www.samajalive.in
Sunday, December 14, 2025
19.1 C
Bhubaneswar

ଲକ୍ଷଣର ଉପଚାର

ସତୁରି ଅଶୀ ଦଶକରେ ସେ ଅଞ୍ଚଳରେ ଥିଲେ ଜଣେ କ୍ୱାକ ବା ଅଣତାଲିମପ୍ରାପ୍ତ ଡାକ୍ତର। ପାଖାପାଖି ଚାଳିଶ ଖଣ୍ଡ ଗାଁର ଲୋକଙ୍କ ସ୍ୱାସ୍ଥ୍ୟ ନିୟନ୍ତା, ସ୍ୱାସ୍ଥ୍ୟ ବିଧାତା। ସକାଳ ସାତରୁ ରାତି ଦଶ ଯାଏ ରହୁଥିଲା ତାଙ୍କ ଦୋକାନ ଖୋଲା। ଟେବୁଲ ଉପରେ ତିନୋଟି ଡବାରେ ଥାଏ ଧଳା, ନାଲି ଓ ସବୁଜ ତିନି ରଙ୍ଗର ମେଞ୍ଚେ ମେଞ୍ଚେ ବଟିକା। ରୋଗୀକୁ ଥରେ ପଚାରିବେ କ’ଣ ହେଇଛି। ଜର କି ଝାଡ଼ା କି କାଶ ଏଇ ଭଳି ଶବ୍ଦଟେ ଶୁଣିବା ମାତ୍ରେ ରୋଗୀର କଥା ଶେଷ ହେବା ପୂର୍ବରୁ ବାନ୍ଧି ଦେଇଥିବେ ଔଷଧ ପୁଡ଼ିଆ। କିଛି ସେହି ଔଷଧରେ ଭଲ ହୋଇ ଯାଆନ୍ତି, କିଛି ହୁଅନ୍ତିନି, କିଛି ମରି ବି ଯାଆନ୍ତି। ଯିଏ ବଞ୍ଚିଲା ସିଏ ସେ ତଥାକଥିତ ଡାକ୍ତରର ଔଷଧ ପାଇଁ ବଞ୍ଚିଲା, ଯିଏ ମଲା ତାର ଆୟୁଷ ନଥିଲା।

ଅଶୀ ଦଶକର ଆରମ୍ଭରେ ସେହି ଅଞ୍ଚଳର ପିଲାଟିଏ ଡାକ୍ତରୀ ପଢ଼ି ଗାଁକୁ ଫେରିଲା। ଥିଲାବାଲା ଘରର ପିଲା, ସରକାରୀ ଚାକିରି ନକରି ଗାଁ ଲୋକଙ୍କ ସେବା କରିବା ମନୋବୃତ୍ତିରେ ନିଜ ଡାକ୍ତରଖାନା ଖୋଲିଲା। ପଢୁଆ ଡାକ୍ତର ଭାବେ ତାଙ୍କ ପାଖରେ ପ୍ରଥମ କିଛି ଦିନ ପ୍ରବଳ ଭିଡ଼। ମାତ୍ର ଇଏ କଣ? ପଢୁଆ ଡାକ୍ତରଙ୍କୁ ଜର ତିନି ଦିନ ହେଲା ହଉଛି କହିଲେ ସିଏ କଣ ବଟିକା ନଦେଇ କହୁଛନ୍ତି ଆଗ ରକ୍ତ ପରୀକ୍ଷା କର। ପୁଣି କାହାକୁ କହୁଛନ୍ତି, ଏ ରୋଗର ଚିକିତ୍ସା ଏଠି ହେବନି, ରୋଗୀକୁ କଟକ ବଡ଼ ମେଡିକାଲ ନେଇ ଯାଅ, ଅସ୍ତ୍ରୋପଚାର ଦରକାର ପଡ଼ିବ। ଧୀରେ ଧୀରେ ଲୋକ ଟୁପଟାପ ହେବା ଆରମ୍ଭ କଲେ, ଇଏ ସତରେ ଡାକ୍ତରୀ ପଢ଼ିଛିଟି? ଯଦି ପଢ଼ିଛି ରୋଗଟିକୁ ନଜାଣି ପାରି ପରୀକ୍ଷା କରିବାକୁ କାହିଁକି କହୁଛି? ୟା’ଠୁ ତ ଶହେ ଗୁଣ ଭଲ ସେଇ ଡାକ୍ତର, ପାଞ୍ଚ ଟଙ୍କାରେ ତିନିଟା ବଟିକା, ଜର ଓଳିକରେ ଛୁ। ଲୋକେ ପୁଣି ଫେରିଲେ ଅପାଠୁଆ ଡାକ୍ତର ପାଖକୁ, ପାଠପଢୁଆ ଡାକ୍ତର ସବୁଦିନ ପାଇଁ ବୃହତ୍ତର ଜନମାନସରେ ‘ହାତ ଭଲ ନୁହେଁ’ ଡାକ୍ତର ଭାବେ ଅପଖ୍ୟାତ ହୋଇ ରହିଗଲେ।

- Advertisement -

ରୋଗର ମୂଳୋତ୍ପାଟନ ପାଇଁ ରୋଗର ପ୍ରକୃତ କାରଣ ଚିହ୍ନଟ ସହ କାରଣ ଅନୁସାରେ ନିଦାନ ହିଁ ପ୍ରଥମ ଓ ସର୍ବୋତ୍କୃଷ୍ଟ ଉପାୟ। ମାତ୍ର ଏହି ଉପାୟଟି ହେଉଛି ଅଧିକ ଶ୍ରମ, ବ୍ୟୟ ଓ ସମୟସାପେକ୍ଷ। ଅନ୍ୟ ପକ୍ଷରେ ରୋଗର ଲକ୍ଷଣର ଚିକିତ୍ସା ସେମିତି କୌଣସି ବୈଷୟିକ ନିପୁଣତା ଆବଶ୍ୟକ କରେ ନାହିଁ। କେତେକ କ୍ଷେତ୍ରରେ ଏପରି ଚିକିତ୍ସା ଦ୍ୱାରା ରୋଗୀକୁ ସାମୟିକ ମାତ୍ର ତତ୍‌କ୍ଷଣାତ ଉପଶମ ମଧ୍ୟ ମିଳିଥାଏ। ମାତ୍ର ଏହା ରୋଗକୁ ଭଲ କରି ପାରେ କି ? ଉତ୍ତର ହେଉଛି ନା। କିନ୍ତୁ ଅନେକ ସମୟରେ ସାମୟିକ ଚତ୍ମକାରୀ କିନ୍ତୁ ତତ୍‌କ୍ଷଣାତ ଉପଶମ ବା ଫଳାଫଳ ଆଶାରେ ଆମେ ରୋଗର ପ୍ରକୃତ କାରଣ ଚିହ୍ନଟ ଓ ଉପଯୁକ୍ତ ଚିକିତ୍ସା ଅପେକ୍ଷା ଲକ୍ଷଣର ଉପଚାରକୁ ଅଧିକ ଗୁରୁତ୍ୱ ଦେଇଥାଉ।

କଳାଟଙ୍କା, ଦୁର୍ନୀତି ରୋଗ ଭଳି ବ୍ୟାପିଛି? ରାତାରାତି ନୋଟ ବଦଳେଇ ଦିଅ; କଳାଟଙ୍କାର ଚେର ଉପୁଡିଯିବ। ସରକାରୀ ଶିକ୍ଷା ବ୍ୟବସ୍ଥା ଅବ୍ୟବସ୍ଥା ହେଉଛି? ସ୍କୁଲ ଘରଗୁଡିକୁ ନୂଆ ରଙ୍ଗ ଦେଇ ଚକାଚକ କରିଦିଅ, ପାଖ ନର୍ସରୀରୁ ଚାରି ଛଅଟି ସୌଖିନ ଗଛକୁଣ୍ଡ ଆଣି ସ୍କୁଲ ହତାରେ ରଖି ଦିଅ, ପିଲା ଓ ଶିକ୍ଷକ ମନକୁ ମନ ପାଠ ପଢିବା ଓ ପଢ଼େଇବା ଆରମ୍ଭ କରିବେ। ଚାଷୀର ଆୟ ବଢୁନି, ଚାଷୀ ଆତ୍ମହତ୍ୟା କରୁଛି, ତା ଆକାଉଣ୍ଟରେ ଦି ତିନି ହଜାର ପଠେଇ ଦିଅ। ଆମ ଆଇନ ଶାସନ ବ୍ୟବସ୍ଥାରେ ବହୁ ଲୋକ ଖୁସି ନାହାନ୍ତି, ତା’ ହେଲେ ଖଳାବାଡ଼ିର ନାଁ ବଦଳେଇ ଖାରବେଳଗଡ଼ କରିଦିଅ। ହଜାର ହଜାର ଶିଳ୍ପୀ, କଳାକାର ଦୁଃଖଦୈନ୍ୟ ଭିତରେ ଅଛନ୍ତି, ରାଜଧାନୀର କୌଣସି ଏକ ତାରକା ହୋଟେଲ କି ବଡ଼ ମଣ୍ଡପରେ ତିନି ଦିନିଆ ଲୋକକଳା ‘ନାଇଟ’ ଆୟୋଜନ କରେଇ ଦିଅ। ଦୁଷ୍କର୍ମ, ମହିଳାଙ୍କ ପ୍ରତି ହିଂସା ବଢୁଛି, ଗୋଟେ ଦିଟା ମାମଲାରେ ଅପରାଧୀର ‘ଏନକାଉଣ୍ଟର’ କରେଇ ଦିଅ !

ଚାରି ପଟକୁ ଚାହାନ୍ତୁ, ଏପରି ଉଦାହରଣ ହଜାରହଜାର ସଂଖ୍ୟାରେ ପାଇବେ। ଆଉ ଟିକେ ନିରେଖି ଦେଖିଲେ ଅନୁଭବ କରି ପାରିବେ ଯେ ଉପରୋକ୍ତ ରୋଗ ବା ସମସ୍ୟାଗୁଡିକ ପାଇଁ ଦିଆଯାଉଥିବା ଔଷଧ ଠିକ୍‌ ଅପାଠୁଆ ଡାକ୍ତରଙ୍କ ଧଳା ନୀଳ ନାଲି ବଟିକା ପରି। ଆଉ ଏହି ଔଷଧ ସେବନ କେତେକ କ୍ଷେତ୍ରରେ ସାମୟିକ ଆଶ୍ୱସ୍ତି ହୁଏତ ଦେଇ ପାରେ, ହେଲେ ରୋଗ ଯେଉଁଠିକୁ ସେଇଠି ଥାଏ। ଏକଥା ସତ୍ୟ ଯେ ରୋଗ ବା ସମସ୍ୟାର ଉଭୟ ସ୍ବଳ୍ପମିଆଦି ଓ ଦୀର୍ଘମିଆଦି ସମାଧାନ ରହିବା ଆବଶ୍ୟକ। ସ୍ବଳ୍ପମିଆଦି ଉପଶମ ନମିଳିଲେ ରୋଗୀଟି ନିଜକୁ ବୋଧହୁଏ ଦୀର୍ଘମିଆଦି ଚିକିତ୍ସା ପାଇଁ ମାନସିକ ଭାବେ ପ୍ରସ୍ତୁତ କରିପାରେ ନାହିଁ। କିନ୍ତୁ କେଉଁ ସ୍ୱଳ୍ପମିଆଦି ଚିକିତ୍ସା ଦୀର୍ଘମିଆଦରେ ମଧ୍ୟ ନିଜ ପ୍ରାସଙ୍ଗିକତା ରଖେ? ଉତ୍ତରଟି ହେଉଛି, ଯାହା ରୋଗର ଲକ୍ଷଣ ନୁହେଁ କାରଣ ଉପରେ ପର୍ଯ୍ୟବସିତ ହୋଇଥାଏ। ଲକ୍ଷଣର ଉପଚାର ଦୀର୍ଘ ମିଆଦ କ୍ଷେତ୍ରରେ ଘାତକ ସାବ୍ୟସ୍ତ ହୋଇପାରେ। ଯେହେତୁ ରୋଗର କାରଣ ପାଖରେ ଔଷଧ କି ପଥ୍ୟ ପହଞ୍ଚି ପାରେ ନାହିଁ, ରୋଗଟି ବଢ଼ି ବଢ଼ି କେତେବେଳେ କର୍କଟ ହୋଇ ଯାଏ, ସେଇଟି ନା ଅପାଠୁଆ ଡାକ୍ତର ଜାଣିପାରେ ନା ରୋଗୀ। ଆଉ କର୍କଟର ଶେଷ ଅବସ୍ଥାରେ ନାଲି, ନୀଳ ବଟିକା କି କସମେଟିକ ସର୍ଜରୀ କାମ ଦିଏନି ଆଜ୍ଞା।

ଲକ୍ଷଣର ଉପଚାର ବେଶିରେ ବେଶି ରୋଗୀ ମନରେ ମୁଁ ଭଲ ହେଉଛି, ମୋର ସେମିତି କିଛି ହେଇନି ଭଳି ଭ୍ରମ ସୃଷ୍ଟି କରିପାରେ, ଅଧିକ କିଛି ନୁହେଁ। କିନ୍ତୁ ପ୍ରକୃତ ଚିକିତ୍ସା କ୍ଷେତ୍ରରେ ଏହାର ଠିକ୍‌ ଓଲଟା ଭାବନାଟି ସୃଷ୍ଟି ହୁଏ। ପ୍ରକୃତ ଚିକିତ୍ସା ପାଇଁ ଉଭୟ ଡାକ୍ତର ଓ ରୋଗୀ ପ୍ରଥମେ ସ୍ୱୀକାର କରନ୍ତି ଯେ ରୋଗଟି ହୋଇଛି, ରୋଗଟି ପ୍ରାଥମିକ/ମଧ୍ୟମ/ଗମ୍ଭୀର ଅବସ୍ଥାରେ ଅଛି, ରୋଗର ଭିନ୍ନ ଭିନ୍ନ କାରଣ ପାଇଁ ଭିନ୍ନ ଭିନ୍ନ ଔଷଧ, ପଥ୍ୟ ବା ଉଭୟର ମିଶ୍ରିତ ସେବନର ଆବଶ୍ୟକତା ଅଛି ଏବଂ ରୋଗର ସ୍ଥିତି ଅନୁସାରେ ଏହାର ନିରାକରଣ ପାଇଁ ସମୟ ଲାଗିବ। ଏ ସମସ୍ତ ଜିନିଷ କୌଣସି ଚମତ୍କାର ନୁହେଁ, ବରଂ ଅଧିକ କୌଶଳ, ଶ୍ରମ ଓ ସମୟ ଦାବି କରୁଥିବା ଏକ ସମନ୍ବିତ ପ୍ରକ୍ରିୟା।

ଶେଷରେ ଏତିକି। ଆପଣଙ୍କ ପାଖରେ ଯଦି ସମୟ ଓ ଧୈର୍ଯ୍ୟର ଅଭାବ ରହିଛି ବୋଲି ଆପଣ ତତ୍‌କ୍ଷଣାତ ଉପଶମ ପାଇଁ ଅପାଠୁଆ ଡାକ୍ତରଙ୍କ ପାଖକୁ ଯାଉଛନ୍ତି, ତାହା ଆପଣଙ୍କ ବ୍ୟକ୍ତିଗତ ନିଷ୍ପତ୍ତି। ରୋଗ ସହ ଲଢ଼ିବେ କି ରୋଗ ହୋଇନାହିଁ ବୋଲି ନୀଳ ଚଷମାଟେ ପିନ୍ଧିବେ ତାହା ଆପଣଙ୍କ ବ୍ୟକ୍ତିଗତ ବ୍ୟାପାର। କିନ୍ତୁ ନାଲି ନୀଳ ଗୋଲି ଦେଇ ସ୍ୱଳ୍ପ ସମୟ ଭିତରେ ଲକ୍ଷଣର ଚମତ୍କାରୀ ଉପଶମ ଦେଇ ପାରୁ ନଥିବା, ରୋଗର କାରଣ ଚିହ୍ନଟ ପାଇଁ ପରୀକ୍ଷା କରେଇବାକୁ ଲେଖୁଥିବା ଡାକ୍ତରକୁ ତା’ର ‘ହାତ ଭଲ ନୁହେଁ’ କହିବା ଭଳି କପୋଳକଳ୍ପିତ ବଦନାମରେ ପୋତି ପକାନ୍ତୁ ନାହିଁ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories