ଆମ ଶିକ୍ଷା ବ୍ୟବସ୍ଥାରେ ଆଶାର କିରଣ

ସତ୍ୟକାମ ମିଶ୍ର

ଏ ମଧ୍ୟରେ ଆମ ରାଜ୍ୟରେ ଶିକ୍ଷାର ଉନ୍ନତି ପାଇଁ ଅନେକ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଉଛି। ବହୁତ ଦିନରୁ ଉଚ୍ଚଶିକ୍ଷାର ଗୁଣାତ୍ମକ ମାନ କମିଯାଉଥିବା ଅଭିଯୋଗ ଶୁଣିବାକୁ ମିଳୁଥିଲା। ବିଭିନ୍ନ ସଂସ୍ଥା ଦ୍ୱାରା ପ୍ରକାଶିତ ମେଧା ତାଲିକାରେ ଓଡିଶାର କୌଣସି ବିଶ୍ୱବିଦ୍ୟାଳୟ ପ୍ରଶଂସନୀୟ ସ୍ଥାନ ଅଧିକାର କରିନଥିବା ଯୋଗୁଁ ବହୁ ସମାଲୋଚନା ମଧ୍ୟ ଶୁଣିବାକୁ ମିଳୁଥିଲା। ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଓଡ଼ିଶାର ପ୍ରାର୍ଥୀମାନେ ଅଧିକ ସଂଖ୍ୟାରେ କୃତକାର୍ଯ୍ୟ ହୋଇପାରୁନଥିବା ବିଷୟ ମଧ୍ୟ ବେଳେ ବେଳେ ବିଧାନସଭାରେ ଆଲୋଚିତ ହେଉଥିଲା। ୟୁଜିସିରୁ ଅନୁଦାନ ଆଣି ଆମ ମହାବିଦ୍ୟାଳୟଗୁଡ଼ିକ ଶହ ଶହ ସଂଖ୍ୟାରେ ଶିକ୍ଷାର ଗୁଣବତ୍ତା ବିଷୟରେ ଆଲୋଚନାଚକ୍ର ଆୟୋଜନ କଲେ। ଭାଷଣବାଜି ଓ ଭୋଜିଭାତରେ ବହୁ ଅର୍ଥ ଓ ସମୟ ଅପଚୟ କରାଗଲା। ରାଷ୍ଟ୍ରୀୟ ଉଚ୍ଚ ଶିକ୍ଷା ଅଭିଯାନ (ରୁଷା) ମାଧ୍ୟମରେ ମହାବିଦ୍ୟାଳୟଗୁଡ଼ିକୁ କୋଟିକୋଟି ଟଙ୍କା ଯୋଗାଇ ଦିଆଗଲା। କୋଠାବାଡି ଓ ଅନ୍ୟାନ୍ୟ ଉପକରଣରେ କୌଣସି ଅଭାବ ରହିଲା ନାହିଁ। ଏପରି କି ବିଶ୍ବବ୍ୟାଙ୍କରୁ ଋଣକରି ସରକାର ମହାବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ଅର୍ଥ ଯୋଗାଇ ଦେଲେ। ମହାବିଦ୍ୟାଳୟଗୁଡିକର ଦାରିଦ୍ର୍ୟ ଦୂର ହେଲା।

ବହୁ ଦିନରୁ ଖାଲି ପଡ଼ିଥିବା ସରକାରୀ ଅନୁଦାନପ୍ରାପ୍ତ ଅଧ୍ୟାପକ ସ୍ଥାନଗୁଡିକ ପୂରଣ ହେଲା। ଯେଉଁ ବିଷୟଗୁଡ଼ିକରେ ନୂତନ ନିଯୁକ୍ତି ଦିଆଗଲା ସେହି ବିଷୟଗୁଡ଼ିକର ଅଧ୍ୟୟନର ପ୍ରାସଙ୍ଗିକତା ତଥା ଯଥାର୍ଥତା ବିଷୟକୁ ଅନୁଧ୍ୟାନ କରାଗଲା ନାହିଁ ଏବଂ ସେମାନେ +୨ କିମ୍ବା +୩ ଶ୍ରେଣୀରେ ପାଠ ପଢ଼ାଇବେ, ସେ ବିଷୟ ସ୍ପଷ୍ଟ କରାଗଲା ନାହିଁ। ଅତୀତରେ ଅଧିକାଂଶ ମହାବିଦ୍ୟାଳୟରେ +୩ ଓ +୨ ଶ୍ରେଣୀର କାର୍ଯ୍ୟଭାଗକୁ ମିଶାଇ ଅଧ୍ୟାପକ ପଦ ସଂଖ୍ୟା ନିର୍ଣ୍ଣୟ କରାଯାଇଥିଲା। ସେହି ସ୍ଥାନଗୁଡିକରେ ବର୍ତ୍ତମାନ ନୂତନ ନିଯୁକ୍ତି ଦିଆଯାଇଛି। ଏ ମଧ୍ୟରେ +୨ ଶ୍ରେଣୀ ମହାବିଦ୍ୟାଳୟରୁ ଅଲଗା କରାଯାଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରିଣତ କରାଯାଇଛି। ଯଦି ଡିଗ୍ରୀ କଲେଜର ଆବଶ୍ୟକତାଠାରୁ ଅଧିକ ପଦ ପୂରଣ କରାଯାଇଥିବ ତେବେ +୨ ଶ୍ରେଣୀ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ନିଯୁକ୍ତି ପାଇଥିବା ବ୍ୟକ୍ତିମାନେ ଅସୁବିଧାର ସମ୍ମୁଖୀନ ହେବେ। ଉଚ୍ଚମାଧ୍ୟମିକ(+୨) ବିଦ୍ୟାଳୟରେ ଶିକ୍ଷକ ତାଲିମ (ବି.ଏଡ୍‌) ଯୋଗ୍ୟତା ଥିବା ବ୍ୟକ୍ତି ନିଯୁକ୍ତି ପାଇବା କଥା। ତେଣୁ ଶିକ୍ଷକ ତାଲିମ ଯୋଗ୍ୟତା ନଥିବା ଅଧ୍ୟାପକମାନଙ୍କୁ ଭବିଷ୍ୟତରେ +୨ ବା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ରଖିବା ସମ୍ଭବ ହେବ ନାହିଁ। ସେ ପରିସ୍ଥିତିରେ ସେମାନଙ୍କର ଥଇଥାନ ସମସ୍ୟା ସୃଷ୍ଟି ହେବ। ଉଚ୍ଚ ମାଧ୍ୟମିକ(+୨) ବିଦ୍ୟାଳୟଗୁଡିକରେ କାର୍ଯ୍ୟରତ ଶହ ଶହ ଅଣ ତାଲିମପ୍ରାପ୍ତ ବ୍ଲକ ଗ୍ରାଣ୍ଟ ଅଧ୍ୟାପକମାନଙ୍କୁ ସରକାର କିପରି ଓ କେଉଁଠି ରଖିବେ ସେ ବିଷୟରେ ନିଷ୍ପତ୍ତି ନିଆଯାଇନାହିଁ। +୨ କଲେଜଗୁଡ଼ିକୁ ଗଣଶିକ୍ଷା ବିଭାଗ ଅଧୀନରେ ରଖିବା ନିଷ୍ପତ୍ତି ନେବା ପୂର୍ବରୁ ଏ ବିଷୟ ଚିନ୍ତା କରିବାର ଥିଲା।

ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ଖାଲି ପଡିଥବା ଶିକ୍ଷକ ପଦପୂରଣ ପାଇଁ ଚେଷ୍ଟା ଚାଲିଛି। ଆମ ରାଜ୍ୟରେ ଜଣେ ଶିକ୍ଷକ ହେବା ପାଇଁ ତା’ର ଶିକ୍ଷାଗତ ଯୋଗ୍ୟତା ବ୍ୟତୀତ ତାକୁ ଦୁଇ ବର୍ଷ ଶିକ୍ଷକ ତାଲିମ ପାଠ୍ୟକ୍ରମ ପଢିବାକୁ ହେବ। ଶିକ୍ଷକ ହେବା ପାଇଁ ଜଣେ ସ୍ନାତକ ଡିଗ୍ରୀଧାରୀ ବ୍ୟକ୍ତିକୁ ଅନ୍ୟୂନ ପାଞ୍ଚଟି ପରୀକ୍ଷା ଦେବାକୁ ହେବ ଯଥା, ବି.ଏଡ୍‌ ନାମ ଲେଖା ପରୀକ୍ଷା, ବି.ଏଡ୍‌ ପ୍ରଥମ ବର୍ଷ ଓ ଦ୍ୱିତୀୟ ବର୍ଷ ପରୀକ୍ଷା, ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓ ଶେଷକୁ ଚାକିରି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା। ଏହି ସବୁ ଅଗ୍ନିପରୀକ୍ଷାରେ ସଫଳ ହେଲା ପରେ ଯେଉଁ ଚାକିରି ମିଳିବ ତାହା ପୁଣି ଛଅ ବର୍ଷ ପର୍ଯ୍ୟନ୍ତ ଠିକା ଚାକିରି ! ଏ ପରିସ୍ଥିତିରେ କେଉଁ ମେଧାବୀ ଛାତ୍ର ଶିକ୍ଷକ ହେବାକୁ ମନ ବଳାଇବ?

ଉଚ୍ଚଶିକ୍ଷା ବିଭାଗ ନିକଟରେ କେତେଗୁଡିଏ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରୀ ସ୍ନାତକୋତ୍ତର ମହାବିଦ୍ୟାଳୟଗୁଡିକ ବିଶ୍ୱବିଦ୍ୟାଳୟରେ ପରିଣତ ହେବାପରେ ସରକାରୀ ମହାବିଦ୍ୟାଳୟରୁ ପ୍ରଫେସର ପଦ ଆପେ ଆପେ ଉଚ୍ଛେଦ ହୋଇଗଲା। ବିଶ୍ବବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଅଧ୍ୟାପକ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ରଫେସର ହେଉଥିବା ସ୍ଥଳେ ସରକାରୀ କଲେଜ ଅଧ୍ୟାପକମାନଙ୍କ କ୍ଷେତ୍ରରେ ଏହି ସୁବିଧା ଦିଆଯାଇନଥିଲା। ଏପରି କି ପୂର୍ବରୁ ଥିବା ସୀମିତ ସଂଖ୍ୟକ ପ୍ରଫେସର ପଦ ଦୀର୍ଘ ଦିନ ଧରି ଖାଲିପଡୁଥିଲା। ଠିକ ସମୟରେ ସେଗୁଡିକୁ ପୂରଣ କରାଯିବା ପାଇଁ ପଦକ୍ଷେପ ନିଆଗଲା ନାହିଁ। ଫଳରେ ବହୁ ଯୋଗ୍ୟ ଅଧ୍ୟାପକ ପଦୋନ୍ନତିରୁ ବଞ୍ଚିତ ହୋଇ ଅବସର ନେଲେ। ଅଧ୍ୟକ୍ଷ ପଦ ମଧ୍ୟ ବହୁଦିନ ହେବ ଖାଲି ପଡ଼ିଲା। କାମଚଳା ଅଧ୍ୟକ୍ଷମାନେ ଗୁରୁଦାୟିତ୍ବ ବହନ କରି କାମ ଚଳାଇଲେ ; କିନ୍ତୁ ପଦୋନ୍ନତି ମିଳିଲା ନାହିଁ। ସରକାରଙ୍କର ଅନ୍ୟ କୌଣସି ଚାକିରିରେ ଏଭଳି ଅନ୍ୟାୟ ହେଉଥିବାର ନଜିର ନାହିଁ। ସରକାରୀ ଅଧ୍ୟାପକମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରଶାସନିକ ପଦଗୁଡିକରେ ପ୍ରଶାସନିକ ଅଧିକାରୀମାନଙ୍କୁ ନିଯୁକ୍ତି ଦିଆଗଲା। ଶିକ୍ଷା ସେବାର ଅନ୍ତର୍ଗତ ଏଭଳି ଉଚ୍ଚ ପଦଗୁଡିକୁ ରଦ୍ଦକରି ସେଗୁଡିକୁ ଅନ୍ୟ ଏକ ସେବାରେ ଅନ୍ତର୍ଭୁକ୍ତ କରିବା ଶାସନ ବ୍ୟବସ୍ଥାରେ ଅମଲାତନ୍ତ୍ରିକ ଆଧିପତ୍ୟର ସୂଚନା ଦେଇଥାଏ। ଏହା ଶିକ୍ଷା ସେବା ବ୍ୟତୀତ ଅନ୍ୟ କୌଣସି ସରକାରୀ ସେବା କ୍ଷେତ୍ରରେ ସମ୍ଭବ ହେବା ସହଜ ନୁହେଁ।

ସୁଖର କଥା ଅଧ୍ୟାପକମାନଙ୍କ ପ୍ରତି ହେଇଥିବା ଅନ୍ୟାୟ ଅନେକାଂଶରେ ଦୂର ହୋଇଛି ଓ ସେମାନଙ୍କର ଦୁଃଖ ଲାଘବ ହୋଇଛି। ପ୍ରଫେସର ପଦୋନ୍ନତି ନିୟମରେ ପରିବର୍ତ୍ତନ କରାଯାଇ ବିଶ୍ବବିଦ୍ୟାଳୟ ପରି ସରକାରୀ ଅଧ୍ୟାପକମାନଙ୍କୁ ନିର୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରଫେସର ପଦକୁ ଉନ୍ନୀତ କରିବା ବ୍ୟବସ୍ଥା କରିବା ସଙ୍ଗେ ସଙ୍ଗେ ପ୍ରାୟ ୭୬ ଜଣଙ୍କୁ ପଦୋନ୍ନତି ଦିଆଯାଇଛି। ଓଡ଼ିଶା ସରକାରୀ କଲେଜ ଶିକ୍ଷା ସେବାରେ ଏହା ଏକ ଐତିହାସିକ ଘଟଣା। ସରକାରୀ ଅଧ୍ୟାପକ ହେବା ପାଇଁ ମେଧାବୀ ବ୍ୟକ୍ତିଙ୍କୁ ଆକୃଷ୍ଟ କରିବା ଦିଗରେ ଏହା ସହାୟକ ହେବ।

ବିଶ୍ବବିଦ୍ୟାଳୟ ଆଇନରେ ସଂଶୋଧନ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ବିଶ୍ବବିଦ୍ୟାଳୟଗୁଡିକରେ ଅଧ୍ୟାପକ ତଥା ଅନ୍ୟାନ୍ୟ କର୍ମଚାରୀଙ୍କୁ ନିଯୁକ୍ତି ଦେବା ପାଇଁ ଚୟନ କରିବା ଦାୟିତ୍ବ କୁଳପତିଙ୍କଠାରୁ କାଢ଼ି ନେଇ ଯଥାକ୍ରମେ ଓଡ଼ିଶା ଲୋକ ସେବା ଆୟୋଗ ଓ କର୍ମଚାରୀ ଚୟନ ଆୟୋଗକୁ ଅର୍ପଣ କରିବା ଦ୍ବାରା ଏହି ଚୟନ ପ୍ରକ୍ରିୟା ଅଧିକ କ୍ରିୟାଶୀଳ, ସ୍ବଚ୍ଛ ଓ ନିର୍ବିବାଦୀୟ ହୋଇପାରିଛି। ଏହି ଦାୟିତ୍ବରୁ ମୁକ୍ତ ହୋଇ କୁଳପତିମାନେ ଶିକ୍ଷାତ୍ମକ କାର୍ଯ୍ୟ କରିବା ପାଇଁ ଅଧିକ ସମୟ ଓ ସୁଯୋଗ ଲାଭ କରିଛନ୍ତି। ଏହା ବ୍ୟତୀତ ବିଶ୍ୱବିଦ୍ୟାଳୟ ପ୍ରଶାସନକୁ ଗତିଶୀଳ କରିବାପାଇଁ ଆଉ କେତେକ ସ୍ବାଗତଯୋଗ୍ୟ ସଂସ୍କାର କରାଯାଇଛି; କିନ୍ତୁ ପ୍ରଶାସନିକ ଅଧିକାରୀମାନଙ୍କୁ କୁଳସଚିବ ପଦରେ ନିଯୁକ୍ତି ଦେବା ଫଳରେ ଅଧିକାଂଶ କ୍ଷେତ୍ରରେ କୁଳପତିମାନେ ବିଶ୍ୱବିଦ୍ୟାଳୟର ଗୁଣାତ୍ମକ ବିକାଶ ପାଇଁ ଦେଖିଥିବା ସ୍ୱପ୍ନ ସାକାର କରିପାରୁ ନାହାନ୍ତି। ବିଶ୍ବବିଦ୍ୟାଳୟ ପ୍ରଶାସନରେ ଆତ୍ମୀୟତା ଓ ପ୍ରତିବଦ୍ଧତାର ଘୋର ଅଭାବ ଦେଖାଦେଉଛି। ଅବଶ୍ୟ ଏହା ଯେ ସବୁ ବିଶ୍ବବିଦ୍ୟାଳୟରେ ହେଉଛି ବୋଲି କହିବା ଭୁଲ ହେବ।

ନିକଟ ଅତୀତରେ ଗୋଟିଏ ଏକକ ବିଶ୍ବବିଦ୍ୟାଳୟରେ କୁଳସଚିବ ପଦରେ ଅବସ୍ଥାପିତ ଜଣେ ପ୍ରଶାସନିକ ଅଧିକାରୀ ଶ୍ରେଣୀରେ ପାଠପଢାଇବା ସଙ୍ଗେ ସଙ୍ଗେ ବିଶ୍ୱବିଦ୍ୟାଳୟର ସମସ୍ତ ଶୈକ୍ଷିକ କାର୍ଯ୍ୟକ୍ରମରେ ଆଗ୍ରହର ସହିତ ଯୋଗ ଦେବା ପରିଲକ୍ଷିତ ହୋଇଥିଲା। ତାଙ୍କର ଶିକ୍ଷା ପ୍ରତି ଆଗ୍ରହ ଓ ଅନୁଷ୍ଠାନ ପ୍ରତି ଅନୁରାଗ ଯୋଗୁଁ ଏହା ସମ୍ଭବପର ହୋଇଥିଲା; କିନ୍ତୁ ଏଭଳି ଦୃଷ୍ଟାନ୍ତ ବିରଳ। ତେଣୁ ସରକାର ସରକାରୀ ମହାବିଦ୍ୟାଳୟର ପ୍ରଶାସନିକ ଅଭିଜ୍ଞତା ଥିବା ବରିଷ୍ଠ ଅଧ୍ୟାପକମାନଙ୍କୁ ଚୟନ କରି ବିଶ୍ବବିଦ୍ୟାଳୟରେ କୁଳସଚିବ ଭାବେ ଅବସ୍ଥାପିତ କଲେ ବିଶ୍ୱବିଦ୍ୟାଳୟରେ ସୁସ୍ଥ ବାତାବରଣ ସୃଷ୍ଟି ହୋଇ ପ୍ରଶାସନ ଅଧିକ କ୍ରିୟାଶୀଳ ଓ ଗତିଶୀଳ ହୋଇପାରନ୍ତା। ଅତୀତରେ ଏହି ପ୍ରଥା ଅନୁସୃତ ହେଉଥିଲା।

ରାଜ୍ୟରେ ଶିକ୍ଷକ ଶିକ୍ଷାର ଦୁର୍ଗତି ଚରମ ସୀମାରେ ପହଞ୍ଚିଥିଲା। ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦେଶାଳୟ ଓ ଗଣଶିକ୍ଷା ବିଭାଗର ଅସମର୍ଥତା ଯୋଗୁଁ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ ରାଜ୍ୟର ସମସ୍ତ ଟ୍ରେନିଂ କଲେଜରେ ନାମଲେଖା ବନ୍ଦ କରିଦେଇଥିଲେ। ଏହି କଲେଜଗୁଡ଼ିକରେ ଅଧ୍ୟାପକ ନିଯୁକ୍ତି ନିୟମରେ ଆବଶ୍ୟକୀୟ ସଂଶୋଧନ ନ ହେବା ଯୋଗୁଁ ଅଧ୍ୟାପକ ପଦଗୁଡିକ ବର୍ଷ ବର୍ଷ ଧରି ଖାଲି ପଡିଥିଲା। ସରକାର ଏହି କଲେଜସବୁକୁ ଗଣଶିକ୍ଷା ବିଭାଗରୁ ଉଚ୍ଚ ଶିକ୍ଷା ବିଭାଗ ଅଧୀନକୁ ଆଣିବା ଫଳରେ ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଅନେକ ଦିନର ସ୍ଥାଣୁତା ଦୂର ହୋଇଛି। ରାଜ୍ୟର ଶୈକ୍ଷିକ ଅନୁଷ୍ଠାନ ଯଥା ରାଜ୍ୟ ଶିକ୍ଷକ ଶିକ୍ଷା ଓ ଗବେଷଣା ପରିଷଦ, ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ, ମାଧ୍ୟମିକ ଶିକ୍ଷା ପରିଷଦର ମୁଖ୍ୟ ଭାବେ ପ୍ରଶାସନିକ ଅଧିକାରୀଙ୍କ ବଦଳରେ ଶିକ୍ଷାବିତ୍‌ମାନଙ୍କୁ ନିଯୁକ୍ତି ଦେଲେ ସେମାନେ ସେହି ସବୁ ଅନୁଷ୍ଠାନଗୁଡିକୁ ଉପଯୁକ୍ତ ଦିଗ୍‌ଦର୍ଶନ ଦେଇପାରିବେ। ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ଶିକ୍ଷାଦାନ ଓ ମୂଲ୍ୟାୟନର ଗୁଣାତ୍ମକ ବିକାଶ ସମ୍ଭବ ହେବ।

ଏହିଭଳି ସକାରାତ୍ମକ ଓ ସୃଜନଶୀଳ କାର୍ଯ୍ୟଧାରା ଅବ୍ୟାହତ ରହିଲେ ରାଜ୍ୟର ଉଚ୍ଚଶିକ୍ଷା ବିଶେଷକରି ସରକାରୀ ଅନୁଷ୍ଠାନଗୁଡ଼ିକର ହୃତ ଗୌରବ ପୁନଃପ୍ରତିଷ୍ଠିତ ହେବ। ବିଦ୍ୟାର୍ଥୀମାନେ ଘରୋଇ ଅନୁଷ୍ଠାନରୁ ମୁହଁ ଫେରାଇ ସରକାରୀ ଅନୁଷ୍ଠାନରେ ଅଧ୍ୟୟନ ପାଇଁ ଆଗ୍ରହ ପ୍ରକାଶ କରିବେ।

Comments are closed.