ଆମ ନ୍ୟାୟିକ ବ୍ୟବସ୍ଥା ବିଷୟରେ ରୁଚି ରଖିଥିବା ଜନସାଧାରଣ ନିଶ୍ଚିତ ଭାବେ ହୁସନେରା ଖାତୁନଙ୍କୁ ଜାଣିଥିବେ। କିଏ ଏହି ଖାତୁନ ? ଏହି ହୁସନେରା ଖାତୁନ ଥିଲେ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ଜଣେ । ଆହୁରି ମଧ୍ୟ ତାଙ୍କ ନାମ ସ୍ବନାମଧନ୍ୟା ଆଇନଜୀବୀ ପୁଷ୍ପ କପିଲା ହିଙ୍ଗୋରାଣୀଙ୍କ ସହ ଜଡିତ। ବିଚାରାଧୀନ କଏଦୀମାନଙ୍କ ମୁକ୍ତି ପାଇଁ ହିଙ୍ଗୋରାଣୀ ବେଶ୍ ଚର୍ଚ୍ଚିତ । ଘଟଣାଟି ଘଟିଥିଲା ଏହିପରି । ୧୯୭୫ ରେ ହୁସନେରା ଖାତୁନ ଏବଂ ତାଙ୍କ ପରିବାରବର୍ଗ ବାଂଲାଦେଶରୁ ପଳାଇଆସିବା ସମୟରେ ଭାରତୀୟ ସୀମା ସୁରକ୍ଷାବଳଙ୍କ ଦ୍ବାରା ଧରାପଡି କାରାଗାରରେ ବନ୍ଦୀ ଜୀବନ କଟାଉଥିଲେ । ଯଦିଚ ନିୟମ ଅଛି ଯେ ଜାମିନ ବଣ୍ଡ୍ ଦାଖଲ କରି ସେ ମୁକ୍ତି ପାଇପାରିବେ ତଥାପି ତାଙ୍କୁ ଦୀର୍ଘ ୪ ବର୍ଷ କାରାଗାରରେ ଦୁର୍ବିସହ ଜୀବନ କଟାଇବା ପାଇଁ ପଡିଥିଲା ।
ଏଇ କିଛି ବର୍ଷ ତଳର କଥା । ସୁପ୍ରିମ କୋର୍ଟଙ୍କ ନିେର୍ଦଶ ଫଳରେ ପ୍ରାୟ ୪୦ ହଜାର ବିଚାରାଧୀନ କଏଦୀଙ୍କୁ କାରାଗାରରୁ ମୁକ୍ତି ମିଳିଥିଲା। ଏମାନଙ୍କ ମଧ୍ୟରୁ ଅର୍ଦ୍ଧାଧିକ, ଅର୍ଥାତ୍ ୨୭ ହଜାର କେବଳ ଥିଲେ ବିହାର ପ୍ରଦେଶରୁ।
ସୁପ୍ରିମ କୋର୍ଟ ୯ ମାର୍ଚ୍ଚ ୧୯୭୯ର ରାୟରେ ଦର୍ଶାଇଥିଲେ ଯେ ହିଙ୍ଗୋରାଣୀଙ୍କ ଦ୍ବାରା ଦାଖଲ କରାଯାଇଥିବା ତାଲିକାରେ ବିଚାରାଧୀନ କଏଦୀମାନେ ପାଇବାକୁ ଥିବା ଦଣ୍ଡଠାରୁ ଢେର ଅଧିକ ଦିନ କାରାଗାରରେ କଟାଇ ସାରିଛନ୍ତି । ସେହି ସମୟରେ ପ୍ରାୟ ୧,୨୦,୦୦୦ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ପ୍ରାୟ ୪୦,୦୦୦ ଅର୍ଥାତ୍ ଏକ ତୃତୀୟାଂଶ କାରାଗାରରୁ ମୁକ୍ତି ପାଇ ସ୍ୱାଧୀନତାର ଆନନ୍ଦର ସ୍ବାଦ ଚାଖିଥିଲେ ।
ତେବେ ଭାରତରେ ପ୍ରତିବର୍ଷ କାରାଗାର ପରିସଂଖ୍ୟାନ ପ୍ରକାଶିତ ହୁଏ ଏବଂ କେତେକ କାରଣ ବଶତଃ ୨୦୨୦ର ତଥ୍ୟ ୨୦୨୧ ର ପରିସଂଖ୍ୟାନ ପୁସ୍ତିକାରେ ସ୍ଥାନିତ ହୋଇଥିଲା । ଏହି ତଥ୍ୟ ଅନୁସାରେ ୨୦୨୦ରେ ସମସ୍ତ ପ୍ରଦେଶ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରୁ ମୋଟ ବିଚାରାଧୀନ କଏଦୀଙ୍କ ସଂଖ୍ୟା ଥିଲା ୩,୭୧,୮୪୮ । କିନ୍ତୁ ୨୦୧୮ରେ ସେମାନଙ୍କ ସଂଖ୍ୟା ଥିଲା ୩,୨୪,୧୪୧ । ଅଧିକନ୍ତୁ ଆମ ଦେଶରେ ବିଭିନ୍ନ ପ୍ରକାରର କାରାଗାର ରହିଛି। ୨୦୨୦ର ତଥ୍ୟ ଅନୁସାରେ ୫୦ ପ୍ରତିଶତ ବିଚାରାଧୀନ କଏଦୀ କେବଳ ଜିଲା କାରାଗାରରେ ଥିବାବେଳେ ୩୬.୧ ପ୍ରତିଶତ ଥିଲେ କେନ୍ଦ୍ରୀୟ କାରାଗାରରେ ଏବଂ ୧୧.୯ ପ୍ରତିଶତ ଥିଲେ ଭିନ୍ନ ଭିନ୍ନ ଉପକାରାଗାର ଗୁଡ଼ିକରେ।
ତେବେ ଏହି ମୋଟ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ସର୍ବାଧିକ ଉତ୍ତର ପ୍ରଦେଶରୁ ଥିବାବେଳେ ପରବର୍ତ୍ତୀ ବିହାର ଏବଂ ତା’ ପରେ ତାଲିକାରେ ସ୍ଥାନିତ ହୋଇଥିଲେ ମଧ୍ୟପ୍ରଦେଶରୁ । ଏହି ମୋଟ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୭୧.୨ ପ୍ରତିଶତ ଏକ ବର୍ଷରୁ କମ ସମୟ ଧରି କାରାଗାରରେ ଥିଲେ ଏବଂ ସେମାନେ ଅଭିଯୁକ୍ତ ଭାବେ ନ୍ୟାୟାଳୟରେ ପ୍ରମାଣିତ ହୋଇନଥିଲେ । କୋଭିଡ-୧୯ ଯୋଗୁଁ ୨୦୧୮ରୁ ୨୦୨୦ ମଧ୍ୟରେ ଅନେକ ମଧ୍ୟ ଜାମିନ ପାଇବାରୁ ବଞ୍ଚିତ ହୋଇଥିଲେ ଏବଂ ଅନେକଙ୍କର ଜାମିନ ବିଚାରାଳୟରେ ଦୀର୍ଘଦିନ ଧରି ପଡି ରହିଛି । ଏପରି କି ପ୍ରାୟ ୧୬,୬୦୩ ବିଚାରାଧୀନ କଏଦୀ କାରାଗାରରେ ୩ରୁ ୫ ବର୍ଷ କଟାଇ ସାରିଥିବାବେଳେ ପ୍ରାୟ ୭,୧୨୮ ଜଣ ୫ ବର୍ଷରୁ ଅଧିକ କାଳ କଟାଇଛନ୍ତି।
‘କୋଡ ଅଫ କ୍ରିମିନାଲ ପ୍ରୋସେଜିଓର’ ର ଧାରା ୪୩୬(କ)ରେ ଉଲ୍ଲେଖ ରହିଛି ଯେ ଜଣେ ବିଚାରାଧୀନ କଏଦୀ ସର୍ବାଧିକ କେତେ ଦିନ କାରାଗାରରେ ରହିପାରିବ । ଏହି ଧାରା ଅନୁସାରେ କେବଳ ମୃତ୍ୟୁଦଣ୍ଡକୁ ଛାଡି ଦେଲେ ଅନ୍ୟ ସବୁ ମାମଲାରେ ଯଦି ଅନୁସନ୍ଧାନ, ବିଚାର ଚାଲିଥାଏ ତେବେ ଏହି ଦଣ୍ଡ ସଂହିତାର ସର୍ବାଧିକ ଦଣ୍ଡାଦେଶର ଦେଢ ଗୁଣ ଦଣ୍ଡ ଦିଆଯିବ। ଯଦି କଏଦୀ କାରାଗାରରେ ଥାଏ ତେବେ ସେ ନ୍ୟାୟାଳୟ ଦ୍ବାରା ବ୍ୟକ୍ତିଗତ ମୁଚାଲିକାରେ ବଣ୍ଡ୍ ସହ କିମ୍ବା ବିନା ବଣ୍ଡ୍ରେ ଖଲାସ ହୋଇପାରିବ। ତେବେ ନ୍ୟାୟାଳୟ ସରକାରୀ ଓକିଲଙ୍କ ବୟାନ ଶୁଣିବାପରେ, ଲିଖିତ ଆକାରରେ ବିଚାରାଧୀନ କଏଦୀକୁ ଦେଢ ଗୁଣ ସମୟ ପାଇଁ କାରାଗାରରେ ରଖି ପାରିବେ କିମ୍ବା ମୁକୁଳିବା ପାଇଁ ରାୟ ପ୍ରଦାନ କରିପାରିବେ ।
ଭାରତୀୟ ପିଙ୍ଗଳ କୋଡ ର ଧାରା ୧୯୫(କ), ଧାରା ୩୦୨, ୩୦୭(୨)ଏବଂ ୩୬୪ (କ) ଅନୁସାରେ ଆସାମୀକୁ ମୃତ୍ୟୁଦଣ୍ଡ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି; ସୁତରାଂ ନିୟମାନୁସାରେ ଯଦି ଏହି ଧାରା ଅଭିଯୁକ୍ତ ପାଇଁ ଲାଗୁ କରାଯାଇଥାଏ ତେବେ ତାହାକୁ କାରାଗାରରୁ ମୁକ୍ତି ମିଳିବା ସମ୍ଭବପର ନୁହେଁ ।
ଯଦିଓ ସେମାନଙ୍କ ଖଲାସ ପାଇଁ ଆମ ନ୍ୟାୟିକ ବ୍ୟବସ୍ଥାରେ ଧାରା ୪୩୬(କ) ରହିଛି, ତେବେ ଅନ୍ୟ ବିବିଧ କାରଣ ଯୋଗୁଁ ବିଚାରାଧୀନ କଏଦୀମାନେ କାରାଗାରର ଅନ୍ଧକାର କୋଠରି ଭିତରେ କାଳାତିପାତ କରିବାକୁ ବାଧ୍ୟ ହୁଅନ୍ତି । ଏହି ସବୁ ଆଇନ ହୁସନେରା ଖାତୁନ କେସରେ ଭଲ ଭାବେ ତର୍ଜମା ଓ ବିଶ୍ଳେଷଣ କରାଯାଇଛି । ଅନୁମାନ କରାଯାଏ ଯେ ବିଚାରାଧୀନ କଏଦୀମାନେ ସେମାନଙ୍କର ଅଧିକାର ବିଷୟରେ ସଂପୂର୍ଣ୍ଣ ଅଜ୍ଞ କିମ୍ବା ସେମାନଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ ପାଇଁ କେହି ସହାୟତାର ହାତ ବଢାଇ ନାହାନ୍ତି। ସରକାରଙ୍କ ଦ୍ବାରା ପ୍ରକାଶିତ କାରାଗାର ପରିସଂଖ୍ୟାନ ପୁସ୍ତିକା ଅନୁସାରେ ଦେଶର ସମସ୍ତ କାରାଗାରରେ ମୋଟ ୩,୭୧,୮୪୮ ବିଚାରାଧୀନ କଏଦୀଙ୍କ ମଧ୍ୟରୁ ୧,୦୦,୨୯୭ ଅଶିକ୍ଷିତ ଏବଂ ୧,୫୧,୩୮୬ ଦଶମ ଶ୍ରେଣୀରୁ କମ ପାଠ ପଢିଛନ୍ତି।
ତେବେ ବର୍ତ୍ତମାନ ବିଭିନ୍ନ ପ୍ରକାରର ବିଚାରାଧୀନ କଏଦୀଙ୍କ ମୁକ୍ତି ନିମନ୍ତେ ସବୁ ବିଚାରାଳୟରେ ନିମ୍ନମତେ ନିୟମାବଳୀମାନ ପ୍ରବର୍ତ୍ତନ କରାଯାଇଛି । ଯଥା (୧)ଦେୱାନୀ ମାମଲାରେ ବନ୍ଦୀ (୨) ଯେଉଁଠାରେ ଦଣ୍ଡାଦେଶ ସର୍ବାଧିକ ୭ ବର୍ଷ କିମ୍ବା କମ ଏବଂ କାରାଗାରରେ ୧୫ ଦିନ କଟାଇ ସାରିଛନ୍ତି, (୩) ବୟସ୍କ ବ୍ୟକ୍ତିଙ୍କର ଦଣ୍ଡାଦେଶ ୧୦ ବର୍ଷ କିମ୍ବା କମ ତଥା ସେମାନେ ୩ ମାସ କାରାଗାରରେ କଟାଇଥିବେ (୪)ଭାରତୀୟ ପିଙ୍ଗଳ କୋଡର ଧାରା ୩୦୪(ଗଣହତ୍ୟା) ଓ ୩୦୭(ହତ୍ୟା ଉଦ୍ୟମ)ରେ ଅଭିଯୁକ୍ତ ଯଦି ଦୋଷୀ ହୁଅନ୍ତି; ତେବେ ସର୍ବାଧିକ ୬ ମାସ କାଳ ଯଦି କାରାଗାରରେ କଟାଇଥାନ୍ତି (୫)ଯୌତୁକ ନିର୍ଯାତନା ନିମନ୍ତେ ଭାରତୀୟ ପିଙ୍ଗଳ ଧାରାର ଧାରା ୩୦୪(ଖ)ରେ ଅଭିଯୁକ୍ତଙ୍କ ପରିବାର ସଦସ୍ୟ ଯଦି ୧ ବର୍ଷରୁ ଅଧିକ କାଳ କାରାଗାରରେ କଟାଇଥାନ୍ତି; କିନ୍ତୁ ଅନ୍ୟାନ୍ୟ ମାମଲା ଯଥା ଭ୍ରୂଣ ହତ୍ୟା (ଏନଡିପିଏସ), ପକ୍ସୋ ଆଇନ ଏବଂ ପିସିଏ, ପିଏମଏଲଏ, କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ ଏବଂ ଅର୍ଥନୈତିକ ଅପରାଧ ଶାଖା ଦ୍ବାରା ଅନୁସନ୍ଧାନ ଚାଲୁ ରହିଥିବାବେଳେ ବିଚାରାଧୀନ କଏଦୀଙ୍କୁ କାରାଗାରରୁ ମୁକ୍ତି ମିଳିପାରିବ ନାହିଁ।
କିନ୍ତୁ ପ୍ରକୃତ ପକ୍ଷେ ଦେଖିବାକୁ ଗଲେ ଜଣାଯିବ ଯେ ବିଚାରାଧୀନ କଏଦୀଙ୍କୁ ଦୀର୍ଘ ଦିନ କାରାଗାରରେ ରଖିବା ଦ୍ବାରା ଦେଶ ଏବଂ ଦେଶର ଜନତାଙ୍କ ପାଇଁ ଏହା ଏକ କଳଙ୍କମୟ ଅଧ୍ୟାୟ ହୋଇ ରହେ। ସେମାନଙ୍କର ଖାଦ୍ୟପେୟଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ସମସ୍ୟା ଇତ୍ୟାଦିରେ ରାଜକୋଷରୁ ଯେଉଁ ଖର୍ଚ୍ଚ ହୁଏ ତାହା ସରକାରୀ ପାଣ୍ଠିରୁ ବ୍ୟୟ ବରାଦ କରାଯାଇଥାଏ। କେବଳ ସେତିକି ନୁହେଁ; ବିନା ବିଚାରରେ ଦୀର୍ଘଦିନ ଧରି କାରାଗାରରେ ପଡି ରହିଲେ କଏଦୀମାନେ ଶାରୀରିକ ଏବଂ ମାନସିକ ଭାବେ ଦୁର୍ବଳ ହୋଇପଡିବା ସ୍ବାଭାବିକ।
ଆମ ବିଚାର ବ୍ୟବସ୍ଥା କେତେ ମନ୍ଥର ତାହା ଊଣାଅଧିକେ ପ୍ରାୟ ସମସ୍ତଙ୍କୁ ଜଣାଥିବ ଏବଂ ଏହାକୁ ଅନେକ ଅଙ୍ଗେ ନିଭାଇଥିବେ । ବିଚାରାଧୀନ କଏଦୀର କଷ୍ଟ ହୁଏତ ସମସ୍ତେ ଅନୁଭବ କରିବା ସହଜ ନୁହେଁ । ଆମ ଦେଶରେ ନିୟମ କେବଳ ନିୟମ ଗ୍ରନ୍ଥରେ ସୀମିତ ହୋଇ ରହିଛି ଏବଂ ରହିବ ମଧ୍ୟ । ଏହାକୁ ପ୍ରଣୟନ କରିବାରେ ବିଫଳତା ଦ୍ବାରା ସାମାଜିକ ସ୍ତରରେ ଯେତେ ପ୍ରକାରର ଆଲୋଡନ ପ୍ରତିଫଳନ ହେଲେ ମଧ୍ୟ ସମାଜରେ ସଚେତନତା ସୃଷ୍ଟି ହୋଇପାରିନାହିଁ। ସୁତରାଂ ଏବେ ସଚେତନ ହେବାର ସମୟ ଆସିଛି।

