ଆଜିକାଲି ତ ସାମାଜିକ ଗଣମାଧ୍ୟମର ଯୁଗ। ଅନେକ ସମୟରେ ସାମାଜିକ ଗଣମାଧ୍ୟମରେ ଗାଁ ଓ ପୁରୁଣା ସ୍ମୃତିକୁ ନେଇ ଲେଖା ସବୁ ଆସୁଛି। କିଏ ଗାଁକୁ ଗଲା ତ ତା’ରି ଫଟୋ ଅପ୍ଲୋଡ଼ କରୁଛି। ଗାଁ ନଈକୂଳ, ଗାଁ ମନ୍ଦିର, ଠାକୁରାଣୀ, ଲମ୍ବା ପାଟ (ବିଲ)ର ଫଟୋ ଆସୁଛି। ଆଉ ଯେତେବେଳେ ଅଧିକାଂଶ ଲୋକ ସେ ଫଟୋ ଦେଖୁଛନ୍ତି- ଗାଁକୁ ନେଇ ତାଙ୍କର ଆବେଗ ସ୍ପଷ୍ଟ ଭାବେ ଫୁଟି ବାହାରି ପଡ଼ୁଛି। ସେମାନେ ଗାଁ ସଂପର୍କରେ ନିଜର ପୁରୁଣା ଦିନର ହଜାରେ କଥା ଲେଖୁଛନ୍ତି। ତାଙ୍କ ସମୟରେ ଗାଁ କେମିତି ଥିଲା, କେମିତି ଚମତ୍କାର ଓ ମନୋରମ ଥିଲା ଗାଁର ଦୃଶ୍ୟ ଓ ପରିବେଶ ସେ ସଂପର୍କରେ ସେମାନେ ଲକ୍ଷେ ସ୍ମୃତି ଲେଖୁଛନ୍ତି।
ମୋଟ ଉପରେ କଥା ହେଲା- ଏବର ଡିଜିଟାଲ୍ ଓ ସଦା ବ୍ୟସ୍ତ ଜୀବନରେ ଆମେ ଗାଁକୁ ଝୁରୁଛୁ। ଆମକୁ ଫୁରସତ୍ ନାହିଁ ଏ ଜୀବନରୁ ମୁକୁଳିବାକୁ। ଆମକୁ ଏ ଜୀବନ ଅନେକ ସମୟରେ ଚିକିଟା ବି ଲାଗୁଛି। ହେଲେ ଆମେ ଛାଡ଼ିପାରୁ ନାହୁଁ। ଆମେ ସେଇ ସମୟରେ ଗାଁକୁ ଝୁରୁଛୁ। ପିଲା ବେଳ, ସ୍କୁଲ, ପୋଖରୀ, ଆମ୍ବତୋଟା ସବୁ ମନେ ପଡ଼ୁଛି। କିନ୍ତୁ ସେଇ ଝୁରିବା ସହରରେ ରହି। ଆମେ କେହି ଗାଁକୁ ବିଶେଷ ଆଉ ଯାଉନୁ। ବରଂ ସହରରେ ରହି ପାଟି କରୁଛୁ- ଗାଁ ସବୁ ନଷ୍ଟ ହୋଇ ଗଲାଣି। ଗାଁ କଣ ଆଗ ପରି ଆଉ ଗାଁ ଅଛି ଯେ, ମଣିଷ ସେଠାକୁ ଯିବ ଓ ରହିବ?
ପ୍ରଶ୍ନ ହେଉଛି- ଆମକୁ ସଦା ବିଭୋର କରୁଥିବା ଆମ ଗାଁସବୁ ଆସ୍ତେ କେମିତି ନଷ୍ଟ ହୋଇଗଲା? କିଏ ଏଥିପାଇଁ ଦାୟୀ। ଏହାର ସତରେ ଆଉ କିଛି ପ୍ରତିକାର ଅଛି କି? ନା ଏମିତି ଏଣିକି ଚାଲିବ?
ଗୋଟେ କବିତା ‘ହିନ୍ଦୀନାମା’ ନାମକ ଟ୍ୱିଟର୍ ହ୍ୟାଣ୍ଡଲରେ ପଢିଥିଲି। କବିତାର ଦୁଇ ଧାଡ଼ି ହିନ୍ଦୀରେ ଥିଲା। ଯାହାର ଓଡ଼ିଆ ଅର୍ଥ ହେଉଛି- ସହର! ତୁ ଏବେ ଗାଁକୁ ଆସିଛୁ। ଯେବେ ସାରା ଗାଁ ଚାଲି ଗଲାଣି ସହରକୁ।
ସତରେ ସେଇଆ ତ ହୋଇଛି। ଆମକୁ ସଦା ଆକର୍ଷିତ କରୁଥିବା, ଆମ ଜନ୍ମମାଟି କ୍ରମଶଃ ବିପନ୍ନ ହୋଇଯିବା ପଛରେ ତ ଆମେ ନିଜେ ହିଁ ଦାୟୀ। ଭଲକି ଭାବୁନାହାନ୍ତି ଥରେ- ଏ କଥାଟି ସତ କି ମିଛ !
ଆଗରୁ ଖରାଛୁଟିରେ ସହରରେ ଚାକିରି କରୁଥିବା ସମସ୍ତ ଲୋକ ଗାଁକୁ ଯାଉଥିଲେ। ମାସମାସ ଧରି ତାଙ୍କ ପରିବାର ଗାଁରେ ରହୁଥିଲା। ଭୁବନେଶ୍ୱରୀ ମିଶ୍ରଙ୍କ ଗୀତର ଧାଡ଼ି ପରି ସହରରେ ଚାକିରି କରୁଥିବା ଭାଇ ଫି’ ଶନିବାର ଆସୁଥିଲେ ଗାଁକୁ। ଭାଉଜ ବି ରହୁଥିଲେ ଗାଁରେ। ଗାଁକୁ ଯେ ଛାଡ଼ି ଆଉ କୋଉଠି ସ୍ଥାୟୀ ବସତି ସ୍ଥାପନ କରିହୁଏ, ସେସବୁ ଆମ କଳ୍ପନାରେ ନ ଥିଲା।
ଆମେ ସମସ୍ତେ ଗାଁ ଛାଡ଼ି ଦେଲୁ। ଗାଁରୁ ଆମର ଦୀର୍ଘ ଅନୁପସ୍ଥିତି ଗାଁ ସହ ଆମର ସଂପର୍କକୁ ଖୁବ ପତଳା କରିଦେଲା। ଏମିତି କେତେକ କ୍ଷେତ୍ରରେ ସଂପୂର୍ଣ୍ଣ ଛିଡ଼ି ବି ଗଲା। ଆମେ ସମସ୍ତେ ଆଧୁନିକ, ସହରୀ ହୋଇଗଲୁ। ନୂଆ ସଭ୍ୟତା ଆମକୁ ଡାକିଲା। ଝିଲିମିଲି ଚାକଚକ୍ୟର ମୋହରେ ଆମେ ଇ ତ ହତାଦାର କରି ଆସିଲୁ ଗାଁକୁ। ତା’ରି ଭିତରେ ଲମ୍ବା ଦଶନ୍ଧିଦଶନ୍ଧିର ବ୍ୟବଧାନ ହୋଇଗଲା। ଆମେ ସହରରେ ଘର କଲୁ। ଗାଁ ଘର ଛପର ହେବା ବି କଷ୍ଟ ହୋଇଗଲା। ମନ ସିଆଡ଼କୁ ଗଲା ବି ନାହିଁ। ଆଜିକାଲି ତ ଅନେକ ଗାଁରେ କିଛିକିଛି ଉଜୁଡ଼ା ଢିଅ ପଡ଼ି ରହିଛି। ନା ସେଠିକି କିଏ ଯାଏ, ସେଠି କେବଳ ଅରମା ଘାସର ବୁଦା ମାଡ଼େ ଯାହା।
ଏବେ ଯେତେବେଳେ ସବୁ ବିଗିଡ଼ିଗଲା ଆମେ ଗାଁକୁ ଝୁରିଲୁ। ‘ଫନି’ ବାତ୍ୟା ସମୟରେ ଯେବେ ସହରୀ ସଭ୍ୟତାର କରୁଣ ରୂପ ଦେଖିଲୁ, ସେଇ କିଛି ଦିନ ପାଇଁ ଆମେ ଗାଁକୁ ଚାଲିଗଲୁ; କିନ୍ତୁ ପରେ? ପରେ ପୁଣି ଆମେ ସହରୀ ମୋହରେ ହିଁ ରହିଗଲୁ।
ଗାଁ ସବୁ ନଷ୍ଟ ହେବା ପଛରେ ବି କାରଣ ଅଛି। ଆଗରୁ ଲୋକଙ୍କର ଆଶା ଏଡ଼େ ବଡ଼ବଡ଼ ଲମ୍ବା ନଥିଲା, ଯାହା କେବେ ପୂର୍ଣ୍ଣ ହିଁ ହୁଏନି। ଲୋକେ ଚାକିରି କରୁଥିଲେ ନିଶ୍ଚିତ, ଦରମା ଥିଲା ଅଳ୍ପ, ସେଇ ପଇସାରେ ତାଙ୍କ ପରିବାର ଗାଁରେ ରହି ଆରାମରେ ଚଳି ଯାଉଥିଲା। ଚାଷରେ ଗାଁ ଲୋକ ଯେତିକି ରୋଜଗାର କରୁଥିଲେ, ସେତିକି ତାଙ୍କ ପରିବାରକୁ କଷ୍ଟରେ ହେଲେ ବି ଗୁଜୁରାଣ ହୋଇ ଯାଉଥିଲା।
ଗାଁର ନିମ୍ନ ମଧ୍ୟବିତ୍ତ ମଣିଷ ହିଁ ଗାଁକୁ ବାନ୍ଧି ରଖିଥିଲା। ସେ କିରାଣି ହୁଅନ୍ତୁ କି ସ୍କୁଲ ଶିକ୍ଷକ। ସେମାନେ ଗାଁରେ ଡ୍ରାମା କରୁଥିଲେ। ଭଲିବଲ୍, କବାଡ଼ି ପ୍ରତିଯୋଗିତା କରୋଉଥିଲେ। ସେଥିପାଇଁ ପ୍ରତି ଘରୁ ଯାହା ସାଧ୍ୟ ଚାନ୍ଦା ନେଇ ଗାଁରେ ଆୟୋଜିତ ହେଉଥିଲା କିଛି ନା କିଛି ଉତ୍ସବ। ଯେମିତି କାର୍ତ୍ତିକ ପୂନେଇଁରେ ପାଲା, ସାମୂହିକ ଖୁଦୁରୁକୁଣୀ ଓଷା। ଏକାଠି ଗାଁ ପାଳୁଥିଲା ରଜ। ଏକତା ସୂତ୍ରରେ ବାନ୍ଧି ହେଉଥିଲା ଗାଁ ଏଇ ପବପର୍ବାଣି କି ଉତ୍ସବ ମାଧ୍ୟମରେ। ଗୋଟେ ହୃଦୟ ନେଇ ଜିଉଥିଲା ଗାଁ। ମନ ଥିଲା ଏକ।
ଯେବେ ଉଦାରୀକରଣ ଆରମ୍ଭ ହେଲା ସେଇ ମଧ୍ୟବିତ୍ତଙ୍କ ପାଖକୁ କିଛି ଅର୍ଥ ଆସିଲା। ସେମାନେ ଏଣିକି ଅଲଗା ସ୍ୱପ୍ନ ଦେଖିଲେ। ପାଖ ସହରକୁ ସେମାନେ ତା’ପରେ ଚାଲିଆସିଲେ। ପିଲା ପଢିବା କାରଣ ହେଉ କିମ୍ବା ଆଉ କିଛି। ଛୋଟମୋଟ ସହରରେ ରହୁଥିବା ଲୋକ ଆସିଗଲେ ଭୁବନେଶ୍ୱର କି କଟକ। ଏମିତି ଗୋଟେ ସ୍ଥାନାନ୍ତରଣ ହେଲା। ଯାହା ଜଣା ପଡ଼ିଲା ନାହିଁ ଯଦିଓ, ଆକାରରେ ଥିଲା ବିଶାଳ। ଗାଁକୁ ଏକତାସୂତ୍ରରେ ବାନ୍ଧିବାର କଳା ସେଇ ମଣିଷମାନଙ୍କୁ ଜଣାଥିଲା, ଯେଉଁମାନେ ଗାଁ ଛାଡ଼ି ଦେଲେ। ସେମାନେ ଇ ଜାଣିଥିଲେ ଗାଁରେ ଏକ ମନରେ କେମିତି ନେତୃତ୍ୱ ନିଆଯାଏ।
ଫଳରେ ଶୂନ୍ୟସ୍ଥାନ ତିଆରି ହୋଇଗଲା ଗାଁରେ। ଯାହାକୁ ଆସ୍ତେ ଓ ଚାଲାଖିରେ ନେତା ଓ କୁଜି ନେତାମାନେ ଅକ୍ତିଆର କରି ନେଇଗଲେ। ଏଇ ଦଳଙ୍କୁ ତ ବେଶି ପାଠଶାଠ ଜଣା ନଥିଲା କି ଜଣା ବି ନଥିଲା କେମିତି ସଭିଙ୍କୁ ଏକାଠି ରଖି ନେତୃତ୍ୱ ନେବେ। ତେଣୁ ସେମାନେ ଆରମ୍ଭ କଲେ ବିଭାଜନ। ଆ’କୁ ତା’ ବିରୋଧରେ ଲଢେଇଲେ। ତାକୁ ଆ’ ବିରୋଧରେ ଲଢେଇଲେ। ମଦ, ପଇସା ଦେଇ ଆରମ୍ଭ କଲେ ରାଜୁତି। କ୍ରମଶଃ କାର୍ତ୍ତିକ ପୂନେଇଁ ପାଲା ଜାଗାରେ ଆରମ୍ଭ ହେଲା ମେଲୋଡ଼ି। ଗାଁ ପିଲା ବି ମୋବାଇଲ୍ ଧରି ମେଲୋଡ଼ି ଗୀତ ସହ ଝୁମିଲେ, ନାଚିଲେ। ଗାଁ ଆସ୍ତେ ଖସିଗଲା ଓ ସବୁ ଯଶକୀର୍ତ୍ତି ହଜିଗଲା।
ଏବେ ଆମେ ଝୁରୁଛୁ; କିନ୍ତୁ ସେତକ କେବେ ଯଥେଷ୍ଟ ନୁହେଁ କି ସେତକରେ କିଛି ବି ପରିବର୍ତ୍ତନ ହେବ ନାହିଁ। ଯେବେ ପୁଣି ଆମେ ଗାଁକୁ ଯିବା, ରହିବା, ସହରକୁ ଏମିତି ବୁଲିବା ପାଇଁ ଆସିବା, ଗାଁର ପ୍ରତିଟି କଥାରେ ସଭିଙ୍କୁ ଏକାଠି କରି ମୁଣ୍ଡ ପୂରାଇବା, ତେବେ ହୁଏ ତ କିଛି ହୋଇପାରେ।
ସବୁ ଚାଲିଗଲେ ବି ତ ସ୍ମୃତି ଜିଏ, ଆଶା ଜିଏ। ତେଣୁ ସେଇ ଆଶା ଟିକକ ଏବେ ବି ରହିଛି।


