ନୂଆଦିଲ୍ଳୀ : ଉତ୍ତରପ୍ରଦେଶର ଦୁଇ ବୃହତ ଆଞ୍ଚଳିକ ଦଳ ବିଏସ୍ପି ଓ ଏସ୍ପି ୨୫ ବର୍ଷ ତଳର ତିକ୍ତତା ଭୁଲି ୨୦୧୯ ସାଧାରଣ ନିର୍ବାଚନ ପାଇଁ ମେଣ୍ଟ କରିଛନ୍ତି। ବିଜେପି ବିରୋଧୀ ମହାମେଣ୍ଟରେ ସାମିଲ୍ ଥିବା ଏହି ଦୁଇ ଦଳ ଉତ୍ତରପ୍ରଦେଶରେ କଂଗ୍ରେସ ବିରୋଧରେ ମଧ୍ୟ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି। ଏହି ଦୁଇଦଳିଆ ମେଣ୍ଟ କେତେବେଳେ କେଉଁଠି ବିଜେପିକୁ ମୁଖ୍ୟ ବିରୋଧୀ ଭାବେ ବିବେଚନା କରୁଛି ତ କେତେବେଳେ କଂଗ୍ରେସକୁ କଡ଼ା ଟକ୍କର ଦେବାକୁ ଯୋଜନା କରୁଛି। ଏପରିକି କେତେକ ସ୍ଥାନରେ ପରସ୍ପର ବିରୋଧରେ ମଧ୍ୟ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି ଏହି ଦୁଇ ମେଣ୍ଟ ଦଳ। ମେଣ୍ଟର ଏହି ମତିଗତିକୁ ଦେଖି ନିର୍ବାଚନୀ ଅଙ୍କ ଜଟିଳ ହେଉଥିବା ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି।
ଉତ୍ତରପ୍ରଦେଶରେ ବିଏସ୍ପି-ଏସ୍ପି ମେଣ୍ଟର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେଉଛନ୍ତି କଂଗ୍ରେସ ଓ ବିଜେପି। ବିଜେପି ତୁଳନାରେ କଂଗ୍ରେସ ଏହି ମେଣ୍ଟର କଡ଼ା ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବ ବୋଲି କୁହାଯାଉଛି। ମଧ୍ୟପ୍ରଦେଶରେ କଂଗ୍ରେସ ସହିତ ଆସନ ବୁଝାମଣା ସମ୍ଭବ ନ ହେବାରୁ ଶେଷ ମୁହୂର୍ତ୍ତରେ କଂଗ୍ରେସକୁ ବାଦ୍ ଦେଇ ଏସ୍ପି-ବିଏସ୍ପି ଉତ୍ତରପ୍ରଦେଶରେ ମେଣ୍ଟ ଘୋଷଣା କରିଥିଲେ। ସେହିପରି ମଧ୍ୟପ୍ରଦେଶ ଓ ଉତ୍ତରାଖଣ୍ଡରେ ମେଣ୍ଟ ମିଳିତ ଭାବେ ନିର୍ବାଚନ ଲଢ଼ିବେ, କିନ୍ତୁ ଯେତେବେଳେ ବିହାରକୁ ଦେଖାଯାଉଛି ସେତେବେଳେ ମେଣ୍ଟରେ ଫାଟ ଦୃଷ୍ଟିଗୋଚର ହେଉଛି। ବିଶେଷକରି ମାୟାବତୀଙ୍କ ନିଷ୍ପତ୍ତି ଓ ପରିବର୍ତ୍ତିତ ରଣନୀତି ନିର୍ବାଚନୀ ପର୍ଯ୍ୟବେକ୍ଷକମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି। ଆଗାମୀ ନିର୍ବାଚନରେ ବିହାରର ୪୦ଟି ଯାକ ଲୋକସଭା ଆସନରେ ବିଏସ୍ପି ଏକାକୀ ଲଢ଼ିବ ବୋଲି ସୂଚନା ମିଳିଛି। ଏଥିପାଇଁ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ବିଏସ୍ପି ନେତ୍ରୀ ମାୟାବତୀ ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କୁ ନିର୍ଦେଶ ଦେଇଛନ୍ତି। ଆସନ୍ତା ୨୮ ତାରିଖରେ ନୂଆଦିଲ୍ଲୀଠାରେ ବିଏସପିର ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି। ତା’ ପରେ ଚୂଡ଼ାନ୍ତ ଘୋଷଣା କରାଯିବ ବୋଲି କୁହାଯାଉଛି। ବିଏସ୍ପିର ଏହି ପରିବର୍ତ୍ତିତ ରଣନୀତିକୁ ଦେଖି ଅଡ଼ୁଆରେ ପଡ଼ିଛି ମେଣ୍ଟ ସହଯୋଗୀ ଏସ୍ପି। ବିହାରରେ ମୁଖ୍ୟତଃ କଂଗ୍ରେସ-ଆରଜେଡି ମେଣ୍ଟ ଓ ବିଜେପି-ଜେଡିୟୁ ମେଣ୍ଟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ ବୋଲି ପୂର୍ବରୁ ଆକଳନ କରାଯାଇଥିବା ବେଳେ ବିଏସପିର ଏକାକୀ ଲଢ଼ିବା ଘୋଷଣା ମେଣ୍ଟ ଗଣିତକୁ ଓଲଟପାଲଟ କରିବାର ସମ୍ଭାବନା ରହିଛି ବୋଲି କୁହାଯାଉଛି। ବିହାରରେ କଂଗ୍ରେସର ସହଯୋଗୀ ଥିବା ଆରଜେଡି ଆଗାମୀ ନିର୍ବାଚନରେ ଉତ୍ତରପ୍ରଦେଶରେ କଂଗ୍ରେସକୁ ଛାଡ଼ି ଏସପି-ବିଏସପି ମେଣ୍ଟକୁ ସମର୍ଥନ କରିବ ବୋଲି ଘୋଷଣା କରିଛି। ଏହି ପରିପ୍ରେକ୍ଷୀରେ ବିହାରରେ ବିଏସ୍ପିର ଏକଲା ଚଲୋ ନିଷ୍ପତ୍ତି ଆରଜେଡିର ଅଡ଼ୁଆ ମଧ୍ୟ ବଢ଼ାଇ ଦେଇଛି।
ଏସ୍ପି-ବିଏସ୍ପି: କେଉଁଠି କେମିତି
Popular Categories



