www.samajalive.in
Saturday, December 6, 2025
26.1 C
Bhubaneswar

ଯୁଦ୍ଧ, ଯନ୍ତ୍ରଣା ଓ ଟଲଷ୍ଟୟ

ବ୍ୟଥିତ ବିଶ୍ୱ। ବିଚିତ୍ର ସ୍ଥିତି। ଗୋଟିଏ ପଟେ ମଙ୍ଗଳଗ୍ରହରେ ବସତି ବସେଇବାର ବ୍ୟଗ୍ରତା ତ ଅନ୍ୟପଟେ ଅମଙ୍ଗଳକୁ ଆମନ୍ତ୍ରଣ। ନିଜକୁ ସଭ୍ୟ, ବିଚାରବନ୍ତ, ବିକଶିତ ବୋଲି ବିଚାରୁଥିବା ମଣିଷର ଯୁଦ୍ଧଖୋର ମନୋବୃତ୍ତି ଏକ ନିକୃଷ୍ଟ ମାନସିକତା ନୁହଁ କି? ସାମନ୍ତବାଦୀ, ସାମ୍ରାଜ୍ୟବାଦୀ, ସ୍ୱାର୍ଥୀ ଆମେରିକାର ଅଦୂରଦର୍ଶୀ ରାଷ୍ଟ୍ରପତି ବାଇଡେନଙ୍କ ବିଲୁଆ ବୁଦ୍ଧିରେ ଭ୍ରମିତ ୟୁକ୍ରେନ ବଳିପଡିଛି ଆଜି। ବଧଭୂମିରେ ପରିଣତ ସେ ଆଜି। ଥମିବାର ନାଁ ଧରୁନି ଯୁଦ୍ଧ। ବରଂ ଦିନକୁ ଦିନ ଭୟଙ୍କର ରୂପ ଧାରଣକରି ମୁହାଉଁଛି ୩ୟ ବିଶ୍ୱଯୁଦ୍ଧ ଆଡକୁ। ସୋଭିଏତ ରୁଷ-ୟୁକ୍ରେନ ସଂଘର୍ଷରେ ଉଭୟପକ୍ଷର ପ୍ରାୟ ୨୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି। ଜୀବନ ବଞ୍ଚାଇବାକୁ ଚାଲିଛି ବିକଳ ପ୍ରୟାସ। ୟୁକ୍ରେନ ମାଟିରୁ ଅଦ୍ୟାବଧି ପ୍ରାୟ ୧ କୋଟି ଲୋକ ଦେଶ ଛାଡି ଅନ୍ୟତ୍ର ଆଶ୍ରୟ ନେଇଥିବାର ଜଣାଯାଏ। ଯେଉଁଠି ଯୁଦ୍ଧ, ସେଇଠି ଯନ୍ତ୍ରଣା। ଯୁଦ୍ଧ- ସଭ୍ୟ ସମାଜର ଏକ ସୈତାନୀକାଣ୍ଡ। ନୃଶଂସତାର ନଗ୍ନରୂପ। ବିବେକବର୍ଜିତ

ବିକାରଗ୍ରସ୍ତ ମଣିଷର ବିକୃତ ବିଚାରବୋଧ। ଯୁଦ୍ଧ – ମୃତ୍ୟୁର ମିତ୍ର। ବ୍ୟଥା, ବେଦନା, ବରବାଦୀର ବର୍ଗକ୍ଷେତ୍ର। ବିଦ୍ୱେଷ, ବିଭୀଷିକାର ବିକଟାଳରୂପ। ଯୁଦ୍ଧର ଜ୍ବାଳାରେ କେବଳ ଦୁଇ ଭୂଖଣ୍ଡ ନୁହଁ, ସାରା ଜଗତ ହୁଏ ଯନ୍ତ୍ରଣା ଜର୍ଜରିତ। ଯୁଦ୍ଧର ଆରମ୍ଭ ହୁଏ ଜିଦ୍‌ଖୋର ମନୋଭାବ ଓ ଅହମିକାପଣରୁ ଏବଂ ଶେଷ ହୁଏ ଅବସାଦ ଓ ଅନୁଶୋଚନାରେ; କିନ୍ତୁ ସେତେବେଳକୁ ସର୍ବନାଶକୁ ସାମ୍ନା କରିସାରିଥାଏ ଦୁନିଆ। ଯୁଦ୍ଧ ଘନଘଟାର ଅନେକ ତିକ୍ତ ଅନୁଭୂତିକୁ ଅଙ୍ଗେ ନିଭାଇ ସାରିଛି ରୁଷ। ତଥାପି ଏ ପର୍ଯ୍ୟନ୍ତ ତା’ର ଚୈତନ୍ୟ ଉଦୟ ନ ହେବା ଅତ୍ୟନ୍ତ ପରିତାପର ବିଷୟ। ରକ୍ତରଞ୍ଜିତ ଅଟେ ରୁଷର ଅତୀତ ଇତିହାସ।

- Advertisement -

ପଞ୍ଚଦଶ ଶତାବ୍ଦୀରୁ ଅଦ୍ୟାବଧି ପ୍ରାୟ ୭୦ରୁ ଅଧିକ ଯୁଦ୍ଧର କ୍ଷତକୁ ଅଙ୍ଗେ ନିଭେଇଛି ସେ ଦେଶ। ରୁଷ ଉପରେ ୧୮୧୨ ମସିହାରେ ନେପୋଲିଅନଙ୍କ ଫ୍ରାନ୍ସ ସେନାର ଭୟଙ୍କର ଆକ୍ରମଣର କାହାଣୀ ଶୁଣିଲେ ଆଜି ବି ଦେହ ଶୀତେଇ ଉଠେ। କେବଳ ଗୋଟିଏ ଦିନରେ ୭୦ ହଜାର ମୁଣ୍ଡ ଗଡିଥିଲାବେଳେ ଛଅ ମାସର ଏହି ଯୁଦ୍ଧରେ ଅନ୍ୟୂନ ୨ଲକ୍ଷ ଲୋକଙ୍କ ଜୀବନ ଯାଇଥିଲା। ସେହି ଯୁଦ୍ଧର କ୍ଷତ ଏତେ ଗଭୀର ଥିଲା ଯେ ୫ ଦଶନ୍ଧି ପରେ ବି ଟଲଷ୍ଟୟଙ୍କ ହୃଦୟକୁ ତାହା ଦୋହଲାଇ ଦେଇଥିଲା। ସେଇଠୁ, ଯୁଦ୍ଧ ବା ନରସଂହାର ବିରୁଦ୍ଧରେ ବିଶ୍ୱକୁ ଭଲବାର୍ତ୍ତା ଦେବାକୁ ଲେଖିବସିଲେ ଦୀର୍ଘ ଏକ କାଳଜୟୀ ଉପନ୍ୟାସ ‘ଯୁଦ୍ଧ ଓ ଶାନ୍ତି’।

‘ମହାର୍ଘ ମଣିଷ ଜୀବନର ଚରମ ଓ ପରମ ଲକ୍ଷ୍ୟ, ସୁଖ ଓ ଶାନ୍ତି ହେବା ଉଚିତ। ଏଣୁ ଶାନ୍ତିଭରା ଜୀବନ ଜିଇବା ପାଇଁ ଆଧ୍ୟାତ୍ମିକତା ହେଉଛି ଶ୍ରେଷ୍ଠ ମାର୍ଗ। ଆଧ୍ୟାତ୍ମିକ ଦୃଷ୍ଟି ବିନା ମଣିଷର ବିନାଶ, ଏକ କଠୋର ସତ୍ୟ’ – ଏହା ହିଁ ହେଉଛି ତାଙ୍କର ସେହି କାଳଜୟୀ ସୃଷ୍ଟିର ସାରମର୍ମ। ଏଇଠି ବେଶ୍‌ ମନେ ପଡନ୍ତି ବିଶିଷ୍ଟ ବିଦ୍ୱାନ୍‌ ଓ ଚିନ୍ତକ ସିଗମଣ୍ଡ ଫ୍ରଏଡ଼। ମାନବ ସମାଜର ହିଂସାତ୍ମକ କାର୍ଯ୍ୟପନ୍ଥାକୁ ନେଇ ଗଭୀର ଉଦବେଗ ପ୍ରକାଶ କରୁଥିବା ଏବଂ ବିଶ୍ଳେଷଣ କରୁଥିବା ମନୀଷୀମାନଙ୍କ ମଧ୍ୟରେ ଫ୍ରଏଡ଼ ହେଉଛନ୍ତି ଅନ୍ୟତମ ବିଶାରଦ। ତାଙ୍କ ମତରେ ‘ସମସ୍ତ ଦେବୋପମ ଗୁଣ ସତ୍ତ୍ବେ, ମଣିଷ ମଧ୍ୟେ ନିହିତ ଅଛି ଏକ ମାରାତ୍ମକ ଶକ୍ତି’, ଯାହା ମଣିଷକୁ ମରଣମୁଖୀ କରିଥାଏ। ତା’ଭିତରେ ଥିବା ସୈତାନୀପଣକୁ ଜଗେଇଥାଏ। ଏହି ଶକ୍ତି ଯେବେ ବହିର୍ମୁଖୀ ହୁଏ, ମଣିଷ ସେତେବେଳେ ରକ୍ତମୁଖା ହୋଇ ସଂଘର୍ଷ ପାଇଁ ତତ୍ପର ହୁଏ। ସେଇଠୁ ଯୁଦ୍ଧ, ଦ୍ବନ୍ଦ୍ବ ବା ଧ୍ବଂସାଦି କାର୍ଯ୍ୟରେ ବ୍ୟାପ୍ତ ରହିବାକୁ ସେ ଅତିଶୟ ବ୍ୟଗ୍ର ହୋଇଉଠେ।

ଏହା ସେତେବେଳେ ଆହୁରି ତୀବ୍ର ହୋଇଉଠେ ଯେତେବେଳେ ମଣିଷ ଈଶ୍ୱରଙ୍କଠାରୁ ଦୂରେଇ ଯାଏ ବା ଈଶ୍ୱରତ୍ୱକୁ ଅସ୍ବୀକାର କରେ। ଏଣୁ ସୁଖଦ ସହାବସ୍ଥାନ ପାଇଁ ମଣିଷ ଈଶ୍ୱର ଅଭିମୁଖୀ ହେବା ବିଧେୟ।’ ବୋଧହୁଏ ଟଲଷ୍ଟୟ ଏଇଥିପାଇଁ ଯୁଦ୍ଧ ଓ ହିଂସା ବିରୋଧରେ ଯୁଦ୍ଧ କରିବାକୁ ଯାଇ ଅସି ତ୍ୟାଗ କରି ମସୀ ଧରିବାକୁ ଉଚିତ ମଣିଥିଲେ। ସେନା ଚାକିରିରୁ ଅବ୍ୟାହତି ନେଇ ସମାଜ ସୁଧାରରେ ଲାଗି ପଡିଲେ ସାହିତ୍ୟକୁ ସାଥିକରି; କିନ୍ତୁ ଅତୀବ ଦୁର୍ଭାଗ୍ୟର ବିଷୟ ଏହି ଯେ ଟଲଷ୍ଟୟଙ୍କ ସେହି ମାଟିର ମଣିଷ, ପୁତିନ ଆଜି ଆଦରି ବସିଛନ୍ତି ପ୍ରଳୟର ପନ୍ଥାକୁ। ବିଶ୍ୱପ୍ରସିଦ୍ଧ ରୁଷୀୟ ଲେଖକ ଆଜି ଯଦି ଥାଆନ୍ତେ, ତେବେ ଭାରତକୁ ଆଦର୍ଶ ଭାବେ ଗ୍ରହଣ କରିବାକୁ ବିଶ୍ୱ ନେତୃବୃନ୍ଦଙ୍କୁ ପରାମର୍ଶ ଦେଇ କହୁଥାନ୍ତେ- ‘ହେ ବିଶ୍ୱବାସୀ, ଥରେ ମାତ୍ର ଭାରତକୁ ଦେଖ। ହଜାର ହଜାର ବର୍ଷର ଇତିହାସରେ ଏହି ଭବ୍ୟ ଭୂଖଣ୍ଡ ବରଂ ବହୁବାର ବିଦେଶୀ ଆକ୍ରମଣର ଶିକାର ହୋଇ ଶାସିତ ଓ ଶୋଷିତ ହେଇଛି, କିନ୍ତୁ କସ୍ମିନ କାଳେ କାହା ଉପରେ ଆକ୍ରମଣ କରିନାହିଁ କି ଅନ୍ୟ ଉପରେ ପ୍ରଭୁତ୍ୱ ବିସ୍ତାର ପାଇଁ କେବେ ପ୍ରୟାସ କରିନାହିଁ। ଶାନ୍ତି ପାଇଁ ସେ ଭୂମି ବରଂ ବିଶ୍ୱକୁ ‘ଶାନ୍ତିଦୂତ – ବୁଦ୍ଧ’ ଉପହାର ଦେଇଛି କିନ୍ତୁ ଯୁଦ୍ଧ ନୁହଁ।’ ବିଶ୍ୱର ହିଂସ୍ର, ଯୁଦ୍ଧଖୋର ରକ୍ତପିପାସୁ ଶାସକଙ୍କୁ ପୁଣି କହନ୍ତେ – ‘ମଣିଷ ଜୀବନ ଅତ୍ୟନ୍ତ ମୂଲ୍ୟବାନ। ଏଣୁ ଜୀବନରେ ମାନବିକତାକୁ ସମ୍ମାନ ଦିଅ। ପରସ୍ପର ପ୍ରତି ସମ୍ମାନବୋଧରେ ହିଁ ନିହିତ ମଣିଷ ଜୀବନର ମହକ। ଅନ୍ୟକୁ ଆଘାତ ବା ଆକ୍ରମଣରେ ନଥାଏ ଆନନ୍ଦବୋଧ ଅବା ଗୌରବ ବୋଧ। ଶାନ୍ତି ହେଉ ସଭିଙ୍କ ଜୀବନର ଅମୃତ ଆକାଙ୍‌କ୍ଷା। କାରଣ ଶାନ୍ତି ବିନା ସଭ୍ୟତାର ବା କିବା ମୂଲ୍ୟ? କ୍ରୂରତା ଦ୍ୱାରା ନୁହେଁ, ସଦିଚ୍ଛା ଦ୍ୱାରା ହିଁ ବିଶ୍ୱଶକ୍ତିର ସାମର୍ଥ୍ୟ ବୁଝାପଡ଼େ। ଅନ୍ୟର ମୁଣ୍ଡ କାଟି ଡେଙ୍ଗା ବୋଲି ଦେଖେଇ ହେବାରେ ଵୀରତ୍ୱ ନଥାଏ। ବଳ ପ୍ରୟୋଗ କରି କୌଣସି ସମସ୍ୟାର ସ୍ଥାୟୀ ସମାଧାନ କରା ଯାଇପାରେନା। ରକ୍ତସ୍ନାତ ମାଟିରୁ ଜାତ ଫଳ ଅପେକ୍ଷା ଶାନ୍ତି ଓ ସଦ୍ଭାବରେ ବିଜିତ ଭୂମିର ଫଳ ଅଧିକ ମଧୁର। ହିଂସାର ବିଜୟ ଘଟେ ଶୋକ ପାଳନର ଉତ୍ସବରେ। ଯୁଦ୍ଧ ଘୋଷଣା କରିବା ସହଜ କିନ୍ତୁ ଶାନ୍ତି ବା ସନ୍ଧିସ୍ଥାପନ ନିମନ୍ତେ ଫଳପ୍ରଦ ଉଦ୍ୟମ ପାଇଁ ଲୋଡ଼ା ଧୈର୍ଯ୍ୟ ଓ ସାହସ। ଏହାକୁ କେବଳ ବୀରମାନେ ହିଁ କରିପାରିବେ କାରଣ ସାହସୀ ଓ ବୀରମାନେ ହିଁ ସନ୍ଧିସ୍ଥାପନ ଓ ଅହିଂସା ଆଚରଣ କରିବାକୁ କ୍ଷମ, ଯାହାକି ଭୀରୁପକ୍ଷେ ସମ୍ଭବ ନୁହେଁ। ବଳବାନ ଥିବା ଅନ୍ୟାୟୀ ଲୋକଠୁ ଦୁର୍ବଳ ଥିବା ନ୍ୟାୟବନ୍ତ ବ୍ୟକ୍ତି ଅଧିକ ଶକ୍ତିଶାଳୀ। ଯୁଦ୍ଧବିଜୟ, ଘୃଣା ସୃଷ୍ଟି କରିଥାଏ କାରଣ ପରାଜିତମାନେ ସେଥିଯୋଗୁଁ ଯନ୍ତ୍ରଣାରେ ଜୀବନ ଅତିବାହିତ କରିଥାନ୍ତି। ଯୁଦ୍ଧ ବା ଧ୍ୱଂସାତ୍ମକ କ୍ରିୟାରେ ଖର୍ଚ୍ଚ କରାଯାଉଥିବା ଅର୍ବୁଦ ଅର୍ବୁଦ ଅର୍ଥକୁ ଇଥିଓପିଆ ପରି ବ୍ୟାଧି, ବିତ୍ପାତ, ଦାରିଦ୍ର୍ୟ ଓ ଦୁର୍ଦିନରୁ ମୁକ୍ତି ପାଇଁ ବିନିଯୋଗ କରିବ ନାହିଁ କାହିଁକି?

ସୋମାଲିଆ ପରି ଇଥିଓପିଆ ଥିଲା କଙ୍କାଳକାୟ ମଣିଷଙ୍କ ଭାଗ୍ୟହୀନ ଭୂମି; କିନ୍ତୁ ଇଗଲପରି ଇତିହାସ ରଚିଚାଲିଛି ଇଥିଓପିଆ। ଯେହେତୁ ତାହାର ଏକମାତ୍ର ସ୍ବପ୍ନ ଶାନ୍ତି ଓ ସମୃଦ୍ଧି, ଏଣୁ ପଡ଼ୋଶୀଙ୍କୁ ଶିଖାଇଲା ଶାନ୍ତି ଓ ସୁଖଦ ସହାବସ୍ଥାନର ମନ୍ତ୍ର- ‘ଚାଲ, ଶାନ୍ତିରେ ରହିଵା, ସମୃଦ୍ଧି କରିବା।’ ଫଳତଃ ପଡୋଶୀ ସୋମାଲିଆ, କେନିଆ, ସୁଦାନ, ଏରିଟ୍ରିଆ ଆଦି ଦେଶ ସହିତ ବୈରୀଭାବ ହଟି ବଢିଛି ବନ୍ଧୁତ୍ୱର ଭାବ। ଯେଉଁଥିପାଇଁ କି ଆଫ୍ରିକାର ୨ୟ ବୃହତ୍ତମ ଜନସଂଖ୍ୟା (ସାଢ଼େ ୧୦କୋଟିରୁ ଅଧିକ) ଓ ଘନ ଜନସଂଖ୍ୟାର ଏହି ଦେଶଟିର ବାର୍ଷିକ ଅଭିବୃଦ୍ଧି ହାର (୮.୩) ଭାରତ (୬.୬) ଠାରୁ ବି ଅଧିକ ବୋଲି ବିଶ୍ବବ୍ୟାଙ୍କର ୨୦୧୭ ମସିହା ରିପୋର୍ଟ କହେ। ଏହି ପ୍ରକାର ସକାରାତ୍ମକ ଦୃଷ୍ଟିଭଙ୍ଗୀ ନେଇ ଆଗକୁ ବଢୁଥିବା ଇଥିଓପିଆକୁ ‘ଦୃଷ୍ଟାନ୍ତର ଦେଶ’ ଭାବେ ଜାତିସଂଘର ପରିବେଶ ମନ୍ତ୍ରାଳୟ ମଧ୍ୟ ଘୋଷଣା କରିସାରିଛି। ଆହୁରି ବି ସେ ଦେଶର ରାଷ୍ଟ୍ରମୁଖ୍ୟଙ୍କୁ ୨୦୧୯ ମସିହା ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇସାରିଛି ଏଇଥିପାଇଁ। ସେହିଭଳି ଫ୍ରାନ୍ସ ଓ ସ୍ୱିଜରଲାଣ୍ଡ ଏକଏକ ସମୃଦ୍ଧ ଭୂଖଣ୍ଡ, ଉତ୍କୃଷ୍ଟ ବିଚାରବୋଧ ଯୋଗୁଁ। ଉଭୟ ପଡୋଶୀଙ୍କ ମଧ୍ୟେ ନାହିଁ କୌଣସି ଭେଦଭାବ। ଶତ୍ରୁତା ନଥିବାରୁ ବିକାଶକଳ୍ପେ ଉଭୟ ସଂକଳ୍ପବଦ୍ଧ। ପରସ୍ପର ପ୍ରତି ଏତେ ସହନଶୀଳ ଯେ ସୀମାରେ ନାହିଁ କୌଣସି ତାରବାଡ଼। ଏପରି କି ଗୋଟେ ଗୋଟେ ଘର ବା ହୋଟେଲ ଭିତରେ ଅବସ୍ଥିତ ଦୁଇ ଦେଶର ଭୂଖଣ୍ଡ। ଅତଏବ ହେ ବିଶ୍ୱ ସମୁଦାୟ, ଦୟାକରି ଘୃଣା, ବିଦ୍ୱେଷ ବା ବୈରୀଭାବ ଠାରୁ ଦୂରେଇ ଯାଇ ଶାନ୍ତିପୂର୍ଣ୍ଣ ଦୁନିଆଟିଏ ପାଇଁ ପ୍ରୟାସ ଓ ପ୍ରଯତ୍ନ କର। ଯେମିତି କି ଆଗାମୀ କାଲିର ସକାଳ ଦେଖିବ, ସୁଖ-ଶାନ୍ତି ଭରା ଏକ ନୂତନ ସୂ‌େର୍ଯ୍ୟାଦୟ।’

 

Hot this week

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

Related Articles

Popular Categories