www.samajalive.in
Saturday, December 6, 2025
26.1 C
Bhubaneswar

ସବୁଜ ଇନ୍ଧନ ଓ ଭାରତ

କୃଷିଭିତ୍ତିକ ଉତ୍ପାଦ ‘ଇଥାନଲ’ ଚିନି ଉଦ୍ୟୋଗର ଏକ ପ୍ରମୁଖ ଉପଜାତ ପାଣିଆ ଗୁଡ଼ରୁ ପ୍ରସ୍ତୁତ ହୋଇଥାଏ। ଏହା ବାୟୋଡିଜେଲ ସଦୃଶ ଏକ ବିକଳ୍ପ ଜୈବ ଇନ୍ଧନ। ଜୈବ ବସ୍ତୁତ୍ବରୁ ପ୍ରସ୍ତୁତ ହେଉଥିବାରୁ ପୋଷଣୀୟ ବା ନବୀକରଣୀୟ। ଇଥାନଲକୁ ଇଥାଇଲ ଆଲକୋହଲ ବା ପାନୀୟ ଆଲକୋହଲ ମଧ୍ୟ କୁହାଯାଏ। ମୃଦୁ ପାନୀୟ ରୂପେ ଏହାକୁ ବ୍ୟବହାର କରାଯାଏ। ଅଧିକ ମାତ୍ରାରେ ପାନ କଲେ ନିଶା ଧରିଥାଏ। ଇଥାନଲକୁ ପାନୀୟ ଅନୁପଯୋଗୀ କରିବା ନିମନ୍ତେ କଟୁ ଗନ୍ଧଯୁକ୍ତ ପ୍ରାକୃତିକ ଉପାଦାନ ବ୍ୟବହାର କରି ଏହାର ଗୁଣ ବା ପ୍ରକୃତି ବଦଳାଇ ଦିଆଯାଇପାରେ; କିନ୍ତୁ ଏହାଦ୍ବାରା ଇଥାନ୍‌ଲର ମୂଳ ଗୁଣବତ୍ତା ବଦଳେ ନାହିଁ। ଇଥାନଲ୍ ସ୍ବଚ୍ଛ, ରଙ୍ଗହୀନ, ଗନ୍ଧହୀନ, ଉଦ୍‌ବାୟୀ କିନ୍ତୁ ଅତ୍ୟଧିକ ଦହନଶୀଳ ଜୈବ ଯୌଗିକ। ଇଥାନଲର ରାସାୟନିକ ସଂରଚନା C2H5OH।

ଇଥାନଲକୁ ସିଧାସଳଖ ମଧ୍ୟ ଇନ୍ଧନ ଭାବରେ ବ୍ୟବହାର କରାଯାଇପାରେ। ୧୮୫୦ ମସିହାରେ ଏହାକୁ କିରାସିନି ଭଳି ଜାଳି ଆଲୋକିତ କରିବା ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା; କିନ୍ତୁୁ ବିଶ୍ବ ଗୃହଯୁଦ୍ଧ ସମୟରେ, ଯୁଦ୍ଧ ପାଇଁ ସମ୍ବଳ ଯୋଗାଡ଼ କରିବା ଉଦ୍ଦେଶ୍ୟରେ ଏହା ଉପରେ ଟିକସ ବସାଗଲା। ଫଳରେ ଏହା କିରାସିନି ବା ଅନ୍ୟାନ୍ୟ ତୈଳ ଜାତୀୟ ଇନ୍ଧନ ସହିତ ପ୍ରତିଦ୍ବନ୍ଦ୍ବିତା କରି ପାରିଲା ନାହିଁ। ୧୮୮୦ ମସିହାରେ ହେନେରି ଫୋର୍ଡ କେବଳ ଇଥାନଲରେ ଚାଲିଲା ଭଳି ଏକ କାର୍‌ ନିର୍ମାଣ କରିଥିଲେ। ପୁନଶ୍ଚ ୧୯୦୮ ମସିହାରେ ଫୋର୍ଡ ଅନ୍ୟ ଏକ କାର୍‌ ନିର୍ମାଣ କଲେ, ଯାହା ଉଭୟ ପେଟ୍ରୋଲ ଓ ଇଥାନଲ୍‌ର ମିଶ୍ରଣରେ ଚାଲିପାରିବ। ସେ ଏହାକୁ ଭବଷ୍ୟତରେ ଇନ୍ଧନ ବୋଲି ମଧ୍ୟ ଆଖ୍ୟା ଦେଇଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ (୧୯୩୯-୧୯୪୫), ଯେତେବେଳେ ବାଣିଜ୍ୟିକ କଟକଣା ହେତୁ ବିଶ୍ବ ବଜାରରେ ଜୀବାଶ୍ମ ଇନ୍ଧନର ଅଭାବ ପରିଲକ୍ଷିତ ହେଲା, ସେବେ ପରିବହନ ଇନ୍ଧନର ବିକଳ୍ପ ରୂପେ ଇଥାନଲ ବ୍ୟବହାର ସାମୟିକ ବୃଦ୍ଧି ପାଇଲା।

- Advertisement -

ଦିନକୁ ଦିନ ସାରା ବିଶ୍ବରେ ଉଭୟ ଯାତ୍ରୀ ଓ ମାଲ୍‌ ପରିବହନ ନିମନ୍ତେ ବ୍ୟବହୃତ ହେଉଥିବା ଯାନବାହନର ସଂଖ୍ୟା ବଢ଼ିବଢ଼ି ଚାଲିଛି। ଏହା ଫଳରେ ଜୀବାଶ୍ମ ଇନ୍ଧନର ବ୍ୟବହାର ଗୁଣିତକ ହାରରେ ବୃଦ୍ଧି ପାଉଛି। କିନ୍ତୁ ପୃଥିବୀରେ ଜୀବାଶ୍ମ ଇନ୍ଧନର ଭଣ୍ଡାର ସୀମିତ ଏବଂ ଆମ ଦେଶରେ ଏହାର ଉତ୍ପାଦନ କେବଳ ନାମକୁ ମାତ୍ର କହିଲେ ଚଳେ। ବିଦେଶରୁ ଆମେ ପ୍ରତିବର୍ଷ ୮୫ ପ୍ରତିଶତ ତୈଳ ଆମଦାନୀ କରିଥାଉ। ଭାରତ ବିଶ୍ବରେ ତୃତୀୟ ସର୍ବାଧିକ ଜୀବାଶ୍ମ ଇନ୍ଧନ ତୈଳ ଆମଦାନୀକାରୀ ଦେଶ। ବିଶ୍ବ ବଜାରରେ ପେଟ୍ରୋଲଜାତ ଇନ୍ଧନର ଅହେତୁକ ଦରବୃଦ୍ଧି ପରିପ୍ରେକ୍ଷୀରେ ଆମକୁ ପ୍ରତିବର୍ଷ ପ୍ରାୟ ୬୦ରୁ ୭୦ ବିଲିୟନ ଡଲାର ବୈଦେଶିକ ମୁଦ୍ରା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହା ନିଶ୍ଚିତ ଭାବେ ଚିନ୍ତାଜନକ। ଯାନବାହନ ତଥା ପରିବହନ କ୍ଷେତ୍ରରେ ଜୀବାଶ୍ମ ଇନ୍ଧନ ପରିବର୍ତ୍ତେ ଇଲେକ୍‌ଟ୍ରିକ୍‌ ଯାନ ବା ଇ-ଯାନର ବ୍ୟବହାର ଭବିଷ୍ୟତ ପାଇଁ ଏକ ବିକଳ୍ପ ହୋଇପାରେ, ଏଥିରେ ଦ୍ବିମତ ନାହିଁ। କିନ୍ତୁ ସାଂପ୍ରତିକ ସ୍ଥିତିରେ, ଆମ ଦେଶରେ ଏଥିପାଇଁ ଆବଶ୍ୟକୀୟ ଭିତ୍ତିଭୂମିର ଯଥେଷ୍ଟ ଅଭାବ ରହିଛି। ଏହା ବ୍ୟତୀତ ଇଲେକ୍‌ଟ୍ରିକ୍‌ ଯାନର ବଜାର ଦର ମଧ୍ୟ ବେଶ୍‌ ଅଧିକ। ଏହି ପୃଷ୍ଠଭୂମିରେ ଜୀବାଶ୍ମ ଇନ୍ଧନର ପରିମାଣ କମାଇବା ପାଇଁ ଅନ୍ୟ ଏକ ବିକଳ୍ପ ହେଉଛି ପେଟ୍ରୋଲ ସହିତ ଭିନ୍ନଭିନ୍ନ ଅନୁପାତରେ ଇଥାନଲ୍‌ର ସମ୍ମିଶ୍ରଣ। ଯେହେତୁ ଅନ୍ତର୍ଦହନ ଇଞ୍ଜିନରେ ୧୦ ପ୍ରତିଶତ ପର୍ଯ୍ୟନ୍ତ ଇଥାନଲର ପେଟ୍ରୋଲ ସହିତ ମିଶ୍ରଣ ଆଦୌ କ୍ଷତିକାରକ ନୁହେଁ ଏବଂ ଏଥିପାଇଁ ଇଞ୍ଜିନ୍‌ରେ ପରିବର୍ତ୍ତନର କୌଣସିି ଆବଶ୍ୟକତା ନାହିଁ, ସେହି କାରଣରୁ ୨୦୦୩ ଜାନୁଆରୀ ପହିଲାରୁ ଦେଶର ୮ଟି ରାଜ୍ୟ ୫ ପ୍ରତିଶତ ଇଥାନଲ୍‌ ମିଶ୍ରଣକୁ ଆନୁଷ୍ଠାନିକ ସ୍ବୀକୃତି ଦେଇଥିଲେ। କ୍ରମଶଃ ଅନ୍ୟ ରାଜ୍ୟମାନେ ମଧ୍ୟ ଏହା ଗ୍ରହଣ କରିନେଲେ। ଜୀବାଶ୍ମ ଇନ୍ଧନରେ ଇଥାନଲ୍‌ ମିଶ୍ରଣର ଅନୁପାତକୁ ନେଇ, ଏହାକୁ E5 (୫ପ୍ରତିଶତ ଇଥାନଲ୍‌+ ୯୫ ପ୍ରତିଶତ ପେଟ୍ରୋଲ) ବା E20 (୨୦ ପ୍ରତିଶତ ଇଥାନଲ+ ୮୦ ପ୍ରତିଶତ ପେଟ୍ରୋଲ) କୁହାଯାଇଥାଏ। ଅନ୍ତର୍ଦହନ ଇଞ୍ଜିନ୍‌ରେ ପରିବର୍ତ୍ତନ କରାଯାଇ, ଫ୍ଲେକ୍‌ସ୍‌ ଫୁଏଲ୍‌ ଇଞ୍ଜିନ୍‌ ନିର୍ମାଣ କରାଗଲେ, ଏହା ଉଭୟ ପେଟ୍ରୋଲ, ଇଥାନଲ୍‌ ବା ପେଟ୍ରୋଲ ଓ ଇଥାନ୍‌ଲ୍‌ର ମିଶ୍ରଣରେ ଚାଲିପାରିବ। ମିଶ୍ରଣର ସର୍ବାଧିକ ସ୍ତର ୮୫ ପ୍ରତିଶତ ପର୍ଯ୍ୟନ୍ତ ଯାଇପାରେ। ଏହାକୁ କୁହାଯିବ E85। ଏବେ ଯୁକ୍ତରାଷ୍ଟ୍ର ଆମେରିକାର ରାସ୍ତା ଉପରେ ଚାଲୁଥିବା ପ୍ରାୟ ସମସ୍ତ ମୋଟରଯାନ ଇନ୍ଧନରେ E10, ଅର୍ଥାତ୍‌ ୧୦ ପ୍ରତିଶତ ଇଥାନଲ୍‌ ମିଶ୍ରଣ କରାଯାଉଛି। ୧୯୭୬ ମସିହାରୁ ବ୍ରାଜିଲ୍‌ ସରକାର ମଧ୍ୟ ୨୫ ପ୍ରତିଶତ ଇଥାନଲ୍‌ ଓ ୭୫ ପ୍ରତିଶତ ଜୀବାଶ୍ମ ଇନ୍ଧନ ମିଶ୍ରଣକୁ ବାଧ୍ୟତାମୂଳକ କରିଛନ୍ତି।

ଭାରତ ସରକାର ଏବେ ପେଟ୍ରୋଲ ସହିତ ଇଥାନଲର ମିଶ୍ରଣ ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି। ଜାତୀୟ ବାୟୋ ଇନ୍ଧନ ପଲିସି- ୨୦୧୮ରେ ୨୦୨୧-୨୨ ସୁଦ୍ଧା ୧୦ ପ୍ରତିଶତ ଏବଂ ୨୦୩୦ ସୁଦ୍ଧା ୨୦ ପ୍ରତିଶତ ଇଥାନଲ୍‌ ମିଶ୍ରଣ ହାସଲ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ପରେ ଏହି ଲକ୍ଷ୍ୟ ହାସଲ ସମୟକୁ ଆଗେଇ ନିଆଯାଇ ୨୦୨୫ ରଖାଯାଇଛି। ସଂପ୍ରତି ଆମ ଦେଶରେ ବାର୍ଷିକ ତୈଳ ଆମଦାନୀ ନିମନ୍ତେ ବୈଦେଶିକ ମୁଦ୍ରାଖର୍ଚ୍ଚ ପାଖାପାଖି ୮ଲକ୍ଷ କୋଟି ପଡ଼ୁଛି। ଯଦି ୨୦ ପ୍ରତିଶତ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ ବ୍ୟବହାର କରାଯାଏ ତେବେ ଏ ବାବଦରେ ବର୍ଷକୁ ଅନ୍ତତଃ ୩୦,୦୦୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଞ୍ଚୟ ହୋଇପାରିବ। ଗତ ବର୍ଷ (ଡିସେମ୍ବର ୨୦୨୦ରୁ ନଭେମ୍ବର ୨୦୨୧ ମଧ୍ୟରେ) ଆମ ଦେଶ ୭.୮ ପ୍ରତିଶତ ଇଥାନଲ୍‌ ମିଶ୍ରଣ ଲକ୍ଷ୍ୟ ହାସଲ କରିପାରିଛି।

ସମଗ୍ର ବିଶ୍ବରେ ୨୦୨୦ ମସିହାରେ ହୋଇଥିବା ଇଥାନଲ୍‌ ଉତ୍ପାଦନକୁ ଅନୁଶୀଳନ କଲେ ଦେଖାଯିବ, ବର୍ଷକୁ ୧୩,୮୦୦ ନିୟୁତ ଗ୍ୟାଲନ ଉତ୍ପାଦନ କରି ଯୁକ୍ତରାଷ୍ଟ୍ର ଆମେରିକା ପ୍ରଥମ ଓ ୭ ହଜାର ୯୩୦ ନିୟୁତ ଗ୍ୟାଲନ ଉତ୍ପାଦନ କରି ବ୍ରାଜିଲ ଦ୍ବିତୀୟ ସ୍ଥାନରେ ରହିଛି। ୪୮୦ ନିୟୁତ ଗ୍ୟାଲନ୍‌ ଇଥାନଲ୍‌ ଉତ୍ପାଦନ କରି ଭାରତ ଚତୁର୍ଥ ସ୍ଥାନରେ ରହିଛି। ଇଥାନଲ୍‌ ଉତ୍ପାଦନର ସାଧାରଣ ପଦ୍ଧତି ହେଉଛି, ସୁରାମଣ୍ଡ ବ୍ୟବହାର କରି ଶସ୍ୟ, ଆଖୁ ବା ଆଖୁରସରେ ଥିବା ଶ୍ବେତସାର, ଶର୍କରାକୁ କିଣ୍ବନ କରାଯାଇଥାଏ। ଯୁକ୍ତରାଷ୍ଟ୍ର ଆମେରିକାରେ ଅମଳ ପରବର୍ତ୍ତୀ ସମୟରେ ଶସ୍ୟ ଯଥା ଗହମ, ଯବ, ମକା ଇତ୍ୟାଦି ଇଥାନଲ୍‌ ପ୍ରସ୍ତୁତି ନିମନ୍ତେ ମୁଖ୍ୟ ଉତ୍ସ ଭାବେ ବ୍ୟବହାର କରାଯାଏ। ଆମେରିକା ପଛକୁ ବିଶ୍ବକୁ ଦ୍ବିତୀୟ ସର୍ବାଧିକ ଇଥାନଲ୍‌ ଉତ୍ପାଦନକାରୀ ରାଷ୍ଟ୍ର ବ୍ରାଜିଲ୍‌ ଏଥିପାଇଁ ଅନେକଟା ଆଖୁ ଉପରେ ନିର୍ଭର କରେ। ଭାରତରେ ମଧ୍ୟ କିଣ୍ବନ ପ୍ରକ୍ରିୟାରେ ଆଖୁରୁ ଇଥାନଲ୍‌ ପ୍ରସ୍ତୁତ କରାଯାଇଥାଏ। ସେଲ୍ୟୁଲୋଜ କଞ୍ଚାମାଲ ଯଥା କାଠ ଛିଲ୍‌କା ବା ଚିପ୍‌ସ, ନଡ଼ା, ଫସଲର ଅବଶିଷ୍ଟାଂଶ, କରତଗୁଣ୍ଡ ଏବଂ ଘାସରୁ ମଧ୍ୟ ଇଥାନଲ ପ୍ରସ୍ତୁତ କରାଯାଇଥାଏ।

ଇଥାନଲର ରାସାୟନିକ ସଂରଚନାରେ ଥିବା ଅମ୍ଳଜାନ ଅଣୁ, ପେଟ୍ରୋଲ ଇନ୍ଧନ ସହିତ ମିଶ୍ରଣରେ ସହାୟକ ହୋଇଥାଏ। ପେଟ୍ରୋଲ ତୁଳନାରେ ଇଥାନଲର ଅକ୍ଟେନ ନମ୍ବର (ବର୍ଣ୍ଣହୀନ ସୁଦାହ୍ୟ ହାଇଡ୍ରୋକାର୍ବନ) ଅଧିକ ଥିବାରୁ ମିଶ୍ରଣର ବନ୍ଧନ ଦୃଢ଼ ହେବା ସହିତ ଇଞ୍ଜିନର କାର୍ଯ୍ୟକୁଶଳତା ତଥା ଶକ୍ତି ଅଧିକ ବୃଦ୍ଧି ପାଇଥାଏ। ଏହା ମଧ୍ୟ ଇଞ୍ଜିନ୍‌ର ଖଟ୍‌ ଖଟ୍‌ ଶବ୍ଦକୁ ହ୍ରାସ କରିବା ସହିତ, ଶକ୍ତି ଦକ୍ଷତା ବୃଦ୍ଧି କରାଏ। ଇଥାନଲର ଦାମ ପେଟ୍ରୋଲ ତୁଳନାରେ ଅପେକ୍ଷାକୃତ ଭାବେ କମ୍‌ ହୋଇଥିବାରୁ, ୧୦ ପ୍ରତିଶତ (E10) ବା ୨୦ ପ୍ରତିଶତ (E20) ମିଶ୍ରଣ ଦ୍ବାରା ଇନ୍ଧନ ବାବଦରେ ବ୍ୟୟ ହ୍ରାସ ପାଏ। ଇଥାନଲ୍ ଅପେକ୍ଷାକୃତ କମ୍‌ ପ୍ରଦୂଷଣକାରୀ। ଇନ୍ଧନ ଦହନ ପ୍ରକ୍ରିୟାରେ ନିର୍ଗତ ଅଦରକାରୀ ବା ପ୍ରଦୂଷଣକାରୀ ବାଷ୍ପ ଜୀବାଶ୍ମ ଇନ୍ଧନରେ ଇଥାନଲ ମିଶ୍ରଣ ସହିତ ଅପେକ୍ଷାକୃତ ହ୍ରାସ ପାଇଥାଏ। ଅତି କମ୍‌ରେ ୫୦ ପ୍ରତିଶତ ସବୁଜଗୃହ ବାଷ୍ପ ନିର୍ଗମନ କମ୍‌ ହୁଏ। ମୋଟର ଇଞ୍ଜିନରେ ୮୫ ପ୍ରତିଶତ ଇଥାନଲ ମିଶ୍ରିତ ଇନ୍ଧନ ବ୍ୟବହାର କରାଗଲେ ଓଜୋନ୍‌ ନିଷ୍କାସନ ୧୫ ପ୍ରତିଶତ, ୪୦ ପ୍ରତିଶତ କାର୍ବନ ମନୋକ୍‌ସାଇଡ, ୨୦ ପ୍ରତିଶତ ସୂକ୍ଷ୍ମକଣିକା ଓ ୧୦ ପ୍ରତିଶତ ଯବକ୍ଷାରାମ୍ଳ କମ୍‌ ନିର୍ଗତ ହୋଇଥାଏ।

ଦ୍ବିତୀୟରେ ଯେତିକି ପରିମାଣରେ ବା ଅନୁପାତରେ ଇଥାନଲ ପେଟ୍ରୋଲ ସହ ମିଶାଯିବ, ସେତିକି ଜୀବାଶ୍ମ ଇନ୍ଧନ ବ୍ୟବହାର ହ୍ରାସ ପାଇବ। ଫଳରେ ବିଦେଶରୁ ଶ୍ରମ ପରିମାଣର ତୈଳ ଆମଦାନୀ ହ୍ରାସ ପାଇବା ସହ ବୈଦେଶିକ ମୁଦ୍ରା ସଞ୍ଚୟ କରାଯାଇପାରିବ। ଆମ ଦେଶରେ E10 ଇନ୍ଧନ ପାଇଁ ପାଖାପାଖି ୪ ବିଲିୟନ୍‌ ଲିଟର ଇଥାନଲ୍‌ର ଆବଶ୍ୟକତା ପଡ଼ିବ ଏବଂ ସମପରିମାଣର ପେଟ୍ରୋଲ ଆମଦାନୀ କମିଯିବ। ତୃତୀୟରେ ଅଧିକରୁ ଅଧିକ ଇଥାନଲ ଉତ୍ପାଦନ ଆଖୁଚାଷୀମାନଙ୍କୁ ସୁହାଇବ। ସାଧାରଣତଃ ଯେଉଁ ବର୍ଷମାନଙ୍କରେ ଅଧିକ ଚିନି ଉତ୍ପାଦିତ ହୁଏ, ସେତେବେଳେ ଚିନିର ବଜାର ଦର କମିଯାଏ। ଚିନିକଳ ମାଲିକମାନେ ଆଖୁଚାଷୀଙ୍କୁ ଆଖୁର ଉପଯୁକ୍ତ ମୂଲ୍ୟ ଦେଇ ପାରନ୍ତି ନାହିଁ। ବଜାରରେ ଚିନି ବ୍ୟବସାୟ ଅନେକ ସମୟରେ ମାନ୍ଦା ହେଉଥିବାରୁ ଚାଷୀ ମଧ୍ୟ ଆଖୁଚାଷ ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ପରିବହନ ଇନ୍ଧନ ନିମନ୍ତେ ଅଧିକ ଇଥାନଲ୍‌ ବ୍ୟବହାର କରାଗଲେ ଉଭୟ ଆଖୁଚାଷୀ ଓ କୃଷି କ୍ଷେତ୍ରର ଶ୍ରମିକମାନେ ଉପକୃତ ହେବେ ଓ ସେମାନଙ୍କର ରୋଜଗାର ଅଧିକ ହେବ।

ଏହା ବ୍ୟତୀତ ଇଥାନଲର ଅନ୍ୟ କେତେକ ଗୁଣ ମଧ୍ୟ ରହିଛି। ଏହାର ସ୍ଫୁଟନାଙ୍କ ୭୮.୩୨ ଡିଗ୍ରୀ ଏବଂ ହିମାଙ୍କ -୧୧୪ ଡିଗ୍ରୀ ସେଣ୍ଟିଗ୍ରେଡ୍‌। ପେଟ୍ରୋଲ ତୁଳନାରେ ଇଥାନଲ୍‌ କମ୍‌ ଦହନୀୟ। ଏହାର ସଂରକ୍ଷଣ ତଥା ପରିବହନ ଅଧିକ ସୁରକ୍ଷିତ। ଇଥାନଲ ପାଣିରେ ଦ୍ରବୀଭୂତ ହୋଇଯାଏ ଏବଂ ଏହା ମଧ୍ୟ ଜୈବ ବିଘଟନକ୍ଷମ। କୌଣସି କାରଣରୁ ଉଛୁଳି ପଡ଼ିଲେ ମଧ୍ୟ ହାନିକାରକ ନୁହେଁ। ଇଥାନଲ୍‌ ମିଶ୍ରିତ ଇନ୍ଧନ ବ୍ୟବହାର କରାଯାଉଥିବା ଇଞ୍ଜିନ ଓ ଯାନବାହନଗୁଡ଼ିକର ରକ୍ଷଣାବେକ୍ଷଣ ମଧ୍ୟ ଅନ୍ୟାନ୍ୟ ଅନ୍ତର୍ଦହନ ଇଞ୍ଜିନ୍‌ ତୁଳନାରେ ଅଧିକ ବ୍ୟୟ ସାପେକ୍ଷ ହୋଇନଥାଏ।

ଦେଶର ଶକ୍ତି ନିରାପତ୍ତା ଲାଗି ଇଥାନଲ୍‌ ମିଶ୍ରଣ ଗୁରୁତ୍ବପୂର୍ଣ୍ଣ ହୋଇଥିବାରୁ ଇତିମଧ୍ୟରେ ଆମ ଦେଶରେ ଫ୍ଲେକସ୍‌ ଫୁଏଲ ଇଞ୍ଜିନ୍‌ ଅଧିକ ନିର୍ମାଣ କରିବାପାଇଁ ପ୍ରସ୍ତୁତି ଜୋର୍‌ ସୋର୍‌ରେ ଚାଲିଛି। ୨୦୧୪ ମସିହା ପରଠାରୁ ଏ ଦିଗରେ ଉଦ୍ୟମ ଆରମ୍ଭ ହୋଇଯାଇଛି, ବିଭିନ୍ନ ଉତ୍ସରୁ ପ୍ରସ୍ତୁତ କରାଯାଉଥିବା ଇଥାନଲ୍‌ ପାଇଁ ସରକାରୀ ସ୍ତରରେ ମୂଲ୍ୟ ନିର୍ଦ୍ଧାରିତ କରାଯାଉଛି। ଅନେକ ନୂଆନୂଆ ଇଥାନଲ୍‌ ଓ ମିଥାନଲ୍‌ କାରଖାନା ପ୍ରତିଷ୍ଠା କରାଯାଉଛି। ଡିସେମ୍ବର ୨୦୨୧ ମସିହା ଶେଷ ସପ୍ତାହରେ ଆସନ୍ତା ୬ ମାସ ମଧ୍ୟରେ ସମସ୍ତ ଇଞ୍ଜିନ ଫ୍ଲେକ୍ସ୍‌ ଫୁଏଲକୁ ସୁହାଇବା ପାଇଁ ବିଏମ୍‌ଡବ୍ଲ୍ୟୁ, ମର୍ସିଡିଜ୍‌, ଟାଟା ଏବଂ ମହିନ୍ଦ୍ରା ଭଳି କମ୍ପାନୀମାନଙ୍କୁ ଉଦ୍ୟମ କରିବାକୁ ଅନୁରୋଧ କରାଯାଇଛି। ଇଥାନଲ୍‌ ହିଁ ଭବିଷ୍ୟତର ବିକଳ୍ପ ସବୁଜ ଇନ୍ଧନ।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories