www.samajalive.in
Sunday, December 14, 2025
26.1 C
Bhubaneswar

ବିଦ୍ୟାଳୟ ରୂପାନ୍ତରର ଅସଲ ରୂପ

ଓଡ଼ିଶାରେ ପ୍ରାୟ ୮୫% ଲୋକ ସରକାରୀ ଶିକ୍ଷା ବ୍ୟବସ୍ଥା ଉପରେ ନିର୍ଭରଶୀଳ। ଏଠାରେ ଅନେକ ଶିକ୍ଷା ଯୋଜନା କାର୍ଯ୍ୟକାରୀ ହୋଇଛି ସତ; କିନ୍ତୁ ତା’ର ସୁଫଳ ଯେତିକି ମିଳିବା କଥା ମିଳିପାରିନାହିଁ। କଳାପଟା ଅଭିଯାନଠାରୁ ଆରମ୍ଭ କରି ଜିଲା ପ୍ରାଥମିକ ଶିକ୍ଷା ଅଭିଯାନ, ସର୍ବଶିକ୍ଷା ଅଭିଯାନ ଭଳି ବଡ଼ବଡ଼ ଯୋଜନା କାର୍ଯ୍ୟକାରୀ ହୋଇସାରିଛି ଏବଂ ବର୍ତ୍ତମାନ ସମଗ୍ର ଶିକ୍ଷା ଅଭିଯାନ କାର୍ଯ୍ୟକାରୀ ହେଉଛି। ରାଷ୍ଟ୍ରର ଶିକ୍ଷାନୀତି ଅନୁସାରେ ମଧ୍ୟ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି, ହେଲେ ଶିକ୍ଷାନୀତି ଓ କାର୍ଯ୍ୟକ୍ରମଗୁଡ଼ିକର କାର୍ଯ୍ୟକାରିତା ଯୋଜନାବଦ୍ଧ ଓ ନିଷ୍ଠାପର ଭାବରେ ନହେବା ଯୋଗୁଁ ତା’ର ସୁଫଳ ଆଶାନୁରୂପ ହୋଇନାହିଁ। ଓଡ଼ିଶା ସରକାର ମଧ୍ୟ ବିଭିନ୍ନ ସମୟରେ କମିଟି ବସେଇ ରିପୋର୍ଟ ପ୍ରକାଶ କରିଛନ୍ତି। ବିଧୁଭୂଷଣ ଦାସ କମିଟି ଓ ଭିଜନ ୨୦୨୦ ଆଦି ରିପୋର୍ଟ ପୂର୍ବରୁ ପ୍ରକାଶିତ ହୋଇଛି; କିନ୍ତୁ ତା’ର କାର୍ଯ୍ୟକାରିତା ଯେମିତି ହେବା କଥା ହୋଇନାହିଁ।

ଶିକ୍ଷା ଏକ ସମ୍ବେଦନଶୀଳ ପ୍ରସଙ୍ଗ । ଶିକ୍ଷା ଯୋଜନା କଲାବେଳେ ଶିକ୍ଷକ, ଶିକ୍ଷାବିତ୍‌, ଅଭିଭାବକ ଓ ଶିଶୁମାନଙ୍କର ସମ୍ପୃକ୍ତି ରହିବା କଥା; କିନ୍ତୁ ଓଡ଼ିଶା ସରକାର ସେମାନଙ୍କୁ କୌଣସି ଯୋଜନାରେ ସମ୍ପୃକ୍ତ କରାନ୍ତି ନାହିଁ। ପ୍ରଶାସକ ଓ ରାଜନେତା ଭାବନ୍ତି, ବୋଧହୁଏ ପାଠ୍ୟକ୍ରମ ନିର୍ଦ୍ଧାରଣ କରିବା, ପାଠ୍ୟପୁସ୍ତକ ପ୍ରସ୍ତୁତ କରିବା ତାଲିମ ପରିଚାଳନା କରିବା ଓ ଶିକ୍ଷା ପ୍ରଶାସନକୁ ପରିଚାଳନା କରିବା ଏବଂ ପାଠ ପଢ଼େଇବା ଏକ ମାମୁଲି କାମ ଏବଂ ଯେକୌଣସି ପାଠୁଆ ଲୋକ ଏହା କରିପାରିବ। ସେଥିପାଇଁ ଶିକ୍ଷା ଯୋଜନାରେ ଶିକ୍ଷକ ଓ ଶିକ୍ଷାବିତ୍‌ ବହୁତ କମ୍‌ ଲୋଡ଼ାପଡ଼ନ୍ତି । ସବୁଠାରୁ ଦୁଃଖର କଥା ଶିକ୍ଷା ବିଭାଗର କାର୍ଯ୍ୟରତ କର୍ମଚାରୀ- ମାନଙ୍କଠାରୁ ଆରମ୍ଭ କରି ମନ୍ତ୍ରୀ ପର୍ଯ୍ୟନ୍ତ କେହି ସେମାନଙ୍କର ପିଲାମାନଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାନ୍ତି ନାହିଁ। କିନ୍ତୁ ସରକାରୀ ସ୍କୁଲର ପାଠ ପଢୁଥିବା ପିଲାଙ୍କ ପାଇଁ ସେମାନେ ଯୋଜନା ପ୍ରସ୍ତୁତ କରନ୍ତି । ପାଠ୍ୟକ୍ରମ, ପାଠ୍ୟପୁସ୍ତକ ପ୍ରସ୍ତୁତ କରନ୍ତି। ପାଠପଢ଼ାରେ ପଛୁଆ ଥିବା ପିଲାମାନଙ୍କ ପାଇଁ ମଧ୍ୟ ବିଭିନ୍ନ ପ୍ୟାକେଜ (ଉଜ୍ଜ୍ୱଳ, ଉତ୍‌ଥାନ, ଉତ୍କର୍ଷ) ପ୍ରସ୍ତୁତ କରି ଶିକ୍ଷକମାନଙ୍କୁ ପ୍ରୟୋଗ କରିବା ପାଇଁ ବାଧ୍ୟ କରାଯାଏ । ଶିକ୍ଷକଙ୍କୁ ଉପରୁ ନି​‌େ​‌ର୍ଦଶ ଯାଏ ଯେ ଏସବୁ ‘ପ୍ୟାକେଜ’ଗୁଡ଼ିକୁ ପିଲାଙ୍କ ନିକଟରେ ପ୍ରୟୋଗ କର, ଆପେଆପେ ଶିକ୍ଷାର ସ୍ତର ଉପରକୁ ଉଠିଯିବ। ଫଳରେ ସରକାରୀ ଶିକ୍ଷା ବ୍ୟବସ୍ଥା ଦିନକୁ ଦିନ ଖରାପ ହୋଇ ଚାଲିଛି।

- Advertisement -

ପାଠପଢ଼ାର ପଦ୍ଧତି, ପାଠ୍ୟକ୍ରମ, ପାଠ୍ୟ ବିଷୟବସ୍ତୁଗୁଡ଼ିକ ଶିକ୍ଷକ ଓ ଛାତ୍ରମାନଙ୍କ ଭିତରେ ମଣିଷ ହୋଇ ଗଢ଼ିହେବାର ଆଧାର ହୋଇଥାଏ। ଏହା ଯଦି ଠିକ୍‌ ଭାବରେ ସଂଗଠିତ ହୋଇ ନପାରିଲା, ତେବେ ମଣିଷ ସମାଜ ଶିକ୍ଷିତ ହୋଇ ମଧ୍ୟ ଅଶିକ୍ଷିତ ହୋଇରହିଯିବ। ସମାଜ ଭିତରେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବା ବଦଳରେ ବିଦ୍ୱେଷପୂର୍ଣ୍ଣ ମନୋଭାବ ସୃଷ୍ଟିହେବ। ସମାଜରେ ଥିବା ଅସଂଗତି ଦୂରହେବା ବଦଳରେ ତାହା ଦୃଢ଼ ହୋଇ ଚାଲିବ । ସେଥିପାଇଁ ପାଠପଢ଼ାର ଲକ୍ଷ୍ୟ, ଉଦ୍ଦେଶ୍ୟ, ପାଠ୍ୟକ୍ରମ, ପାଠ୍ୟବସ୍ତୁ, ପାଠପଢାର ପଦ୍ଧତି ଉପରେ ବ୍ୟାପକ ଚର୍ଚ୍ଚା ହେବା ଦରକାର। ଲୋକଙ୍କ ଭାଷା, ସମ୍ପତ୍ତି, ଅର୍ଥନୀତି ଆଦିକୁ ଆଖିଆଗରେ ରଖି ଏସବୁ ପ୍ରସ୍ତୁତ ହେବା ଦରକାର। ପାଠ୍ୟକ୍ରମ, ପାଠ୍ୟପୁସ୍ତକ, ପରୀକ୍ଷାଗୁଡ଼ିକ ଦେଶର ବିବିଧତାକୁ ଆଖିଆଗରେ ରଖି ଏସବୁ ପ୍ରସ୍ତୁତିରେ ବିକେନ୍ଦ୍ରୀକରଣ ହେବା କଥା। ସମଗ୍ର ରାଜ୍ୟପାଇଁ ଗୋଟିଏ ପ୍ରକାର ପାଠ୍ୟପୁସ୍ତକ ପ୍ରସ୍ତୁତ ନହୋଇ ବିଭିନ୍ନ ଅଞ୍ଚଳ ପାଇଁ ଅଲଗା ଅଲଗା ପାଠ୍ୟପୁସ୍ତକ ପ୍ରସ୍ତୁତ ହେବା କଥା। ଜାତୀୟ ପାଠ୍ୟକ୍ରମ ଆଧାର ୨୦୦୫, ପ୍ରତ୍ୟେକ ସ୍କୁଲ ପାଇଁ ମତାମତ ଦେଇଥିଲା। କିନ୍ତୁ ଯୋଜନା ଗୋଟେ ବାଟରେ ତ କାର୍ଯ୍ୟକାରିତା ଆଉ ଏକ ବାଟରେ! ପାଠ୍ୟକ୍ରମ, ପାଠ୍ୟ ପୁସ୍ତକ, ତାଲିମ ଓ ପରୀକ୍ଷାର ଦାୟିତ୍ୱ ଏକ ସ୍ୱୟଂଚାଳିତ ସଂସ୍ଥା ଦ୍ୱାରା ହେବା କଥା; ଯାହାର ନି‌େ‌ର୍ଦଶକ ଜଣେ ଶିକ୍ଷାବିତ୍‌ ହେବା ଆବଶ୍ୟକ, କିନ୍ତୁ ଆମ ରାଜ୍ୟରେ ବର୍ଷବର୍ଷ ଧରି ଜଣେ ପ୍ରଶାସକ ହିଁ ଦାୟିତ୍ୱରେ ରହୁଛନ୍ତି। ତେଣୁ ସରକାର ଶିକ୍ଷାକୁ କେଉଁ ଦୃଷ୍ଟିରେ ଦେଖୁଛନ୍ତି, ତାହା ଏଥିରୁ ଜଣା ପଡିଯାଉଛି ।

ଶିକ୍ଷା ଅଧିକାର ଆଇନ ୨୦୦୯, ସାରା ଭାରତରେ ୧ ଏପ୍ରିଲ ୨୦୧୦ରୁ କାର୍ଯ୍ୟକାରୀ ହେଉଅଛି । ଆଇନ ଅନୁଯାୟୀ ୨୦୧୫ ଏପ୍ରିଲ ମାସ ସୁଦ୍ଧା ସବୁ ସ୍କୁଲରେ ଆଇନଦ୍ୱାରା ନିର୍ଦ୍ଧାରିତ ସୁବିଧା ସୁଯୋଗଗୁଡ଼ିକ ଉପଲବ୍ଧ ହେବାକଥା । ଦେଶର କୌଣସି ଶିଶୁ ପାଠପଢାରୁ ବଞ୍ଚିତ ହେବାକଥା ନୁହଁ। କେହି ଜଣେ ବି ଶିଶୁ, ସ୍କୁଲ ବାହାରେ ରହିଗଲେ ସରକାର ଉତ୍ତରଦାୟୀ ହେବା କଥା; କିନ୍ତୁ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରୀ ହେବାର ୧୧ ବର୍ଷ ପରେ ମଧ୍ୟ ଦେଶର କେବଳ ୧୫ ଭାଗ ସ୍କୁଲରେ ହିଁ ଆଇନ ମୁତାବକ ସୁବିଧାସୁଯୋଗ ରହିଛି। ଆମ ରାଜ୍ୟର ସ୍ଥିତି ଏ କ୍ଷେତ୍ରରେ ଆହୁରି ଦୟନୀୟ।

ଓଡ଼ିଶା ସରକାର, ଶିକ୍ଷା ଅଧିକାର ଆଇନ ପାଇଁ ସରକାରୀ ବ୍ୟବସ୍ଥାକୁ ସୁଧାରି ପାରିଥାନ୍ତେ; କିନ୍ତୁ ଶିକ୍ଷା ଅଧିକାର ଆଇନ କାର୍ଯ୍ୟକାରିତାରେ କୌଣସି ଆନ୍ତରିକତା ଦେଖାଇଲେ ନାହିଁ। ଆଇନକୁ ଗୋଟିଏ ସରକାରୀ କାର୍ଯ୍ୟକ୍ରମ ଭଳି କାର୍ଯ୍ୟକାରୀ କଲେ। ଫଳରେ ବେସରକାରୀ ବିଦ୍ୟାଳୟରେ ପିଲା ସଂଖ୍ୟା ବଢିଲା ଏବଂ ସରକାରୀ ବିଦ୍ୟାଳୟରେ ପିଲା ସଂଖ୍ୟା କମିଲା। ଆଜି ଏପରି ସ୍ଥିତିକୁ ଆସିଛି ଯେ ସରକାରୀ ବିଦ୍ୟାଳୟରେ ପିଲା କମ୍‌ ହେଉଥିବାର ଆଳ ଦେଖେଇ ରାଜ୍ୟ ସରକାର ସେଗୁଡ଼ିକୁ ବନ୍ଦ କରିବା ପାଇଁ ବିଧିବଦ୍ଧ ଯୋଜନା କରିଛନ୍ତି। ଯୋଜନା କରିବା ପାଇଁ ଏକ ପରାମର୍ଶଦାତା ସଂସ୍ଥାକୁ ଟଙ୍କା ଦେଇ ତାହାଙ୍କ ନିର୍ଦେଶରେ ପରିଚାଳିତ ହେଉଥିବା ଅଭିଯୋଗ ରହିଛି । ସରକାରୀ ବିଦ୍ୟାଳୟରେ ପିଲା କମ୍ ହେବାର କାରଣ ସମ୍ପର୍କରେ କୌଣସି ଅନୁଧ୍ୟାନ ହୋଇନାହିଁ କି ଶିକ୍ଷକ, ଅଭିଭାବକ, ଶିକ୍ଷାବିତ୍, ଶିଶୁମାନଙ୍କ ସହିତ ବିଚାରବିମର୍ଶ କରାଯାଇ ନାହିଁ। ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଏକ ଶିକ୍ଷା ପରାମର୍ଶଦାତା ମଣ୍ଡଳୀ ମଧ୍ୟ ଗଠିତ ହୋଇଛି। ଏହା ଶିକ୍ଷାର ବିକାଶ ପାଇଁ ପରାମର୍ଶ ଦେବା କଥା; ମାତ୍ର ତାହା ମଧ୍ୟ ଅଚଳ ।

ଏବେ କୁହାଯାଉଛି ବିଦ୍ୟାଳୟ ରୂପାନ୍ତରୀକରଣ କଥା । ଫାଇଭ୍‌-ଟି ଅଧୀନରେ ସ୍ମାର୍ଟ ସ୍କୁଲ ଘୋଷଣା କିଛି ଦିନ ଅନ୍ତରରେ ଚାଲିଛି। ସ୍ମାର୍ଟସ୍କୁଲ, ସ୍ମାର୍ଟ ଶ୍ରେଣୀଗୃହ ନାଁରେ ଯାହା କରାଯାଉଛି, ତାହା ଓଡ଼ିଶାରେ ଶିକ୍ଷା ବିକାଶ କରିବାରେ କେତେଦୂର ସାହାଯ୍ୟ କରିବ, ତାହା ପରେ ଜଣାପଡ଼ିବ। କିଛି ନ କରିବା ଅପେକ୍ଷା କିଛି କରିବା ନିହାତି ଭାବରେ ସ୍ୱାଗତଯୋଗ୍ୟ; କିନ୍ତୁ ଯେଉଁଭଳି ଭାବରେ ଏସବୁ କରାଯାଉଛି ତାହା ଶିକ୍ଷା ବିକାଶରେ ସାହାଯ୍ୟ କରିବାରେ ସନ୍ଦେହ ରହିଛି। ଶିକ୍ଷାର ଯୋଜନା ସାମଗ୍ରିକ ଭାବରେ ହେବା ଦରକାର। ପ୍ରାକ୍‌-ପ୍ରାଥମିକଠାରୁ ଉଚ୍ଚଶିକ୍ଷା ପାଇଁ ଏକ ବିସ୍ତୃତ ଯୋଜନା ହେଲେ ତା’ର ସୁଫଳ ମିଳିବ । ପ୍ରାରମ୍ଭିକ ଶିକ୍ଷା (ପ୍ରାକ୍‌-ପ୍ରାଥମିକଠାରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ)କୁ ଛାଡ଼ି ମାଧ୍ୟମିକ ଶିକ୍ଷାର ରୂପାନ୍ତରୀକରଣ ଏବଂ କେତେକ ନିର୍ଦିଷ୍ଟ ସ୍କୁଲର ରୂପାନ୍ତରୀକରଣ- ଏହା ଓଡ଼ିଶାର ଶିକ୍ଷା ବିକାଶରେ କେତେ ସାହାଯ୍ୟ କରିବ, ତାହା ବଡ଼ ପ୍ରଶ୍ନବାଚୀ।

ଗୁଣାତ୍ମକ ଶିକ୍ଷାପାଇଁ ସ୍ମାର୍ଟ ଶ୍ରେଣୀଗୃହର ଆବଶ୍ୟକତାଠାରୁ ଗୁଣାତ୍ମକ ଓ ଉତ୍ସର୍ଗୀକୃତ ଶିକ୍ଷକଙ୍କର ଆବଶ୍ୟକତା ଅଧିକ; ଏକ ଉତ୍ତମ ପାଠାଗାର ମଧ୍ୟ ଆବଶ୍ୟକ। କିନ୍ତୁ ସରକାର ପ୍ରଥମେ ସ୍ମାର୍ଟ ଶ୍ରେଣୀଗୃହ ତିଆରିକଲେ। ଏଥିରୁ ଜଣାପଡୁଛି, ସରକାର ଏ ସବୁ ରୁପାନ୍ତରୀକରଣ ଯୋଜନାବଦ୍ଧ ଭାବରେ କରୁନାହାନ୍ତି । ଉପରସ୍ତରରେ ଯେତେବେଳେ ଯାହା ମନକୁ ଆସିଲା ତାହାର ଯୋଜନା ପ୍ରସ୍ତୁତ ହେଉଛି ଏବଂ ତାହା ରାଜନୀତିକୁ ଆଖି ଆଗରେ ରଖି କାର୍ଯ୍ୟକାରୀ ହେଉଛି । ଏଥିରେ ବିଭାଗର କାର୍ଯ୍ୟକର୍ତ୍ତା, ଶିକ୍ଷକ, ଅଭିଭାବକ, ବିଶେଷଜ୍ଞଙ୍କ ମତାମତ ନିଆଯାଇ ନାହିଁ କି ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରି ଯୋଜନା ପ୍ରସ୍ତୁତ କରାଯାଉନାହିଁ। ସରକାର ବୋଧହୁଏ ଭାବିନେଇଛନ୍ତି ଯେ ସ୍ମାର୍ଟ କ୍ଲାସ୍‌ କରିଦେଲେ ପିଲାମାନଙ୍କର ଗୁଣାତ୍ମକ ଶିକ୍ଷା ଆପେଆପେ ହୋଇଯିବ। ଗୁଣାତ୍ମକ ଶିକ୍ଷା କହିଲେ ମୁଖ୍ୟତଃ ପ୍ରଯୁକ୍ତିଗତ ଶିକ୍ଷା ବୋଲି ଧରି ନିଆଯାଇଛି। ଏହା ଗୁଣାତ୍ମକ ଶିକ୍ଷାର ଏକ ଅଂଶ, ମୁଖ୍ୟ ନୁହେଁ। ଗୁଣାତ୍ମକ ଶିକ୍ଷାକୁ ନେଇ ବିତର୍କ ହିଁ ନାହିଁ। ଏଠି ଗୁଣାତ୍ମକ ଶିକ୍ଷା କହିଲେ ଇଂରାଜୀ ମାଧ୍ୟମ ଶିକ୍ଷା, ଉନ୍ନତମାନର ଭିତ୍ତିଭୂମି ଥିବା ସ୍କୁଲ, ପରୀକ୍ଷାରେ ଲବ୍ଧାଙ୍କ ଆଦିକୁ ବୁଝାଏ । ଓଡ଼ିଆ ଲେଖକ, ଓଡ଼ିଆ ସ୍କୁଲର ଶିକ୍ଷକ ସମସ୍ତେ ନିଜର ପୁଅଝିଅ, ନାତିନାତୁଣୀଙ୍କୁ ଇଂରାଜୀ ମାଧ୍ୟମରେ ପାଠ ପଢାଉଛନ୍ତି। ସେମାନଙ୍କର ଗୁଣାତ୍ମକ ଶିକ୍ଷା ଉପରେ କ’ଣ ଧାରଣା ରହିଛି, ଏଥିରୁ ବୁଝାପଡୁଛି । ଏଭଳି ସ୍ଥିତିରେ ଓଡ଼ିଶା ସରକାର, ଇଂରାଜୀ ମାଧ୍ୟମ ‘ଆଦର୍ଶ ବିଦ୍ୟାଳୟ’ ପ୍ରତ୍ୟେକ ବ୍ଲକ୍‌ରେ ସ୍ଥାପନ କରୁଛନ୍ତି ଏବଂ ସେଥିପାଇଁ ବାହାବା ନେଉଛନ୍ତି। ମାତ୍ର ଆଦର୍ଶ ବିଦ୍ୟାଳୟଗୁଡ଼ିକରେ କଣ ଚାଲିଛି, ତାର ସମୀକ୍ଷା ହେଉନାହିଁ ! ଓଡ଼ିଆ ମାଧ୍ୟମରେ ଭଲ ପାଠ ପଢୁଥିବା ପିଲାମାନଙ୍କୁ ନେଇ ଆଦର୍ଶ ବିଦ୍ୟାଳୟରେ ପାଠ ପଢାଇବା ଦ୍ୱାରା ଓଡ଼ିଆ ମାଧ୍ୟମ ସ୍କୁଲଗୁଡ଼ିକର ବିନାଶ ଘଟାଯାଉଛି।

ସେହିଭଳି ଆଦିବାସୀ ପିଲାମାନଙ୍କ ପାଇଁ ମାତୃଭାଷାଭିତ୍ତିକ ବହୁଭାଷୀ ଶିକ୍ଷାନୀତି ଓଡ଼ିଶା ସରକାରଙ୍କର ଅଛି ଏବଂ ସେଥିପାଇଁ ଏକ କାର୍ଯ୍ୟକ୍ରମ ରହିଛି; ଯାହାଫଳରେ ସେମାନେ ଆପଣା ମାତୃଭାଷା ମାଧ୍ୟମରେ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିପାରିବେ। ଆନ୍ତରିକତାର ସହିତ ଏହା କରାଯାଉନାହିଁ। ଅନ୍ୟ ପକ୍ଷରେ ବହୁଭାଷା ଶିକ୍ଷା ନୀତିର ବିରୋଧାଚରଣ କରୁଥିବା ଏକ କାର୍ଯ୍ୟକ୍ରମ ‘ଅନ୍ୱେଷା’ ନାମରେ ଚାଲିଛି । ଆଜି ପିଲାମାନଙ୍କୁ ଗାଁରୁ ଆଣି ବେସରକାରୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପାଠ ପଢିବା ବ୍ୟବସ୍ଥା କରାଯାଉଛି। ଏ ଯୋଜନା ପ୍ରସ୍ତୁତ କରିବା ପୂର୍ବରୁ ମଧ୍ୟ କୌଣସି ଚର୍ଚ୍ଚା ହୋଇ ନଥିଲା। ସାମ୍ବିଧାନିକ ବିଧି ବ୍ୟବସ୍ଥା ଦୃଷ୍ଟିରୁ ଗୋଟିଏ ସରକାର ପିଲାଙ୍କୁ ନିଜ ଭାଷାସଂସ୍କୃତିଠାରୁ ଦୂରେଇ ଦେଇ ବେସରକାରୀ ଇଂରାଜୀ ମାଧ୍ୟମରେ ପଢାଇବା କେତେ ଠିକ୍‌, ତାହା ବିଚାର କରିବା ଉଚିତ । ଭାରତବର୍ଷରେ ଆଦିବାସୀ ଗୋଷ୍ଠୀର ବିକାଶ ପାଇଁ ସମ୍ବିଧାନରେ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଏସବୁ ଯୋଜନା କରିବା ପୂର୍ବରୁ ସେ ବିଧି ବ୍ୟବସ୍ଥା କେତେ ପାଳନ କରାଯାଉଛି, ତାହା ଆଉ ଏକ ପ୍ରଶ୍ନବାଚୀ। ଯଦି ସରକାରଙ୍କ ଏଭଳି ଖାମଖିଆଲୀ ନୀତିକୁ ବିରୋଧ କରା ନଯାଏ, ତେବେ ଓଡ଼ିଶାର ଶିକ୍ଷା ରସାତଳକୁ ଯିବା ସାର ହେବ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories