ। ବାଉଁଶ ଅଗରେ ଟିଣ ବା ବାଲ୍‌ଟି ବାଉଁଶକୁ ତଳଉପରି କରି ଜଳାଶୟରୁ ପାଣି ଉଠାନ୍ତି। ତେଣ୍ଡା ଦ୍ୱାରା ୫-୬ ମିଟର ଗଭୀରରୁ ପାଣି ଉଠାଯାଇପାରେ। ଏହା ଏକ କଠିନ ପରିଶ୍ରମ କାର୍ଯ୍ୟ ହୋଇଥିବାରୁ କେବଳ ପନିପରିବା ଚାଷରେ ଜଳସେଚନ ପାଇଁ ଏହାକୁ ବ୍ୟବହାର କରାଯାଇଥାଏ।

ଏହା ପଛକୁ ଜଳସେଚନ ପାଇଁ ଆସିଥାଏ ଯନ୍ତ। ସାଧାରଣତଃ ଜମିଠାରୁ ଅଳ୍ପ ତଳେ ଥିବା ପାଣିକୁ ଉଠାଇବା ପାଇଁ ସହଜ ହୋଇଥାଏ। ଏଥିରେ ପନିପରିବାଠାରୁ ଡାଳୁଅଧାନ ଚାଷରେ ବ୍ୟବହାର କରାଯାଏ କାରଣ ଏହା ମାଧ୍ୟମରେ ଅଧିକ ପାଣି ଉଠିଥାଏ। ଜଳାଶୟ, ନଦୀ, ପୋଖରୀ, ଦଣ୍ଡା ଓ ଗାଡ଼ିଆରୁ ପାଣି ବୁହାଯାଏ। କେତେକ ସ୍ଥଳରେ ପୋଖରୀ, ଗାଡ଼ିଆ ଓ କେବଳ ଜୁଆର ସମୟରେ ଯନ୍ତ ଦ୍ୱାରା ପାଣି ମଡ଼ାଯାଇଥାଏ। ୧୦ରୁ ୧୨ ଫୁଟ ଲମ୍ୱର ଗଛରୁ ବିଶେଷ କରି ଗମ୍ଭାରୀ ଓ ଆଙ୍କଡ଼ା ଗଛକୁ କାଟି ଯନ୍ତ ନିର୍ମାଣ କରାଯାଏ। ଯେଉଁଟି ଯନ୍ତର ମୁଣ୍ଡ ଅର୍ଥାତ୍‌ ପାଦ ରଖି ପାଣିରେ ଚପାଯାଏ ତାହା ଉଚ୍ଚ ହୋଇଥାଏ ଓ ମଝିରେ ପାଣିଯିବା ପାଇଁ ଖାଲ ହୋଇ ସରୁନାଳି ପରି ହୋଇଥାଏ ଓ ଦୁଇ ପାର୍ଶ୍ୱରେ ଫୁଟେ ବା ଦଶ ଇଞ୍ଚ ଉଚ୍ଚତାର ବାଡ଼ ଭଳି ଥାଏ। ଯନ୍ତର ଶେଷଭାଗ ଅର୍ଥାତ୍‌ ୭-୮ ଫୁଟ ବାଉଁଶ ବାଡ଼ି ଦୁଇପଟରେ ୫-୬ ଫୁଟ ଛାଡ଼ି କଇଁଚି ପରି ପୋତାଯାଇ ବନ୍ଧା ଯାଇଥାଏ ଓ ଏହା ଉପରେ ୮-୯ ଫୁଟ ବାଉଁଶ ପଡ଼ିଥାଏ ଯାହା ଉପରେ ଛିଡ଼ା ହୋଇ ପାଣି ବୁହାଯାଏ। ଯନ୍ତ ମୁଣ୍ଡକୁ ଏକ ଦଉଡ଼ି ଦ୍ୱାରା ଏକ ମୋଟା ବାଉଁଶ ଯାହାକୁ ଅଳିସିରା କୁହାଯାଏ ତାହାର ଗୋଟିଏ ମୁଣ୍ଡକୁ ବନ୍ଧାଯାଏ। ଏହାକୁ ମେଣ୍ଟା ଉପରେ ରଖାଯାଇ ଅଳିଶିରାର ଶେଷମୁଣ୍ଡରେ ପଥର କିମ୍ୱା ବସ୍ତାରେ ବାଲି ପଥର ଇତ୍ୟାଦି ରଖି ବନ୍ଧାଯାଏ। ସାଧାରଣତଃ ଉପକୂଳବର୍ତ୍ତୀ ଜିଲା ଓ ନଦୀକୂଳିଆ ଅଞ୍ଚଳରେ ଯନ୍ତର ବ୍ୟବହାର କରାଯାଏ। କାରଣ ଖରାଦିନେ ମଧ୍ୟ ଏହି ଅଞ୍ଚଳରେ ଜଳପତନ ବିଶେଷ ହ୍ରାସ ପାଇ ନଥାଏ। ଯନ୍ତ କାମ ଶେଷ ହୋଇଗଲେ ଏହାକୁ ଛାଇ ଜାଗାରେ ରଖାଯାଏ। ଖରାରେ ରଖିଲେ ଏହା ଫାଟିଯାଏ। ବିଶେଷ କରି ଚାଳଘରର ଓଳିରେ ଏହାକୁ ଟଙ୍ଗାଇ ଦିଆଯାଏ।

prayash

ଏକ ୧୫ ଲିଟରିଆ ଟିଣର ମୁହଁକୁ ଓ ଲମ୍ୱ ଭାବେ ଗୋଟିଏ ପାଣିକୁ କାଟି ଏହା ମୁହଁରେ ପତଳା କଣ କିମ୍ୱା କଣିରେ ବନ୍ଧାଯାଏ। ଏହି ଟିଣର ଉପର ପାଣିରେ ଛୋଟ ଛୋଟ କଣାକରି ଦୁଇ ପଟରେ ଦୁଇଟି ବତା ବନ୍ଧାଯାଇ ଏହାର ଦୁଇମୁଣ୍ଡକୁ ପଛରେ ବନ୍ଧାଯାଏ। ଏହି ବତାରେ ସେଣାର ଆଗ ଓ ପଛରେ ଦୁଇଟି ଲେଖାଏଁ ରସି ବନ୍ଧାଯାଉଥିବାରୁ ଦୁଇ ପଟରେ ଦୁଇଜଣ ଏହାକୁ ଧରି ନିମ୍ନରେ ଥିବା ପାଣି ଅର୍ଥାତ୍‌ ଦୁଇତିନି ଫୁଟ ତଳୁ ପାଣି ଉଠାଇ ଜଳସେଚନ କରାଯାଏ। ଛୋଟଛୋଟ ଅଗଭୀର ଗାଡ଼ିଆ ଓ ଦଣ୍ଡାମାନଙ୍କରୁ ମାଛ ଧରିବା ପାଇଁ ଏହାକୁ ବ୍ୟବହାର କରାଯାଏ। ଜଣିକି ଆଲୋକ ବ୍ୟବହାର କରିବା ପାଇଁ ପାଞ୍ଚ ଲିଟରିଆ ଟିଣରେ ଏହା ତିଆରି ହୋଇଥାଏ। ଏହାକୁ ହାତ ସେଣା ବା ସେଡ଼ୁଅ କୁହାଯାଏ। ଆଷାଢ଼, ଶ୍ରାବଣ ମାସରେ ଅଛରାତଳି ପକାଇବା ଓ ଖରାଦିନିଆ ଫସଲରେ ପାଣି ମଡ଼ାଇବା କାମ ହୋଇଥାଏ।

ଚାଷୀଘରର ପିଲା ହୋଇଥିବାରୁ ଓ ଆମର ମାଛପୋଖରୀ, ଦଣ୍ଡା, ନାଳ ଆଦି ଥିବାରୁ ଜଳସେଚନ ଓ ମାଛ ଧରିବା ପାଇଁ ଏସବୁ ବ୍ୟବହାର କରୁଥିଲୁ। ଏବେ ଆଉ କାହାରି ଘରେ ଏସବୁ ଦେଖାଯାଉନି କିମ୍ୱା ବ୍ୟବହାର ମଧ୍ୟ ହେଉନି। ସମୟ କ୍ରମେ ଆମର ଅନେକ ବ୍ୟାବହାରିକ ଜିନିଷ ବିଲୁପ୍ତ ହେଲାଣି। ଏସବୁର ବ୍ୟବହାର ବନ୍ଦ ହେବାର ମୁଖ୍ୟ କାରଣ ଭୂ-ଗର୍ଭ ଜଳସ୍ତର ଆଶାତୀତ ଭାବେ କମିଯିବାରୁ ଖରାଦିନେ କାହିଁକି ଶୀତ ଋତୁ ଶେଷ ଆଡ଼କୁ ଜଳସଂକଟ ଦେଖାଯାଉଛି। ଏହା କେବଳ ସହର କାହିଁକି ଗାଁମାନଙ୍କରେ ମଧ୍ୟ ଦେଖିବାକୁ ମିଳିଲାଣି, ବର୍ତ୍ତମାନ ନଳକୂପ, କୂପ, ଉଠାଜଳସେଚନ ଆଜି ଅଚଳ ହୋଇଗଲାଣି।

ଏବେ ବି ସମୟ ଅଛି, ଜଳ ସଂରକ୍ଷଣ ନହୋଇ ପାରିଲେ ଚାଷ କଥା ଛାଡ଼ନ୍ତୁ ପାନୀୟ ଜଳ ଟୋପେ ପାଇବା ନାହିଁ। ବର୍ଷା ସମୟରେ ଉଦ୍‌ବୃତ୍ତ ଜଳକୁ ସଂରକ୍ଷଣ କରିବା, ବର୍ଷାଦିନେ ଛାତର ପାଣିକୁ ମାଟି ଭିତରକୁ ଛାଡ଼ିବା, ଆମର ପ୍ରଥମ କାମ। ଏବେ ଗାଁମାନଙ୍କରେ ଅଧିକାଂଶ ଲୋକଙ୍କ କୋଠାଘର। ତେଣୁ ଛାତ ପାଣିକୁ ମାଟି ଭିତରକୁ ଛାଡ଼ିବା ପାଇଁ ସରକାର ସଚେତନ କରିବା ବିଧେୟ। ସହରରେ ଏହା କଡ଼ାକଡ଼ି ହେବା ଜରୁରୀ, ଯେଉଁଠାରେ ଜଳନିଷ୍କାସନ ପାଇଁ ପାଟନାଳୀ ରହିଛି ତାହାକୁ ଶୀତଦିନ ବେଳକୁ ଚେକ୍ସ ଡ୍ୟାମ୍‌ ଦ୍ୱାରା ବନ୍ଦ କରିବା ଆବଶ୍ୟକ। ଯନ୍ତ, ତେଣ୍ଡା ଓ ସେଣା ପରି ମଧ୍ୟ ଉଠା ଜଳସେଚନ, ନଳକୂପ ଓ ପମ୍ପ ଆଦି ବନ୍ଦ ହୋଇଯିବ।

kalyan agarbati

Comments are closed.