www.samajalive.in
Sunday, December 14, 2025
23.1 C
Bhubaneswar

ସମ୍ପ୍ରସାରିତ ଗଣତନ୍ତ୍ର

ଏକବିଂଶ ଶତାବ୍ଦୀରେ ଭାରତୀୟ ଗଣତନ୍ତ୍ରର ପରିଭାଷା ପରିବର୍ତ୍ତନ ହୋଇ ଆଶାର ଆଲୋକ ସଂଚାର କରିଛି । ଭାରତ ସ୍ବାଧୀନ ହେବାର ଅନେକ ବର୍ଷ ପର୍ଯ୍ୟନ୍ତ ଭାରତୀୟ ଗଣତନ୍ତ୍ରର ସଫଳତାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ପ୍ରତ୍ୟେକ ଆଲୋଚନାଚକ୍ରରେ ନକାରାତ୍ମକ ଟିପ୍ପଣୀ ପ୍ରକାଶ ପାଇଛି। ଭାରତର ଗଣତନ୍ତ୍ରରେ ଏକ ଦଳୀୟ ଶାସନ, ସମ୍ଭ୍ରାନ୍ତ ବଂଶୀୟ ପ୍ରଭାବ, ଧନବଳ, ବାହୁବଳର ଚାପରେ ପରିଚାଳିତ ହୋଇ ସାଧାରଣ ଲୋକଙ୍କ ଅଧିକାର ପାଇଁ ପେଚା ରାବ ସୃଷ୍ଟି କରି ଆସିଛି; କିନ୍ତୁ ବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ଭାରତୀୟ ଗଣତନ୍ତ୍ରର ଏକ ନୂତନ ମାନଚିତ୍ରର ଅୟମାରମ୍ଭ ହୋଇଛି ଓ ଆଜି ଭାରତୀୟ ଗଣତନ୍ତ୍ର ଏକ ପ୍ରଗତିଶୀଳ ଲୋକାଭିମୁଖୀ ସମ୍ପ୍ରସାରିତ ଗଣତନ୍ତ୍ରରେ ପରିଣତ ହେବାକୁ ଯାଉଛି । ଆମ ପଡୋଶୀ ରାଷ୍ଟ୍ର ଯଥା ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ନେପାଳରେ ଗଣତନ୍ତ୍ର ଦୁର୍ବଳ ହେବାରେ ଲାଗିଥିଲାବେଳେ ଭାରତୀୟ ଗଣତନ୍ତ୍ର ମୌଳିକ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ରୁଦ୍ଧିମନ୍ତ ହେବାରେ ଲାଗିଛି ।

ଆଦିବାସୀ ଘରର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଆସନରେ ଅଧିଷ୍ଠିତ ହେବା ଭାରତୀୟ ଗଣତନ୍ତ୍ର ପାଇଁ ଶୁଭ ସଙ୍କେତ ଅଟେ। ସାଧାରଣ ଲୋକଙ୍କ ମନରେ ଗଣତନ୍ତ୍ର ପ୍ରତି ବିଶ୍ବାସ ସୃଷ୍ଟି ହୋଇଛି। ଏକବିଂଶ ଶତାବ୍ଦୀରେ ଆଞ୍ଚଳିକ ଦଳଗୁଡ଼ିକର ଭାରତୀୟ ରାଜନୀତିରେ ପ୍ରଭାବ ଓ ମିଳିତ ମନ୍ତ୍ରିମଣ୍ଡଳର ପରମ୍ପରା ଭାରତର ଗଣତନ୍ତ୍ରକୁ ସମ୍ପ୍ରସାରିତ କରିଛି; କିନ୍ତୁ ଏହା ଆମ୍ଭକୁ ନିଦ୍ରାଳୁ ନକରି ଗଣତନ୍ତ୍ରର ସଂପୂର୍ଣ୍ଣ ସଫଳତା ପାଇଁ ଆହୁରି ଅନେକ ପରିବର୍ତ୍ତନ ଆଣିବାକୁ ହେବ ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଆସ୍ଥା ସୃଷ୍ଟି କରିବାକୁ ପଡିବ ।

- Advertisement -

ଗଣତନ୍ତ୍ରର ସଂଜ୍ଞା ନିରୂପଣ କରିବାକୁ ଯାଇ ରାଜନୀତି ବିଜ୍ଞାନୀ ସେଲି କହିଥିଲେ ଯେ ଗଣତନ୍ତ୍ର ସେହି ସରକାର ଯେଉଁଥିରେ ପ୍ରତ୍ୟେକ ଲୋକର ଅଧିକାର ରହିଛି । ଲର୍ଡ ବ୍ରାଇସ କହିଥିଲେ ଗଣତନ୍ତ୍ର ତାହାକୁ କୁହାଯାଏ ଯେଉଁଥିରେ କ୍ଷମତା କେବଳ ଗୋଟିଏ ଗୋଷ୍ଠୀ ଭିତରେ କେନ୍ଦ୍ରୀଭୂତ ନ ହୋଇ ସମାଜର ସମସ୍ତ ବ୍ୟକ୍ତି ହାତରେ ନ୍ୟସ୍ତ ଥାଏ । ରାଷ୍ଟ୍ରର ସ୍ବାଧୀନତା ଓ ସାର୍ବଭୌମତ୍ବ ସାର୍ବଜନୀନ ସାବାଳକ ଭୋଟ ପ୍ରଥା, ସାମାଜିକ, ରାଜନୈତିକ, ଅର୍ଥନୈତିକ ଅଧିକାର, ସାମାଜିକ, ଅର୍ଥନୈତିକ ନ୍ୟାୟ, ଗଣତାନ୍ତ୍ରିକ ପ୍ରକ୍ରିୟାରେ ସମସ୍ତଙ୍କର ଅଂଶ ଗ୍ରହଣ ଆଧୁନିକ ଗଣତନ୍ତ୍ରର ଭିତ୍ତିଭୂମି । ଏହାକୁ ଆଧାର କରି ଭାରତର ମୁକ୍ତି ସଂଗ୍ରାମ ଗଢି ଉଠିଥିଲା । ଏହି ସଂଗ୍ରାମ କେବଳ ଉଚ୍ଚ ଶିକ୍ଷିତ, ଉଚ୍ଚ ବଂଶର ନେତୃବୃନ୍ଦଙ୍କ ମଧ୍ୟରେ ସୀମିତ ନଥିଲା । ରାଜା, ପ୍ରଜା, ପାଇକ, ବିଶୋଇ, ମହିଳା, ଦଳିତ ଆଦିବାସୀ ସମସ୍ତଙ୍କର ଯୋଗଦାନ ଓ ବଳିଦାନରେ ଭାରତ ସ୍ବାଧୀନ ହୋଇଥିଲା, ଗାନ୍ଧୀଙ୍କଠାରୁ ଗୋପବନ୍ଧୁଙ୍କ ପର୍ଯ୍ୟନ୍ତ, ଝାନ୍‌ସୀରାଣୀ ଲକ୍ଷ୍ମୀବାଈଙ୍କ ଠାରୁ ଲକ୍ଷ୍ମୀ ସେହେଗଲଙ୍କ ପର୍ଯ୍ୟନ୍ତ, ସହିଦ ଲକ୍ଷ୍ମଣ ନାୟକଙ୍କଠାରୁ ଆରମ୍ଭ କରି ବିର୍ସା ମୁଣ୍ଡା, ନିର୍ମଲ ମୁଣ୍ଡାଙ୍କ ପର୍ଯ୍ୟନ୍ତ ବ୍ରିଟିଶ ସରକାରଙ୍କର ଅନ୍ୟାୟ ବିରୁଦ୍ଧରେ ଲଢେଇ କରିଥିଲେ ଓ ଅନେକ ଜୀବନକୁ ଦେଶ ପାଇଁ ବିସର୍ଜନ କରିଥିଲେ; କିନ୍ତୁ ସ୍ବାଧୀନତା ପରେ କ୍ଷମତା ସାଧାରଣ ଲୋକଙ୍କ ପାଖରେ ନ ରହି କେତେକ ମୁଷ୍ଟିମେୟ ପ୍ରଭାବଶାଳୀ ବୁଦ୍ଧିଜୀବୀଙ୍କ ହାତରେ ନ୍ୟସ୍ତ ରହିଲା। ଗଣତନ୍ତ୍ର ନାମରେ ପରିବାରବାଦ ଓ ସମ୍ଭ୍ରାନ୍ତ ବଂଶୀୟ ଶାସନ ଚାଲିଥିଲା ଯାହାକି ସରକାର ଓ ସାଧାରଣ ଲୋକଙ୍କ ଭିତରେ ଏକ ବିରାଟ ଫାଟ ସୃଷ୍ଟି କରିଥିଲା। ଭାରତର ଗଣତନ୍ତ୍ରକୁ ଏକ ଦଳୀୟ ଗଣତନ୍ତ୍ର ବୋଲି ରାଜନୈତିକ ସମୀକ୍ଷକମାନେ ବର୍ଣନା କରୁଥିଲେ ।

ଭାରତର ସମ୍ବିଧାନ ପୃଥିବୀର ସବୁଠାରୁ ବୃହତ୍ତମ ସମ୍ବିଧାନ ଅଟେ। ଭାରତ ହେଉଛି ପୃଥିବୀର ସର୍ବବୃହତ୍‌ ଗଣତନ୍ତ୍ର। ସମ୍ବିଧାନରେ ‘ଆମେ ଭାରତବାସୀ କ୍ଷମତାର ଉତ୍ସ’ ବୋଲି କୁହାଯାଇଛି। ଏହାର ଅର୍ଥ ହେଲା ଭାରତର ଶାସନ ଭାର ପ୍ରତ୍ୟେକ ଭାରତୀୟଙ୍କଠାରେ ନ୍ୟସ୍ତ ରହିବ । ଭାରତର ସମ୍ବିଧାନ ଏକ ସାର୍ବଭୌମ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ସମ୍ବିଧାନ ଅଟେ । ଏହି ସ୍ବାଧୀନ ରାଷ୍ଟ୍ରରେ ସାମାଜିକ, ଅର୍ଥନୈତିକ, ରାଜନୈତିକ ନ୍ୟାୟ ପ୍ରତିଷ୍ଠାର ଲକ୍ଷ୍ୟ ରଖାଯାଇଛି । ସବୁ ଧର୍ମର ସମାନ ଅଧିକାର ରହିଛି ଏବଂ ପ୍ରତ୍ୟେକ ନାଗରିକଙ୍କର ଧର୍ମଗତ ସ୍ବାଧୀନତା ରହିଛି। ଭାରତର ଗଣତାନ୍ତ୍ରିକ ସାଧାରଣତନ୍ତ୍ର ବ୍ୟବସ୍ଥାରେ ପ୍ରତ୍ୟେକ ନାଗରିକର ସ୍ବାଧୀନ ଭାବରେ ଭୋଟ ଦାନରେ ଓ ସରକାରରେ ଅଂଶ ଗ୍ରହଣ କରିବାର ଅଧିକାର ରହିଛି; କିନ୍ତୁ ଭାରତବର୍ଷର ସ୍ବାଧୀନତାଠାରୁ ୧୯୭୭ ମସିହା ପର୍ଯ୍ୟନ୍ତ କେନ୍ଦ୍ରରେ ଏକ ଦଳୀୟ ଶାସନ ଏବଂ ‘ପ୍ରଧାନମନ୍ତ୍ରୀୟ ସରକାର’ର ପ୍ରଭାବ ଯୋଗୁଁ ଭାରତର ଗଣତନ୍ତ୍ରର ସଫଳତାକୁ ନେଇ ସନ୍ଦେହ ସୃଷ୍ଟି ହେଲା ।

୨୦୦୦ ମସିହା ପରେ ଭାରତର ରାଜନୀତିରେ ପରିବର୍ତ୍ତନ ଆସିଛି। ଆଞ୍ଚଳିକ ଦଳଙ୍କର ଅଭ୍ୟୁଦୟ ଓ ପ୍ରଭାବ ବିସ୍ତାର, କେନ୍ଦ୍ରରେ ମିଳିତ ମନ୍ତ୍ରିମଣ୍ଡଳର ସଫଳତା ଇତ୍ୟାଦି ଭାରତୀୟ ଗଣତନ୍ତ୍ରକୁ ସମ୍ପ୍ରସାରିତ କରିଛି । ଯେଉଁ ଆଶଙ୍କା କରାଯାଉଥିଲା ଯେ ଆଞ୍ଚଳିକ ଦଳମାନଙ୍କର ପ୍ରଭାବ ବିସ୍ତାର ଭାରତର ଗଣତନ୍ତ୍ରକୁ ଦୁର୍ବଳ କରିଦେବ ତାହା ଭୁଲ ପ୍ରମାଣିତ ହୋଇଛି । ବିଗତ ବାଇଶ ବର୍ଷ ଧରି ଆଞ୍ଚଳିକ ଓ ଜାତୀୟ ଦଳର ସହଯୋଗରେ ଭାରତର ଗଣତନ୍ତ୍ର ସୁଦୃଢ ହେବାରେ ଲାଗିଛି ଓ ସଙ୍ଘୀୟ ବ୍ୟବସ୍ଥା ସହଯୋଗୀ ସଙ୍ଘୀୟ ବ୍ୟବସ୍ଥାର ରୂପ ନେଇଛି ।

ବିଶେଷ ଆକର୍ଷଣର ବିଷୟ ହେଉଛି ଭାରତର ଗଣତନ୍ତ୍ରରେ ମହିଳା, ଦଳିତ ଆଦିବାସୀମାନଙ୍କର ସକ୍ରିୟ ଅଂଶଗ୍ରହଣ। ଆମେ ଭାରତବାସୀ ନିଜକୁ ହୀନମନା କରି ଅନ୍ୟ ଦେଶର ଗଣତନ୍ତ୍ରକୁ ପ୍ରଶଂସା କରିବାରେ ବ୍ୟସ୍ତ; କିନ୍ତୁ ବାସ୍ତବତା ହେଉଛି ଭାରତର ସ୍ବାଧୀନତା ଦିନଠାରୁ ସାର୍ବଜନୀନ ଭୋଟପ୍ରଥା ପ୍ରଚଳିତ ହୋଇ ଆସୁଛି। ମହିଳାମାନଙ୍କୁ ସମାନ ଅଧିକାର ଦିଆଯାଇଛି; କିନ୍ତୁ ଆମେରିକାରେ ୧୯୧୯ ମସିହା ପର୍ଯ୍ୟନ୍ତ, ବ୍ରିଟେନରେ ୧୯୧୮ ମସିହା ପର୍ଯ୍ୟନ୍ତ ଏବଂ ସୁଇଜରଲାଣ୍ଡରେ ୧୯୭୫ ମସିହା ପର୍ଯ୍ୟନ୍ତ ମହିଳାମାନଙ୍କୁ ଭୋଟ ଦାନର ଅଧିକାର ଦିଆଯାଇନଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଆଜି ପର୍ଯ୍ୟନ୍ତ କୌଣସି ମହିଳା ରାଷ୍ଟ୍ରପତି ହେବାର ସୁଯୋଗ ପାଇନାହାନ୍ତି। ଏପରି କି ୨୦୨୧ ପର୍ଯ୍ୟନ୍ତ କୌଣସି ମହିଳା ଉପରାଷ୍ଟ୍ରପତି ମଧ୍ୟ ହୋଇନଥିଲେ; କିନ୍ତୁ ଭାରତ ଗଣତନ୍ତ୍ରରେ ଇନ୍ଦିରା ଗାନ୍ଧୀ ଅନେକ ଦିନ ଧରି ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ପରେ ପ୍ରତିଭା ପାଟିଲ ଓ ବର୍ତ୍ତମାନ ଦ୍ରୋପଦୀ ମୁର୍ମୁ ଭାରତର ରାଷ୍ଟ୍ରପତି ହେବାର ସୁଯୋଗ ପାଇଲେ ଯେଉଁଥିପାଇଁ କି ଭାରତର ଗଣତନ୍ତ୍ର ସମଗ୍ର ବିଶ୍ବରେ ଅନେକ ପ୍ରଶଂସା ସାଉଁଟିବାରେ ସମର୍ଥ ହୋଇଛି । ଏତଦ୍‌ ବ୍ୟତୀତ ଭାରତର ଲୋକସଭାର ବାଚସ୍ପତି, ବିଭିନ୍ନ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପଦରେ ମହିଳାମାନେ ସ୍ଥାନ ପାଇଛନ୍ତି।

ସମ୍ପ୍ରସାରିତ ଗଣତନ୍ତ୍ରର ଆଉ ଏକ ମାଇଲ ଖୁଣ୍ଟ ହେଲା ପଞ୍ଚାୟତ ଓ ନଗର ପାଳିକା ସ୍ତରରେ ମହିଳା, ଦଳିତ ଓ ଆଦିବାସୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା। ଏହା ପ୍ରଥମେ ୧୯୯୦ ମସିହାରେ ଓଡ଼ିଶାରୁ ଆରମ୍ଭ ହୋଇଥିଲା ଓ ପରବର୍ତ୍ତୀ କାଳରେ ୧୯୯୨ ମସିହାରେ ୭୩ ତମ ଓ ୭୪ ତମ ସମ୍ବିଧାନ ସଂଶୋଧନ ଆଇନ ଫଳରେ ଏହାକୁ ସମ୍ବିଧାନ ଅନ୍ତର୍ଭୁକ୍ତ କରାଯାଇଛି; ଯାହାକି ଭାରତରେ ତୃଣମୂଳରେ ସାଧାରଣ ଲୋକ ଅଂଶଗ୍ରହଣ କରିବାର ସୁଯୋଗ ସୃଷ୍ଟି କରିଛି ।

ଏକବିଂଶ ଶତାବ୍ଦୀରେ ଭାରତର ସମାଜବାଦୀ ଧର୍ମନିରପେକ୍ଷ ଗଣତନ୍ତ୍ରର ପରିଭାଷା ବଦଳିବାରେ ଲାଗିଛି । ଜାତି, ଧର୍ମ, ଲିଙ୍ଗର ବୈଷମ୍ୟ ହ୍ରାସ ପାଇଛି । ଲୋକମାନଙ୍କର ରାଜନୈତିକ ସଚେତନତା ବଢିବା ସହିତ ନିର୍ବାଚନରେ ଅଂଶ ଗ୍ରହଣ ବଢିଛି; କିନ୍ତୁ ଭାରତରେ ଗଣତାନ୍ତ୍ରିକ ପ୍ରକ୍ରିୟା ସମ୍ପୂର୍ଣ ଭାବରେ ସଫଳ ରୂପ ନେଇ ପାରିନାହିଁ । ଭାରତରେ ଥିବା ଦାରିଦ୍ର୍ୟ, ବେକାରୀ, ନିରକ୍ଷରତା ବାଧକ ସାଜିଛି । ଭାରତର ରାଜନୀତିରେ ଅପରାଧୀକରଣ, ଧନବଳର ବିସ୍ତାର, ରାଜନୈତିକ ପ୍ରତିଶୋଧ ପରାୟଣତା, ଗୁଣ୍ଡାରାଜ ଓ ଭୟଭିତ୍ତିକ ରାଜନୀତି ଗଣତନ୍ତ୍ର ପ୍ରତି ବିପଦ ସୃଷ୍ଟି କରିଛି । ଏତଦ୍‌ ବ୍ୟତୀତ ଭାରତରେ ରାଜନୈତିକ ଦଳଗୁଡ଼ିକର ଅଗଣତାନ୍ତ୍ରିକ କାର୍ଯ୍ୟଶୈଳୀ, ମିଥ୍ୟା ପ୍ରତିଶ୍ରୁତି, ନୈତିକତା ଓ ଆଦର୍ଶ ବିହୀନ ରାଜନୀତି ଗଣତନ୍ତ୍ରକୁ ବିପଥଗାମୀ କରାଉଛି ।

ଭାରତର ଗଣତନ୍ତ୍ରକୁ ସୁଦୃଢ କରିବାକୁ ହେଲେ ସାମାଜିକ, ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ବ ଦେବାକୁ ହେବ; ବିଶେଷ କରି ଲୋକେ ପ୍ରକୃତ ଶିକ୍ଷା ଯେପରି ପାଇପାରିବେ ଏବଂ ରାଷ୍ଟ୍ରର କାର୍ଯ୍ୟରେ ଭାଗ ନେବାରେ ସକ୍ଷମ ହୋଇପାରିବେ ସେଥିପ୍ରତି ଧ୍ୟାନ ଦେବାକୁ ପଡିବ। କେବଳ ରାଜନୀତି ନୁହଁ; ରାଷ୍ଟ୍ରନୀତିକୁ ପାଥେୟ କରୁଥିବା ରାଜନେତାଙ୍କର ଆବଶ୍ୟକତା ରହିଛି । ଭାରତର ଗଣତନ୍ତ୍ର ଦୀର୍ଘାୟୁ​‌େ‌ହଉ ଏବଂ ସାଧାରଣ ଲୋକ ଗର୍ବର ସହିତ କ୍ଷମତାର ପ୍ରକୃତ ଅଧିକାରୀ ହୁଅନ୍ତୁ ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories