BJD Bijuli 480×75 Mob

ନମାମି ଗଙ୍ଗେ: ପାନ୍‌ ବନାରସୀୱାଲା!

ବିଭୁ ପ୍ରସାଦ

BJD Bijuli 480×75 Mob

ଆମ ଦେଶର ବିଭିନ୍ନ ପ୍ରାନ୍ତରେ ପାନର ନିଜସ୍ୱ ପରିଚୟ ରହିଛି। ପାନରେ ବିଭିନ୍ନ ପ୍ରକାରର ସୁ୍‍ଗନ୍ଧି ଦ୍ରବ୍ୟ ଏବଂ ମସଲାମାନ ପକାଯାଏ। ପାନ ଭାରତର ଗଳିକନ୍ଦିରେ ସର୍ବବ୍ୟାପୀ; କିନ୍ତୁ ଏବେ ଯେ କୌଣସି ସାମଗ୍ରୀକୁ ନେଇ ଭୌଗୋଳିକ ସୂଚନା ‘ଜିଓଗ୍ରାଫିକାଲ୍‍ ଇଣ୍ଡିକେସନ’ (ଜି.ଆଇ.) ମାନ୍ୟତା ହାସଲ କରିବା କ୍ଷେତ୍ରରେ ଯେପରି ଅତ୍ୟଧିକ ଉତ୍ସାହ ପ୍ରକାଶିତ ହେଉଛି, ସେହି ପରିପ୍ରେକ୍ଷୀରେ ଯେ କେହି, ପାନପତ୍ର ପାଇଁ ବୌଦ୍ଧିକ ସମ୍ପତ୍ତି ଅଧିକାରକୁ ଏହି ରୂପରେ ଦାବି କରିବସିବା ତାହା ଆଦୌ ଅଭାବିତ ନୁହେଁ। ଯଦି ତିରୁପତି ମନ୍ଦିରରେ ସମର୍ପଣ ପାଇଁ ପ୍ରସ୍ତୁତ କରାଯାଇଥିବା ଲଡୁକୁ ଜି.ଆଇ. ମାନ୍ୟତା ପ୍ରଦାନ କରାଯାଇପାରିବ, ତେବେ ଯେତେ ବିନମ୍ର ଭାବରେ ହେଉ ପଛେ, ପାନପତ୍ରର ସ୍ୱାଭିମାନୀ କୃଷକମାନେ ସେମାନଙ୍କର କୃଷି ଉତ୍ପାଦ ସୁରକ୍ଷା ପାଇଁ ଜି.ଆଇ. ମାନ୍ୟତା ଦାବି କରିବେ ନାହିଁ କାହିଁକି? ଏହା ସ୍ମରଣଯୋଗ୍ୟ ଓଡ଼ିଶାର ବିଜେଡ଼ି ରାଜ୍ୟ ସଭା ସାଂସଦ ସୁବାସ ସିଂହ ଓ ମୁନ୍ନା ଖାଁ କିଛି ଦିନ ତଳେ ସଂସଦର ମୌସୁମି ଅଧିବେଶନରେ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀ (ବଳଭଦ୍ରଜୀଉଙ୍କ ପ୍ରସାଦ)କୁ ଜି.ଆଇ. ମାନ୍ୟତା ଦାବି କରି ବିଭାଗୀୟ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ଦୃଷ୍ଟି ଆକର୍ଷଣ କରି ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦର୍ଶାଇଥିଲେ।

ବନାରସୀ ପାନ ଓ ଜି.ଆଇ. ମାନ୍ୟତା ପ୍ରଦାନ ବ୍ୟାବସାୟିକ ଷଡ଼ଯନ୍ତ୍ର ଓ ରାଜନୀତିର ପ୍ରସଙ୍ଗ ଏବେ ବାଦବିବାଦ ବଳୟକୁ ଆସିଲାଣି। ଏ ଯାବତ୍‍ ଦୁଇ ପ୍ରକାରର ପାନ ପତ୍ର ଚେନ୍ନାଇସ୍ଥିତ ଜି.ଆଇ. ରେଜିଷ୍ଟ୍ରି (ଯାହାକି ପ୍ୟାଟେଣ୍ଟ କାର୍ଯ୍ୟାଳୟର ଏକ ଅଂଶବିଶେଷ) ଦ୍ୱାରା ମାନ୍ୟତା ପାଇଛି। ଏହି ପାନପତ୍ରଗୁଡିକ ମଧ୍ୟରୁ ପ୍ରଥମଟି ହେଲା ବିହାରର ମଘାଇ ପାନ। ବିହାରର ଚାରିଟି ଜିଲାରେ ଚାଷ କରାଯାଉଥିବା ଏହି ସ୍ୱତନ୍ତ୍ର ପ୍ରକାରର ପାନ ପାଇଁ ବଜାରରେ ଚଢା ମୂଲ୍ୟ ମିଳିଥାଏ। ଦ୍ୱିତୀୟ ପ୍ରକାରର ପାନ ହେଉଛି ମାହୋବା ଦେଶୱାରୀ ପାନ, ଯାହାକି ଉତ୍ତର ପ୍ରଦେଶର ମାହୋବା ଜିଲା ଏବଂ ମଧ୍ୟପ୍ରଦେଶ ଛତରପୁର ଜିଲାରେ ଚାଷ କରାଯାଇଥାଏ। ଏକଥା ଦାବି କରାଯାଏ ଯେ, ଚାନ୍ଦେଲା ଶାସକମାନଙ୍କ ଅମଳରୁ ତଥା ବହୁ ପୁରାତନ କାଳରୁ ଏହି ପାନର ପ୍ରଚଳନ ରହିଛି। ଏକଥା ମଧ୍ୟ କୁହାଯାଏ ଯେ, ଆଇନ-ଇ-ଆକବରୀରେ ଏହାକୁ ମାହୋବା ଅଞ୍ଚଳର ଏକ ମୁଖ୍ୟ ଫସଲ ରୂପେ ଦର୍ଶାଯାଇଛି, ଯାହା ମୋଗଲ ସାମ୍ରାଜ୍ୟକୁ ଭଲ ପରିମାଣର ରାଜସ୍ୱ ଯୋଗାଉଥିଲା। ଏହି ଉଭୟ ପ୍ରକାରର ପାନ ଜି.ଆଇ. ମାନ୍ୟତା ପାଇବା ଫଳରେ କୌଣସି ପ୍ରକାରର ସୁଫଳ ପାଇନାହାନ୍ତି। ବାସ୍ତବରେ ମଘାଇ ପାନ ସମ୍ପର୍କରେ ଅନେକ ଅଭାବ ଅନଟନର କାହାଣୀ ଯୋଡ଼ି ହୋଇଯାଇଛି। ମଘାଇ ପାନର ରତ୍ପାନି ମଧ୍ୟ କରାଯାଉଛି। ମାତ୍ର ରାଜ୍ୟ ପ୍ରଶାସନ ଜି.ଆଇ. ମାନ୍ୟତାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସହଯୋଗ ନ’କରିବା ତଥା ପାନ ପରି ଜି.ଆଇ. ମାନ୍ୟତାପ୍ରାପ୍ତ ସାମଗ୍ରୀଗୁଡିକର ତଦାରଖ କରିବା ପାଇଁ କୌଣସି ଆନୁଷ୍ଠାନିକ ଢାଞ୍ଚା ସୃଷ୍ଟି କରିନଥିବା କାରଣରୁ ଏପରି ସମସ୍ୟା ସୃଷ୍ଟି ହେଉଛି।

ସାଧାରଣ ଭାବେ ଏକଥା ବିଶ୍ୱାସ କରାଯାଏ, କୃଷିଜାତ ସାମଗ୍ରୀଗୁଡିକ ସକାଶେ ଜି.ଆଇ. ମାନ୍ୟତା କୃଷକମାନଙ୍କ ପାଇଁ ଲାଭଦାୟକ ହେବ, କାରଣ ଏହାର ସ୍ୱତନ୍ତ୍ର ଗୁଣବତ୍ତା କିମ୍ବା ନିର୍ଦିଷ୍ଟ ଭୌଗୋଳିକ ଉତ୍ପତ୍ତିସ୍ଥଳ ଆଧାରରେ ଉତ୍ପାଦିତ ହେଉଥିବା ଏହି ସାମଗ୍ରୀଗୁଡିକ ସକାଶେ କୃଷକ ବେଶ ଚଢାମୂଲ୍ୟ ଦାବି କରିପାରିବ। ଜି.ଆଇ. ମାନ୍ୟତା ହାସଲ କରିବା ପାଇଁ ଉତ୍ପାଦନକାରୀମାନେ (ଏହା ବ୍ୟକ୍ତି ବିଶେଷଙ୍କ ପାଇଁ ନୁହେଁ, ଏକ ଗୋଷ୍ଠୀଗତ ଅଧିକାର ଅର୍ଥାତ୍‍ ସମୂହ ଚାଷୀ) ବେଶ ସ୍ପଷ୍ଟ ରୂପେ ଏକଥା ଚିହ୍ନଟ କରାଇବେ ଯେ, ସମ୍ପୃକ୍ତ ସାମଗ୍ରୀଟି ସେହି ନିର୍ଦ୍ଦିଷ୍ଟ ସ୍ଥାନରେ ଉତ୍ପାଦିତ ହୁଏ ଏବଂ ତାହାର ପ୍ରତିପୋଷଣରେ ସ୍ଥାନୀୟ ଗୋଷ୍ଠୀର ଭୂମିକା ରହିଛି। ସ ମ୍ପ୍ରତି ପାନ ପତ୍ର କ୍ଷେତ୍ରରେ ଜି.ଆଇ. ମାନ୍ୟତା ପାଇଁ ତୃତୀୟ ଆବେଦନ ଆସିଛି। ଏଥରର ଆବେଦନ ବନାରସୀ ପାନ ପତ୍ର ପାଇଁ କରାଯାଇଛି। ଏହି ଆବେଦନ ଅବାସ୍ତବତାର ଚରମ ନିଦର୍ଶନ ବୋଲି କେନ୍ଦ୍ର ସରକାରଙ୍କ କୃଷି ମନ୍ତ୍ରଣାଳୟ ଏବଂ ଜି.ଆଇ. ମାନ୍ୟତା ପ୍ରଦାନକାରୀ ରେଜିଷ୍ଟ୍ରି ପଦାଧିକାରୀମାନେ ବୁଝିବା ଦରକାର। ଯଦିଓ ଏହି ପୁରାତନ ତୀର୍ଥସ୍ଥଳୀ ନାମରେ ଏହି ପାନ ଖିଲର ନାମକରଣ କରାଯାଇଛି; କିନ୍ତୁ କୃଷି ବିଶେଷଜ୍ଞମାନଙ୍କର କହିବା କଥା ହେଲା, ଏପରି ଏକ ସ୍ୱତନ୍ତ୍ର ପ୍ରଜାତିର ପାନ ହିଁ ନାହିଁ। ପାନର ଆଧାର ପାନ ପତ୍ର ଦେଶର ଭିନ୍ନ ଭିନ୍ନ ସ୍ଥାନରୁ ଅଣାଯାଇଥାଏ, ଯେପରି କି ବିହାରସ୍ଥିତ ମଘାଇ, ଜୌନପୁରରୁ ଦେଶୀ କିମ୍ବା ଓଡ଼ିଶାର ଜଗନ୍ନାଥୀ।

ବନାରସୀ ପାନର ଜି.ଆଇ. ମାନ୍ୟତା ପାଇଁ କରାଯାଇଥିବା ଆବେଦନର ପ୍ରତ୍ୟେକଟି ଦିଗ ଅଦ୍ଭୁତ। କୃଷକମାନଙ୍କ ସମୂହ କିମ୍ବା ସଂଗଠନ ଦ୍ୱାରା ଜି.ଆଇ. ମାନ୍ୟତା ପାଇଁ ଏହି ଆବେଦନ କରାଯାଇନାହିଁ। ବରଂ ଏହି ମାନ୍ୟତା ପାଇଁ ଏକ ବ୍ୟାବସାୟିକ ପ୍ରତିଷ୍ଠାନ ‘ନମାମି ଗଙ୍ଗେ’ ଫାର୍ମର ପ୍ରଡ୍ୟୁସର କମ୍ପାନୀ ଏବଂ ତାହାର ଏକ ଅଂଶୀଦାର ଅଣସରକାରୀ ପ୍ରତିଷ୍ଠାନ ‘ହ୍ୟୁମାନ୍‍ ୱେଲଫେୟାର ଆସୋସିଏସନ୍‍’ ପକ୍ଷରୁ ଏହି ଆବେଦନ କରାଯାଇଛି। ଏହି ଅଣସରକାରୀ ସଂଗଠନ ନିଜେ ଏକଥା ଉଲ୍ଲେଖ କରିଅଛି ଯେ, ଏହା ବୁଣାକାର ସମ୍ପ୍ରଦାୟ ପାଇଁ କାର୍ଯ୍ୟ କରେ।

ତେବେ ଏହି ଦୁଇଟି ସଂଗଠନ ମଧ୍ୟରେ ସଂଯୋଗ ହେଉଛନ୍ତି ଉଭୟ ସଂଗଠନର ନିର୍ଦ୍ଦେଶକ। ଏଭଳି ପରିସ୍ଥିତିରେ କୃଷି ଜାତ ସାମଗ୍ରୀ ପାନ ପାଇଁ ଏହି ସଂଗଠନ ଜି.ଆଇ. ମାନ୍ୟତା ଦେବାକୁ ଦାବି କରୁଛି କିପରି? କେତେକ ଆବେଦନକାରୀମାନଙ୍କ ଦ୍ୱାରା ଜି.ଆଇ. ରେଜିଷ୍ଟ୍ରିରେ ଦାଖଲ କରାଯାଇଥିବା ଆବେଦନ ପତ୍ର ଓ ଦଲିଲର ଅଧ୍ୟୟନ କଲେ ଏଗୁଡିକ କେତେ ଉପର ଠାଉରିଆ ଏବଂ ଅନାବଶ୍ୟକ ତାହା ସହଜରେ ବୁଝାପଡ଼େ। ଏହି ଦଲିଲଗୁଡିକ ମଧ୍ୟରୁ ଏକ ବଡ଼ ଅଂଶ ପାନ ପତ୍ରର ବିଭିନ୍ନ ପ୍ରଜାତିର ସାଧାରଣ ବର୍ଣ୍ଣନା ଏବଂ ପାନ ପତ୍ରକୁ କିପରି ବନ୍ଧାଯାଏ ଓ ପ୍ୟାକିଂ କରାଯିବା ପରି ଅଣଗୁରୁତ୍ୱପୂର୍ଣ୍ଣ ତଥ୍ୟର ଉଲ୍ଲେଖ ଉପରେ ଆଧାରିତ। ଏଗୁଡ଼ିକ ଯେ କୌଣସି ମୌଳିକ ଉଦ୍ଭିଦ ବିଜ୍ଞାନ ସମ୍ପର୍କିତ ଜର୍ଣ୍ଣାଲର ନିବନ୍ଧରୁ ସିଧାସଳଖ ଉଠାଇ ନିଆଯାଇଛି। ଫଳସ୍ୱରୂପ ଆବେଦନରେ ଅଦ୍ଭୁତ ଭାବେ ପରସ୍ପର ବିରୋଧୀ ବକ୍ତବ୍ୟ ଏବଂ ବର୍ଣ୍ଣନାମାନ ଉଲ୍ଲେଖ କରାଯାଇ ତାହା ସ୍ଥାନ ପାଇଛି। ଉଦାହରଣସ୍ୱରୂପ ନମାମି ଗଙ୍ଗେ ଦ୍ୱାରା ଦାଖଲ କରାଯାଇଥିବା ଆବେଦନକୁ ଦେଖାଗଲେ ଏହାର ସ୍ପଷ୍ଟ ପ୍ରମାଣ ମିଳୁଛି।

ଆବେଦନକାରୀମାନଙ୍କ ଆବେଦନରେ ଉଲ୍ଲେଖ କରାଯାଇଥିବା ବନାରସୀ ପାନପତ୍ରକୁ ଅନ୍ୟ ପାନପତ୍ରଠାରୁ କିପରି ଭିନ୍ନ ସେ କଥା ଦର୍ଶାଇବା ପାଇଁ କରିଥିବା ବର୍ଣ୍ଣନା ବେଳେ ଅଜାଣତରେ ଏକ ଐତିହାସିକ ଜର୍ଣ୍ଣାଲକୁ ଉଲ୍ଲେଖ କରି ଯେଉଁ ଉପସ୍ଥାପନା କରିଛନ୍ତି, ତାହା ଜି.ଆଇ. ମାନ୍ୟତାର ମୂଳ ଉଦ୍ଦେଶ୍ୟର ବିରୁଦ୍ଧାଚରଣ କରୁଛି, ଯେପରି କି ଏହି ଜିଲାରେ ପାନର ବହୁଳ ଚାଷ କରାଯାଏ ନାହିଁ। ଏହାକୁ ବିପୁଳ ପରିମାଣରେ ଅନ୍ୟ ରାଜ୍ୟଗୁଡିକରୁ ଆମଦାନୀ କରାଯାଏ। ଆମଦାନୀ କରାଯାଉଥିବା ପାନର ପ୍ରକାରଗୁଡିକ ମଧ୍ୟରେ ବିହାରର ଗୟାରୁ ଆମଦାନୀ କରାଯାଉଥିବା ମଘାଇ ହେଉଛି ପ୍ରମୁଖ। ଆଉ ଏକ ପ୍ରକାରର ପାନ ହେଲା ଜଗନ୍ନାଥୀ, ଯାହାକୁ କି ଓଡ଼ିଶାର ପୁରୀ, ଜଗତସିଂହପୁର ଓ ବାଲେଶ୍ୱର ସମେତ କେନ୍ଦ୍ରାପଡ଼ା ଓ ଭଦ୍ରକର ଅଧିକାଂଶ ଜିଲାଗୁଡିକରୁ ପ୍ରମୁଖ ଭାବେ ଆମଦାନୀ କରାଯାଏ। ଦେଶୀ ପ୍ରଜାତି (ବଙ୍ଗଲା ରୂପେ ମଧ୍ୟ ଜଣା)ର ପାନ ପତ୍ରକୁ ମୁଖ୍ୟତଃ ଜୌନପୁର ଏବଂ ମିର୍ଜାପୁର ଜିଲାରୁ ଆମଦାନୀ କରାଯାଏ।

ଓଡ଼ିଶାର ଉପରୋକ୍ତ ଜିଲାର ପାନଚାଷୀ ଓ ପାନ ପ୍ରସ୍ତୁତକାରୀଙ୍କର ଜଗନ୍ନାଥୀ/ବନାରସୀ ପାନ (ମିଠା ପାନ ପତ୍ର) ପ୍ରସ୍ତୁତ କରିବାରେ ରହିଛି ସ୍ୱତନ୍ତ୍ର ଦକ୍ଷତା। ଧଳା ଓ ହଳଦିଆ ମିଶ୍ରିତ ରଙ୍ଗ ଦେଖାଯାଉଥିବା ଏହି ବନାରସୀ ପତ୍ର ପ୍ରସ୍ତୁତ କରିବାର ପ୍ରଣାଳୀ ସ୍ୱତନ୍ତ୍ର। ଏଥିପାଇଁ ଯଥେଷ୍ଟ ଶ୍ରମଦାନ ଏବଂ ସମୟ ସାପେକ୍ଷ କରି ବନାରସୀ ପାନ ପତ୍ରକୁ ପାନ ଭାଟିରେ ଅତ୍ୟନ୍ତ ସାବଧାନ ହୋଇ ପ୍ରସ୍ତୁତ କରାଯାଏ। ପ୍ରସ୍ତୁତକାରୀ ଟିକିଏ ଅସାବଧାନ ହେଲେ ଲକ୍ଷାଧିକ ଟଙ୍କା କ୍ଷତି ହେବ, କାରଣ ବିଶେଷ ପ୍ରକାରର ଏହି ବନାରସୀ ପାନ ଭାଟିରେ ନିଅାଁ ଓ ଧୂଅାଁ ମାଧ୍ୟମରେ ଏହାକୁ ପ୍ରସ୍ତୁତ କରାଯାଏ। ଓଡ଼ିଶାର ଜଗନ୍ନାଥୀ/ବନାରସୀ ପାନ ପତ୍ର କାହିଁ କେଉଁ କାଳରୁ ଭାରତର ମୁଖ୍ୟତଃ ଉତ୍ତର ଭାରତ ଓ ମହାରାଷ୍ଟ୍ରକୁ ଯୋଗାଇ ଦିଆଯାଉଛି।

ଏପରି ତଥ୍ୟ ଉପସ୍ଥାପନ ପରେ ଜି.ଆଇ. ରେଜିଷ୍ଟ୍ରି ବନାରସୀ ପାନ ଆବେଦନକୁ ଖାରଜ କରି ଦେବା କଥା। ଏହା ହୋଇଗଲେ ପାନକୁ ନେଇ ବ୍ୟବସାୟୀ ରାଜନୀତିର ଷଡ଼ଯନ୍ତ୍ର ଶେଷ ହୁଅନ୍ତା। ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ବନାରସୀ ପାନର ଜି.ଆଇ. ମାନ୍ୟତାକୁ ନେଇ ଆନ୍ଦୋଳନ ଧୀରେ ଧୀରେ ମୁଣ୍ଡ ଟେକୁଛି। କିନ୍ତୁ ଏଥିପ୍ରତି କେନ୍ଦ୍ର ସରକାରଙ୍କ କୃଷି ଓ ଶିଳ୍ପ ମନ୍ତ୍ରଣାଳୟ ଏ ପର୍ଯ୍ୟନ୍ତ ଧ୍ୟାନ ଦେଉନାହାନ୍ତି। ଅନ୍ୟପଟରେ ଜି.ଆଇ. ରେଜିଷ୍ଟ୍ରି ପକ୍ଷରୁ ଆବେଦନକାରୀମାନଙ୍କୁ ଅଧିକ ତଥ୍ୟ ମଗାଯାଇଛି। ରେଜିଷ୍ଟ୍ରି ପକ୍ଷରୁ ଯେ ଆଦୌ ମୁଣ୍ଡ ଖଟାଯାଉନାହିଁ ଏବଂ ବନାରସୀ ପାନର ବ୍ୟବସାୟୀକରଣ ପାଇଁ ଜି.ଆଇ. ମାନ୍ୟତା ଷଡ଼ଯନ୍ତ୍ରରେ ବିଭିନ୍ନ ପଦାଧିକାରୀମାନେ ପ୍ରତ୍ୟକ୍ଷ ଭାବେ ସାମିଲ ହେଉଛନ୍ତି ସେ କଥା ଜଳ ଜଳ ହୋଇ ଦିଶୁଛି। ଭାରତୀୟ କୃଷି ଗବେଷଣା ପରିଷଦରୁ ମନୋନୀତ ଜଣେ ବିଶେଷଜ୍ଞଙ୍କର କହିବା କଥା ହେଲା ଯେ, ଏପରି ଆବେଦନଗୁଡିକରେ ପ୍ରଦାନ କରାଯାଇଥିବା ଅଧିକାଂଶ ସହାୟକ ବୈଜ୍ଞାନିକ ତଥ୍ୟମାନ ନିମ୍ନମାନର ବିଜ୍ଞାନ ଜର୍ଣ୍ଣାଲରୁ ଅଣାଯାଇଛି। ଯେଉଁଗୁଡିକର କେବଳ ଅର୍ଥ ରୋଜଗାର ପାଇଁ ବୈଜ୍ଞାନିକ ନିବନ୍ଧମାନ ପ୍ରକାଶ କରନ୍ତି। ଏହି ବିଶେଷଜ୍ଞ ଜଣକ ଆବେଦନକାରୀ ଓ ଜି.ଆଇ. ରେଜିଷ୍ଟ୍ରି ମଧ୍ୟରେ ହୋଇଥିବା ବୈଠକଗୁଡିକରେ ଯୋଗ ଦେଇଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଲା ଯେ, ସରକାରଙ୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ବିଜ୍ଞାନ ଜର୍ଣ୍ଣାଲଗୁଡିକର ତାଲିକା ରହିଥିଲେ ମଧ୍ୟ ଜି.ଆଇ. ରେଜିଷ୍ଟ୍ରି ପକ୍ଷରୁ ଏହାକୁ ଅଣଦେଖା କରାଯାଇଆସୁଛି।

ବନାରସୀ ପାନ ପତ୍ର କ୍ଷେତ୍ରରେ ଓଡ଼ିଶାର ଜଣାଶୁଣା ପରିବେଶବିତ୍‍ ତପନ ପାଢୀ କହନ୍ତି, “ବନାରସୀ ପାନ ପତ୍ର କ୍ଷେତ୍ରରେ ଜି.ଆଇ. ମାନ୍ୟତା ନଦେବା ପାଇଁ କେବଳ ଏତିକି କୁହାଯିବା ଯଥେଷ୍ଟ ହେବ ଯେ, ‘ନ୍ୟାସନାଲ୍‍ ବ୍ୟୁରୋ ଅଫ୍‍ ପ୍ଲାଣ୍ଟ୍‍ ଜେନିଟିକ୍‍ ରିସୋର୍ସେସ’ ସଂଗ୍ରହାଳୟର ବନାରସୀ ପାନ ଶୀର୍ଷକରେ କୌଣସି ଉଦ୍ଭିଦ ପ୍ରଜାତିର ଉଲ୍ଲେଖ ମଧ୍ୟ କରାଯାଇନାହିଁ। ଉଲ୍ଲେଖ କରାଯାଇଥିବା ପାନ ପ୍ରଜାତିର ଡି.ଏନ.ଏ ପ୍ରୋଫାଇଲ୍‍ ସମ୍ପର୍କରେ ଯାହା କିଛି ଦାବି କରାଯାଇଛି, ତାହାର ପ୍ରମାଣ ମଧ୍ୟ ଉପଲବ୍ଧ ନୁହେଁ। ଏହାର ଅର୍ଥ ହେଲା ବନାରସୀ ପାନ ପତ୍ରର ପରିଚୟ ସବୁ ଦିନ ପାଇଁ ସର୍ବଦା ବିବଦମାନ ହୋଇରହିବ। ବନାରସୀ ପାନକୁ ନେଇ ବିବାଦ ଏବେଠାରୁ ଆରମ୍ଭ ହୋଇଗଲାଣି।” ତପନ ପାଢୀ ଦାବି କରିଛନ୍ତି, ଏଥିସହ ସ ମ୍ପୃକ୍ତ ସଂଗଠନଟି ହେଲା ବନାରସୀ ପାନ ପତ୍ର ପ୍ରକ୍ରିୟାକରଣକାରୀ ସଂଗଠନ। ଏହା ଜି.ଆଇ. ରେଜିଷ୍ଟ୍ରିକୁ ଏକ ସ୍ମାରକପତ୍ର ପଠାଇ ତଥ୍ୟର ଭୁଲ୍‍ ଉପସ୍ଥାପନା କରି ବ୍ୟବସାୟକୁ ହାତେଇବା ପାଇଁ ନମାମି ଗଙ୍ଗେ ପକ୍ଷରୁ କରାଯାଇଥିବା ଉଦ୍ୟମ ବେଆଇନ ଏବଂ ମନ୍ଦ ଉଦ୍ଦେଶ୍ୟ ପ୍ରଣୋଦିତ।

ଚୌରାସିୟା ସମ୍ପ୍ରଦାୟର ଶ୍ରୀ ବରାଇ ସଭା କାଶୀ ଦାବି କରିଛି, ବିଗତ ୬୮ବର୍ଷ ହେଲା ପାନ ବ୍ୟବସାୟର ପ୍ରତ୍ୟେକଟିି ଦିଗ ସହ ଏହା ସମ୍ପୃକ୍ତ। ବିଶେଷ କରି ବନାରସୀ ଖିଲିପାନରେ ବ୍ୟବହାର କରାଯାଉଥିବା ପାନପତ୍ରର ସ୍ୱତନ୍ତ୍ର ପ୍ରକ୍ରିୟାକରଣ କ୍ଷେତ୍ରରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ଆଗାମୀ ଦିନରେ ଜି.ଆଇ. ରେଜିଷ୍ଟ୍ରି ଏହି ଶେଷତମ ବିବାଦକୁ କିପରି ସମାଧାନ କରୁଛି ସେ କଥା ଦେଖିବାକୁ ବାକି ରହିଲା। ସୌଭାଗ୍ୟବଶତଃ ବନାରସୀ ପାନକୁ ଏଯାଏ ଜି.ଆଇ. ମାନ୍ୟତା ପ୍ରଦାନ କରାଯାଇନାହିଁ। ତେଣୁ ଜି.ଆଇ. ରେଜିଷ୍ଟ୍ରି ପଦାଧିକାରୀ ମୁଖଲଜ୍ଜାରୁ ବର୍ତ୍ତିବାକୁ ହେଲେ ନମାମି ଗଙ୍ଗେ ବନାରସୀ ପାନକୁ ନେଇ ଯେଉଁ ବ୍ୟବସାୟୀକରଣ ରାଜନୀତି ଷଡ଼ଯନ୍ତ୍ର ଆରମ୍ଭ କରିଛି ତାହାକୁ ବନ୍ଦ କରିବା ଉଚିତ୍‍।

ଓଡ଼ିଶାର ଇତିହାସ ଓ ସଂସ୍କୃତି ତଥା ପରମ୍ପରା ସହିତ ପାନର ରହିଛି ସ୍ୱତନ୍ତ୍ର ସ୍ୱାକ୍ଷର। ଜଗତର ନାଥ ଜଗନ୍ନାଥ ପାନ ଖାଇବାର ପ୍ରାଚୀନ ପରମ୍ପରା ଆଜି ବି ଉଜ୍ଜୀବିତ। କାହିଁ କେଉଁ ଅନନ୍ତକାଳରୁ ଓଡ଼ିଶାରେ ଘରେ ଘରେ ପାନଖିଆ ଓ ବିଭିନ୍ନ ସ୍ଥାନରେ ପାନ ଚାଷ ପ୍ରଚଳନ ହୋଇଆସୁଛି। ଏକଦା ପାନ ଚାଷ ବଞ୍ଚାଇବାକୁ ଓଡ଼ିଶାରେ ପ୍ରସିଦ୍ଧ ଗଣଆନ୍ଦୋଳନ ଭାରତରେ ବେଶ୍‍ ପ୍ରସିଦ୍ଧ। ବାଲେଶ୍ୱର, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକର ବିିଭିନ୍ନ ଗାଁଗଣ୍ଡାର ପ୍ରାୟ ୫୦ ଲକ୍ଷ ଚାଷୀ ପାନ ବରଜ କରି ଜୀବିକା ନିର୍ବାହ କରନ୍ତି। ଏହା ସହିତ ପାନ ବ୍ୟବସାୟରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଓଡ଼ିଶାର ପାଖାପାଖି ୧ କୋଟି ଜନସାଧାରଣ ପ୍ରତ୍ୟହ ଜୀବନଧାରଣ କରନ୍ତି। ଓଡ଼ିଶା ଜଗନ୍ନାଥୀ ପାନ ବା ବନାରସୀ ପାନ ପତ୍ରର କାହିଁ କେଉଁ କାଳରୁ ସ୍ୱତନ୍ତ୍ର ଓ ବହୁଳ ଚାହିଦା ରହିଆସିଛି। ଆଗ୍ରା ଓ ମୁମ୍ବଇ ସହରରେ ସବୁଠାରୁ ଅଧିକ ଓଡ଼ିଶାର ବନାରସୀ ପାନ ପତ୍ରର ଚାହିଦା ରହିଛି। ତେଣୁ ବନାରସୀ ପାନକୁ ଏଭଳି ଏକଚାଟିଆ ଜି.ଆଇ. ମାନ୍ୟତା ପ୍ରଦାନ କରିବାକୁ ଓଡ଼ିଶା ଭଳି ରାଜ୍ୟ ସହଜରେ ଗ୍ରହଣ କରିପାରିବ ନାହିଁ।

ଏହାକୁ ଜି.ଆଇ. ରେଜିଷ୍ଟ୍ରିଙ୍କୁ ବୁଝିବାକୁ ପଡ଼ିବ। ନମାମି ଗଙ୍ଗେ ଫାର୍ମ/କମ୍ପାନୀ ବର୍ତ୍ତମାନ ବନାରସୀ ପାନକୁ ଜି.ଆଇ. ମାନ୍ୟତା ଦାବି କରି ଭବିଷ୍ୟତରେ ଯେପରି ଏକ ଚାଟିଆ ବ୍ୟାବସାୟିକ ମୁନାଫା କମାଇ ଓଡ଼ିଶା ସମେତ ସମଗ୍ର ଭାରତର କୋଟିକୋଟି ପାନଚାଷୀଙ୍କୁ ଶୋଷଣ କରିବାକୁ ଚାହୁଁଛନ୍ତି ସେଥିପ୍ରତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସମେତ ଜି.ଆଇ. ରେଜିଷ୍ଟ୍ରି ପଦାଧିକାରୀ ବିଶେଷ ଧ୍ୟାନ ଦେବା ଉଚିତ୍‍। ଏହା ନହେଲେ କୃଷି ଆଇନକୁ ବିରୋଧ କରି ଯେପରି ସମଗ୍ର ଭାରତରେ ନିଅାଁ ଜଳିଲା ଠିକ୍‍ ସେହିପରି ଓଡ଼ିଶା ଓ ଭାରତର କୋଣ ଅନୁକୋଣର ପାନ ଚାଷୀମାନଙ୍କର ତୀବ୍ର ଆନ୍ଦୋଳନ ଆଗାମୀ ଦିନରେ ମୁଣ୍ଡ ଟେକିବ। ଏଥିପାଇଁ କେନ୍ଦ୍ର ସରକାରଙ୍କର ବିଭାଗୀୟ ମନ୍ତ୍ରଣାଳୟ, ମନ୍ତ୍ରୀ ଓ ଜି.ଆଇ. ରେଜିଷ୍ଟ୍ରି ପଦାଧିକାରୀ ବର୍ତ୍ତମାନଠାରୁ ଧ୍ୟାନ ଦେଇ ପାନର ଜି.ଆଇ. ମାନ୍ୟତା ପ୍ରଦାନ ବ୍ୟାବସାୟିକ ଷଡ଼ଯନ୍ତ୍ର ବନ୍ଦ କରିବା ପାଇଁ ପଦକ୍ଷେପ ଗ୍ରହଣ କରିବା ଉଚିତ୍‍। ଓଡ଼ିଶା ପାନ ଚାଷୀଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ ଓଡ଼ିଆ ସାଂସଦମାନେ ଏବେ ଠାରୁ ଯତ୍ନବାନ ହୋଇ ସଂସଦରେ ବନାରସୀ ପାନକୁ ଜି.ଆଇ. ମାନ୍ୟତା ପ୍ରଦାନ ବନ୍ଦ କରିବା ପାଇଁ ଦାବି ଉପସ୍ଥାପନ କରିବା ଉଚିତ୍‍। ଏହା ନହେଲେ ଲକ୍ଷଲକ୍ଷ ଓଡ଼ିଆ ପାନ ଚାଷୀ ଓ ବ୍ୟବସାୟୀମାନଙ୍କ ଜୀବନଜୀବିକା ବିପନ୍ନ ହେବ।

Comments are closed.