‘ମନରେଗା’ ଅଧୀନରେ ଶ୍ରମଜୀବୀଙ୍କ କର୍ମ ନିୟୋଜନ ଓ ପାରିଶ୍ରମିକ ପ୍ରଦାନକୁ ସୁନିଶ୍ଚିତ କରିବା ସରକାରଙ୍କ ପ୍ରଧାନ କର୍ତ୍ତବ୍ୟ ହେବା ଉଚିତ
ଦେଶର ଗ୍ରାମାଞ୍ଚଳବାସୀଙ୍କ ଜୀବିକାର ସୁରକ୍ଷା ପାଇଁ ଯେତେବେଳେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଅଧିନିୟମ (ମନରେଗା) କାର୍ଯ୍ୟକାରୀ କରାଯାଇଥିଲା, ସେତେବେଳେ ଏହାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ଖୁବ୍ ସ୍ପଷ୍ଟ ଥିଲା। ସହରକୈନ୍ଦ୍ରିକ ରୋଜଗାରର ବିକେନ୍ଦ୍ରୀକରଣ ପରି ଗାଁରେ ରହୁଥିବା ଲୋକମାନଙ୍କୁ ସ୍ଥାନୀୟ ସ୍ତରରେ କାମ ଯୋଗାଇଦେବା ସହ ଉପଯୁକ୍ତ ପାରିଶ୍ରମିକ ସୁନିଶ୍ଚିତ କରିବା ଥିଲା ଏହାର ମୁଖ୍ୟ ଉଦ୍ଦେଶ୍ୟ। ଏହାଦ୍ବାରା ଶ୍ରମଜୀବୀ ଶ୍ରେଣୀର ଅନ୍ୟ ରାଜ୍ୟକୁ ପଳାୟନ ବା ବିସ୍ଥାପନ ଭଳି ବଡ଼ ସମସ୍ୟାର ସମାଧାନ ମଧ୍ୟ ହୋଇପାରିବ ବୋଲି ବିଶ୍ବାସ କରାଯାଉଥିଲା। ଏହି ଆଇନ କାର୍ଯ୍ୟକାରୀ ହେବାପରେ ଏହାକୁ ନେଇ ବେଶ୍ ଉତ୍ସାହ ମଧ୍ୟ ପ୍ରକାଶ ପାଇଲା; କାରଣ ଏହା ତୃଣମୂଳ ସ୍ତରରେ ବେଶ୍ ପ୍ରଭାବ ପକାଇପାରିଲା। କେବଳ ୧୦୦ ଦିନର କାମ ସୁନିଶ୍ଚିତ କରାଯାଇଥିବା ସତ୍ତ୍ବେ ଗ୍ରାମାଞ୍ଚଳରୁ ସହରାଞ୍ଚଳକୁ କର୍ମ ଅନ୍ବେଷଣରେ ଯାଉଥିବା ଲୋକଙ୍କ ସଂଖ୍ୟା ଆଖିଦୃଶିଆ ଭାବେ କମିଲା। ଏଥିରୁ ଗୋଟିଏ କଥା ମଧ୍ୟ ସ୍ପଷ୍ଟ ହୋଇଗଲା ଯେ ଲୋକଙ୍କୁ ସ୍ଥାନୀୟ ସ୍ତରରେ କାମ ମିଳିଲେ ଓ ଗାଁରେ ଯଦି ଚଳିପାରିବା ଭଳି ଆୟ କରିପାରିଲେ ସେମାନେ ରୋଜଗାର ପାଇଁ ସହରାଭିମୁଖୀ ହେବେ ନାହିଁ।
ତେବେ କିଛି ବର୍ଷ ପରେ ଏହି ଅତ୍ୟନ୍ତ ଜରୁରୀ ଯୋଜନାଟି ବ୍ୟବସ୍ଥାଗତ କୁପରିଚାଳନା ହେତୁ ଧୀରେଧୀରେ ଦୁର୍ନୀତିଗ୍ରସ୍ତ ହେବାରେ ଲାଗିଲା।
ପ୍ରକୃତରେ ସରକାର ଏହାକୁ ଗୁରୁତ୍ବ ଦେଲେ ନାହିଁ ଏବଂ ବ୍ୟବସ୍ଥାଟିକୁ ମଜଭୁତ କରିବା ବଦଳରେ ଏହାକୁ ଅନ୍ୟ ଯୋଜନା ବା କାର୍ଯ୍ୟକ୍ରମ ପରି ଦେଖିବାକୁ ଲାଗିଲେ। ଯେଉଁ ବ୍ୟବସ୍ଥାଟି ସମଗ୍ର ଦେଶର ରୋଜଗାରଶୂନ୍ୟ ଜନତାଙ୍କ ପାଇଁ ଆଶାର କିରଣ ନେଇ ଆସିଥିଲା, ତାକୁ ସରକାର ଏପରି ଅନାଦର କରିବା ପ୍ରକୃତରେ ବିସ୍ମୟକର। ମୋଦୀ ସରକାରଙ୍କ ସମୟରେ ମନରେଗା ଖୁବ୍ ଅବହେଳିତ ହୋଇପଡ଼ିଥିବା ଯେଉଁ ଅଭିଯୋଗ ହେଉଛି, ତାହା ଅଯଥାର୍ଥ ନୁହେଁ; କାରଣ ସରକାର ଏହାର ବଜେଟ୍କୁ ବୃଦ୍ଧି କରିବା ବଦଳରେ ପ୍ରତିବର୍ଷ ହ୍ରାସ କରିଚାଲିଛନ୍ତି। ଗତ ମାସରେ ଲୋକସଭାରେ ମଧ୍ୟ ଏ ନେଇ ପ୍ରଶ୍ନ ଉଠିଥିଲା। ମନରେଗା ବଜେଟକୁ କମ୍ କରାଯିବା କାରଣରୁ ଶ୍ରମିକମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଥିବା ଦର୍ଶାଯାଇଥିଲା। ଆହୁରି ମଧ୍ୟ ସେମାନଙ୍କ କର୍ମ ନିୟୋଜନ ସୁନିଶ୍ଚିତ କରିବା ଓ ଠିକ୍ ସମୟରେ ପାରିଶ୍ରମିକ ପ୍ରଦାନ କରିବା ପାଇଁ ଯେଉଁ ଆଇନ ପ୍ରଣୀତ ହୋଇଛି, ତାହା ବସ୍ତୁତଃ ବିଫଳ ହୋଇଥିବା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।
ସୂଚନାଯୋଗ୍ୟ ଯେ ୨୦୨୦ ତୁଳନାରେ ଏଥର ମନରେଗା ବଜେଟରେ ୩୫ ଶତାଂଶ ଅର୍ଥ ହ୍ରାସ କରାଯାଇଛି। ବର୍ତ୍ତମାନ ଅବସ୍ଥା ଏପରି ହୋଇଛି ଯେ ଗ୍ରାମାଞ୍ଚଳରେ ମନରେଗା ଅଧୀନରେ କାମ କରୁଥିବା ଶ୍ରମିକମାନଙ୍କୁ ଠିକ୍ଭାବେ ପାରିଶ୍ରମିକ ମଧ୍ୟ ମିଳିପାରୁ ନାହିଁ। ଏପରି ଏକ ତଥ୍ୟ ଆସିଛି ଖୋଦ୍ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟର କାର୍ଯ୍ୟ ସମୀକ୍ଷା କରୁଥିବା ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତିରାଜ ସମ୍ବନ୍ଧୀୟ ସ୍ଥାୟୀ ସମିତି ପକ୍ଷରୁ। ଏହି ସମିତି ତା’ର ଏକ ରିପୋର୍ଟରେ ଦର୍ଶାଇଛି ଯେ ମନରେଗାରେ କାର୍ଯ୍ୟ କରିଥିବା ଶ୍ରମିକମାନଙ୍କର ପାରିଶ୍ରମିକ ବାବଦରେ ୪ ହଜାର ୬୦ କୋଟି ଟଙ୍କା ବକେୟା ରହିଛି। ଏହା ନିଶ୍ଚିତ ଭାବେ ଏକ ଦୁର୍ଭାଗ୍ୟଜନକ କଥା।
ଧ୍ୟାନଯୋଗ୍ୟ ଯେ ମନରେଗା ହିଁ ଏପରି ଏକ ଯୋଜନା ସମଗ୍ର ଦେଶରେ କାର୍ଯ୍ୟ କରୁଛି, ଯାହା ମହାମାରୀ ଭଳି ବଡ଼ ବିପର୍ଯ୍ୟୟ ସମୟରେ ଗ୍ରାମାଞ୍ଚଳର ଲୋକଙ୍କୁ କାମ ଯୋଗାଇଦେଇ ଜୀବନ ବଞ୍ଚାଇବାରେ ସହାୟକ ହୋଇପାରିଛି। ବାରମ୍ବାର ତାଲାବନ୍ଦ କରି ସରକାର ଲୋକଙ୍କ ହାତରୁ ରୋଜଗାର ଛଡ଼ାଇ ନେବାପରେ ସହରରୁ ନିଜନିଜ ଗାଁକୁ ଶ୍ରମଜୀବୀ ଶ୍ରେଣୀ ଫେରିଯିବାକୁ ବାଧ୍ୟ ହୋଇଥିଲେ। ମାସମାସ ଧରି ସେମାନଙ୍କୁ ବେରୋଜଗାର ରହିବାକୁ ପଡ଼ିଥିଲା। ରୋଜଗାର କରି ସଞ୍ଚୟ କରିଥିବା ଅଳ୍ପ ଟଙ୍କା ଶେଷ ହୋଇଯିବା ପରେ ଅନେକଙ୍କୁ ଭୋକଶୋଷରେ ଦିନ କାଟିବାକୁ ପଡ଼ିଥିଲା। ସେହି ସମୟରେ କୋଟିକୋଟି ଗରିବ ପରିବାର ପାଇଁ ମନରେଗା ହିଁ ବଞ୍ଚିବାର ସାହାରା ହୋଇଥିଲା। ପରିତାପର ବିଷୟ ଯେ ବର୍ତ୍ତମାନର ସରକାର ଏପରି ଏକ ଯୋଜନା ପ୍ରତି ଯେତିକି ଦୃଷ୍ଟି ଦେବା କଥା, ସେତିକି ଦେଉନାହାନ୍ତି। ଶ୍ରମଜୀବୀ ଶ୍ରେଣୀ ଏ ଦେଶର ବିକାଶରେ ସର୍ବଦା ବଡ଼ ଭୂମିକା ତୁଲାଇ ଆସିଛନ୍ତି। ସେମାନଙ୍କ କର୍ମନିୟୋଜନ ସୁନିଶ୍ଚିତ ନ କରିବା, ସର୍ବୋପରି ସେମାନଙ୍କୁ ପାରିଶ୍ରମିକ ଠିକ୍ ଭାବେ ନ ମିଳିବା ବ୍ୟବସ୍ଥାର ଏକ ବଡ଼ ବିଫଳତା କହିଲେ ଅତ୍ୟୁକ୍ତି ହେବନାହିଁ। ବିଶ୍ବର ଆର୍ଥିକ ମହାଶକ୍ତି ହେବାର ଦାବି କରୁଥିବା ଦେଶ ପାଇଁ ଏହା ଲଜ୍ଜାଜନକ। ଆଗାମୀ ଦିନରେ ମନରେଗାକୁ କିପରି ଶକ୍ତିଶାଳୀ କରାଯାଇପାରିବ ଏବଂ ଏଥିପାଇଁ ବଜେଟରେ ଅଧିକ ଅର୍ଥ ଆବଣ୍ଟନ କରାଯିବ, ସେ ନେଇ ସରକାର ଚିନ୍ତା କରିବାର ଆବଶ୍ୟକତା ରହିଛି।



