ନିଃସଙ୍ଗ ବାର୍ଦ୍ଧକ୍ୟ

ଗିରିଜା ଶଙ୍କର ମିଶ୍ର

ଜୀବନ ସୁଖଦୁଃଖର ନଈଟିଏ। ହସକାନ୍ଦର ବହିଟିଏ। ନଈ ବହି ଚାଲିଥାଏ ଅବିରତ, ଅପ୍ରତିହତ। ବହିର ପୃଷ୍ଠା ଲେଉଟୁଥାଏ ପ୍ରତିନିୟତ। ସମୟର ସୁଅରେ ବଦଳି ଯାଉଥାଏ ସମାଜ ଓ ବ୍ୟକ୍ତିର ଚିତ୍ରଚରିତ୍ର। ସମ୍ପର୍କର ଖିଅ ଯୋଡୁଯୋଡୁ, ବିଶ୍ୱାସର ଦିଅଁ ଗଢୁଗଢୁ ନଈ ଆସି ମୁହାଣ ନିକଟରେ। ସମୁଦ୍ର ଆଉ ଡାକେ ଦୂର। ଏଇ ବୋଧେ ବାର୍ଦ୍ଧକ୍ୟ। ଶରୀର ଅବସନ୍ନ। ଦୃଷ୍ଟି, ଶ୍ରୁତି, ସ୍ମୃତିଶକ୍ତି କ୍ଷୀଣରୁ କ୍ଷୀଣତମ। ପକ୍ବକେଶ, ଶ୍ଳଥ ଚର୍ମ। ମ୍ଳାନ ମୌନ ଅପରାହ୍ଣ। ଅସ୍ତାଚଳରେ ବିକର୍ତ୍ତନ। ସାଫଲ୍ୟର ଦୌଡରେ ବନ୍ଧୁହୀନ ଜୀବନ।

ସ୍ମରଣକୁ ଆସୁଛି ଆମେରିକାର ଏକ ପ୍ରତିଷ୍ଠିତ ସମ୍ବାଦପତ୍ରର ଏକ ପ୍ରତିବେଦନ। ଜାପାନରେ ନିଃସଙ୍ଗ ଲୋକଙ୍କର ଆତ୍ମହତ୍ୟାପ୍ରବଣତା ବଢିବଢି ଚାଲିଛି। ଜାପାନକୁ ପୃଥିବୀରେ ‘ବୃଦ୍ଧ ଲୋକମାନଙ୍କର ଦେଶ’ ବୋଲି କୁହାଯାଉଛି; କାରଣ ଏହି ଦେଶର ଜନସଂଖ୍ୟାର ପ୍ରାୟ ୩୦ ପ୍ରତିଶତ ଲୋକଙ୍କର ବୟସ ୬୫ ବର୍ଷରୁ ଅଧିକ। ଅର୍ଥାତ୍‌ ସାଢେ ୧୨ କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ୩ କୋଟି ୮୦ ଲକ୍ଷ ଲୋକ ବୟସ୍କ ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ନିଃସଙ୍ଗ। ଯେଉଁମାନେ ଜୀବନ ଯାକର ଶ୍ରମ ଓ ଜ୍ଞାନ କୌଶଳର ବିନିମୟରେ ଏତେ ବଡ ଦେଶର ଭାଗ୍ୟ ନିର୍ମାଣ କଲେ, ଉତ୍ତର ଜୀବନରେ ସେମାନଙ୍କର ଏକମାତ୍ର ସାଥୀ ବ୍ୟାଟେରି ଚାଳିତ ଯନ୍ତ୍ର ବା ରୋବଟ। ଏହି ଉପକରଣଗୁଡିକରେ ନା ଅଛି ଚେତନା ନା ସମ୍ବେଦନା। ଫଳରେ ଅଜଣା ଆଶଙ୍କାରେ ଆତ୍ମମଗ୍ନ ଏହି ବ୍ୟକ୍ତିମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି।

ଏହି ପ୍ରେକ୍ଷାପଟରେ ଗତ ମେ’ ମାସରେ ଫ୍ରାନ୍ସର କେନ୍ସରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ ଜାପାନର ଚଳଚ୍ଚିତ୍ର ‘ପ୍ଲାନ ୭୫’ ମନେ ପଡିଯାଉଛି। ଏହାର ହୃଦୟ ବିଦାରକ କାହାଣୀ ସମସ୍ତଙ୍କୁ ହତଚକିତ କରି ଦେଇଥିଲା। ଉତ୍ସବର କଳରୋଳ ଭିତରେ ନିରବି ଯାଇଥିଲା ନୂପୁରର ନିକ୍ୱଣ। ଚଳଚ୍ଚିତ୍ରର ପଟ୍ଟକଥା ଅନୁଯାୟୀ ୭୫ ବର୍ଷରୁ ଊର୍ଦ୍ଧ୍ବ ପ୍ରତ୍ୟେକ ବ୍ୟକ୍ତି ଜାପାନ ସରକାରଙ୍କ ସହ ଗୋଟିଏ ଚୁକ୍ତି ସ୍ବାକ୍ଷର କରୁଛନ୍ତି। ସର୍ତ୍ତ ଅନୁଯାୟୀ ସରକାରଙ୍କଠାରୁ ସେମାନେ କିଛି ଅର୍ଥ ରାଶି ପାଇବେ। ପ୍ରତି ବଦଳରେ ସେମାନେ ୟୁଥୁନେସିଆ ବା ଇଚ୍ଛାମୃତ୍ୟୁକୁ ଆପଣେଇନେବେ। ବଡ ଅବସୋସର କଥା ଜାପାନର କ୍ରମବର୍ଦ୍ଧିଷ୍ଣୁ ବୟସ୍କ ଲୋକମାନଙ୍କ ସଂଖ୍ୟାକୁ ସୀମିତ କରିବାକୁ ଚଳଚ୍ଚିତ୍ରରେ ସମାଧାନର ଯେଉଁ ପନ୍ଥା ଦର୍ଶାଯାଇଛି ତାହା ମାନବତାର ପରିପନ୍ଥୀ।

ଜାପାନ, ଆମେରିକା ପରି ଆମ ଦେଶରେ ମଧ୍ୟ ବାର୍ଦ୍ଧକ୍ୟ କ୍ରମଶଃ ସଂକଟମୟ ହେବାରେ ଲାଗିଛି। କାରଣ ଆମ ସାଫଲ୍ୟ ଓ ସ୍ବାଚ୍ଛନ୍ଦ୍ୟ ବିଦେଶୀ ସଂସ୍କୃତି ଦ୍ୱାରା ଏତେ ପରିମାଣରେ ପ୍ରଭାବିତ ଯେ ଆମ ସାମାଜିକ ସଂଯୋଗର ପରିଚିତ ନକ୍ସା ଦିନକୁ ଦିନ ସଂକୁଚିତ ହେବାରେ ଲାଗିଛି। ଏହାର ଅବଧାରିତ ଫଳ ନିଃସଙ୍ଗତା। ସମାଜରେ ନ୍ୟୂନତମ ସାମାଜିକ ସୁରକ୍ଷାର ବନ୍ଦୋବସ୍ତ ନାହିଁ। ଯେଉଁମାନେ ଶାରୀରିକ ଶ୍ରମ କରି ଗୁଜୁରାଣ ମେଣ୍ଟାଉଥିଲେ ବାର୍ଦ୍ଧକ୍ୟ ସେମାନଙ୍କ ପାଇଁ ବୋଝ। ଯେଉଁମାନେ ବାର୍ଦ୍ଧକ୍ୟ ଭତ୍ତାକୁ ଆଶ୍ରା କରି ଢୋକେ ପିଇ ଦଣ୍ଡେ ଜିଉଛନ୍ତି ସେମାନଙ୍କ ଜୀବନ ମଧ୍ୟ ଦୁର୍ବିସହ। ମଧ୍ୟବିତ୍ତ ଶ୍ରେଣୀର ପ୍ରବୀଣମାନେ କ୍ରମହ୍ରାସମାନ ବ୍ୟାଙ୍କ ସୁଧ ଓ କ୍ରମ ବର୍ଦ୍ଧମାନ ଦରଦାମ୍‌ର ଆବର୍ତ୍ତରେ ଘାଣ୍ଟି ହେଉଛନ୍ତି। ନିଜର ପୁଷ୍ଟି, ପରିଚର୍ଯ୍ୟା ଓ ଚିକିତ୍ସାର ଭାର ବହନ କରିବାକୁ ସେମାନେ ବି ଅକ୍ଷମ।

ଚିକିତ୍ସା ବିଜ୍ଞାନର ଉନ୍ନତି ଫଳରେ ବାର୍ଦ୍ଧକ୍ୟ ପ୍ରଲମ୍ବିତ। ଯଦିଓ ଜାପାନ ଭଳି ଆମ ଦେଶର ହାରାହାରି ଆୟୁ ୮୫ ବର୍ଷ ନୁହେଁ, ତଥାପି ଦେଶ ସ୍ୱାଧୀନ ହେଲା ବେଳେ ଆମର ହାରାହାରି ପରମାୟୁ ଯେଉଁଠି ମାତ୍ର ୩୩ ବର୍ଷ ଥିଲା ତାହା ଏବେ ବୃଦ୍ଧିପାଇ ୭୦ ବର୍ଷରେ ପହଞ୍ଚିଲାଣି। ଏଥି ସହ ମୂଲ୍ୟବୋଧର ଅବକ୍ଷୟ ଓ ଏକାନ୍ନବର୍ତ୍ତୀ ପରିବାରର ବିଲୟ ଫଳରେ ବୃଦ୍ଧବୃଦ୍ଧାମାନେ ଅବହେଳିତ। ନା ସେମାନେ ଉତ୍ପାଦକ ନା ବହୁତ କିଛି କ୍ରୟ କଲାପରି ଉପଭୋକ୍ତା। ତେଣୁ ସରକାର ବା ବଜାର କେହି ତାଙ୍କ କଥା ଭୁଲରେ ବି ଚିନ୍ତା କରନ୍ତିନି। ବୟସାଧିକ ଶାରୀରିକ ସମସ୍ୟା ସହ ନିଦ୍ରାହୀନତା, ହତାଶା ଭାବ, ଆତ୍ମବିଶ୍ୱାସରେ ଘୋର ଅଭାବ ଏମିତି ଅନେକ ରୋଗ, ଉପସର୍ଗ ଓ ଔଷଧର ପାର୍ଶ୍ବପ୍ରତିକ୍ରିୟାରେ ଏମାନେ ଅବସାଦଗ୍ରସ୍ତ।

ସମସ୍ତେ ଜାଣନ୍ତି ବାର୍ଦ୍ଧକ୍ୟ ଗୋଟିଏ ପ୍ରାକୃତିକ ନିୟମ ଓ ସମସ୍ତଙ୍କର ନିୟତି। ଏଇ ସମୟରେ ବାପାମାଆଙ୍କୁ ଲୋଡ଼ା ଟିକେ ଆଶା ଆଶ୍ୱାସନା। ସାନ୍ନିଧ୍ୟର ନୈବେଦ୍ୟ; କିନ୍ତୁ ପୁତ୍ରକନ୍ୟା କିଏ ଆମେରିକାରେ ତ କିଏ ​ବେଙ୍ଗାଲୁରୁ‌େ‌ର। ସେମାନଙ୍କୁ ଲୋଡ଼ା ସ୍ୱାଧୀନତା ଓ ସ୍ୱଚ୍ଛଳତା। ହାତକୁ ପାଣି ଗିଲାସଟେ ବଢ଼େଇ ଦେବାକୁ, ବିପଦଆପଦରେ ଆହା ଟିକେ କରିବାକୁ କେହି ପାଖରେ ନାହାନ୍ତି। ମନେପଡୁଛି ବ୍ୟାସକବି ଫକୀରମୋହନଙ୍କ କାଳଜୟୀ କ୍ଷୁଦ୍ରଗଳ୍ପ ‘ଡାକ ମୁନସି’। ପୁଅ ଗୋପାଳ ବାବୁ ଡାକମୁନ୍‌ସି। ‘ବାପାଙ୍କୁ ଦେଖିଲେ ମିଛୁଟାରେ ରଗରଗ ସିଂ ସିଂ ହୁଅନ୍ତି। ଏଟା ମୂର୍ଖ। ଇଂରାଜୀ ଜାଣେ ନାହିଁ, ମୂଲିଆ ମଳିଆ ଲୁଗା ପିନ୍ଧିଥାଏ। ଏଟାକୁ ବାପା ବୋଲି ଡାକିବି ? ଲୋକେ କ’ଣ କହିବେ ? ଏଟାକୁ ବସାରୁ ନ ତଡ଼ିଲେ ଆଉ ଇଜ୍ଜତ ରହିବ ନାହିଁ। ଦିନେ ପୁଅ ବାପକୁ କହିଦେଲେ, ଦେଖ ତୁମେ ମୋର କିଛି ଉପକାର କରିନାହଁ । ଇଚ୍ଛାହେଲେ ବସାରେ ରହ ନୋହିଲେ ଚାଲିଯାଅ। ଗୋପାଳ କଥା ଶୁଣି ବୁଢାର କାନମୁଣ୍ଡା ଭାଁ ଭାଁ କଲା। ଅଜାଗା ଘା’ ଦେଖି ହୁଏ ନାହିଁ କି ଦେଖାଇ ହୁଏ ନାହିଁ।’ ୧୧୦ ବର୍ଷ ତଳେ ରଚିତ ଏହି ଗଳ୍ପର ପ୍ରାସଙ୍ଗିକତା ଆଜି ମଧ୍ୟ ମର୍ମେମର୍ମେ ଅନୁଭୂତ ହୁଏ।

ପାଟନାରେ ଚାକିରି କଲାବେଳେ ବୋରିଂ ରୋଡ଼ ଘର ସାମନା ଆପାର୍ଟମେଣ୍ଟରେ ଜଣେ ଅଶୀତିପର ବୟସ୍କା ଭଦ୍ରମହିଳା ଏକାକୀ ରହୁଥିଲେ। ତିନି ପୁଅ ଯାକ ପ୍ରବାସୀ। ସବୁଦିନ ସନ୍ଧ୍ୟାବେଳେ ସେ ଝରକାଟିକୁ ବନ୍ଦ କରନ୍ତି ଓ ସକାଳେ ପରଦା ଆଡେଇ ଝରକା ଖୋଲି ଦିଅନ୍ତି। ସମସ୍ତଙ୍କୁ ସେ କହୁଥିଲେ, ‘‘ଯଦି କେଉଁ ଦିନ ସକାଳେ ଝରକା ନଖୋଲିଲା ତେବେ ଆପଣମାନେ ଜାଣିବେ…।’’

ଏହି ବରିଷ୍ଠ ନାଗରିକମାନଙ୍କର ଶରୀର ଓ ମନକୁ ସୁସ୍ଥ ରଖିବା ସମାଜ ଓ ପରିବାରର ନୈତିକ କର୍ତ୍ତବ୍ୟ। ଯୌଥ ପରିବାରର ସମୃଦ୍ଧ ସଂସ୍କୃତି ଓ ପ୍ରେରଣାକୁ ପୁନର୍ଜୀବିତ କରିବାକୁ ହେବ। ଜାପାନ ଓ ଇଂଲଣ୍ଡ ସରକାରଙ୍କ ଭଳି ଆମ ସରକାର ମଧ୍ୟ ‘ଏକାକୀତ୍ୱ ମନ୍ତ୍ରଣାଳୟ’ ନାମରେ ନୂଆ ମନ୍ତ୍ରଣାଳୟଟିଏ ଗଠନ କରି ସ୍ବେଚ୍ଛାସେବୀ ସଂଗଠନଙ୍କ ସହିତ ମିଳିମିଶି ସମାଜରୁ ବିଚ୍ଛିନ୍ନ ହେଉଥିବା ଏହି ବୟସ୍କ ଲୋକମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ନିଷ୍ଠାର ସହ କାର୍ଯ୍ୟ କରିବା ଉଚିତ।

Comments are closed.