ରୁଷ-ୟୁକ୍ରେନ ଯୁଦ୍ଧ ଓ ଭାରତର କୂଟନୀତି

ଗିରିଜା ଶଙ୍କର ମିଶ୍ର

ଯୁଦ୍ଧ କାଳେକାଳେ ଅତ୍ୟନ୍ତ ଅମାନବିକ ଓ ନୃଶଂସତାର ପ୍ରତୀକ। କ୍ଷମତା ଲିପ୍‌ସୁ ସାମ୍ରାଜ୍ୟବାଦୀ ମାନସିକତାର ପ୍ରତିରୂପ। କୁତ୍ସିତ କୂଟନୀତିର ବୀଭତ୍ସ ସ୍ୱରୂପ। ଦାସତ୍ୱ ପ୍ରଥା ବିରୁଦ୍ଧରେ ୟୁକ୍ରେନର ବିଖ୍ୟାତ କବି ଓ ନାଟ୍ୟକାର ତାରସ ସେଭଚେଙ୍କୋଙ୍କ ମୂଳ କବିତାକୁ ଇଂରାଜୀରେ ଅନୁବାଦ କରି ଜନ ୱେଇରୋ ‘କାଲାମିଟି ଏଗେନ’ ଶୀର୍ଷକ କବିତାରେ ଲେଖିଥିଲେ ‘ହେ ପ୍ରିୟ ଭଗବାନ, ପୁନଶ୍ଚ ବିପର୍ଯ୍ୟୟ। ଏହା କେତେ ଶାନ୍ତ, ସ୍ନିଗ୍ଧ, ନିରୁପଦ୍ରବ ଥିଲା; ଅଥଚ ପୁନର୍ବାର ରକ୍ତପାତ।’ ଯୁଦ୍ଧର ଘନଘଟାରେ ୟୁକ୍ରେନରେ ଧ୍ବଂସର ତାଣ୍ଡବଲୀଳା। ପୂର୍ବରେ ଖାରକିଭ, ଉତ୍ତରପୂର୍ବରେ ସୁମି ହେଉ, ପଶ୍ଚିମରେ ପୋଲାଣ୍ଡ ସୀମାନ୍ତ ଲାଭିଭ ସହର ହେଉ ଅଥବା ଉତ୍ତରରେ ବେଲାରୁଷ ସୀମାନ୍ତବର୍ତ୍ତୀ ଚେର୍ଣ୍ଣୋହିବ, ଚେର୍ଣ୍ଣୋବିଲ ହେଉ କିମ୍ବା ଦକ୍ଷିଣରେ ରୋମାନିଆ ଓ ମୋଲଡୋଭା ନିକଟସ୍ଥ ଓଡେସା ବା ଦକ୍ଷିଣ ପୂର୍ବରେ ମାରିୟୁପୋଲ ହେଉ, ସହର ପରେ ସହର ଧ୍ବଂସସ୍ତୂପରେ ପରିଣତ। ରକ୍ତମୁଖା ପୁଟିନ ବାହିନୀ ନିର୍ଣ୍ଣାୟକ ରାଜଧାନୀ କିଭ ଦଖଲ ଅଭିମୁଖେ।
ଏବେ ଆସନ୍ତୁ ଘଟଣା ପ୍ରବାହକୁ ନିରୀକ୍ଷଣ କରିବା। ଗୋଟିଏ ପଟେ ରୁଷ ସହ ଆମର ବିଶ୍ୱସ୍ତ ବନ୍ଧୁତା ଓ ଅନ୍ୟ ପଟେ ମୂଲ୍ୟବୋଧ ଓ ମାନବତା। ଏହା ହିଁ ଆମ ପାଇଁ ଧର୍ମସଙ୍କଟ। ମନେପକାନ୍ତୁ ୧୯୫୫ ମସିହାରେ ମୁକ୍ତିଲାଭ କରିଥିବା ରାଜ୍‌ କପୁରଙ୍କ ଶ୍ରୀ୪୨୦ ଚଳଚ୍ଚିତ୍ରରେ ମୁକେଶଙ୍କର ସେଇ ମନଛୁଆଁ ଗୀତ ‘ସର ପେ ଲାଲ ଟୋପି ରୁଷି ଫିର ଭି ଦିଲ ହେ ହିନ୍ଦୁସ୍ଥାନୀ’, ଯାହାର ଗୁଞ୍ଜରଣ ଏବେ ବି ମସ୍କୋ ଓ ଦିଲ୍ଲୀରେ ପ୍ରତିଧ୍ବନିତ ହେଉଛି। ସେଇ ୧୯୫୫ ମସିହା ନଭେମ୍ବର ମାସରେ ସୋଭିଏତ ସଂଘ କମ୍ୟୁନିଷ୍ଟ ପାର୍ଟିର ମୁଖ୍ୟ ନିକିତା କ୍ରୁସଚେଭଙ୍କ ଭାରତ ଆଗମନ ଅବସରରେ କଲିକତାର ପ୍ରସିଦ୍ଧ ପରେଡ଼ ପଡିଆରେ ୨୦ ଲକ୍ଷରୁ ଅଧିକ ଲୋକଙ୍କ ଅଭୂତପୂର୍ବ ସମାବେଶରେ ଯେଉଁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ତାହା ବନ୍ଧୁତ୍ୱର ଚରମ ନିଦର୍ଶନ ଥିଲା। ୧୯୫୫ ମସିହାରେ ଯେଉଁ ମୋଦିଜୀଙ୍କର ବୟସ ମାତ୍ର ପାଞ୍ଚ ବର୍ଷ ହୋଇଥିଲା ଏବେ ସେ ଭାରତର ପ୍ରଧାନମନ୍ତ୍ରୀ ଓ ଯେଉଁ ପୁଟିନଙ୍କୁ ମାତ୍ର ତିନି ବର୍ଷ ବୟସ ହୋଇଥିଲା ଏବେ ସେ ରୁଷର ସର୍ବମୟ କର୍ତ୍ତା ଓ ପୃଥିବୀର ସର୍ବାଧିକ ଚର୍ଚ୍ଚିତ ନେତା। ସାତ ଦଶନ୍ଧି ଭିତରେ ଭଲଗା ଓ ଗଙ୍ଗା ନଦୀରେ ଅନେକ ଜଳ ପ୍ରବାହିତ ହୋଇଛି। ମହାଶକ୍ତି ଭାବେ ବିବେଚିତ ସୋଭିଏତ ସଂଘ ବିଭାଜିତ ହୋଇ ୧୫ଟି ରାଷ୍ଟ୍ରରେ ପରିଣତ ହୋଇଛି। ଭାରତରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଅନେକ ପଟ୍ଟ ପରିବର୍ତ୍ତନ ହୋଇଛି; କିନ୍ତୁ କୂଟନୀତିର କଷଟି ପଥରରେ ବହୁବାର ପରୀକ୍ଷିତ ଦୁଇ ଦେଶର ବନ୍ଧୁତା ଓ ବିଶ୍ୱସନୀୟତା ସେମିତି ଅତୁଟ ରହିଛି। ଦ୍ୱିପାକ୍ଷିକ ଆର୍ଥିକ ବୁଝାମଣାରେ ଭିଲାଇ ଇସ୍ପାତ କାରଖାନା ପ୍ରତିଷ୍ଠା ହେଉ, ୧୯୭୧ରେ ପାକିସ୍ତାନ ସହ ନିର୍ଣ୍ଣାୟକ ଯୁଦ୍ଧ ହେଉ, ୧୯୮୪ରେ ଭାରତର ପ୍ରଥମ ମହାକାଶଚାରୀ ଭାବେ ସୋୟୁଜ ଟି ୧୧ ରେ ରାକେଶ ଶର୍ମାଙ୍କର ମହାକାଶ ଯାତ୍ରା ହେଉ,ସ୍ୱାଧୀନ ଭାରତର ସର୍ବାପେକ୍ଷା ସ୍ପର୍ଶକାତର ଓ ବିତର୍କିତ ଜାମ୍ମୁ କାଶ୍ମୀର ପ୍ରସଙ୍ଗ ହେଉ, ଗଲା ଡ଼ିସେମ୍ବରରେ ଏସ ୪୦୦ କ୍ଷେପଣାସ୍ତ୍ର କ୍ରୟ ହେଉ, ପ୍ରତିରକ୍ଷା, ପ୍ରଯୁକ୍ତି, ବିଜ୍ଞାନ ଓ ମହାକାଶ ଗବେଷଣାରେ ଦୁଇ ଦେଶର ଅଭିନ୍ନ ସହଯୋଗ ହେଉ, ବିଭିନ୍ନ ପ୍ରସଙ୍ଗରେ ଭାରତ ସମର୍ଥନରେ ଜାତିସଂଘରେ ଭେଟୋ ଦେବା ହେଉ, ସବୁବେଳେ ରୁଷ ବିଶ୍ୱସ୍ତ ବନ୍ଧୁ ଭଳି ସର୍ବାନ୍ତକରଣରେ ସର୍ବାଗ୍ରେ।
ଅନ୍ୟ ପକ୍ଷରେ ସୋଭିଏତ ସଂଘର ବିଘଟନ ପରେ ୧୯୯୧ ମସିହା ଡିସେମ୍ବରରେ ୟୁକ୍ରେନ ଏକ ସାର୍ବଭୌମ ରାଷ୍ଟ୍ର ରୂପେ ଆତ୍ମପ୍ରକାଶ କଲା। ଏହାର ଦୁଇ ବର୍ଷ ପରେ ୟୁକ୍ରେନ ଏସିଆ ମହାଦେଶରେ ପ୍ରଥମ ଦୂତାବାସ ଦିଲ୍ଲୀରେ ଖୋଲିଲା। ଗତ କିଛି ବର୍ଷ ଭିତରେ ଆମର ୟୁକ୍ରେନ ସହ ବାଣିଜ୍ୟିକ କାରବାର ଓ ସାଂସ୍କୃତିକ ସମ୍ବନ୍ଧ ଆଶାତୀତ ଭାବେ ବଢିଛି। ଆମ ଦେଶର ପ୍ରାୟ କୋଡିଏ ହଜାରରୁ ଅଧିକ ଛାତ୍ର ୟୁକ୍ରେନର ବିଭିନ୍ନ ସହରରେ ଡାକ୍ତରୀ ଓ ଇଞ୍ଜିନିଅରିଂ ପଢୁଛନ୍ତି। ତେଣୁ ବର୍ତ୍ତମାନ ଯେତେବେଳେ ଯୁଦ୍ଧର ବିଭୀଷିକାରେ ୟୁକ୍ରେନ ଧ୍ୱସ୍ତବିଧ୍ୱସ୍ତ, ବଙ୍କର ଭିତରେ ଭୀତ ସଂତ୍ରସ୍ତ ଜନଗଣଙ୍କର ଆକୁଳ ଆର୍ତ୍ତନାଦରେ ୟୁକ୍ରେନର ଗଗନ ପବନ ପ୍ରକମ୍ପିତ, ୧ କୋଟିରୁ ଅଧିକ ଲୋକ ଭିଟାମାଟି ଛାଡି ପୋଲାଣ୍ଡ, ହଙ୍ଗେରୀ, ରୋମାନିଆରେ ଶରଣାପନ୍ନ ଓ ସର୍ବୋପରି ମାନବତା ଯେତେବେଳେ ସଙ୍କଟାପନ୍ନ ସେତେ​‌େ​‌ବଳେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ।
ଏହି ପ୍ରେକ୍ଷାପଟରେ ମନରେ ସ୍ୱତଃ ପ୍ରଶ୍ନ ଉଠେ ଯେଉଁ ଆମେରିକା, ପାଶ୍ଚାତ୍ୟ ଦେଶ ଓ ୟୁରୋପୀୟ ୟୁନିଅନ ମାନବିକତାର ଦ୍ୱାହି ଦେଇ ୟୁକ୍ରେନ ଆକ୍ରମଣର ଘୋର ନିନ୍ଦା କରିବା ସହ ରୁଷ ବିରୁଦ୍ଧରେ ରାଜନୈତିକ ଓ ଅର୍ଥନୈତିକ କଟକଣା ଜାରିକରି ନିଜକୁ ଗୋଟା ତୁଳସୀ ବୋଲି ସାବ୍ୟସ୍ତ କରିବାକୁ ଚାହାଁନ୍ତି ସେମାନେ ୟେମେନ ଉପରେ ସାଉଦି ଆରବ ବୋମାବର୍ଷଣ କରି ନୃଶଂସ ଗଣହତ୍ୟା କଲାବେଳେ କେଉଁଠି ଥିଲେ ? ଏ ପର୍ଯ୍ୟନ୍ତ ପ୍ରାୟ ଅଢେଇଲକ୍ଷ ୟେମେନ ଲୋକଙ୍କର ମୃତ୍ୟୁ ଘଟିଲାଣି। ୨୦୧୫ ରୁ ଆମେରିକା ସାଉଦି ଆରବକୁ ସମର୍ଥନ ଦେଇ ଆସିଛି। ଫଳରେ ସେଠାରେ ନିରପେକ୍ଷ ତଦନ୍ତ ଅଟକି ରହିଛି। ସିରିଆର ନିରୀହ ଜନସାଧାରଣଙ୍କ ଉପରେ ଆମେରିକା, ବ୍ରିଟେନ, ଫ୍ରାନ୍ସ ସମ୍ମିଳିତ ଭାବେ ଆକ୍ରମଣ କଲାବେଳେ କେଉଁଠି ଥିଲା ଜାତିସଂଘ? ଗାଜା ଉପତ୍ୟକାରେ ଇସ୍ରାଏଲର ବାରମ୍ବାର ଆକ୍ରମଣ ହେଉ, ତୁର୍କୀ ସେନାବାହିନୀର କୁର୍ଦ ସଂହାର ହେଉ, ଇରାକରେ ସଶସ୍ତ୍ର ସଂଘର୍ଷ ହେଉ, ଭିଏତନାମ, ଲିବିଆ, ମ୍ୟାଁମାରରେ ଛଳେବଳେକୌଶଳେ ନିଜ ସ୍ୱାର୍ଥ ସିଦ୍ଧି ହେଉ ଯେଉଁଠି ଏଇ ଦେଶଗୁଡ଼ିକ ବର୍ବରତାର ସମସ୍ତ ସୀମା ସରହଦ ଲଙ୍ଘନ କରିପାରନ୍ତି ସେମାନଙ୍କ ମୁହଁରେ ନୈତିକତାର ପ୍ରବଚନ ଶୋଭା ପାଉନି। ଏପରି କି ଗତବର୍ଷ ଯେତେବେଳେ ଆମେରିକା ଆଫଗାନିସ୍ତାନର ନିରୀହ ଜନସାଧାରଣଙ୍କୁ ପ୍ରତାରିତ କରି ନୃଶଂସ ତାଲିବାନଙ୍କ କବଳରେ ଛାଡି ଦେଇ ଛତ୍ରଭଙ୍ଗ ଦେଲା ସେତେବେଳେ ମାନବତା କେଉଁଠି ଥିଲା ?
ନିକଟରେ ବେଲଜିଅମର ରାଜଧାନୀ ବ୍ରସେଲସରେ ନାଟୋର ଜରୁରୀ ବୈଠକରେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସମେତ ୟୁରୋପ ଓ ପଶ୍ଚିମ ଦେଶର ଅନେକ ରାଷ୍ଟ୍ରମୁଖ୍ୟ ଯୋଗଦେଇ ରୁଷିଆ ବିରୁଦ୍ଧରେ ନିଷେଧାଜ୍ଞା ଅଧିକ କଡାକଡି କରିବା ସହ, ରୁଷକୁ ଏକଘରିକିଆ କରିବାପାଇଁ ଚକ୍ରବ୍ୟୂହ ରଚନା ପ୍ରତ୍ୟାଶିତ ଥିଲା। ଏଠାରେ ସ୍ମରଣରେ ରହିବା ଉଚିତ ୨୦୦୪ରେ ତୁର୍କୀର ଇସ୍ତାନବୁଲରେ ଅନୁଷ୍ଠିତ ନାଟୋ ଶିଖର ସମ୍ମିଳନୀରେ ସୋଭିଏତ ୟୁନିଅନରେ ଥିବା ସାତୋଟି ରାଷ୍ଟ୍ର ନାଟୋରେ ଯୋଗଦେବା ଓ ୨୦୦୮ ମସିହାରେ ରୋମାନିଆର ବୁକାରେଷ୍ଟରେ ଅନୁଷ୍ଠିତ ନାଟୋ ଶିଖର ବୈଠକରେ ଜର୍ଜିଆ ଓ ୟୁକ୍ରେନକୁ ନାଟୋ ସଭ୍ୟ ଭୁକ୍ତ କରିବା ପାଇଁ ଆମେରିକାର ଯେଉଁ ଦୁରଭିସନ୍ଧି ଥିଲା ତାହା ଆଜିର ବିଷମ ପରିସ୍ଥିତି ପାଇଁ ଅନେକାଂଶରେ ଦାୟୀ କହିଲେ ଅତିଶୟୋକ୍ତି ହେବନାହିଁ।
୨୦୧୪ରେ ପୁଟିନଙ୍କର ଏକାନ୍ତ ଅନୁଗତ ୟୁକ୍ରେନ ରାଷ୍ଟ୍ରପତି ଭିକ୍ଟର ୟାନୁକୋଭିଚ ଗଣ ବିକ୍ଷୋଭର ସମ୍ମୁଖୀନ ହୋଇ ପଦଚ୍ୟୁତ ହେବା ପରଠାରୁ, ରୁଷ ନିକଟବର୍ତ୍ତୀ ପାଞ୍ଚୋଟି ଦେଶ ନାଟୋର ସଦସ୍ୟ ବା ମିତ୍ର ରାଷ୍ଟ୍ର ଭାବେ ନିଜକୁ ଘୋଷଣା କରିବାପରେ ଓ ୟୁକ୍ରେନର ସମ୍ଭାବ୍ୟ ସଦସ୍ୟତା ଫଳରେ ରୁଷ ସୀମାନ୍ତରେ ନାଟୋ ସୈନ୍ୟଙ୍କର ମୁତୟନ ରୁଷର ନିରାପତ୍ତାକୁ ବିପନ୍ନ କରିବାକୁ ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ରୁଷର ଅଭିଯୋଗ ଅମୂଳକ ନୁହେଁ। ୨୦୧୮ ସେପ୍ଟେମ୍ବରରେ ପଶ୍ଚିମ ୟୁକ୍ରେନର ଲାଭିଭରେ ନାଟୋ ଓ ୟୁକ୍ରେନ ସୈନ୍ୟଙ୍କର ମିଳିତ ସମରାଭ୍ୟାସ ଓ ଆମେରିକାର ୟୁକ୍ରେନକୁ ଅସ୍ତ୍ର ଯୋଗାଣ ରୁଷର ରକ୍ତକ୍ଷରଣ ପାଇଁ ଯଥେଷ୍ଟ ଥିଲା। ରୁଷ ଚାହୁଁଥିଲା ୟୁକ୍ରେନ ନାଟୋର ସଦସ୍ୟ ଓ ଆମେରିକାର ଗୋଡାଣିଆ ନହୋଇ ତାର ମିତ୍ର ରାଷ୍ଟ୍ର ହୋଇ ରହୁ। ଅପରପକ୍ଷରେ ପୂର୍ବ ଓ ଦକ୍ଷିଣପୂର୍ବ ୟୁକ୍ରେନରେ ରୁଷର ଆଧିପତ୍ୟକୁ ସମାପ୍ତ କରିବାପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ନାଟୋ ଓ ୟୁରୋପୀୟ ୟୁନିଅନର ସାମରିକ ସହାୟତା ପାଇଁ ବ୍ୟଗ୍ର ଥିଲେ।
ପରିବର୍ତ୍ତିତ ପରିସ୍ଥିତିରେ ମସ୍କୋର ବିଦେଶ ନୀତି ବେଜିଂ ଉପରେ ସଂପୂର୍ଣ ନିର୍ଭରଶୀଳ ହେବାକୁ ଯାଉଛି। ତେଣୁ ଚୀନ ହେବ ରୁଷର ପରମବନ୍ଧୁ। ଆମ ସହ ଚୀନର ସମ୍ପର୍କ କଠିନ ସ୍ଥିତିରେ। ‘କ୍ୱାଡ’ରେ ଆମେରିକା ଆମର ସହଯୋଗୀ। ଜାତିସଂଘ ମହାସଭା, ସୁରକ୍ଷା ପରିଷଦ ଓ ମାନବ ଅଧିକାର ପରିଷଦରେ ଆମେ ଭୋଟଦାନରୁ ବିରତ ରହି ପରୋକ୍ଷରେ ରୁଷକୁ ସମର୍ଥନ କରୁଥିବାରୁ ଆମେରିକା କ୍ଷୁବ୍ଧ। ମାନବତାର ଆଧାରରେ ଆମେ ପ୍ରତ୍ୟେକ ରାଷ୍ଟ୍ରର ଭୌ​‌େ​‌ଗାଳିକ ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ। ବିଶ୍ୱ ବ୍ୟବସ୍ଥାର ଏହି କାଳ ଆମ ପାଇଁ ଏକ ସୁଯୋଗ ଓ ଆହ୍ୱାନ। ଆନ୍ତର୍ଜାତିକ ବ୍ୟାପାରରେ ଅନ୍ୟ କୌଣସି ବାହ୍ୟ ଶକ୍ତିଙ୍କର କ୍ଷମତାରେ ନିର୍ଭରଶୀଳ ନହୋଇ ସଫଳ ଗୋଟିଚାଳନା କରି କୂଟନୈତିକ ଭାରସାମ୍ୟ ରକ୍ଷା କାମ୍ୟ।

Comments are closed.