ଏବେ ସାରା ବିଶ୍ୱର ଦୃଷ୍ଟି ୟୁକ୍ରେନ ଉପରେ। ଫେବୃଆରୀ ଚବିଶ ତାରିଖରୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସେନାବାହିନୀର ଅବିରାମ ଆକ୍ରମଣ ଚାଲିଛି ୟୁକ୍ରେନ ଉପରେ। ଦୁଇ ଲକ୍ଷରୁ ବେଶୀ ସୈନ୍ୟବଳଙ୍କୁ ରୁଷିଆ-ୟୁକ୍ରେନ ସୀମାରେ ମୁତୟନ କରିବାର ବେଶ୍ କିଛିଦିନ ପରେ ଆରମ୍ଭ ହୋଇଥିଲା ୟୁକ୍ରେନର ବିଭିନ୍ନ ସହର ଉପରେ ଗୋଳାବର୍ଷଣ। ଏ ସହରଗୁଡିକ ମଧ୍ୟରେ ଥିଲା ଖାରକିଭ୍, ମାରିୟୁପଲ୍, ରାଜଧାନୀ କିଭ୍ ଇତ୍ୟାଦି। ରୁଷିଆର ଘନଘନ ଗୋଳାବର୍ଷଣ ଓ ବୋମାମାଡ ଦ୍ୱାରା ୟୁକ୍ରେନର ଉପରୋକ୍ତ ସହରଗୁଡିକ ଆଜି ଧ୍ୱସ୍ତବିଧ୍ୱସ୍ତ; କିନ୍ତୁ ଏ ପର୍ଯ୍ୟନ୍ତ ମିଳିଥିବା ତଥ୍ୟରୁ ଜଣାପଡେ ଯେ ରୁଷ ସୈନ୍ୟବାହିନୀ କେବଳ ୟୁକ୍ରେନ ସୈନିକଙ୍କ ଉପରେ ଆକ୍ରମଣ କରୁନାହାନ୍ତି, ବରଂ ବେଶୀ ଆକ୍ରମଣ ହେଉଛି ଅଣସାମରିକ ଭିତ୍ତିିଭୂମି ଓ ସାଧାରଣ ନିରୀହ ଲୋକଙ୍କ ଉପରେ। ଏହା ଫଳରେ ପ୍ରାୟ ଏକ କୋଟିରୁ ଅଧିକ ଲୋକ, ଅର୍ଥାତ୍ ୟୁକ୍ରେନର ଜନସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ବିସ୍ଥାପିତ ହୋଇଛନ୍ତି, କିଛି ଦେଶ ଭିତରେ ଏବଂ ଅନ୍ୟମାନେ ଦେଶ ବାହାରକୁ।
ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ମହିଳା ଓ ଶିଶୁ। ଯେଉଁ ଦେଶଗୁଡିକ ଉଦ୍ଦେଶ୍ୟରେ ଶରଣାର୍ଥୀଙ୍କର ଅଧିକ ସୁଅ ଛୁଟିଛି, ସେଗୁଡିକ ହେଲା ପୋଲାଣ୍ଡ, ରୋମାନିଆ, ଜର୍ମାନୀ ଇତ୍ୟାଦି। ଏହି ଯୁଦ୍ଧର ପ୍ରଭାବ ପଡୁଛି ବିଶ୍ୱ ଅର୍ଥନୀତି ଉପରେ, ଯାହା କୋଭିଡ-୧୯ ପ୍ରଭାବରୁ ଏ ପର୍ଯ୍ୟନ୍ତ ମୁକୁଳି ନାହିଁ। ଗହମ ଓ ମକା ଉତ୍ପାଦନ ଏବଂ ରପ୍ତାନିରେ ରୁଷିଆ ଓ ୟୁକ୍ରେନ୍ ପ୍ରମୁଖ ଦେଶ ହୋଇଥିବାରୁ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ଏହାର ଗୁରୁତର ପ୍ରତିକୂଳ ପ୍ରଭାବ ଆଶଙ୍କା କରାଯାଉଛି, ବିଶେଷ ଭାବରେ ଆଫ୍ରିକାର ଗରିବ ଦେଶଗୁଡିକ ଉପରେ। ତୈଳ ଓ ଗ୍ୟାସ ଅର୍ଥନୀତି ପ୍ରଭାବିତ ହେବା ମଧ୍ୟ ସ୍ୱାଭାବିକ।
ଏହି ପ୍ରାକ୍ କଥନର ଲକ୍ଷ୍ୟ ନୁହେଁ ରୁଷିଆ ଓ ୟୁକ୍ରେନ ସଂକଟର ବ୍ୟବଚ୍ଛେଦ; ବରଂ ଏହି ଲେଖାର ଉଦ୍ଦେଶ୍ୟ ହେଉଛି ଉପୁଜିଥିବା ଅଭାବନୀୟ ପରିସ୍ଥିତିରେ ଯେଉଁ ବ୍ୟକ୍ତି ଜଣକ ନିଜର ଯୁଦ୍ଧକାଳୀନ ନେତୃତ୍ୱ ପାଇଁ ସମଗ୍ର ବିଶ୍ୱବାସୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ତାଙ୍କରି ବିଷୟରେ କିଛି କହିବା। ଏହି ବ୍ୟକ୍ତିଜଣକ ହେଉଛନ୍ତି ୟୁକ୍ରେନର ଷଷ୍ଠ ରାଷ୍ଟ୍ରପତି ଭୋଲୋଦିମିର ଜେଲେନ୍ସ୍କି। ଯୁଦ୍ଧର ବିଭୀଷିକା ମଧ୍ୟରେ ଜେଲେନ୍ସ୍କିଙ୍କର ଯେଉଁ ଚିତ୍ରପଟଟି ଆମ ସାମ୍ନାକୁ ଆସୁଛି ତାହା ହେଉଛି ଜଣେ ସ୍ଥିର, ଅବିଚଳିତ, ଦୃଢମନା ଓ ଦେଶପ୍ରେମୀ ବ୍ୟକ୍ତିଙ୍କର। ଜେଲେନ୍ସ୍କିଙ୍କର ବୟସ ୪୪। ତାଙ୍କର ରାଜନୀତିରେ ପ୍ରବେଶ ଚାରି ବର୍ଷରୁ ବେଶୀ ହେବ ନାହିଁ। ରାଜନୀତିକୁ ଆସିବା ପୂର୍ବରୁ କିଭ୍ର ଜାତୀୟ ଅର୍ଥନୈତିକ ବିଶ୍ୱବିଦ୍ୟାଳୟରୁ ସେ ଆଇନ୍ ପାଠରେ ଏକ ଡିଗ୍ରୀ ହାସଲ କରିଥିଲେ; କିନ୍ତୁ ଆଇନ ବ୍ୟବସାୟ ନ କରି ସେ ପ୍ରଥମେ ପାଦ ରଖିଥିଲେ ଅଭିନୟ ଜଗତରେ। ତାହା ପୁଣି ଜଣେ ହାସ୍ୟ ଅଭିନେତା ଭାବରେ। କାଭାରତାଲ ୯୫ ନାମକ ଏକ କମ୍ପାନୀର ସେ ଥିଲେ ପ୍ରତିଷ୍ଠାତା। ଏହି କମ୍ପାନୀଟି ଚଳଚ୍ଚିତ୍ର ବ୍ୟତୀତ କାର୍ଟୁନ, ଟେଲିଭିଜନ ଧାରାବାହିକ ଇତ୍ୟାଦି ପ୍ରସ୍ତୁତ କରୁଥିଲା। ୧୯୯୮ରୁ ୨୦୦୩ ମଧ୍ୟରେ କମ୍ପାନୀର ସଦସ୍ୟମାନେ ମସ୍କୋ ଓ ଅନ୍ୟ ଉତ୍ତର-ସୋଭିଏତ ଦେଶଗୁଡିକରେ କାର୍ଯ୍ୟକ୍ରମ ପ୍ରଦର୍ଶନ କରି ଚାଲିଥିଲେ। ୨୦୦୮ରୁ ଜେଲେନ୍ସ୍କି ‘ବଡ ସହରରେ ପ୍ରେମ’ ଓ ‘ବଡ ସହରରେ ପ୍ରେମ-୨’ ଏହିପରି ଦୁଇଟି କାହାଣୀ ଭିତ୍ତିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଅଫିସ୍ ରୋମାନ୍ସ, ଆମ ସମୟ, ରେଜେଭ୍ସ୍କି ବନାମ ନେପୋଲିୟନ ଇତ୍ୟାଦି ଚଳଚ୍ଚିତ୍ରଗୁଡିକରେ ଅଭିନୟ କରି ସେ ତାଙ୍କର ଅଭିନୟ ଦକ୍ଷତା ପ୍ରମାଣ କରିଥିଲେ।
ଜେଲେନ୍ସ୍କିଙ୍କର ଯେଉଁ ଟେଲିଭିଜନ କାର୍ଯ୍ୟକ୍ରମଟି ବେଶୀ ଲୋକପ୍ରିୟତା ହାସଲ କରିଥିଲା ସେଇଟି ହେଉଛି ‘ଲୋକସେବକ’ ନାମକ ଧାରାବାହିକ। ଏହି ଧାରାବାହିକରେ ଜେଲେନ୍ସ୍କି ୟୁକ୍ରେନର ରାଷ୍ଟ୍ରପତି ଭୂମିକାରେ ଅଭିନୟ କରିଥିଲେ। ଏହା ଚାଲିଥିଲା ୨୦୧୫ରୁ ୨୦୧୯ ପର୍ଯ୍ୟନ୍ତ। ୨୦୧୮ରେ କାଭାରତାଲ-୯୫ କମ୍ପାନୀର କର୍ମଚାରୀମାନେ ଏକ ରାଜନୈତିକ ଦଳ ଗଠନ କଲେ। ୨୦୧୯ରେ ହୋଇଥିଲା ୟୁକ୍ରେନରେ ରାଷ୍ଟ୍ରପତି ନିର୍ବାଚନ। ଏଥିରେ ପ୍ରାର୍ଥୀ ହୋଇ ଜେଲେନ୍ସ୍କି ସମସ୍ତଙ୍କୁ କେବଳ ଆଶ୍ଚର୍ଯ୍ୟ କରିଦେଇ ନଥିଲେ, ଦୁଇ ଦଫା ଭୋଟ ଗଣତି ପରେ ୭୩.୨୩% ଭୋଟ ପାଇ ୟୁକ୍ରେନର ତତ୍କାଳୀନ ରାଷ୍ଟ୍ରପତି ପୋରୋଶେଙ୍କୋଙ୍କୁ ପରାସ୍ତ କରି ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ। ଏହି ନିର୍ବାଚନରେ ତାଙ୍କର ଯେଉଁ ପରିଚୟଟି ସାଧାରଣ ଲୋକଙ୍କ ସମ୍ମୁଖରେ ପ୍ରତିଭାତ ହେଉଥିଲା ତାହା ହେଉଛି ଜଣେ ବ୍ୟବସ୍ଥା-ବିରୋଧୀ ଓ ଭ୍ରଷ୍ଟାଚାର-ବିରୋଧୀ ବ୍ୟକ୍ତି ଭାବରେ। ତାଙ୍କ ନିଜ ନିର୍ବାଚନର ଅଳ୍ପଦିନ ପରେ ତାଙ୍କ ଦଳ ମଧ୍ୟ ପାର୍ଲାମେଣ୍ଟ ନିର୍ବାଚନରେ ବହୁମତ ପାଇଥିଲା।
ଜେଲେନ୍ସ୍କିଙ୍କର ପରିବାରର ଇତିହାସ ଅଧ୍ୟୟନ କଲେ ଜଣାଯାଏ ଯେ ତାଙ୍କ ଜେଜେବାପା ଓ ତାଙ୍କର ଚାରିଭାଇ ମଧ୍ୟ-ୟୁକ୍ରେନର ଏକ ଶାନ୍ତ, ସାଧାରଣ ଗାଁରେ ବସବାସ କରୁଥିଲେ। ସେତିକିବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେଲା, ଯେଉଁଥିରେ ତାଙ୍କ ଅଣ ଜେଜେବାପା ଓ ଜେଜେବାପାଙ୍କର ଚାରି ଭାଇ ନାଜିମାନଙ୍କ ହାତରେ ମୃତ୍ୟୁବରଣ କଲେ। ଜେଲେନ୍ସ୍କିଙ୍କର ଜେଜେବାପା ଥିଲେ ଏକ ଇନ୍ଫ୍ୟାନଟ୍ରି ୟୁନିଟର କ୍ୟାପଟେନ। ଯୁଦ୍ଧରେ ଆହତ ହୋଇଥିଲେ ମଧ୍ୟ ତାଙ୍କର ବୀରତ୍ୱ ପାଇଁ ସେ ପୁରସ୍କାର ପାଇଥିଲେ। ସ୍ୱାଧୀନ ୟୁକ୍ରେନ୍ରେ କର୍ଣ୍ଣେଲ ଭାବରେ ସେ ଅବସ୍ଥାପିତ ହୋଇଥିଲେ। ଜେଲେନ୍ସ୍କିଙ୍କ ପିତା ଓଲେକଜାଣ୍ଡାର ଜେଲେନ୍ସ୍କି ହେଉଛନ୍ତି ଜଣେ ପ୍ରଫେସର ଓ କମ୍ପ୍ୟୁଟର ବୈଜ୍ଞାନିକ ଓ ମାତା ଜଣେ ଇଂଜିନିୟର।
ଉପରେ ବର୍ଣ୍ଣନା କରାଯାଇଥିବା ତାଙ୍କ ପାରିବାରିକ ଇତିହାସ ଅବଶ୍ୟ ବିଭିନ୍ନ ସୂତ୍ରରୁ ମିଳିପାରିବ; କିନ୍ତୁ ଏ ଲେଖକ ଯେଉଁ ସୂତ୍ରରୁ ଏହାକୁ ଉଦ୍ଧାର କରୁଛି ତାହା ହେଉଛି ଜେଲେନ୍ସ୍କିଙ୍କର ନିଜ ବକ୍ତବ୍ୟରୁ, ଯାହା ବିଭିନ୍ନ ସମୟରେ ଟେଲିଭିଜନରେ ପ୍ରସାରିତ ହୋଇଛି। ଏହାର ପୃଷ୍ଠଭୂମିରେ ରହିଛି ରୁଷ ରାଷ୍ଟ୍ରପତି ପୁଟିନ୍ଙ୍କର ଅଭିଯୋଗ ଯେ ଜେଲେନ୍ସ୍କି ହେଉଛନ୍ତି ଜଣେ ନାଜୀବାଦୀ (ନିୟୋ-ନାଜୀ) ଏବଂ ତାଙ୍କର ୟୁକ୍ରେନ ଆକ୍ରମଣର ମୂଳ ଉଦ୍ଦେଶ୍ୟ ହେଉଛି ନାଜୀବାଦୀଙ୍କୁ ମୂଳପୋଛ କରିବା। ଜେଲେନ୍ସ୍କିଙ୍କ ବାପା ଓ ମା ଥିଲେ ଇହୁଦୀ ଏବଂ ତାଙ୍କର ପରିବାର ନାଜୀବାଦ ବିରୋଧରେ ହିଁ ସଂଗ୍ରାମ କରିଥିଲେ। ଯୁଦ୍ଧରେ କିପରି ମିଥ୍ୟା ପ୍ରଚାରର ଆଶ୍ରୟ ନିଆଯାଏ ରୁଷୀୟ ନେତାଙ୍କର ଅଭିଯୋଗ ଏହାର ଏକ ଉଦାହରଣ। ପ୍ରକୃତରେ ରୁଷିଆର ୟୁକ୍ରେନ ଆକ୍ରମଣ ପଛରେ ବିଭିନ୍ନ କାରଣ ରହିଛି ଯାହା ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ। କେବଳ ଏତିକି କହିଲେ ଯଥେଷ୍ଟ ହେବ ଯେ ଏକ ସ୍ୱାଧୀନ ଓ ସାର୍ବଭୌମ ଦେଶ ଉପରେ ଅନ୍ୟ ଏକ ଦେଶର ଏକତରଫା ଆକ୍ରମଣ ମିଳିତ ଜାତିସଂଘର ମୂଳ ଚାର୍ଟରର ବିରୁଦ୍ଧାଚରଣ କରୁଛି।
ଜେଲେନ୍ସ୍କି ପ୍ରଥମେ ରୁଷୀୟ ଭାଷା ଶିଖିବା ପରେ ୟୁକ୍ରେନୀୟ ଓ ଇଂରାଜୀ ଭାଷା ଶିଖିଥିଲେ। ତାଙ୍କ ନିର୍ବାଚନ ପ୍ରଚାର ସମୟରେ ସେ କୌଣସି ନୀତିର ବିଶଦ ବ୍ୟାଖ୍ୟା କରିବାକୁ ଚାହୁଁ ନଥିଲେ। ସେ ସାମ୍ବାଦିକ ସମ୍ମିଳନୀକୁ ଉପେକ୍ଷା କରି ସାମାଜିକ ଗଣମାଧ୍ୟମକୁ ବେଶୀ ବ୍ୟବହାର କରୁଥିଲେ। ନିର୍ବାଚନରେ ତାଙ୍କ ପ୍ରତିଦ୍ୱନ୍ଦ୍ବୀ ପୋରୋଶେଙ୍କୋ, ଜେଲେନ୍ସ୍କିଙ୍କୁ ଜଣେ ରାଜନୈତିକ ଅପରିପକ୍ୱ ବ୍ୟକ୍ତି ଭାବରେ ଚିତ୍ରଣ କରିବା ସଂଗେସଂଗେ ରୁଷିଆର ରାଷ୍ଟ୍ରପତି ପୁଟିନ୍ଙ୍କ ସହ ଟକ୍କର ଦେବା ପାଇଁ ଅସମର୍ଥ ବୋଲି ବର୍ଣ୍ଣନା କରିଥିଲେ।
ଏବେ ପୁଣି ଯୁଦ୍ଧକ୍ଷେତ୍ରକୁ ଫେରିବା। ଏହା ମଧ୍ୟରେ ରାଷ୍ଟ୍ରପତି ଜେଲେନ୍ସ୍କି, ଇଉରୋପ, ବ୍ରିଟେନ୍, କାନାଡା, ଯୁକ୍ତରାଷ୍ଟ୍ର ଆମେରିକା, ଜର୍ମାନୀ, ଇସ୍ରାଏଲ, ଇଟାଲୀ, ଜାପାନ ଇତ୍ୟାଦି ରାଷ୍ଟ୍ରର ପାର୍ଲାମେଣ୍ଟକୁ ସମ୍ବୋଧନ କରି ସେମାନଙ୍କ ସହଯୋଗ କାମନା କରିଛନ୍ତି। ସବୁଠାରେ ତାଙ୍କୁ ମିଳିଛି ସମର୍ଥନ ଓ ତାଙ୍କ ନେତୃତ୍ୱକୁ ଅକୁଣ୍ଠ ପ୍ରଶଂସା, ଯଦିଓ ସେ ଚାହୁଁଥିବା ସମସ୍ତ ସାହାଯ୍ୟ ମିଳିନାହିଁ। ରୁଷିଆର ଆକ୍ରମଣ ପୂର୍ବରୁ ଜେଲେନ୍ସ୍କିଙ୍କର କୌଶଳ ଥିଲା ୟୁକ୍ରେନବାସୀଙ୍କୁ ଶାନ୍ତ ରହିବା ପାଇଁ ଉତ୍ସାହିତ କରିବା ଏବଂ ଯୁଦ୍ଧରେ ତାଙ୍କ ଦେଶ ପ୍ରତିହିଂସା ପରାୟଣ ହେବ ନାହିଁ ବୋଲି ଆନ୍ତର୍ଜାତିକ ଗୋଷ୍ଠୀକୁ ଆଶ୍ୱାସନା ଦେବା। ରୁଷିଆ ତରଫରୁ ଆକ୍ରମଣ ନିଶ୍ଚିତ ବୋଲି ଜଣାପଡୁଥିଲେ ମଧ୍ୟ ସେ ପ୍ରଥମେ ଏ ପ୍ରକାର ଆଶଙ୍କାଠାରୁ ନିଜକୁ ଦୂରେଇ ରଖିଥିଲେ; ବରଂ ଦେଶର ସୁରକ୍ଷା ପାଇଁ ସେ ‘ନାଟୋ’ ଦେଶମାନଙ୍କ ଠାରୁ ଗ୍ୟାରେଣ୍ଟି ଓ ସାମରିକ ସହାୟତା ଚାହିଁଥିଲେ। ଆକ୍ରମଣ ଆରମ୍ଭ ପରେ ସେ ସାରା ଦେଶରେ ସାମରିକ ଆଇନ ଲାଗୁକରି ସାମରିକ ବାହିନୀକୁ ସଜାଗ କରିଥିଲେ।
ୟୁକ୍ରେନର ସାଧାରଣ ଲୋକ ଓ ସାମରିକ ବାହିନୀ ଯେଉଁ ସାହସ ଓ ଦୃଢତାର ସହ ରୁଷ ଆକ୍ରମଣକୁ ପ୍ରତିହତ କରି ଚାଲିଛନ୍ତି ତାହା ଜେଲେନ୍ସ୍କିଙ୍କ ନେତୃତ୍ୱର ଏକ ପ୍ରତିଫଳନ ବୋଲି କୁହାଯାଉଛି। ସେ ହୋଇଯାଇଛନ୍ତି ୟୁକ୍ରେନୀୟ ପ୍ରତିରୋଧର ପ୍ରତୀକ। ରୁଷିଆ ସହ ଆଲୋଚନା ପାଇଁ ସବୁବେଳେ ଆଗ୍ରହ ପ୍ରକାଶ କରିବା ସହିତ ନିଜ ରାଷ୍ଟ୍ରର ସାର୍ବଭୌମତ୍ୱ ସହ ସାଲିସ୍ ନକରିବା ପାଇଁ ଦୃଢ ପ୍ରତିଜ୍ଞ ବୋଲି ସେ ଘୋଷଣା କରି ଚାଲିଛନ୍ତି।
ଜଣେ ହାସ୍ୟ ଅଭିନେତାରୁ ଜେଲେନ୍ସ୍କି ଏବେ ରୂପାନ୍ତରିତ ହୋଇ ଯାଇଛନ୍ତି ଜଣେ ‘ମହାନାୟକ’ରେ। ତାଙ୍କ ଭାଷଣରେ ପ୍ରତିଧ୍ୱନିତ ହେଉଛି ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବିଶିଷ୍ଟ ରାଷ୍ଟ୍ରନାୟକ ୱିନ୍ଷ୍ଟନ୍ ଚର୍ଚ୍ଚିଲଙ୍କ ବ୍ରିଟିଶ ଜାତିକୁ ପ୍ରେରଣାଦାୟୀ ଆହ୍ୱାନ। ତାଙ୍କ ଦ୍ୱାରା ପ୍ରକାଶିତ ଏକ ଆଶାବାଦୀ ଭିଡିଓରେ ଜେଲେନ୍ସ୍କି କହିଛନ୍ତି – “ଆମ ଦେଶ ବିଧ୍ୱସ୍ତ ହୋଇଥାଇପାରେ, କିନ୍ତୁ ସେଠାରେ ପୁଣି ନିର୍ମାଣ ହେବ ନୂଆ ସହର ଓ ନୂଆ ବାସଗୃହ। ଆମ ୟୁକ୍ରେନ ଥିଲା ଏକ ସୁନ୍ଦର ଦେଶ। ଏବେ ଏହା ହେବ ଏକ ମହାନ୍ ରାଷ୍ଟ୍ର।’’ ଏହିପରି ପ୍ରତିଟି ଉକ୍ତିରୁ ପରିଷ୍କାର ଜଣାପଡୁଛି ତାଙ୍କ ସଂକଳ୍ପର ଦୃଢତା ସହ ସ୍ପର୍ଶକାତରତା। ନିଜ ବାର୍ତ୍ତାକୁ ନିଜ ଦେଶବାସୀ ଓ ବିଶ୍ୱବାସୀଙ୍କ ନିକଟରେ ପହଞ୍ଚାଇବାର କଳାରେ ଅସାଧାରଣ ସଫଳତା ପ୍ରଦର୍ଶନ କରି ଚାଲିଛନ୍ତି ଜେଲେନ୍ସ୍କି।
ଜେଲେନ୍ସ୍କି ଏକ ବକ୍ତବ୍ୟରେ କହିଛନ୍ତି ‘ମୋ ପୁଅକୁ ମୋତେ କେବେ ବୁଝାଇବାକୁ ପଡିନାହିଁ ୟୁକ୍ରେନ୍ର ସଂକଟମୟ ପରିସ୍ଥିତି ସଂପର୍କରେ; କିନ୍ତୁ ସେ ବଞ୍ଚି ରହିଛି, ଏହା ପ୍ରମାଣ କରୁଛି ଯେ ଏଥିପାଇଁ ଅନ୍ୟ କେହି ଜଣେ ତା ଜୀବନକୁ ଉତ୍ସର୍ଗ କରୁଛି।’ ଆଉ ଏକ ବକ୍ତବ୍ୟରେ ସେ କହିଥିଲେ: ‘ମୋ ଦେଶର ଶହଶହ ଶିଶୁ ମୃତ୍ୟୁବରଣ କରୁଥିବାବେଳେ ରାଷ୍ଟ୍ରପତି ଭାବରେ ମୋର ବଂଚିବାର ଅଧିକାର ନାହିଁ।’
‘ପରାଜୟରେ ଅବଦମିତ, ବିଜୟରେ ଉଦାରତା, ଶାନ୍ତିରେ ସଦ୍ଭାବ – ଏହା କହିଥିଲେ ଚର୍ଚ୍ଚିଲ, ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷରେ। ଜେଲେନ୍ସ୍କିଙ୍କ ପାଇଁ ପ୍ରଯୁଜ୍ୟ ହେବ ଏହି ଉକ୍ତି। କୁହାଯାଏ ଯେ ନାଟକର ସବୁଠାରୁ କଷ୍ଟସାଧ୍ୟ ଭୂମିକାଟି ହେଉଛି ହାସ୍ୟ ଅଭିନେତାର। ସେହି ଭୂମିକାରେ ବାରମ୍ବାର ଅଭିନୟ ହୁଏତ ବୃହତ୍ତର ଆହ୍ୱାନଗୁଡିକର ସମ୍ମୁଖୀନ ହେବା ପାଇଁ ଜେଲେନ୍ସ୍କିଙ୍କୁ ପ୍ରସ୍ତୁତ କରୁଥିଲା; କିନ୍ତୁ ଏବେ ରୁଷିଆର ୟୁକ୍ରେନ ଆକ୍ରମଣ ତାଙ୍କୁ ରୂପାନ୍ତରିତ କରିଦେଇଛି ହାସ୍ୟ ଅଭିନେତାରୁ ଜଣେ ପ୍ରେରଣା ଦାୟକ ମହାନ୍ ରାଷ୍ଟ୍ରନାୟକରେ।

