ପୁଲିସ ଦେଶର ସର୍ବାଧିକ ମାନବାଧିକାର ଉଲ୍ଲଙ୍ଘନକାରୀ ସଂସ୍ଥା ବୋଲି ଜାତୀୟ ଆଇନ ସେବା ପ୍ରାଧିକରଣ ସଂସ୍ଥା(ନାଲସା)ର ଏକ କାର୍ଯ୍ୟକ୍ରମରେ ଯୋଗଦେଇ କିଛିମାସ ତଳେ ଭାରତର ପ୍ରଧାନ ବିଚାରପତି ଏନ୍ଭି ରମଣା ମନ୍ତବ୍ୟ ଦେଇଥିଲେ। କେବଳ ମାନସିକ ଭାବେ ନୁହେଁ ଶାରୀରିକ ଭାବେ ଥାନାରେ ମାନବିକ ଅଧିକାର ଉଲ୍ଲଙ୍ଘନ କରାଯାଉଛି, ସମ୍ମାନାସ୍ପଦ ବ୍ୟକ୍ତି ମଧ୍ୟ ଏଥିରୁ ବାଦ ପଡ଼ୁନାହାନ୍ତି ବୋଲି ପ୍ରଧାନ ବିଚାରପତି ଦେଇଥିବା ମନ୍ତବ୍ୟ ପ୍ରଣିଧାନଯୋଗ୍ୟ। ହାଜତ ମୃତ୍ୟୁ ବା ପୁଲିସ ନିର୍ଯାତନା ଏବେ ବି ଦେଶରେ ବଳବତ୍ତର ରହିଛି। ପୁଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ବିରୋଧରେ ସାମ୍ବିଧାନିକ ଅଧିକାର ସଂକ୍ରାନ୍ତ ସୂଚନା ପ୍ରଦାନ ଦିଗରେ ଆଇନ ସହାୟତା ସଂସ୍ଥା ତତ୍ପର ହେବା ଆବଶ୍ୟକ ବୋଲି ଏହି ଅବସରରେ ପ୍ରଧାନ ବିଚାରପତି କହିଥିଲେ। ଏଠାରେ ସ୍ମରଣ କରିବା ବିଷୟ ଯେ, ଗତ ମୌସୁମି ଅଧିବେଶନ ସମୟରେ କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଜଣାଇଛନ୍ତି ଯେ ୨୦୧୮, ୨୦୧୯, ୨୦୨୦ ମସିହାରେ ଯଥାକ୍ରମେ ୧୩୬, ୧୧୨, ୧୦୦ ଜଣ ବ୍ୟକ୍ତି ପୁଲିସ ହେପାଜତରେ ପ୍ରାଣ ହରାଇଛନ୍ତି। ବିଗତ ତିନି ବର୍ଷ ମଧ୍ୟରେ ୩୪୮ ବ୍ୟକ୍ତି ପୁଲିସ ହେପାଜତରେ ପ୍ରାଣ ହରାଇଥିବାବେଳେ ୧୧୮୯ ଜଣ ନିର୍ଯାତିତ ହୋଇଛନ୍ତି ବୋଲି ସଂସଦରେ ଦର୍ଶାଯାଇଛି। ଏହା ସରକାରୀ ପ୍ରଦତ୍ତ ପରିସଂଖ୍ୟାନ। ଏହି ପରିସଂଖ୍ୟାନରେ ମାନବିକ ଅଧିକାରର ଉଲ୍ଲଙ୍ଘନ ଦେଶରେ ହ୍ରାସ ପାଉଥିବା ଦର୍ଶାଇବା ପାଇଁ ଉଦ୍ୟମ କରାଯାଉଛି। ପ୍ରତ୍ୟେକ ସରକାରଙ୍କର ଏହା ହିଁ ଲକ୍ଷ୍ୟ।
ମାନବିକ ଅଧିକାର ଉଲ୍ଲଙ୍ଘନ ସଂକ୍ରାନ୍ତ ୨୦୨୦ ଜାତିସଂଘ ରିପୋର୍ଟ ଅନୁଯାୟୀ ୨୦୧୯ ମସିହାରେ ଭାରତରେ ପୁଲିସ ହେପାଜତରେ ୧୨୫ ଜଣ ମୃତ୍ୟୁମୁଖରେ ପଡ଼ିଛନ୍ତି। ଉତ୍ତରପ୍ରଦେଶରେ ସର୍ବାଧିକ ୧୪ ଜଣ ପୁଲିସ ହାଜତରେ ମୃତ୍ୟୁ ମୁଖରେ ପଡ଼ିଥିବାବେଳେ ତାମିଲନାଡ଼ୁ ଓ ପଞ୍ଜାବରେ ୧୧ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଏହି ୧୨୫ ନିର୍ଯାତିତଙ୍କ ମଧ୍ୟରେ ୧୩ ଜଣ ଦଳିତ ଓ ୧୫ ଜଣ ମୁସଲିମ ଅଛନ୍ତି ବୋଲି ‘ନ୍ୟାସନାଲ କ୍ୟାମ୍ପେନ ଏଗେନଷ୍ଟ ଟର୍ଚର’ ସୂତ୍ରରୁ ପ୍ରକାଶ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆରବି)ର ‘ପ୍ରିଜିନ୍ ଷ୍ଟାଟିସ୍ଷ୍ଟିକ୍ସ ରିପୋର୍ଟ ଅଫ ଇଣ୍ଡିଆ’ ଅନୁଯାୟୀ ୨୦୧୯ରେ ଭାରତରେ ବିଚାର ବିଭାଗୀୟ ହେପାଜତରେ ଥିବା ସମୟରେ ୧୭୭୫ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ ପୁଲିସ ଏନ୍କାଉଣ୍ଟର ହତ୍ୟା ଘଟଣା ମଧ୍ୟ ଘଟୁଛି। ଜାତୀୟ ମାନବିକ ଅଧିକାର କମିସନ ସୂତ୍ରକୁ ଉଦ୍ଧାର କରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୨୦୧୬-୧୭ ରିପୋର୍ଟରେ ଦେଶରେ ୧୦୮ଟି ଏନକାଉଣ୍ଟର ମୃତ୍ୟୁ ଘଟିଥିବା ଉଲ୍ଲେଖ କରାଯାଇଛି।
ନାଗରିକର ପଦ ମର୍ଯ୍ୟାଦା ତଥା ଅଧିକାର କ୍ଷୁଣ୍ଣ କରିବାରେ ପୁଲିସ ଅଧିକ ସକ୍ରିୟ ରହିଥିବା ଦେଖାଯାଏ। ୩୫ ବର୍ଷ ତଳର ଏକ ଘଟଣାକୁ ନେଇ ରାଜସ୍ଥାନ ପୁଲିସ ୨୦୨୦ ମସିହାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାଟିର ଶୁଣାଣି ଅପରାଧ ଘଟିଥିବା ରାଜ୍ୟରେ ନହୋଇ ଅନ୍ୟ ରାଜ୍ୟରେ ହୋଇଥିଲା। ରାଜସ୍ଥାନର ଦିଗ୍ ବିଧାନସଭା ଆସନରୁ କ୍ରମାଗତ ବିଜୟୀ ହୋଇ ଆସୁଥିବା ରାଜା ମାନ ସିଂହଙ୍କୁ ୧୯୮୫ ମସିହାରେ ରାଜସ୍ଥାନ ପୁଲିସ ଗୁଳି କରିଥିଲା। ଏଥିରେ ସିଂହଙ୍କ ସମେତ ତାଙ୍କର ଦୁଇ ସହଯୋଗୀଙ୍କ ମୃତ୍ୟୁ ଘଟିଥିଲା। ତାଙ୍କ ବିରୋଧରେ ଅଭିଯୋଗ ଥିଲା ରାଜସ୍ଥାନର ତତ୍କାଳୀନ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା ପାଇଁ ଉଦ୍ଦିଷ୍ଟ ସଭାମଞ୍ଚ ଭାଙ୍ଗିବା। ଯେଉଁଦିନ ରାଜା ମାନ ସିଂହ ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚ ଭଙ୍ଗାରୁଜା କରିଥିଲେ ଠିକ୍ ତା ପରଦିନ ନିଜ ନିର୍ବାଚନ ମଣ୍ଡଳୀକୁ ଯାଉଥିବା ସମୟରେ ପୁଲିସ ତାଙ୍କୁ ଅଟକାଇ ଜନଗହଳିପୂର୍ଣ୍ଣ ସ୍ଥାନରେ ଗୁଳି କରି ହତ୍ୟା କରିଥିଲେ। ଏଥିରେ ସେ ପ୍ରାଣ ହରାଇବା ସହ ତାଙ୍କ ସହ ଥିବା ଅନ୍ୟ ଦୁଇ ସହଯୋଗୀ ମଧ୍ୟ ପ୍ରାଣ ହରାଇଥିଲେ। ଏହି ଘଟଣାକ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଶିବଚରଣ ମାଥୁରଙ୍କୁ ଇସ୍ତଫା ଦେବାକୁ ପଡ଼ିଲା। ପୁଲିସ ଏହାକୁ ‘ଏନ୍କାଉଣ୍ଟର’ କହିଲେ; କିନ୍ତୁ ଉତ୍ତରପ୍ରଦେଶର ମଥୁରା ଅଦାଲତ ନିଜ ରାୟରେ ଏହାକୁ ହତ୍ୟା ବୋଲି ଦର୍ଶାଇଲେ। ଘଟଣା ସହ ଜଡ଼ିତ ୧୧ ଜଣ ପୁଲିସ କର୍ମଚାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଦେଲେ। ଗତବର୍ଷ ଓଡ଼ିଶାର ବରଗଡ଼ ଜିଲା ପୁଲିସ ଦ୍ୱାରା ହାଜତ ନିର୍ଯାତନାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା। ଏଇ ନିକଟରେ ବାଲେଶ୍ୱରଠାରେ ଚିକିତ୍ସାଧୀନ କଏଦୀଙ୍କ ଗୋଡ଼ରେ ଓଡ଼ିଶା ପୁଲିସ ବେଡ଼ି ପକାଇଲେ। ରାଜଧାନୀ ଭୁବନେଶ୍ୱରର ଏକ ଥାନାରେ ହାଜତ ନିର୍ଯାତନା ପାଇଁ ନିକଟରେ ଜଣେ ବ୍ୟକ୍ତିିଙ୍କ ଜୀବନ ଯାଇଛି।
କେତେକ କ୍ଷେତ୍ରରେ ଦେଖାଯାଉଛି ଯେ, ଆସାମୀ ଦୋଷୀ ସାବ୍ୟସ୍ତ ହେବା ପୂର୍ବରୁ ପୁଲିସ ସେମାନଙ୍କୁ ଗୁଳି କରି ହତ୍ୟା କରୁଛି ଏବଂ ଏହାକୁ ଏନ୍କାଉଣ୍ଟରର ରୂପ ଦେଉଛି। ଏହାର ଅର୍ଥ ହେଲା ଯେ, ପୁଲିସ ଏକ ତଦନ୍ତକାରୀ ସଂସ୍ଥା ହୋଇ ମାମଲାରେ ଦଣ୍ଡବିଧାନ କରିଦେଉଛି। ଏହା ଆଇନ ବହିର୍ଭୂତ କାର୍ଯ୍ୟ। ବିଚାର କରି ଦଣ୍ଡବିଧାନ ପ୍ରଦାନ ଦାୟିତ୍ୱ ନ୍ୟାୟପାଳିକାର; କିନ୍ତୁ ପୁଲିସ ବାହିନୀ ଏହି ଦିଗ ପ୍ରତି ଭ୍ରୂକ୍ଷେପ କରୁନଥିବା ପରିଲକ୍ଷିତ ହେଉଛି। ତେଣୁ ପ୍ରଧାନ ବିଚାରପତି ଯେଉଁ କ୍ଷୋଭ ପ୍ରକାଶ କରିଛନ୍ତି ତାହା ସତ୍ୟ ମନେହୁଏ।
ଉତ୍ତରପ୍ରଦେଶର କୁଖ୍ୟାତ ଅପରାଧୀ ବିକାଶ ଦୁବେ ଏନ୍କାଉଣ୍ଟର ଘଟଣା। ବିକାଶ ବିରୋଧରେ ୬ ଜଣ ପୁଲିସ କର୍ମଚାରୀଙ୍କ ହତ୍ୟା ଅଭିଯୋଗ ଥିଲା। ତାଙ୍କୁ ଧରିବା ପାଇଁ ଉତ୍ତରପ୍ରଦେଶ ପୁଲିସ ଉଦ୍ୟମ କରିଥିଲେ। ତେବେ ମଧ୍ୟପ୍ରଦେଶ ପୁଲିସ ଦ୍ୱାରା ସେ ଧରାପଡ଼ିଥିଲା। ମଧ୍ୟପ୍ରଦେଶ ପୁଲିସ ତାକୁ ଉତ୍ତରପ୍ରଦେଶ ପୁଲିସକୁ ହସ୍ତାନ୍ତର କରିଥିଲେ। ଉତ୍ତରପ୍ରଦେଶ ପୁଲିସ ତାକୁ ଆଇନର ଜାଲ ମଧ୍ୟକୁ ଆଣିବାକୁ ଯାଇଥିବା ବାଟରେ ଗୁଳି କରି ହତ୍ୟା କଲେ। ବିକାଶକୁ ଯେଉଁ ଗାଡ଼ିରେ ଅଣାଯାଉଥିଲା ଉକ୍ତ ଗାଡ଼ି ବାଟରେ ବର୍ଷା ଯୋଗୁଁ ଦୁର୍ଘଟଣାଗ୍ରସ୍ତ ହେଲା। ଏହି ସମୟରେ ପୁଲିସ ଉପରେ ଆକ୍ରମଣ କରି ବିକାଶ ଖସିଯିବାକୁ ଉଦ୍ୟମ କରୁଥିବାବେଳେ ଏନ୍କାଉଣ୍ଟରେ ତାର ମୃତ୍ୟୁ ଘଟିଲା ବୋଲି ପୁଲିସ ସୂଚନା ଦେଲେ। ଏହା ଏକ କାହାଣୀ ଭଳି ମନେ ହୁଏ। ପୁଲିସ ଦ୍ୱାରା ହତ୍ୟାକାଣ୍ଡକୁ ଏନ୍କାଉଣ୍ଟର ବୋଲି ଦର୍ଶାଯାଉଛି। ଅନୁରୂପ ଭାବେ ହାଇଦ୍ରାବାଦଠାରେ ଜଣେ ଡାକ୍ତରୀ ଛାତ୍ରୀ ଗଣଧର୍ଷଣ ଘଟଣାର ଆସାମୀମାନେ ମଧ୍ୟ ପୁଲିସ ଏନ୍କାଉଣ୍ଟରରେ ପ୍ରାଣ ହରାଇଥିବା କୁହାଯାଇଛି।
ସ୍ୱାଧୀନତାର ୭୫ ବର୍ଷ ପରେ ମଧ୍ୟ ଭାରତର ପୁଲିସ ବାହିନୀ ବ୍ରିଟିଶ ସାମ୍ରାଜ୍ୟବାଦ ମାନସିକତାର ଊର୍ଦ୍ଧ୍ବକୁ ଆସିପାରି ନଥିବା ଦେଖାଯାଉଛି। କଥା କଥାରେ କୁଭାଷା ପ୍ରୟୋଗ ପୁଲିସର ଚିରାଚରିତ ଭାଷାରେ ପରିଣତ ହୋଇଛି। ଆଇନର ବିଭିନ୍ନ ଦଫା ମନମୁଖୀ ଭାବେ ପୁଲିସ ପ୍ରୟୋଗ କରିଥାଏ। ଫଳରେ ସାଧାରଣ ନାଗରିକ ପୁଲିସକୁ ବନ୍ଧୁ ଭାବେ ବିବେଚନା କରିପାରୁ ନାହାନ୍ତି। ପୁଲିସକୁ ଜନତା ଭୟ କରୁଥିବା ଦେଖାଯାଉଛି। ଥାନା ହାଜତରେ ଆସାମୀଙ୍କୁ ପୁଲିସ ମାଡ଼ ମାରିଥାନ୍ତି। ଅନେକ ସମୟରେ ପୁଲିସ ଶାସନ କଳର ହାତବାରିସି ହୋଇ ମଧ୍ୟ କାର୍ଯ୍ୟ କରୁଥିବା ଦେଖାଯାଉଛି। ଓଡ଼ିଶାର କେନ୍ଦୁଝର ଜିଲା ଅନ୍ତର୍ଗତ ପାଟଣା ଥାନାର ମହିଳା ଥାନା ଅଧିକାରିଣୀ ଥାନା ମଧ୍ୟରେ ଜଣେ ଆସାମୀକୁ ମାଡ଼ ମାରୁଥିବା ଘଟଣା ଗତବର୍ଷ ଚର୍ଚ୍ଚାର ବିଷୟ ହୋଇଥିଲା। ଦେଶରେ ସିଏଏ ଓ ଜାତୀୟ ନାଗରିକ ପଞ୍ଜିକା ଆଇନକୁ ବିରୋଧ କରୁଥିବା ଛାତ୍ରଛାତ୍ରୀଙ୍କୁ ଦେଶଦ୍ରୋହ ମାମଲାରେ ପୁଲିସ ଗିରଫ କରିଥିଲା। ପରେ ଏମାନେ ନ୍ୟାୟାଳୟରୁ ଜାମିନ ପାଇଛନ୍ତି ବା ଦୋଷମୁକ୍ତ ହେଉଛନ୍ତି।
୧୯୯୪ ମସିହାରେ ଗୁପ୍ତଚର ଅଭିଯୋଗରେ ଇସ୍ରୋର ବରିଷ୍ଠ ବୈଜ୍ଞାନିକ ନାମ୍ବି ନାରାୟଣଙ୍କ ସଂପୃକ୍ତି ଥିବା ମାମଲା ଅଦାଲତରେ ମିଥ୍ୟା ପ୍ରମାଣିତ ହେଲା। ମାମଲାରେ ତଦନ୍ତକାରୀ ସଂସ୍ଥାର ଭୁଲ ପାଇଁ କେରଳ ସରକାର ୧ କୋଟି ଟଙ୍କା କ୍ଷତିପୂରଣ ଦେବା ପାଇଁ କ୍ୟାବିନେଟରେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏହି ଭୁଲ ପାଇଁ ଯେଉଁ ବୈଜ୍ଞାନିକ ଦୀର୍ଘ ୨୬ ବର୍ଷ ଧରି ମାନସିକ ସ୍ତରରେ ନିର୍ଯାତିତ ହେଲେ ତାହାର ଉତ୍ତର ଦଣ୍ଡ କିଏ ପାଇବା ଉଚିତ୍ ? ନାମ୍ବିଙ୍କ ଅନାବଶ୍ୟକ ଗିରଫଦାରୀ ଓ ଏଥିପାଇଁ କ୍ଷତିପୂରଣ ରାଶି ତାଙ୍କର ମାନସମ୍ମାନ ପାଇଁ ଯଥେଷ୍ଟ କି ? ଆମ ଶାସନ, ପ୍ରଶାସନ ବା ସମ୍ବିଧାନ ନିକଟରେ ଏହାର ଉତ୍ତର ନାହିଁ। ଏ ପ୍ରଶ୍ନର ଉତ୍ତର ଏବେ ଶାସକଙ୍କୁ ହିଁ ଖୋଜିବାକୁ ପଡ଼ିବ। ଶାସିତଙ୍କ ପ୍ରତି ଏହି ଭୁଲର ପୁନରାବୃତ୍ତି ଯେପରି ନହେବ ତାହା କିପରି ନିଶ୍ଚିତ କରାଯାଇପାରିବ ? ଏହି ପରିପ୍ରେକ୍ଷୀରେ ମାନବିକ ଅଧିକାର ସଂପର୍କରେ ପୁଲିସ ପାଇଁ ଦେଶବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ନିମନ୍ତେ ଜାତୀୟ ଆଇନ ସେବା ପ୍ରାଧିକରଣ(ନାଲସା)କୁ ପ୍ରଧାନ ବିଚାରପତି ପରାମର୍ଶ ଦେଇଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। ଏଇଠାରେ ଜଷ୍ଟିସ ରମଣା ସ୍ମରଣ କରାଇ ଦେଇଛନ୍ତି ଯେ ଥାନାରେ ସମସ୍ତେ ସମାନ ନ୍ୟାୟ ପାଇବା ଆବଶ୍ୟକ। ଏ ଦିଗରେ ଆଇନଜୀବୀଗଣ ମଧ୍ୟ ସହାୟତାର ହାତ ବଢ଼ାଇବା ଆବଶ୍ୟକ। ସମ୍ବିଧାନର ବିଧି ବ୍ୟବସ୍ଥାକୁ ନେଇ ଦେଶ ଚାଲିଥାଏ।
ମୌଳିକ ଅଧିକାର, ମାନବିକ ଅଧିକାର ଆଦି ନାଗରିକର ଅଧିକାର। ଏହାର ସୁରକ୍ଷାରେ ରାଷ୍ଟ୍ରର ମର୍ଯ୍ୟାଦା ଅନ୍ତର୍ଜାତୀୟ ସ୍ତରରେ ବୃଦ୍ଧି ପାଇଥାଏ। ଭାରତ ଏକ ଆଇନର ଶାସନ ପ୍ରଧାନ ରାଷ୍ଟ୍ର। ଏଠି ନ୍ୟାୟପାଳିକା ରହିଛି। ଏଇଥି ପାଇଁ ଭାରତ ଏକ ଗଣତାନ୍ତ୍ରିକ ଜନରାଜ୍ୟ ରାଷ୍ଟ୍ର। କିନ୍ତୁ ଉପରୋକ୍ତ ଘଟଣାଗୁଡ଼ିକ ଭାରତର ସମ୍ମାନରେ ଆଞ୍ଚ ଆଣୁଛି। ମାନବିକ ଅଧିକାର ସଂପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ ସହ ପାଠ୍ୟକ୍ରମରେ ଏହାକୁ ସାମିଲ କରାଯିବାର ଆବଶ୍ୟକତା ରହିଛି। ଏହା ହେଲେ ଦେଶ ଅଧିକ ସଶକ୍ତ ହୋଇପାରିବ।

