ସମାଜ ଡିଜିଟାଲ ଡେସ୍କ: ସ୍ପେନର ଦକ୍ଷିଣ ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଅଚାନକ ବନ୍ୟା ଆସିଯିବାରୁ ଶହ ଶହ ଲୋକ ପାଣିରେ ଭାସିଯାଇ ନିଖୋଜ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ, ବନ୍ୟା ସ୍ରୋତ ଏତେ ତୀବ୍ର ଥିଲା ଯେ ପାଣିରେ ଖେଳଣା ଭଳି କାରଗୁଡ଼ିକ ଭାସିଯାଇଛି। ବନ୍ୟା ଯୋଗୁ ବହୁ ଅଞ୍ଚଳକ୍ଷତିଗ୍ରସ୍ତ ହୋଇଛି। ଭାଲେନସିଆର ଆଞ୍ଚଳିକ ନେତା କାର୍ଲୋସ ମାଜୋନ କହିଛନ୍ତି ଯେ, ବନ୍ୟା ଯୋଗୁ ବହୁ ଲୋକ ନିଖୋଜ ହୋଇଯାଇଛନ୍ତି। ଅନେକ ଲୋକଙ୍କ ମୃତଦେହ ଜବତ ହୋଇଛି।
ମଙ୍ଗଳବାର ସକାଳୁ ସ୍ପେନର ପୂର୍ବାଞ୍ଚଳ ଏବଂ ଦକ୍ଷିଣାଞ୍ଚଳରେ ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା। ଶୀତଳ ବାୟୁ ଗରମ ବାୟୁ ସହିତ ମିଶିବା ଫଳରେ ହଠାତ ପାଗ ପରିବର୍ତ୍ତନ ହୋଇ ପ୍ରବଳ ବର୍ଷା ହୋଇଥିଲା। ତାପମାତ୍ରାରେ ବି ଦ୍ରୁତ ପରିବର୍ତ୍ତନ ହୋଇଥିଲା। ଏହା ଯୋଗୁ ବହୁ ଧନସମ୍ପତ୍ତି ହାନି ହୋଇଥିଲା। ପରିବହନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା।



