ଅଧୀନତାର ଭିନ୍ନ କୌଶଳ ସାଂସ୍କୃତିକ ଆଧିପତ୍ୟ
ଦାଶରଥି ଭୂୟାଁ
ପ୍ରତ୍ୟେକ ସମାଜରେ ଗୋଟିଏ ଗୋଷ୍ଠୀ ଅନ୍ୟ ଏକ ଗୋଷ୍ଠୀକୁ ନିଜ ଅଧୀନରେ ରଖିବାକୁ ବିଭିନ୍ନ ପ୍ରକାର ଆଧିପତ୍ୟ କୌଶଳ ଅବଲମ୍ବନ କରିଥାଏ। ସେହି ସାମରିକ, ଆର୍ଥିକ, ରାଜନୀତିକ, କୂଟନୀତିକ ଆଧିପତ୍ୟ କୌଶଳ ମଧ୍ୟରୁ ସବୁଠାରୁ ଶକ୍ତିଶାଳୀ କୌଶଳ ହେଉଛି ସାଂସ୍କୃତିକ ଆଧିପତ୍ୟ। ତେବେ ଏହି ସାଂସ୍କୃତିକ ଆଧିପତ୍ୟ କ’ଣ? ସାଂସ୍କୃତିକ ଆଧିପତ୍ୟ ଆଦର୍ଶଗତ ଓ ସାଂସ୍କୃତିକ ଉପାୟ ଦ୍ୱାରା ପରିଚାଳିତ ଶାସନକୁ ବୁଝାଏ। ଏହା ସାଧାରଣତଃ ସାମାଜିକ ଅନୁଷ୍ଠାନ ମାଧ୍ୟମରେ ହାସଲ କରାଯାଇଥାଏ, ଯାହା କି କ୍ଷମତାଶୀଳ ଲୋକ ନିଜର ଆଦର୍ଶ, ମୂଲ୍ୟବୋଧ, ଧାରଣା ଓ ଆଚରଣକୁ ଉଚ୍ଚ ଦର୍ଶାଇ ଏବଂ ଅନ୍ୟର ସଂସ୍କୃତିକୁ ନୀଚ ଦର୍ଶାଇ ସେମାନଙ୍କ ଉପରେ ନିଜର ସଂସ୍କୃତିକୁ ଲଦିଦେଇ ସେମାନଙ୍କୁ ନିଜର ଅଧୀନରେ ରଖିବାକୁ ବାଧ୍ୟ କରନ୍ତି। ତେଣୁ ଏହି ଆଧିପତ୍ୟ ବସ୍ତୁଗତ କିମ୍ବା ଆର୍ଥିକ ନୁହେଁ, ବରଂ ଆଦର୍ଶଗତ ଅଟେ।
ଏହି ସାଂସ୍କୃତିକ ଆଧିପତ୍ୟ କେବଳ ଗୋଟିଏ ଦେଶର ବ୍ୟକ୍ତି ଓ ଗୋଷ୍ଠୀ ମଧ୍ୟରେ ସୀମିତ ନ ହୋଇ ଆନ୍ତର୍ଜାତିକ ସ୍ତରକୁ ବ୍ୟାପିଛି। ବିଶ୍ୱର ରାଜନୀତିକ ଦୃଶ୍ୟପଟରେ କ୍ଷୀଣ ଓ ବିକଶିତ ଶକ୍ତିମାନଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଛି। ଆମେରିକା ନିଜକୁ ଆତ୍ମସମୀକ୍ଷା କରୁଛି। ୟୁରୋପୀୟ ସଂଘ କଠିନ ସମସ୍ୟା ଦେଇ ଗତି କରୁଛି। ଚୀନ ଆମେରିକାର ଆଗକୁ ଯିବାକୁ ଚେଷ୍ଟା କରୁଛି। ଭାରତ ମହାଶକ୍ତି ଭାବେ ବିଶ୍ୱଗୁରୁ ହେବାକୁ ଚେଷ୍ଟା କରୁଛି; କିନ୍ତୁ ଅଥର୍ନୀତି, ରାଜନୀତି ଓ ସୈନ୍ୟ ଶକ୍ତି ମାଧ୍ୟମରେ ଏହି ଶକ୍ତିମାନେ ବିଶ୍ୱର ଅନ୍ୟ ରାଷ୍ଟ୍ର ଉପରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚାହୁଁଥିଲେ ମଧ୍ୟ ସେମାନେ ସଂସ୍କୃତିକୁ ଆଧିପତ୍ୟର ଏକ ଉପାୟ ମାଧ୍ୟମରେ ପ୍ରୟୋଗ କରିବାକୁ ଭୁଲୁନାହାନ୍ତି। ବ୍ରିଟିଶ ଉପନିବେଶବାଦ କେବଳ ରାଜନୀତିକ ଓ ଆର୍ଥିକ ସ୍ତରରେ ହୋଇନଥିଲା। ଭାରତୀୟଙ୍କୁ ନିଜ ଅଧୀନରେ ରଖିବା ପାଇଁ ବ୍ରିଟିଶ ତା’ର ସଂସ୍କୃତିକୁ ମଧ୍ୟ ଏକ ମାଧ୍ୟମ କରିଥିଲା। ଏହି ପରିପ୍ରେକ୍ଷୀରେ ବ୍ରିଟିଶ ତାହାର ଭାଷା, ପାଶ୍ଚାତ୍ୟ ଚିନ୍ତାଧାରା, ଦର୍ଶନ, କଳା ଓ ସାହିତ୍ୟକୁ ଉପଯୋଗ କରିଥିଲା। ବ୍ରିଟିଶର ସେହି ସାଂସ୍କୃତିକ ଆଧିପତ୍ୟକୁ ଆମେ ସ୍ୱୀକାର ଓ ସମ୍ମତି ପ୍ରଦାନ କରିଥିଲେ। ଏହା ଥିଲା ସାଂସ୍କୃତିକ ଆଧିପତ୍ୟର ପ୍ରଭାବିତ ପରିଣାମ, ଯାହା ଲୋକମାନଙ୍କ ଚିନ୍ତାଧାରା ଉପରେ ସିଧା ପ୍ରଭାବ ପକାଇଥିଲା। ସେମାନଙ୍କ ମତରେ ଭାରତୀୟ ସଂସ୍କୃତି ନୀଚ ଓ ବ୍ରିଟିଶ ସଂସ୍କୃତି ଶ୍ରେଷ୍ଠ ଅଟେ। ସେମାନେ ପରାମର୍ଶ ଦେଉଥିଲେ ଯେ, ଭାରତୀୟ ଲୋକମାନେ ନିଜର ସଂସ୍କୃତିକୁ ପାଶ୍ଚାତ୍ୟ ସଂସ୍କୃତି ଦ୍ୱାରା ମୂଲ୍ୟାଙ୍କନ କରିବା ଉଚିତ।
ସେମାନେ ଭାରତୀୟଙ୍କୁ ଆଫ୍ରିକୀୟଙ୍କଠାରୁ ସାମାନ୍ୟ ସଫା ଓ କଳା କହି ଭାରତ ଏକ ସାପ ଓ ହାତୀର ଦେଶ ଭାବେ ବର୍ଣ୍ଣନା କରିଥିଲେ। ଏପରି ବର୍ଣ୍ଣନା ପାଶ୍ଚାତ୍ୟ ଦେଶଗୁଡ଼ିକରେ ଭାରତର ଏକ ନକାରାତ୍ମକ ଛବି ସୃଷ୍ଟି କରିଥିଲା। ଏହି ସାଂସ୍କୃତିକ ଆଧିପତ୍ୟ ସୈନିକ, ଆର୍ଥିକ ଓ ରାଜନୀତିକ ଆଧିପତ୍ୟରୁ ଆହୁରି ତୀବ୍ର ଥିଲା। ତଥାପି ଅନେକ ଭାରତୀୟ ପଶ୍ଚିମର ସାଂସ୍କୃତିକ ଆଧିପତ୍ୟ ସମ୍ମୁଖରେ ନତମସ୍ତକ ହୋଇନଥିଲେ। ସେମାନେ ନିଜ ସଂସ୍କୃତି ଉପରେ ଦୃଢ଼ ବିଶ୍ୱାସ ରଖିଥିଲେ।
ଜଗତୀକରଣ ପରେ ସବୁ କ୍ଷେତ୍ରରେ ଏକ ବିଶ୍ୱ ସଂସ୍କୃତିର ରୂପ ଦେଖିବାକୁ ମିଳୁଛି। ଏଥି ନିମନ୍ତେ ଏକ ବିଶ୍ୱ ସଂସ୍କୃତିକୁ ମାନବ ସମାଜର ସ୍ୱୀକୃତି ମିଳି ସାରିଛି। ତେଣୁ ଆଧିପତ୍ୟ ବିସ୍ତାର ପାଇଁ ଆଧିପତ୍ୟ ଶ୍ରେଣୀ ଯେତିକି ଦାୟୀ ନୁହେଁ ତା’ଠାରୁ ଅଧିକ ଦାୟୀ ଅଧୀନତାରେ ଥିବା ଶ୍ରେଣୀ। କାରଣ ଅଧୀନତାରେ ଥିବା ଶ୍ରେଣୀର ସମ୍ମତିରେ ହିଁ ଆଧିପତ୍ୟ ଶ୍ରେଣୀ ନିଜର ଆଧିପତ୍ୟକୁ ଜାହିର କରନ୍ତି। ଏହା ଅଧୀନତାରେ ଥିବା ଶ୍ରେଣୀର ବିନା ସମ୍ମତି ଓ ଗ୍ରହଣୀୟତା ସମ୍ଭବ ନୁହେଁ I ମନୋରଞ୍ଜନ ଓ ଖୋଲାବଜାରରେ ଉପଭୋକ୍ତାଙ୍କ ପାଇଁ ବିଜ୍ଞାପନ ବାବଦରେ ଯେଉଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ତାହା କେବଳ ଉପଭୋକ୍ତାଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର ପାଇଁ। ଏଠାରେ ସଂସ୍କୃତିକୁ ଉପଭୋଗର ବସ୍ତୁରୂପେ ପ୍ରସ୍ତୁତ କରାଯାଇ ତାହାର ବଜାରୀକରଣ କରାଯାଇଛି। ସଂସ୍କୃତି ବର୍ତ୍ତମାନ ଏକ ଉତ୍ପାଦନର ବିଷୟ। ବିଶ୍ୱର ଅନ୍ୟ ଦେଶଗୁଡ଼ିକ ଉପରେ ନିଜର ଆଧିପତ୍ୟ ବିସ୍ତାର ପାଇଁ ପଶ୍ଚିମ ୟୁରୋପୀୟ ଦେଶଗୁଡ଼ିକ ସଦାସର୍ବଦା ସଂସ୍କୃତିକୁ ଏକ ମାଧ୍ୟମ ରୂପରେ ପ୍ରୟୋଗ କରିଆସିଛନ୍ତି ଏବଂ ଜଗତୀକରଣ ସଂସ୍କୃତିକୁ ବଜାରୀକରଣ କରିବାରେ ସହଜ କରିଛି।
ମାସ୍ କଲଚର, ମିଡିଆ କଲଚର ଓ ପପୁଲାର କଲଚର ଭଳି ସଂସ୍କୃତି ବଡ଼ ବଡ଼ ବହୁରାଷ୍ଟ୍ରୀୟ ନିଗମ ଦ୍ୱାରା ସୃଷ୍ଟି ହେଉଛି। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଧନ ଉପାର୍ଜନ। ଏହି ସଂସ୍କୃତି ଦ୍ୱାରା ସାମାଜିକ ସୃଜନତା ଉପରେ କମ୍ ଧ୍ୟାନ ଦିଆଯାଇ ସାମାଜିକ ନୟନ୍ତ୍ରଣ ଉପରେ ଅଧିକ ଧ୍ୟାନ ଦିଆଯାଉଛି। ସଂସ୍କୃତିର ବ୍ୟବସାୟୀକରଣ ଜଗତୀକରଣ ପ୍ରକ୍ରିୟାର ଏକ ସ୍ୱାଭାବିକ ପରିଣାମ ଅଟେ। ସାଂସ୍କୃତିକ ସାମ୍ରାଜ୍ୟବାଦ ମାଧ୍ୟମରେ ପପୁଲାର ସଂସ୍କୃତିକୁ ପ୍ରୋତ୍ସାହନ କରାଯାଉଛି। ଭାରତରେ ସଂଗୀତ, ନୃତ୍ୟ, ଚିତ୍ର, ମୂର୍ତ୍ତି, ସ୍ଥାପତ୍ୟ, ସାହିତ୍ୟ, ଔଷଧ, ଆଧ୍ୟାତ୍ମିକତା, ଯୋଗ, ଦର୍ଶନ, ଧର୍ମ, ସାହିତ୍ୟ, ସଂସ୍କୃତି, ଅହିଂସା, ଗଣତାନ୍ତ୍ରିକ ଚିନ୍ତାଧାରା ଅନେକ ଦେଶକୁ ପ୍ରଭାବିତ କରିଆସୁଛି ଓ ଏଗୁଡ଼ିକ ହେଉଛି ଭାରତର ସାଂସ୍କୃତିକ ଆଧିପତ୍ୟର ଉତ୍ସ I ଭାରତ ଦ୍ୱାରା ପ୍ରସ୍ତାବିତ ଆନ୍ତର୍ଜାତୀୟ ଯୋଗ ଦିବସରେ ବିଶ୍ୱସ୍ତରର ଅଂଶଗ୍ରହଣ ଭାରତର ନରମ ଶକ୍ତି ଛବିକୁ ମଜଭୁତ କରିଛି I ଏକବଂଶ ଶତାବ୍ଦୀ ହେଉଛି ଏସୀୟ ଯୁଗ। ସାଂସ୍କୃତିକ ପୁନର୍ଜାଗରଣରେ ବିଶ୍ୱ ସଂସ୍କୃତି ଓ କଳାର କେନ୍ଦ୍ର ନ୍ୟୁୟର୍କ ବା ଲଣ୍ଡନ ନ ହୋଇ ମୁମ୍ବଇ, ଦିଲ୍ଲୀ କିମ୍ବା ବେଜିଂ ହେବ। ସେତେବେଳେ ଆମେ ଆମର ସଂସ୍କୃତିର ବାସ୍ତବ କାୟାକଳ୍ପ ପ୍ରକଟ କରିପାରିବା ଯେତେବେଳେ ଆମେ ଆମ ସଂସ୍କୃତିର ବ୍ୟାଖ୍ୟା ପାଶ୍ଚାତ୍ୟ ସଂସ୍କୃତିର ମନଦଣ୍ଡରେ କରିବା ଛାଡ଼ିଦେବା।
ବର୍ତ୍ତମାନ ସ୍ଥାନୀୟ ସ୍ତରରେ ସାଂସ୍କୃତିକ ଆଧିପତ୍ୟର ବିଶ୍ଳେଷଣ କରିବା। ବିଶ୍ବର ସମସ୍ତ ସମାଜ ଶକ୍ତିଶାଳୀ/ଉଚ୍ଚବର୍ଗର ଚିନ୍ତାଧାରା ଓ ଦର୍ଶନ ଦ୍ୱାରା ପ୍ରଭାବିତ। ଆର୍ଥିକ ଢାଞ୍ଚାରେ ଶକ୍ତିଶାଳୀ/ଉଚ୍ଚବର୍ଗ ନିମ୍ନବର୍ଗ ଉପରେ ଆଧିପତ୍ୟ ବିସ୍ତାର କରୁଥିଲେ ମଧ୍ୟ ସେମାନେ ନିଜର କଳା, ସଂସ୍କୃତି, ସାହିତ୍ୟ, ଧର୍ମଗ୍ରନ୍ଥ, ଆଇନ, ଶିକ୍ଷା ଭଳି ଅନେକ ସଂଗଠନ ମାଧ୍ୟମରେ ଏକ ସଂସ୍କୃତିକ ଆଧିପତ୍ୟର ବଳୟ ସୃଷ୍ଟି କରନ୍ତି। ନାରୀ ଉପରେ ପୁରୁଷର ଆଧିପତ୍ୟ ହେଉଛି ଏକ ସାଂସ୍କୃତିକ ଆଧିପତ୍ୟ। ଏହି ଆଧିପତ୍ୟ ଏକ ସାମାଜିକ ଓ ସାଂସ୍କୃତିକ ସର୍ଜନା I ମାଟି ଓ ନାରୀ ଗର୍ଭରେ ବୀଜବୁଣିବା ଅଧିକାର ପ୍ରଥମେ ପୁରୁଷ ହାସଲ କଲା। ଏହା ପରେ ପରିବାର ଅନୁଷ୍ଠାନର ଭରଣ ପୋଷଣ ନାମରେ ପଶୁ, ପକ୍ଷୀ, ବୃକ୍ଷ, ଲତା, ପରିବେଶ ଆଦି ସମସ୍ତଙ୍କ ଉପରେ ପୁରୁଷ ଆଧିପତ୍ୟ ବିସ୍ତାର କଲା। ବ୍ୟକ୍ତିର ମାନସିକ ସ୍ତରରେ ଦାସତ୍ୱ ହେଉଛି ସବୁଠାରୁ ବଡ଼ ଦାସତ୍ୱ, ଯାହା ଖାଦ୍ୟ, ପୋଷାକ, ଭାଷା, ନାଚ, ଗୀତ, ସାମାଜିକ ଉତ୍ସବ ଆଦିରେ ସ୍ପଷ୍ଟ ଦେଖିବାକୁ ମିଳେ। ଏହି କାରଣରୁ ସାଂସ୍କୃତିକ ଆଧିପତ୍ୟ ପ୍ରାକୃତିକ ନ ହୋଇ ସମାଜ ନିର୍ମିତ ଏକ କୃତ୍ରିମ ସଂସ୍କୃତି ଅଟେ। ଏହାର ଦାର୍ଶନିକ ମୂଳକୁ ମଧ୍ୟ ଆମ୍ଭେ ଖୋଜି ପାଇପାରିବା। ଏହି ସଂସ୍କୁତି ହେଉଛି ଏକପାଖିଆ। ଅର୍ଥାତ୍ କ୍ଷମତାଶୀଳ ବର୍ଗର ଲୋକେ ଦୁର୍ବଳ ବର୍ଗ ଉପରେ ନିଜର ସାଂସ୍କୃତିକ ମୂଲ୍ୟବୋଧକୁ ଲଦି ଦେଇଥାଆନ୍ତି ଏବଂ ସେମାନଙ୍କୁ ନିଜ ଅଧୀନରେ ରଖିବା ପାଇଁ ଏହା ଏକ ମଧ୍ୟମ ହୋଇଥାଏ।
ମହିଳା ଏବଂ ଶୂଦ୍ରମାନଙ୍କୁ ବେଦ ପଢ଼ିବାକୁ ଅନୁମତି ଦିଆଯାଇନଥିଲା, କାରଣ ସେମାନଙ୍କୁ ସାମାଜିକ ସ୍ତରର ସର୍ବନିମ୍ନରେ ଥିଲେ ବୋଲି ବିବେଚନା କରାଯାଉଥିଲା। କେତେକ ଜାତିର ଲୋକଙ୍କ ପାଇଁ ମନ୍ଦିର ପ୍ରବେଶରେ ବାରଣ ଥିଲା। ମନୁଷ୍ୟକୃତ ବିଭିନ୍ନ ଧାର୍ମିକ ବିଶ୍ବାସ, ଧର୍ମଗ୍ରନ୍ଥର ବାଣୀ ଓ ବକ୍ତବ୍ୟ ମାଧ୍ୟମରେ ନିମ୍ନବର୍ଗର ଲୋକଙ୍କୁ ନିଜ ଆଧିପତ୍ୟରେ ରଖିବା ପାଇଁ ଉଚ୍ଚବର୍ଗର ଲୋକେ ସକ୍ଷମ ହୋଇଥିଲେ I ସାଂସ୍କୃତିକ ଆଧିପତ୍ୟ ଭାରତରେ ଜାତିଗତ ସ୍ତରକରଣ/ ସାମାଜିକ ସ୍ତର ବିନ୍ୟାସର ଅନ୍ୟତମ କାରଣ ଥିଲା। କାରଣ ବୁଦ୍ଧିଜୀବୀ, ପୁଞ୍ଜିପତି, ରାଜା, ଜମିଦାର, ଉଚ୍ଚବର୍ଗ ନିଜକୁ ସୁହାଇଲା ଭଳି ଅନେକ ସାମାଜିକ, ସାଂସ୍କୃତିକ, ଧାର୍ମିକ ଧାରଣା ସୃଷ୍ଟିକରି ସାମାଜିକ ସମ୍ପର୍କ ମାଧ୍ୟମରେ ସେଇ ଧାରଣା ଉପରେ ନିମ୍ନବର୍ଗର ସହମତି ପ୍ରାପ୍ତକରି ସେମାନଙ୍କ ଉପରେ ନିଜର ଆଧିପତ୍ୟ ବିସ୍ତାର କରିଥିଲେ। ସମାଜର ନିମ୍ନବର୍ଗର ସଂସ୍କୃତି ଉଚ୍ଚ ଓ ମଧ୍ୟବର୍ଗର ସଂସ୍କୃତିଠାରୁ ଭିନ୍ନ। କାରଣ ଉଭୟେ ପରିବାରର ସାମାଜିକୀକରଣ ମାଧ୍ୟମରେ ନିଜ ନିଜର ଭିନ୍ନ ସଂସ୍କୃତିକୁ ଗ୍ରହଣ କରିଥାନ୍ତି। ଉଚ୍ଚ ବର୍ଗ ସମାଜର ବିଶ୍ବାସ, ଆଦର୍ଶ, ମୂଲ୍ୟବୋଧ ଇତ୍ୟାଦିକୁ ଏପରି ଭାବରେ ବ୍ୟବହାର କରନ୍ତି ଯେ ଉଚ୍ଚବର୍ଗର ଦୃଷ୍ଟିକୋଣ ସେହି ସମାଜର ଗ୍ରହଣୀୟ ବିଶ୍ୱ ଦୃଷ୍ଟିକୋଣରେ ପରିଣତ ହୁଏ I
ବାସ୍ତବରେ ଉନ୍ନତ କିମ୍ବା ନିମ୍ନମାନର କୌଣସି ସଂସ୍କୃତି ନାହିଁ। ସେହିଭଳି ଗୋଟିଏ ସଂସ୍କୃତି ଅନ୍ୟ ଅପେକ୍ଷା ଭଲ କି ଖରାପ ନୁହେଁ। ଏହା ସାମାଜିକ, ଆର୍ଥନୀତିକ, ରାଜନୀତିକ ଏବଂ ସାଂସ୍କୃତିକ ବିବିଧତା ଉପରେ ନିର୍ଭର କରେ। ଆଧୁନିକ ମଣିଷ ଧାରଣା ଓ ଆଦର୍ଶକୁ ତିଆରି କରୁଛି, ଅବଷ୍କାର କରୁନାହିଁ। ମନ ଓ ଚିନ୍ତାରେ ପାର୍ଥକ୍ୟ ଯୋଗୁ ଧାରଣା ଓ ଆଦର୍ଶ ସାର୍ବଜନୀନ ହେଉନାହିଁ। ପାଶ୍ଚାତ୍ୟ ଦେଶର ଲୋକଙ୍କ ପାଇଁ ଯେଉଁ ଆଦର୍ଶ ସତ୍ୟ ତାହା ପ୍ରାଚ୍ୟ ଦେଶର ଲୋକଙ୍କ ପାଇଁ ମିଥ୍ୟା ହୋଇପାରେ। ତେଣୁ ପ୍ରତ୍ୟେକ ସଂସ୍କୃତିର ଗରିମା ହେଉଛି ସେହି ସମାଜର ବ୍ୟକ୍ତି ଓ ଗୋଷ୍ଠୀ ପରିପ୍ରେକ୍ଷର ବିଷୟ। ସଂସ୍କୃତି ମଧ୍ୟରେ ଉଚ୍ଚ ଓ ନୀଚ ଏକ ପର୍ଯ୍ୟାୟଭୁକ୍ତ। କେବଳ ଆଧିପତ୍ୟ ବିସ୍ତାର ପାଇଁ ଓ ସ୍ୱାର୍ଥ ହାସଲ ପାଇଁ ସଂସ୍କୃତିର ଅପବ୍ୟବହାର କରାଯାଉଛି। ସଂଖ୍ୟାଗରିଷ୍ଠ ଲୋକେ ନିଜର ସଂସ୍କୃତିକୁ ସତ୍ୟ କହି ସଂଖ୍ୟାଲଘୁଙ୍କ ଉପରେ ଲଦି ଦେଉଛନ୍ତି। ଉଚ୍ଚବର୍ଗର ନୀଚବର୍ଗ ଉପରେ, ପୁରୁଷର ନାରୀ ଉପରେ କିମ୍ବା ପାଶ୍ଚାତ୍ୟ ଦେଶଗୁଡ଼ିକର ବିଶ୍ବର ବଳକା ଦେଶ ଉପରେ ସାଂସ୍କୃତିକ ଆଧିପତ୍ୟର ପ୍ରତିରୋଧ ପାଇଁ ଅପର ଗୋଷ୍ଠୀର ପାଲଟା ସାଂସ୍କୃତିକ ଆଧିପତ୍ୟ ଆବଶ୍ୟକ I
Comments are closed.