ୟୁକ୍ରେନ ଓ ରୁଷ ମଧ୍ୟରେ ଭୟଙ୍କର ଯୁଦ୍ଧର କୁପରିଣତି ଭାବରେ ଭାରତରେ ଶକ୍ତି ସଙ୍କଟ ଧୀରେଧୀରେ ଘନୀଭୂତ ହେବାରେ ଲାଗିଛି। ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସର ଦର ବୃଦ୍ଧି ହୋଇଛି। ଆଗକୁ ପ୍ରତ୍ୟେକ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ମହଙ୍ଗା ହେବା ସୁନିଶ୍ଚିତ। ଏପରି ସମୟରେ ସାଧାରଣ ଲୋକମାନେ ପାଞ୍ଚ ବର୍ଷ ପୂର୍ବେ ପ୍ରତି ସିଲିଣ୍ଡର ପିଛା ମିଳୁଥିବା ୩୫୦ ଟଙ୍କା ରିଆତି ବା ସବସିଡିକୁ ମନେ ପକାଉଛନ୍ତି।
ପେଟ୍ରୋଲିୟମ ଯୋଜନା ଓ ବିଶ୍ଳେଷଣ କୋଷର ତଥ୍ୟ ଅନୁଯାୟୀ ବର୍ତ୍ତମାନ ଭାରତର ୯୯.୮ ଶତାଂଶ ଗୃହରେ ଏଲପିଜି ଏକ ପ୍ରମୁଖ ଇନ୍ଧନ ରୂପେ ବ୍ୟବହୃତ ହେଉଛି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଏହା ସମ୍ଭବ ହୋଇଛି ବୋଲି କୋଷ ପକ୍ଷରୁ କୁହାଯାଇଛି। ଗତ ଏକ ଦଶନ୍ଧି ମଧ୍ୟରେ ଏଲପିଜିର ବ୍ୟବହାର ୫୭ ଶତାଂଶ ବୃଦ୍ଧି ଘଟିଛି। ୨୦୧୩ରେ ସରକାର ରନ୍ଧନ ଗ୍ୟାସର ବ୍ୟବହାର ଉପରେ ବାର୍ଷିକ କଟକଣା ଲାଗୁ କରିଥିଲେ। ରନ୍ଧନ ଗ୍ୟାସର ବିତରଣ ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ ହେଉ ନ ଥିବାରୁ ଗ୍ୟାସ ଉପରେ ମିଳୁଥିବା ରିଆତି ଠିକ୍ ଭାବରେ ଗ୍ରାହକଙ୍କ ପାଖରେ ପହଞ୍ଚି ପାରୁ ନାହିଁ ବୋଲି ସରକାର ଜଣାଇଥିଲେ। ୨୦୧୪ ପରେ ସରକାର ସମସ୍ତ ଗ୍ରାହକଙ୍କ ଏଲପିଜି ଉପଭୋକ୍ତା ନମ୍ବରରେ ଆଧାର ନମ୍ବର ଓ ବ୍ୟାଙ୍କ ଆକାଉଣ୍ଟ ସଂଯୋଗ କରି ରିଆତି ଅର୍ଥକୁ ସିଧାସଳଖ ଗ୍ରାହକର ଆକାଉଣ୍ଟକୁ ପଠେଇବା ପାଇଁ ବ୍ୟବସ୍ଥା କରିଲେ। ପ୍ରଥମେ ଏହା ଦ୍ୱାରା ଗ୍ରାହକମାନେ ଉପକୃତ ହେଲେ ; କିନ୍ତୁ ଧୀରେ ଧୀରେ ରିଆତି ଅର୍ଥ ବ୍ୟାଙ୍କ ଆକାଉଣ୍ଟକୁ ଆସିବା ମଧ୍ୟ ବନ୍ଦ ହୋଇଗଲା। ଗୋଟିଏ ପକ୍ଷରେ ଜାଳେଣି ଗ୍ୟାସର ଦର ପ୍ରତି ତିନିମାସରେ ଥରେ ବୃଦ୍ଧି ହେଉଥିବାବେଳେ ଅନ୍ୟ ପକ୍ଷରେ ଗ୍ରାହକମାନେ ବର୍ତ୍ତମାନ ମାତ୍ର ୧୩ ଟଙ୍କା ରିଆତି ଅର୍ଥ ନିଜର ବ୍ୟାଙ୍କ ଆକାଉଣ୍ଟରେ ଦେଖିବା ପାଇଁ ପାଉଛନ୍ତି।
୨୦୨୧ର ଅଗଷ୍ଟରେ ମୌସୁମି ଅଧିବେଶନରେ ଲୋକସଭାରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ ବର୍ତ୍ତମାନ ଭାରତ ବିଶ୍ୱରେ ଦ୍ବିତୀୟ ବୃହତ୍ତମ ଜାଳେଣି ଗ୍ୟାସ ଆମଦାନୀକାରୀ ଦେଶ। ଏଲପିଜି ଉପରେ ରିଆତି ପରିମାଣ ଧାର୍ଯ୍ୟ କରିବାର ପ୍ରକ୍ରିୟା ଜାଳେଣି ଗ୍ୟାସର ଅନ୍ତର୍ଜାତୀୟ ମୂଲ୍ୟ ଓ ସରକାରୀ ନୀତି ଉପରେ ନିର୍ଭର କରିଥାଏ; କିନ୍ତୁ ପେଟ୍ରୋଲିୟମ ଯୋଜନା ଓ ବିଶ୍ଳେଷଣ କୋଷର ତଥ୍ୟ ଅନୁଯାୟୀ ୨୦୧୯ ଜୁଲାଇ ପରେ ରିଆତି ପ୍ରଦାନ କରାଯାଇ ନାହିଁ। ଏପ୍ରିଲ ୨୦୧୪ରୁ ଅକ୍ଟୋବର ୨୦୨୧ ମଧ୍ୟରେ ଜାଳେଣି ଗ୍ୟାସର ମୂଲ୍ୟ ୧୧୩ ପ୍ରତିଶତ ବୃଦ୍ଧି ହୋଇଛି। ସାଧାରଣତଃ ଏଲପିଜିର ମୂଲ୍ୟ ବୃଦ୍ଧିର ସମସ୍ତ ଭାର ଯେପରି କେବଳ ଗ୍ରାହକମାନଙ୍କ ଉପରେ ନ ପଡେ ସେଥିପାଇଁ ତୈଳ କମ୍ପାନୀ ଓ ସରକାର ମିଳିମିଶି ଏଥିରେ ସହାୟତା ଯୋଗାଇ ଦେବାର ବ୍ୟବସ୍ଥା ରହିଛି; କିନ୍ତୁ ସେଥିରୁ ସୁଫଳ ମିଳି ପାରୁ ନାହିଁ। ତଥ୍ୟ ଅନୁଯାୟୀ ଡିସେମ୍ବର ୨୦୧୫ ସୁଦ୍ଧା ତୈଳ କମ୍ପାନୀମାନେ ସର୍ବାଧିକ ଗୋଟିଏ ସିଲିଣ୍ଡର ପିଛା ମାତ୍ର ୫୦ ଟଙ୍କା ଛାଡ଼ କରୁଥିବାବେଳେ ୨୦୧୮ ନଭେମ୍ବର ସୁଦ୍ଧା ସରକାର ସର୍ବାଧିକ ଗୋଟିଏ ସିଲିଣ୍ଡର ପିଛା ୪୩୫ ଟଙ୍କା ଉପଭୋକ୍ତାର ବ୍ୟାଙ୍କ ଆକାଉଣ୍ଟକୁ ପଠାଇଥିଲେ। ୨୦୧୯ ଜୁଲାଇ ବେଳକୁ ସରକାର ସିଲିଣ୍ଡର ପିଛା ମାତ୍ର ୧୪୦ ଟଙ୍କା ରିଆତି ଦେଉଥିଲେ। ଏହା ପରେ ସରକାର କେତେ ରିଆତି ଦେଇଛନ୍ତି ତାହାର ତଥ୍ୟ ସାର୍ବଜନୀନ ହୋଇନାହିଁ। ପେଟ୍ରୋଲିୟମ କୋଷର ତଥ୍ୟ ଅନୁଯାୟୀ ଡିଲରମାନଙ୍କ କମିସନ ଦ୍ରବ୍ୟ ଓ ସେବା କରରେ ବୃଦ୍ଧି ହୋଇ ନାହିଁ। ତଥାପି ଗ୍ରାହକମାନଙ୍କ ପାଖରେ ଗ୍ୟାସ ସିଲିଣ୍ଡର କିନ୍ତୁ ଚଢ଼ା ଦରରେ ପହଞ୍ଚୁଛି। ୨୦୨୧ ଅକ୍ଟୋବରରେ ଡିଲର କମିସନ, ଜିଏସଟି ଓ ରିଆତି ବ୍ୟତୀତ ଗୋଟିଏ ସିଲିଣ୍ଡରର ମୂଲ୍ୟ ୭୮୦ ଟଙ୍କା ୫୨ ପଇସା ଥିଲା। ଡିଲର କମିସନ ବାବଦରେ ୬୧ଟଙ୍କା ୮୪ ପଇସା ଓ ଜିଏସଟି ବାବଦରେ ୪୨ ଟଙ୍କା ୧୪ ପଇସା ମିଶାଇ ଗ୍ରାହକମାନେ ଗୋଟିଏ ସିଲିଣ୍ଡରକୁ ୮୮୪ ଟଙ୍କା ୫ ପଇସାରେ କିଣୁଥିଲେ। ଅର୍ଥାତ୍ ବର୍ତ୍ତମାନ ସରକାର ସମ୍ପୂର୍ଣ୍ଣ ଭାବରେ ଅଘୋଷିତରେ ଜାଳେଣି ଗ୍ୟାସ ଉପରୁ ରିଆତି ପ୍ରତ୍ୟାହାର କରିସାରିଛନ୍ତି। ୨୦୧୩ରୁ ୨୦୧୬ ମଧ୍ୟରେ ସରକାର ରିଆତି ଅର୍ଥ ପରିମାଣରେ ୬୪ ଶତାଂଶ ହ୍ରାସ କରିଥିଲେ। ରିଆତି ଅର୍ଥର ପରିମାଣରେ ତୈଳ କମ୍ପାନୀମାନଙ୍କ ଅଂଶୀଦାରୀ ମଧ୍ୟ ୯୮ ପ୍ରତିଶତ ହ୍ରାସ ହୋଇଛି। ୨୦୧୫-୧୬ ଆର୍ଥିକ ବର୍ଷରେ ୨୭,୫୭୦ କୋଟି ଟଙ୍କା ଗ୍ରାହକମାନଙ୍କ ଆକାଉଣ୍ଟକୁ ପଠାଯାଇଥିବାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ମାତ୍ର ୩,୬୫୮ କୋଟି ଟଙ୍କା ଗ୍ରାହକମାନଙ୍କୁ ପ୍ରଦାନ କରାଯାଇଛି।
ଯେତେବେଳେ ଗ୍ୟାସର ଅନ୍ତର୍ଜାତୀୟ ମୂଲ୍ୟ ହ୍ରାସପାଉଛି ସେତେବେଳେ କିନ୍ତୁ ଦେଶରେ ଗ୍ୟାସର ମୂଲ୍ୟ ହ୍ରାସ ପାଉନାହିଁ, ବରଂ ମୂଲ୍ୟ ବୃଦ୍ଧି ହେଉଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଜାଳେଣି ଗ୍ୟାସର ଅନ୍ତର୍ଜାତୀୟ ମୂଲ୍ୟ ୪୮ ଶତାଂଶ ହ୍ରାସ ପାଇଥିବାବେଳେ ୨୦୨୦-୨୧ରେ ୩୧ ଶତାଂଶ ହ୍ରାସ ପାଇଥିଲା କିନ୍ତୁ ସେତେବେଳେ ମଧ୍ୟ ଗ୍ୟାସର ମୂଲ୍ୟ ବୃଦ୍ଧି ଜାରି ରହିଥିଲା ଓ ରିଆତିକୁ ମଧ୍ୟ ପ୍ରାୟ ଏକ ପ୍ରକାର ବନ୍ଦ ରଖା ଯାଇଥିଲା। ୨୦୧୬ରେ ସରକାର ଏଲପିଜି ରିଆତି ସ୍ୱଇଚ୍ଛାରେ ପରିତ୍ୟାଗ କରିବା ପାଇଁ ଗ୍ରାହକମାନଙ୍କୁ ଉତ୍ସାହିତ କରିଥିଲେ। ଏହାଦ୍ବାରା ସରକାରଙ୍କ ଉପରେ ରିଆତି ବୋଝ ହ୍ରାସ ପାଇଛି ବୋଲି ସରକାର କହିଥିଲେ; କିନ୍ତୁ ପ୍ରକୃତରେ ବେଶୀ ସଂଖ୍ୟାରେ ଗ୍ରାହକମାନେ ରିଆତି ତ୍ୟାଗ ପ୍ରତି ଆଗ୍ରହ ପ୍ରକାଶ କରିନାହାନ୍ତି। ୨୦୧୮ ଡ଼ିସେମ୍ବର ସୁଦ୍ଧା ଦେଶରେ ରହିଥିବା ୨୪.୭୨ କୋଟି ସକ୍ରିୟ ଏଲପିଜି ଗ୍ରାହକମାନଙ୍କ ମଧ୍ୟରୁ ମାତ୍ର ୧.୦୩ କୋଟି ଉପଭୋକ୍ତା ରିଆତି ତ୍ୟାଗ କରିଛନ୍ତି। ମାତ୍ର ଚାରି ଶତାଂଶ ଉପଭୋକ୍ତା ରିଆତି ତ୍ୟାଗ କରିଥିବାବେଳେ ଜାଳେଣି ଗ୍ୟାସର ଅନ୍ତର୍ଜାତୀୟ ମୂଲ୍ୟ ହ୍ରାସ ପାଉଥିବାବେଳେ ସରକାର କାହିଁକି ରିଆତିର ପରିମାଣ ହ୍ରାସ କରୁଛନ୍ତି ସେଥିପାଇଁ ଭାରତର ନିୟନ୍ତ୍ରକ ଏବଂ ମହଲେଖା ପରୀକ୍ଷକ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ତୈଳ କମ୍ପାନୀମାନଙ୍କ ଅନିୟମିତତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ଯୁଦ୍ଧ ହେତୁ ବର୍ତ୍ତମାନ ଜାଳେଣି ଗ୍ୟାସର ଅନ୍ତର୍ଜାତୀୟ ମୂଲ୍ୟ ବୃଦ୍ଧି ଜାରି ରହିବ। ଦେଶରେ ଏହାକୁ ସୁଲଭ ମୂଲ୍ୟରେ ଯୋଗାଇ ଦେବା ପାଇଁ ସରକାର ପ୍ରାଧାନ୍ୟ ଦେବା ଉଚିତ। ଏଥିପାଇଁ ସରକାର ଦେଶର ସମସ୍ତ ବର୍ଗର ନାଗରିକଙ୍କ ସ୍ୱାର୍ଥକୁ ଦୃଷ୍ଟିଦେଇ ପୁନର୍ବାର ଜାଳେଣି ଗ୍ୟାସ ଉପରେ ରିଆତି ପ୍ରଦାନ କରିବା ଆରମ୍ଭ କରିବା ଉଚିତ ହେବ।


