ଲୋକେ ଚାହୁଁଛନ୍ତି ବୋଲି…

ପରଂବ୍ରହ୍ମ ତ୍ରିପାଠୀ

ବନ୍ଧୁଙ୍କ ସହ କଥାବାର୍ତ୍ତା ବେଳେ କହୁ କହୁ କହିଦେଲି, ଏବେ ଓଡ଼ିଆରେ ଭଲ ଗୀତ ହଉନି, ଚାରିଆଡେ ଖାଲି ଚାଲୁ। ବନ୍ଧୁଜଣକ ସେହି କ୍ଷେତ୍ରରେ କାମ କରନ୍ତି। ମୋ ହାଲୁକା ମନ୍ତବ୍ୟକୁ ସେ ହାଲ୍‌କାରେ ନେଲେନି। କହିଲେ, ଆମେ କ’ଣ ମନକୁ ଏମିତି ଗୀତ ତିଆରି କରୁଛୁ? ଲୋକେ ଚାହୁଁଛନ୍ତି, ତେଣୁ ତିଆରି ହଉଛି। ମୁଁ ଜାଣି ସାରିଥିଲି, ଆଲୋଚନା ଆଉ ହାଲୁକା ହୋଇ ନାହିଁ, ଗମ୍ଭୀର ହେଲାଣି। ମୁଁ ପଚାରିଲି ଆପଣ କେମିତି ଜାଣିଲେ ଯେ ‘ଲୋକ ଚାହୁଁଛନ୍ତି ବୋଲି’? କିଛି ସର୍ବେକ୍ଷଣ କି ଗବେଷଣାଲବ୍ଧ ତଥ୍ୟ ଅଛି କି ଯାହା ପ୍ରମାଣିତ କରୁଛି ଯେ ଲୋକ ଏମିତି ଗୀତ ଶୁଣିବାକୁ ଚାହୁଁଛନ୍ତି ବୋଲି। ବନ୍ଧୁ ବୋଧେ ଆଶା କରୁଥିଲେ ଏଭଳି ଗୋଟିଏ ପ୍ରଶ୍ନ ମୋ ଠାରୁ। ଗୋଟେ ସେକେଣ୍ଡ ବି ନଷ୍ଟ ନକରି ଉତ୍ତର ଦେଲେ, ୟୁଟ୍ୟୁବ ଦେଖୁନ। ଲକ୍ଷ ଲକ୍ଷ ଲୋକ ଦେଖିଛନ୍ତି ଏଭଳି ଗୀତ; ମତାମତ ବି ଦେଇଛନ୍ତି। ଏଇଟା କ’ଣ ପ୍ରମାଣ ନୁହେଁ। ତା’ପରେ ମୁଁ କହିଲି, ଇଣ୍ଟରନେଟ ମାଧ୍ୟମରେ ନଗ୍ନ ଚଳଚ୍ଚିତ୍ରକୁ ବି କୋଟି କୋଟି ଲୋକ ଦେଖନ୍ତି। ତା’ହେଲେ କ’ଣ ଆପଣ ଗୀତ ତିଆରି ଛାଡି ସେସବୁ ତିଆରି କରିବେ?

ଲୋକ କ’ଣ ସତରେ ଚାହାନ୍ତି, ଖବର ନାଁରେ ଗଜ ଉଦ୍ଧାରଣ ଦୃଶ୍ୟର ସିଧାପ୍ରସାରଣ ଚିତ୍ର ଦେଖିବାକୁ? ଲୋକେ କ’ଣ ସତରେ ଜାଣିବାକୁ ଚାହାନ୍ତି ତୈମୁର ଅଲ୍ଲୀ ଖାଁ କେଉଁ ରଙ୍ଗର ପୋଷାକ ପିନ୍ଧିଛି କିମ୍ବା ଆର୍ଯ୍ୟନ ଖାଁ ଆଜି ଡ୍ରଗ୍ସ ଖାଇଲେ କି ଚାରିବର୍ଷ ତଳୁ ଖାଉଛନ୍ତି? ଓଡ଼ିଶାରେ ଲୋକମାନେ କ’ଣ ସତରେ ଏମିତି ଚଳଚ୍ଚିତ୍ର ଦେଖିବାକୁ ଚାହାନ୍ତି ଯେଉଁଥିରେ ଚଳଚ୍ଚିତ୍ରର ନାଁ ଠାରୁ ନେଇ ନିର୍ମାଣ, ସଙ୍ଗୀତ, କାହାଣୀ, କେଉଁଠି ବି ସାମାନ୍ୟତମ ଓଡ଼ିଆ ବାସ୍ନା ନଥିବ? ଲୋକେ କଣ ସତରେ ସନ୍ଧ୍ୟା ସାତରୁ ନଅ ଟିଭି ଆଗରେ ବସି ଏମିତି ଧାରାବାହିକ ଦେଖିବାକୁ ପସନ୍ଦ କରନ୍ତି ଯେଉଁଠି କେବେ ନଣନ୍ଦ ଦେହରେ ଭୂତ ପଶୁଥିବ ତ କେବେ ଶାଶୂ ଦେହରେ? ଲୋକେ କଣ ସତରେ ଚାହିଁକି ବସିଛନ୍ତି ଯେ ଅମକ ବେହେରା ଝିଅ କେବେ କଲେଜ ଯିବ, ତା’ ଉପରେ ଗୋଟିଏ ଗୀତ ହେବ, ଆଉ ଏମିତି ହେଲେ ହିଁ ଯାଇ ସେମାନେ ଗଣେଶ ପୂଜା କି ଦୁର୍ଗା ପୂଜା ଓ ଭସାଣି କରିବେ, ନହେଲେ ନାଇଁ?

ଏବେ ଠିକ ତାର ଓଲଟା ପ୍ରସଙ୍ଗକୁ ଯିବା। ପେଟ୍ରୋଲ ଡିଜେଲ ଦାମ କାହିଁକି ବଢୁଛି ଓ କେବେ କମିବ, ଏ କଥା କ’ଣ ଲୋକେ ଜାଣିବାକୁ ଚାହାନ୍ତି ନାହିଁ? ଲୋକେ କ’ଣ ଚାହାନ୍ତି ନାହିଁ ଯେ ଟିଭି ଖବର ଆଲୋଚନାରେ ହତ୍ୟା ରହସ୍ୟ ନୁହେଁ, ସେମାନଙ୍କ ଦୈନନ୍ଦିନ ଜୀବନର ସମସ୍ୟା ଯେମିତି କି ଦରଦାମ ବୃଦ୍ଧି, ବେକାରୀ, ସ୍ୱାସ୍ଥ୍ୟ ଓ ଶିକ୍ଷା ସେବାର ଅବ୍ୟବସ୍ଥା, ଇତ୍ୟାଦି ବିଷୟରେ ଆଲୋଚନା ହେଉ? ବିଭନ୍ନ ଓଟିଟି ମାଧ୍ୟମରେ ମାଲାୟାଲମ, ତେଲୁଗୁ ଭଳି ଆଞ୍ଚଳିକ ଭାଷାରେ ଗୁଣାତ୍ମକ ଚଳଚ୍ଚିତ୍ର ଦେଖି ଓଡ଼ିଆ ଦର୍ଶକ କ’ଣ ଚାହାନ୍ତିନି ଯେ ଓଡ଼ିଆ ଚଳଚ୍ଚିତ୍ରରେ ସେପରି ସକାରାତ୍ମକ କାୟାକଳ୍ପ ପରିବର୍ତ୍ତନ ହେଉ? ଲୋକେ କ’ଣ ଚାହାନ୍ତିନି ଯେ ଲାଞ୍ଚୁଆ ମନ୍ତ୍ରୀ, ଦୁର୍ନୀତିଗ୍ରସ୍ତ ଅଫିସର, ଏମାନଙ୍କୁ ନେଇ ଗୋଟେ ବଢିଆ ବ୍ୟଙ୍ଗାତ୍ମକ ଗୀତଟିଏ ଆସୁ ବୋଲି?

ହେଲେ ଦ୍ୱିତୀୟ ଉଦାହରଣରେ ଦିଆଯାଇଥିବା ‘ଲୋକେ ଚାହୁଁଛନ୍ତି’ ଭଳି ଜିନିଷ ତିଆରି ହୁଏନି କାହିଁକି? ତିନି ଚାରିଟି ସରଳ ଉତ୍ତର ଅଛି। ପ୍ରଥମଟି ହେଲା ଏଥିରେ ସ୍ଥିତାବସ୍ଥାକୁ ଭାଙ୍ଗିବାକୁ ପଡିବ ଓ ସ୍ଥିତାବସ୍ଥା ପାଇଁ ଦାୟୀ ପ୍ରଭାବଶାଳୀ ବଡ଼ପଣ୍ଡାଙ୍କୁ ପ୍ରଶ୍ନ କରିବାକୁ ପଡିବ। ପ୍ରଶ୍ନ କରିପାରୁଥିବା ଲୋକ ଏବେ ବିରଳ। ଦ୍ୱିତୀୟଟି ହେଲା ଭଲ ତିଆରି କରିବା ଚାଲୁ ତିଆରି କରିବା ଠାରୁ ନିଶ୍ଚିତ ଭାବେ ଅଧିକ ଶ୍ରମ ଓ ସୃଜନ ସାପେକ୍ଷ। ଏଥିରେ ହରାଇବାର ଭୟ ବି ଅନେକ। ତାପରେ ପାଠକ ବା ଦର୍ଶକ ଥରେ ‘ଭଲ’ର ଅଭ୍ୟାସରେ ପଡିଗଲେ ୯୯ ପ୍ରତିଶତ ଚାଲୁ ସୃଷ୍ଟି ଓ ସ୍ରଷ୍ଟା ନିଜର ଜୀବିକା ସହ ଅସ୍ତିତ୍ୱ ମଧ୍ୟ ହରେଇବେ। ତେଣୁ ଅଧିକ ପରିଶ୍ରମ କରି କାହିଁକି କାଦୁଅକୁ ଯିବା, ବରଂ ଯେମିତି ଚାଲୁଛି ସେମିତି ଚାଲୁଥାଉ। ତୃତୀୟଟି ହେଲା ପାଠକ, ଦର୍ଶକ, ଶ୍ରୋତାକୁ ମୂର୍ଖ ଏବଂ ନିଜକୁ ମହାଜ୍ଞାନୀ ଭାବିବା। ଆମେ ସିନା ଉପରେ କହୁ ଲୋକେ ଚାହୁଁଛନ୍ତି, ହେଲେ ଏଭଳି ଜିନିଷ ତିଆରି କଲାବେଳେ ଆମେ ନିଜେ ଦୃଢ଼ ନିଶ୍ଚିତ ଥାଉ, ଲୋକେ କ’ଣ ଚାହିଁବେ ଯେ? ତାଙ୍କ ପାଖରେ ବିକଳ୍ପ କଣ ଅଛି ଯେ? ଆମେ ଯାହା ପରଷିବୁ, ସେଇଟା ତାଙ୍କ ପାଇଁ ମହାପ୍ରସାଦ।

କିଛି ଜ୍ଞାନୀ ଏମିତି ବି ମତ ଦିଅନ୍ତି ଯେ ଏସବୁ କ’ଣ ନୂଆ? ସେ ଅକ୍ଷୟ ମହାନ୍ତି ପରା ଚାଲୁଗୀତ ଲେଖିଥିଲେ କି କୋଣାର୍କରେ ପରା ମୈଥୁନର ଶତରଙ୍ଗ ଖୋଦେଇ ହେଇଛି? ଭଞ୍ଜ ସାହିତ୍ୟ ପରା ଶୃଙ୍ଗାର ସାହିତ୍ୟ? କିନ୍ତୁ ଅନୁକରଣ, ଅନୁସରଣ ଓ ଅନୁଶୀଳନ ଯଦି ହେଉଛି, ତେବେ ପ୍ରକ୍ରିୟାଟି ସାମଗ୍ରିକ ହେବା ଉଚିତ; ମତେ ଯୋଉଟା ସୁହାଇବ କେବଳ ସେଇଟିର ନୁହେଁ।

‘ଲୋକେ ଚାହୁଁଛନ୍ତି’ ଷଡ଼ଯନ୍ତ୍ରର ଆଉ ଏକ ଜଘନ୍ୟ ଦିଗକୁ ଦେଖନ୍ତୁ। ବୋଧହୁଏ ଆପଣଙ୍କ ନଜର ସେଠି ପଡିନଥିବ। ଏଇ ଯୋଉ ‘ନୂଆ କି କଲେଜ ଯାଉଛି’ ଗୀତ ବା ସେଭଳି ସୃଷ୍ଟିର ଉପଜୀବ୍ୟ କିଏ? ସେଇଠି ଜାତିଆଣ ମାନସିକତା ବି ଜଳଜଳ। ଆମ ସମାଜର କଥିତ ନିମ୍ନବର୍ଗର ଲୋକଙ୍କୁ ନେଇ ଏସବୁ ଶସ୍ତା ଗୀତ ଲେଖାଯାଏ। ଉଚ୍ଚ ବର୍ଗ ଯେହେତୁ ପ୍ରତିଷ୍ଠିତ, ତାଙ୍କ ଟାହିଟାପରା କରିବା କଷ୍ଟ। ସେମାନଙ୍କ ନାଁରେ ଗୀତ କି ‘ପ୍ୟାରୋଡି’ କଲେ ସେ ସ୍ରଷ୍ଟାଙ୍କୁ ନାଲି କୋଠା ଦେଖେଇ ଦେଇପାରନ୍ତି; କିନ୍ତୁ ସେ କାମ ନିମ୍ନବର୍ଗର ଲୋକେ କରିବାର ସମ୍ଭାବନା କମ।

ଶେଷରେ ଏତିକି, ଏ ସବୁ ପ୍ରୟାସକୁ ଶସ୍ତା ଲୋକପ୍ରିୟତା ହାସଲର ସରଳ ଉପାୟ ଭାବେ ଗ୍ରହଣ କରାଯାଉ ଏବଂ ଯଥାସମ୍ଭବ ଏପରି ସୃଷ୍ଟି ଅଗ୍ରାହ୍ୟ ହେଉ। ଭଲ କିଛି ତିଆରି କରିବା ପାଇଁ ନିଜର ଅପାରଗତା ଓ ସାମର୍ଥ୍ୟହୀନତାକୁ ଲୁଚେଇବା ପାଇଁ ‘ଲୋକେ ଚାହୁଁଛନ୍ତି’ର ବାହାନା କରି ଗୋଟେ ସଂସ୍କୃତିସମ୍ପନ୍ନ ଜାତିର ରୁଚିବୋଧକୁ କାଠଗଡ଼ାରେ ଠିଆ କରିବାର ହୀନ ପ୍ରୟାସ ବନ୍ଦ ହେଉ।

Comments are closed.