ଲକ୍ଷ୍ନୌ: ନିର୍ବାଚନରେ ଜିତିବା ଲାଗି ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ନେତାମାନେ ବହୁ ଉପାୟ ଅବଲମ୍ବନ କରୁଛନ୍ତି। କିଏ ପ୍ରଚାରରେ ଭୋଟରଙ୍କ ପାଇଁ ପ୍ରତିଶ୍ରୁତି ଗଦା କରୁଛି ତ କେତେକ ସ୍ଥାନରେ ଟଙ୍କା ଏବଂ ଅନ୍ୟାନ୍ୟ ଉପହାର ବଣ୍ଟାଯାଉଥିବା ନଜରକୁ ଆସୁଛି। କିନ୍ତୁ ଉତ୍ତରପ୍ରଦେଶରେ ଜଣେ ପ୍ରାର୍ଥୀ ନିର୍ବାଚନରେ ଜିତିବା ଲାଗି ନିଜ ସମର୍ଥକ ଏବଂ କର୍ମୀଙ୍କୁ ଅଜବ ପରାମର୍ଶ ଦେଉଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥିରେ ଦେଖିବାକୁ ମିଳୁଛି ଯେ, ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ନେତା ଆର. ଆର. ବଂଶଲ ଏକ ସଭାରେ କାର୍ଯ୍ୟକର୍ତ୍ତାମାନଙ୍କୁ ଉଦବୋଧନ ଦେବା ଅବସରରେ କହୁଛନ୍ତି, ଯେଉଁମାନେ ଭୋଟ ଦେଉନାହାନ୍ତି ସେମାନଙ୍କ ସ୍ଲିପ ନେଇ ଆମେମାନେ ଭୋଟ ଦେବା ଉଚିତ। ଏହା ଆମର କର୍ତ୍ତବ୍ୟ। ବଂଶଲଙ୍କ ଏଭଳି ପରାମର୍ଶକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।
ବଂଶଲ ସମାଜବାଦୀ ପାର୍ଟି ଏବଂ ବହୁଜନ ସମାଜ ପାର୍ଟି ମେଣ୍ଟରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି। ସେ ମଧ୍ୟପ୍ରଦେଶର ଛତରପୁରରେ ଆୟୋଜିତ ନିର୍ବାଚନୀ ପ୍ରଚାର ସଭାରେ କର୍ମୀମାନଙ୍କୁ କହିଛନ୍ତି ଯେ, ସମସ୍ତେ ଗାଁ ଗାଁ ବୁଲ। ଯେଉଁ ଲୋକମାନେ ଭୋଟ ଦେବାକୁ ଯାଇପାରୁ ନାହାନ୍ତି ସେମାନଙ୍କ ସ୍ଲିପ ନେଇଆସି ନିଜେ ଭୋଟ ଦିଅ।



