ପ୍ରଧାନମନ୍ତ୍ରୀ ଗତିଶକ୍ତି: ପ୍ରଗତିର ଭିତ୍ତି

ନୀତିନ ଗଡ଼କରୀ, କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ

୨୦୧୪ରେ ନରେନ୍ଦ୍ର ମୋଦୀ ଭାରତର ପ୍ରଧାନମନ୍ତ୍ରୀ ଭାବେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ଆତ୍ମନିର୍ଭର ରାଷ୍ଟ୍ର ନିର୍ମାଣ ଥିଲା ତାଙ୍କର ମୂଳ ଲକ୍ଷ୍ୟ। ତାଙ୍କ ନେତୃତ୍ୱରେ ଆଜି ସମାଜର ସବୁ ବର୍ଗଙ୍କୁ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାଠାରୁ ଆରମ୍ଭ କରି ଦ୍ରୁତ ଏବଂ ବ୍ୟାପକ ବିକାଶ ସମ୍ଭବ ହୋଇପାରିଛି, ଆଉ ଏହା ହିଁ ଏକ ଉଦୀୟମାନ ନୂତନ ଭାରତର ପରିଚୟ ପାଲଟିଛି।

ଏ ସରକାର ଦକ୍ଷତା ଓ ପାରଦର୍ଶିତାର ଏକ ସଂସ୍କୃତି ବିକଶିତ କରିବାରେ ଅନେକ ମାତ୍ରାରେ ସଫଳ ହୋଇଛନ୍ତି । ଅନ୍ତିମ ସୋପାନରେ ବିଭିନ୍ନ ସୁବିଧା ସୁଯୋଗ ଦ୍ରୁତ ଓ ସୁଗମ ଢଙ୍ଗରେ ପହଞ୍ଚିପାରୁଛି। କେବଳ ସେତିକି ନୁହେଁ; ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଉନ୍ନତ ସମନ୍ୱୟ ଓ ସମ୍ପର୍କ ଜରିଆରେ ସାମଗ୍ରିକ ବିକାଶକୁ ବ୍ୟାପକ ସ୍ତରରେ ବିସ୍ତାରିତ କରାଯାଇ ପାରିଛି। ୨୦୨୪-୨୫ ସୁଦ୍ଧା ଭାରତକୁ ୫ ଟ୍ରିଲିୟନ ଡଲାର ଅର୍ଥ ବ୍ୟବସ୍ଥାରେ ପରିଣତ କରିବାର ସଂକଳ୍ପ ନେଇ ସରକାର ‘ସବ୍‌କା ସାଥ୍, ସବ୍‌କା ବିକାଶ’ ଲକ୍ଷ୍ୟ ସହିତ ଅଗ୍ରସର ହେଉଛନ୍ତି ।

ମାନନୀୟ ପ୍ରଧାନମନ୍ତ୍ରୀ ‘ପିଏମ୍‌ ଗତିଶକ୍ତି ଜାତୀୟ ମାଷ୍ଟର ପ୍ଲାନ’ର ଶୁଭାରମ୍ଭ କରିଥିଲେ। ଭିତ୍ତିଭୂମି କ୍ଷେତ୍ର ପାଇଁ ‘ଗତି’କୁ ଅଧିକ ‘ଶକ୍ତି’ ପ୍ରଦାନ କରିବା ସହିତ ଏକ ନୂତନ ଭାରତ ନିର୍ମାଣ ପାଇଁ ଏଥିରେ ପରିକଳ୍ପନା କରାଯାଇଛି। ‘ଆତ୍ମନିର୍ଭର ଭାରତର ସଂକଳ୍ପ ନେଇ ଆଗାମୀ ୨୫ ବର୍ଷ ପାଇଁ ବିକଶିତ ଭାରତବର୍ଷର ମୂଳଦୁଆ ପ୍ରତିଷ୍ଠା ହେଉଛି। ଆମେ କେବଳ ଠିକ୍ ସମୟରେ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବାର ଏକ ସଂସ୍କୃତି ବିକଶିତ କରି ନାହୁଁ, ବରଂ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ଲାଗି ଉଦ୍ୟମ କରୁଛୁ’ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମହାମାରୀଜନିତ ଭୂ-ରାଜନୈତିକ ସଙ୍କଟ ଦେଶର ସବୁ ବିକାଶମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରିଥିଲା। ହେଲେ ଭାରତ ଦୃଢ଼ ସଂକଳ୍ପବଦ୍ଧ ହୋଇ ଏହି ପରିସ୍ଥିତିର ସଫଳ ମୁକାବିଲା କରିବା ସହିତ ଦ୍ରୁତ ବିକାଶ ପଥରେ ଅଗ୍ରସର ହେଉଛି ।

ମାନନୀୟ ପ୍ରଧାନମନ୍ତ୍ରୀଙ୍କ ପରିକଳ୍ପିତ ଏହି ମାଷ୍ଟର ପ୍ଲାନରେ ଆସନ୍ତା ୨୫ ବର୍ଷ ମଧ୍ୟରେ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ ଲାଗି ଲକ୍ଷ୍ୟ ରଖାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଏକ ଡିଜିଟାଲ ପ୍ଲାଟଫର୍ମ ଯାହା ୧୬ଟି କେନ୍ଦ୍ର ମନ୍ତ୍ରଣାଳୟକୁ ଗୋଟିଏ ପ୍ଲାଟଫର୍ମ ବା ମଞ୍ଚରେ ଏକତ୍ର କରିଛି । ଏଥିରେ ମୋର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ସାମିଲ ରହିଛି । ଦେଶର ବିଭିନ୍ନ ପ୍ରାନ୍ତ, ବିଶେଷକରି ସବୁ ଆକାଙ୍‌କ୍ଷୀ ଜିଲା, ଜନଜାତୀୟ କ୍ଷେତ୍ର, ପାର୍ବତ୍ୟାଞ୍ଚଳ ଏବଂ ଉତ୍ତର-ପୂର୍ବାଞ୍ଚଳ କ୍ଷେତ୍ରରେ ବ୍ୟାପକ ଓ ସମାବେଶୀ ସାମାଜିକ-ଆର୍ଥିକ ପ୍ରଗତି ପାଇଁ ଭିତ୍ତିଭୂମି ଯୋଗାଯୋଗ ପ୍ରକଳ୍ପ ନିର୍ମାଣ ଲାଗି ଏକୀକୃତ ଭାବେ ଯୋଜନା ପ୍ରସ୍ତୁତ କରିବା ତଥା ଏହାକୁ କାର୍ଯ୍ୟକାରୀ କରିବା ନିମନ୍ତେ ଗତିଶକ୍ତି ମାଷ୍ଟରପ୍ଲାନରେ ବ୍ୟବସ୍ଥା କରାଯାଇଛି ।

ଗତ କିଛିବର୍ଷ ମଧ୍ୟରେ, ସରକାର ଏକ ସାମଗ୍ରିକ ଦୃଷ୍ଟିକୋଣ ନେଇ ଅଭୂତପୂର୍ବ ଭିତ୍ତିଭୂମି ବିକାଶ ସୁନିଶ୍ଚିତ କରିଛନ୍ତି । ଏହି ମାଷ୍ଟରପ୍ଲାନରେ ବୃହତ୍‌ ଭିତ୍ତିଭୂମି ପ୍ରକଳ୍ପ ପାଇଁ ଅଂଶୀଦାରଙ୍କ ନିମନ୍ତେ ସାମଗ୍ରିକ ଯୋଜନା ପ୍ରସ୍ତୁତିକୁ ସଂସ୍ଥାଗତ ରୂପ ଦିଆଯାଇଛି । ଫଳରେ ଅତୀତର ସବୁ ସମସ୍ୟା ସମାଧାନ କରାଯାଇ ପାରିଛି । ପୃଥକ୍‌ ଭାବେ ଯୋଜନା ପ୍ରସ୍ତୁତି ଓ ଡିଜାଇନ କରିବା କାରଣରୁ ପୂର୍ବରୁ ଯେଉଁ ବାଧା ସୃଷ୍ଟି ହେଉଥିଲା ତାହା ଏବେ ଦୂର ହୋଇଛି। ଏହି ଜାତୀୟ ମାଷ୍ଟରପ୍ଲାନ ଅଧୀନରେ ଗୋଟିଏ ପ୍ଲାଟଫର୍ମରେ ପ୍ରକଳ୍ପଗୁଡ଼ିକର ଡିଜାଇନ ପ୍ରସ୍ତୁତ କରାଯାଉଛି ଏବଂ ସମାନ ଦୃଷ୍ଟିକୋଣ ନେଇ ସେ ସବୁକୁ କାର୍ଯ୍ୟକାରୀ କରାଯାଉଛି । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଦେଶବ୍ୟାପୀ ଅତ୍ୟାଧୁନିକ ବହୁମୁଖୀ ଭିତ୍ତିଭୂମି ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରହିଛି, ଜାତୀୟ ମାଷ୍ଟରପ୍ଲାନ ଅଧୀନରେ ଏହା ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି ।

କ୍ୟାବିନେଟ ଆଗରେ ମୁଁ ବିଭିନ୍ନ ପ୍ରକାର ପ୍ରକଳ୍ପ ଉପସ୍ଥାପନ କରିବା ସମୟରେ ମାନନୀୟ ପ୍ରଧାନମନ୍ତ୍ରୀ ସବୁବେଳେ ଅଭିନବ ପରାମର୍ଶମାନ ଦେଇ ସେଗୁଡ଼ିକର ମୂଲ୍ୟ ବୃଦ୍ଧି କରିଥାନ୍ତି। ସେ ନିରନ୍ତର ଭାବେ ପ୍ରକଳ୍ପ ଅନୁଧ୍ୟାନ କରିଥାନ୍ତି । ଅଧିକ ସମ୍ମାନଜନକ ଓ ବୃହତ୍‌ ପ୍ରକଳ୍ପ କ୍ଷେତ୍ରରେ ସେ ବ୍ୟକ୍ତିଗତ ଭାବେ ପ୍ରଗତି ଅନୁଧ୍ୟାନ କରିଥାନ୍ତି ଏବଂ ସବୁ ଅଂଶୀଦାର, ବିଶେଷକରି ଶ୍ରମଶକ୍ତିଙ୍କୁ ସେମାନଙ୍କର ମୂଲ୍ୟବାନ ଯୋଗଦାନ ପାଇଁ ଉତ୍ସାହିତ କରିଥାନ୍ତି।

ମୋର ଗୃହରାଜ୍ୟ ମହାରାଷ୍ଟ୍ରର, ମନ୍ଦିର ସହର ପଣ୍ଢରପୁରକୁ ସଂଯୋଗ କରିବାକୁ ଥିବା ଦୁଇଟି ବିକାଶମୂଳକ ସଡ଼କ ଯୋଗାଯୋଗ ପ୍ରକଳ୍ପ ପାଇଁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଧାରଶିଳା ରଖିବା ସମୟରେ ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଥିଲା । ଶ୍ରୀ ସନ୍ଥ ଧ୍ୟାନେଶ୍ୱର ମହାରାଜ ପାଲ୍‌କିମାର୍ଗର ୫ଟି ସେକ୍ସନ ଏବଂ ଶ୍ରୀ ସନ୍ଥ ତୁକାରାମ ମହାରାଜ ପାଲ୍‌କିମାର୍ଗର ତିନିଟି ସେକ୍ସନ ସଡ଼କକୁ ଚାରିଲେନ ବିଶିଷ୍ଟ କରିବା ଲାଗି ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ ।

ଦେଖନ୍ତୁ ସେ କିଭଳି ଏକ ସମ୍ପର୍କ ସ୍ଥାପନ କରିଥାନ୍ତି, ‘ମୋର ୱାରକରୀ ଭାଇ’ମାନଙ୍କଠାରୁ ସେ ତିନିଟି ଆଶୀର୍ବାଦ ଚାହିଁଥିଲେ – ରାଜପଥ କଡ଼ରେ ଥିବା ପାଦଚଲା ରାସ୍ତାରେ ଚାରାରୋପଣ, ସଡ଼କର ନିର୍ଦିଷ୍ଟ ଦୂରତାରେ ପାନୀୟଜଳ ବ୍ୟବସ୍ଥା ଏବଂ ପଣ୍ଢରପୁରକୁ ଭାରତର ସବୁଠୁ ସ୍ୱଚ୍ଛ ତୀର୍ଥସ୍ଥଳୀରେ ପରିଣତ କରିବା । ମାନନୀୟ ପ୍ରଧାନମନ୍ତ୍ରୀଙ୍କ ବିକାଶ ଲକ୍ଷ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ରହିଛି – ସାଂସ୍କୃତିକ ପୁନରୁଦ୍ଧାର ସହିତ ଆଧୁନିକତା ଏବଂ ସଭ୍ୟତାଗତ ଐତିହ୍ୟ।

ଆମର ଭାରତମାଳା ପରିଯୋଜନା କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀଙ୍କ ଅନ୍ୟ ସବୁ ପ୍ରମୁଖ ଯୋଜନା ଯଥା- ସାଗରମାଳା, ସମର୍ପିତ ମାଲକରିଡର, ଜାତୀୟ ଲଜିଷ୍ଟିକ୍ସ ନୀତି ଓ ଶିଳ୍ପ କରିଡର, ଉଡ଼ାନ-ଆରସିଏସ, ଭାରତ ନେଟ, ଡିଜିଟାଲ ଇଣ୍ଡିଆ, ପର୍ବତମାଳା ଏବଂ ମେକ୍‌ ଇନ୍‌ ଇଣ୍ଡିଆ ଆଦି ପାଇଁ ସହାୟକ ହୋଇଛି ।

ସାରା ଦେଶରେ ନୂଆ ରାଜପଥ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଭାରତମାଳା ପରି ଯୋଜନା ହେଉଛି ଏକ ମହଦାକାଂକ୍ଷୀ ନୂଆ ରାଜପଥ ପ୍ରକଳ୍ପ। ଦୂରରୁ ଦୂରବର୍ତ୍ତୀ ସୀମାନ୍ତ ଏବଂ ଗ୍ରାମୀଣକ୍ଷେତ୍ର ସମେତ ଜନଜାତି ଏବଂ ପଛୁଆ କ୍ଷେତ୍ରରେ ଯୋଗାଯୋଗ ସୁବିଧା ପହଞ୍ଚାଇବା ଉପରେ ସ୍ୱତନ୍ତ୍ର ଭାବେ ଗୁରୁତ୍ୱ ଦିଆଯାଉଛି ।

ଭାରତମାଳା ପରି ଯୋଜନାର ଅଂଶ ବିଶେଷ ସ୍ୱରୂପ ଏନଏଚଆଇ ଏବଂ ଏନଏଚଆଇଡିସିଏଲ ଦ୍ରୁତଗତିରେ ବିଭିନ୍ନ ଗ୍ରୀନ ଫିଲ୍ଡ ଏକ୍ସପ୍ରେସ ୱେ ଏବଂ ୩୫ଟି ବହୁମୁଖୀ ଲଜିଷ୍ଟିକ୍ସ ପାର୍କ (ଏମଏମଏଲପି) ନିର୍ମାଣ ସାରିବାକୁ ଲାଗି ପଡ଼ିଛନ୍ତି।

ଦିଲ୍ଲୀ-ମୁମ୍ବଇ ଏକ୍ସପ୍ରେସ ୱେ, ଅହମ୍ମଦାବାଦ-ଢୋଲେରା ଏକ୍ସପ୍ରେସ ୱେ, ଦିଲ୍ଲୀ-ଅମୃତସର- କାଟରା ଏକ୍ସପ୍ରେସ ୱେ, ବେଙ୍ଗାଲୁରୁ-ଚେନ୍ନାଇ ଏକ୍ସପ୍ରେସ ୱେ, ଅମ୍ବାଲା-କୋଟପୁତଲି ଏକ୍ସପ୍ରେସ ୱେ, ଅମୃତସର- ଭଟିଣ୍ଡା- ଜାମନଗର ଏକ୍ସପ୍ରେସ ୱେ, ରାୟପୁର-ଭାଇଜାଗ ଏକ୍ସପ୍ରେସ ୱେ, ହାଇଦରାବାଦ- ଭାଇଜାଗ ଏକ୍ସପ୍ରେସ ୱେ, ସହରାଞ୍ଚଳ ସମ୍ପ୍ରସାରଣ ସଡ଼କ-।।, ଚେନ୍ନାଇ- ସାଲେମ ଏକ୍ସପ୍ରେସ ୱେ ଏବଂ ଚିତ୍ତୁର- ଥାଚୁର ଏକ୍ସପ୍ରେସ ୱେ ଭଳି କେତେକ ବୃହତ୍‌ ଏକ୍ସପ୍ରେସ ୱେ କାମ ସମ୍ପୂର୍ଣ୍ଣ ହେବାକୁ ଯାଉଛି ।

ଆଉ କେତେକ ବୃହତ୍‌ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ, ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ରହିଛି । ଏଥିରେ ସାମିଲ ରହିଥିବା ସମ୍ମାନଜନକ ଜୋଜିଲାଟନେଲ ଏବଂ ଜେଡ୍-ମୋର୍ଥ ପ୍ରକଳ୍ପ ଶ୍ରୀନଗର ଏବଂ ଲେହ ମଧ୍ୟରେ ଯୋଗାଯୋଗ ସ୍ଥାପନ କରିବ ।

ମୋ ମନ୍ତ୍ରଣାଳୟ ଅଧୀନରେ ସଡ଼କ ଓ ରାଜପଥ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକର ଅଭୂତପୂର୍ବ ପ୍ରଗତି ଏବଂ ବିକାଶ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସକ୍ଷମ ଓ ଦକ୍ଷ ନେତୃତ୍ୱ ତଥା ତାଙ୍କର ଦୂରଦୃଷ୍ଟି ବିନା ସମ୍ଭବ ହୋଇପାରି ନଥାନ୍ତା । ଦେଶର ବିକାଶ ପାଇଁ ସେ ଅବିଶ୍ରାନ୍ତ ଗତିରେ ଦିନରାତି କାମ କରିଚାଲିଛନ୍ତି । ତାଙ୍କର ପ୍ରୟାସ ଏବଂ ନିରନ୍ତର ମାର୍ଗଦର୍ଶନ ଆମକୁ ନୂତନ ଭାରତର ସଂକଳ୍ପକୁ ବାସ୍ତବ ରୂପ ଦେବା ଦିଗରେ ଆଗେଇ ନେଉଛି ।

ଏଇ ଶନିବାର ଆମ ସମସ୍ତଙ୍କ ପ୍ରିୟ ଏବଂ ସବୁଠୁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ୭୨ ବର୍ଷରେ ପଦାର୍ପଣ କରୁଛନ୍ତି । ଏହି ଦିନକୁ ଆମେ ଅଭିନବ ଢଙ୍ଗରେ ପାଳନ କରିବାକୁ ନିଷ୍ପତ୍ତି ନେଇଛୁ । ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିବସ ଉପଲକ୍ଷେ ତାଙ୍କୁ ସମ୍ମାନ ଜଣାଇ ମୋ ମନ୍ତ୍ରଣାଳୟର ସବୁ ବିକାଶ ଏବଂ ପ୍ରଗତିମୂଳକ କାର୍ଯ୍ୟର ଶ୍ରେୟ ଆମେ ତାଙ୍କୁ ଦେଉଛୁ ।

Comments are closed.