ସହିଦକୁ ସମ୍ମାନ! ପ୍ରତିଶ୍ରୁତିରେ ବିତିଲା ଗୋଟିଏ ଦଶନ୍ଧି
ସୋନପୁର: ପୁଅ ପୁଲିସ ବିଭାଗରେ ଚାକିରି ପାଇଲା। ବାପା ମାଆ ଭାରି ଖୁସି। ଯାହା ବି ହେଉ ବୃଦ୍ଧ ବେଳେ ପୁଅ ପଛରେ ଠିଆ ହେବ। କିନ୍ତୁ ବିଧିର ବିଧାନ ଥିଲା କିଛି ଭିନ୍ନ। ବୃଦ୍ଧ ବେଳେ ବାପା ମାଆଙ୍କୁ ସେବା କରିବାର ସୁଯୋଗ ପାଇଲେ ନାହିଁ ସେହି ଯୋଗ୍ୟ ପୁଅ। ସେ ହେଉଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ପାଣ୍ଡିଆପାଲି ମାଟିର ଯବାନ ବିଭୀଷଣ ସାହୁ। ୨୦୧୦ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଦେଶ ମାତୃକା ପାଇଁ ପ୍ରାଣବଳିି ଦେଇ ସହିଦ ହୋଇଗଲେ। କିନ୍ତୁ ବିଡମ୍ବନା, ସରକାରଙ୍କ ବ୍ୟବସ୍ଥା ଅନୁଯାୟୀ ଆଜି ପର୍ୟ୍ୟନ୍ତ ଏହି ସହିଦ ପରିବାରକୁ ମିଳି ପାରିଲାନି ସରକାରୀ ଜମି ଖଣ୍ଡିଏ। ସାମାନ୍ୟ ଜମି ଖଣ୍ଡିଏ ପାଇଁ ସହିଦ ପରିବାର ଦୀର୍ଘ ୧୦ ବର୍ଷ ହେଲା ରାଜସ୍ୱ ନିରୀକ୍ଷକଙ୍କ ଠାରୁ ଆରମ୍ଭ କରି ତହସିଲଦାର ପର୍ୟ୍ୟନ୍ତ ଦୌଡିଦୌଡି ନୟାନ୍ତ ହୋଇଗଲେଣି।
ବୀରମହାରାଜପୁର ଥାନା ଅନ୍ତର୍ଗତ ଏକ ଅଖ୍ୟାତ ପଲ୍ଲୀ ପାଣ୍ଡିଆପାଲି ଗାଁର ବିଭୀଷଣ ସାହୁ। ଗାଁର ବୈକୁଣ୍ଠ ସାହୁ ଓ ଫଗୁଣୀ ସାହୁଙ୍କ ପୁଅ ବିଭୀଷଣ ୫ ଭାଇ ଓ ୩ ଭଉଣୀ ମଧ୍ୟରେ ସମସ୍ତଙ୍କ ଠାରୁ ସାନ। ୧୯୮୨ ମସିହା ମଇ ମାସ ୨୯ ତାରିଖରେ ଜନ୍ମିତ ଏହି ବୀର ଯୁବକ ସାନ ବେଳୁ ପୁଲିସ ବାହିନୀରେ ଚାକିରି କରି ନିଜର ଦେଶ ମାତୃକାର ସେବା କରିବା ଲକ୍ଷ୍ୟ ନେଇ ନିଜର କର୍ମମୟ ଜୀବନ ଆରମ୍ଭ କରିଥିଲେ ୨୦୦୬ ମସିହାରେ ସମ୍ବଲପୁର ଠାରେ ଥିବା ଓଡିଶା ସଶସ୍ତ୍ର ପୁଲିସ ବାହିନୀରେ। ନିଜର କର୍ତ୍ତବ୍ୟନିଷ୍ଠ ଯୋଗୁଁ ସେ ଏସ୍ଓଜି ତାଲିମ ପାଇଁ ଯାଇଥିଲେ ବାହାର ରାଜ୍ୟକୁ। ସେଠାରୁ ଏସ୍ଓଜି ଯବାନ ପାଇଁ ସ୍ୱତନ୍ତ୍ର ତାଲିମ ନେଇ ଫେରିବା ପରେ ତାଙ୍କୁ ଅବସ୍ଥାପିତ କରାଯାଇଥିଲା ମାଓ ଅଧ୍ୟୁଷିତ କୋରାପୁଟ ଜିଲାରେ।
୨୦୧୦ ମସିହା ଏପ୍ରିଲ ୪ ତାରିଖ। ସବୁ ଦିନ ପରି ବିଭୀଷଣ ନିଜ ସାଙ୍ଗ ଯବାନ ମାନଙ୍କ ସହ ବାହାରି ପଡିଥିଲେ ନିଜର କର୍ମ କ୍ଷେତ୍ରକୁ। ସେହି ସମୟରେ ଜିଲାରେ ମାଓ କାର୍ୟ୍ୟକଳାପ ବୃଦ୍ଧି ପାଇଥିବାରୁ ସେହି ଦିନ ସୀମା ସୁରକ୍ଷା ବାହିନୀର ଯବାନ ମାନେ ଆସିବାର ଥିଲା କୋରାପୁଟ ଜିଲାର ବୈପାରିଗୁଡା ଅଞ୍ଚଳକୁ। ତେଣୁ ପୁଲିସ ବାହିନୀର ତିନୋଟି ମିନି ବସ୍ରେ ପ୍ରାୟ ୩୯ ଜଣ ସାଥୀ ଯବାନଙ୍କ ସହ ବିଭୀଷଣ ବାହାରି ପଡିଥିଲେ ବୈପାରିଗୁଡା ଅଞ୍ଚଳକୁ। ଦାୟିତ୍ୱ ଥିଲା ସୀମା ସୁରକ୍ଷା ବାହିନୀ ଯିବା ରାସ୍ତାକୁ ଏହି ଏସ୍ଓଜି ଯବାନ ମାନେ ସଫା କରିବେ। ରାସ୍ତାରେ କାଳେ କେଉଁଠି ମାଓବାଦୀ ମାନେ କିଛି ଅଘଟଣ ଘଟାଇବେ। କିନ୍ତୁ ବିଧିର ବିଧାନ ଥିଲା କିଛି ଭିନ୍ନ, ବିଭୀଷଣ ସହ ଥିବା ଅନ୍ୟ ୧୯ ଜଣ ଯବାନକୁ ନେଇ ଯାଉଥିବା ମିନି ବସ୍ଟି ରାସ୍ତାର ଏକ ପୋଲ ପାଖରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସମ୍ପୂର୍ଣ୍ଣ ଧ୍ୱସ୍ତବିଧ୍ୱସ୍ତ ହୋଇଗଲା। ଆଉ ବସ୍ରେ ଥିବା ୧୯ ଜଣ ଯବାନଙ୍କ ମଧ୍ୟରୁ ୧୧ ଜଣ ଯବାନ ଘଟଣାସ୍ଥଳରେ ହିଁ ସହିଦ ହୋଇଯାଇଥିଲେ। ପରେ ଯବାନ ମାନଙ୍କ ଖଣ୍ଡବିଖଣ୍ଡିତ ଅଂଶରୁ ଚିହ୍ନଟ ହୋଇଥିଲା ବିଭୀଷଣଙ୍କ ମର ଶରୀର। ଘଟଣାର ଦିନକ ପରେ ଶବ ପହଞ୍ଚିଥିଲା ଗାଁରେ। ଏକ ଶୋକାକୁଳ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଥିଲା ତାଙ୍କର ଅନ୍ତିମ ସଂସ୍କାର। ମାତ୍ର ୨୪ ବର୍ଷ ବୟସରେ ସହିଦ ହୋଇଥିବା ବିଭୀଷଣ ଥିଲେ ଅବିବାହିତ। ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ସେହିଦିନ ହିଁ ସହିଦଙ୍କ ପରିବାରକୁ ପ୍ରଦାନ କରିଥିଲେ ୮ ଲକ୍ଷ ଟଙ୍କାର ଚେକ୍। ଭାଇ ପଙ୍କଜଙ୍କୁ ଜିଲା ପୁଲିସ ମୁଖ୍ୟାଳୟରେ ମିଳିଥିଲା ଚାକିରି।
ଏପରିକି ପରବର୍ତ୍ତି ସମୟରେ ତାଙ୍କ ପରିବାର ବୀମା ବାବଦକୁ ପାଇଥିଲେ ୧୦ ଲକ୍ଷ ଟଙ୍କାର ଚେକ୍। କିନ୍ତୁ ଦୁଃଖ ଓ ପରିତାପର ବିଷୟ, ସରକାର ସହିଦ ପରିବାର ମାନଙ୍କ ପାଇଁ ସହରାଞ୍ଚଳରେ ୪ ଡେସିମିଲ ଓ ଗ୍ରାମାଞ୍ଚଳରେ ୧୦ ଡେସିମିଲ ଜମି ମାଗଣାରେ ଯୋଗାଇ ଦେବାର ବ୍ୟବସ୍ଥା କରିଥିଲେ ସୁଦ୍ଧା ଆଜି ପର୍ୟ୍ୟନ୍ତ ତାଙ୍କ ପରିବାରକୁ ଜମି ଖଣ୍ଡିଏ ମିଳି ପାରିନଥିବା କାନ୍ଦକାନ୍ଦ ହୋଇ କହନ୍ତି ତାଙ୍କ ୮୮ ବର୍ଷୀୟ ବୃଦ୍ଧ ବାପା ବୈକୁଣ୍ଠ ସାହୁ। ଅନ୍ୟ ପକ୍ଷରେ ସେହି ସମୟରେ ବ୍ୟବସ୍ଥା ଅନୁଯାୟୀ, ସହିଦ ପରିବାରକୁ ସରକାରୀ ଜମି ଯୋଗାଇ ଦେବା ପାଇଁ ବିଭାଗୀୟ ଅଧିକାରୀ ମାନେ ଆବଶ୍ୟକ କାଗଜପତ୍ର ମାଗିଥିଲେ। କିନ୍ତୁ ପୁଅ ସହିଦ ହେବାର ଇତି ମଧ୍ୟରେ ଦୀର୍ଘ ୧୦ ବର୍ଷ ବିତି ଯାଇଥିଲେ ମଧ୍ୟ ବାସ ଉପଯୋଗୀ ଜମି ଖଣ୍ଡିଏ ପାଇଁ ବାର ଦୁଆର ହେବାକୁ ପଡୁଥିବା ସହିଦଙ୍କ ବୃଦ୍ଧା ମାଁ ଫଗୁଣୀ ସାହୁ ପ୍ରକାଶ କରିଛନ୍ତି। ନିଜ ମାତୃଭୂମିର ସେବା କରି ଶେଷରେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସେହି ବୀର ସହିଦଙ୍କ ପରିବାର ସତରେ କ’ଣ ଜମି ଖଣ୍ଡିଏ ପାଇବା ପାଇଁ ହକଦାର ନୁହଁନ୍ତି କି। ତେବେ ଏ ସମ୍ପର୍କରେ ବୀରମହାରାଜପୁର ଉପଜିଲାପାଳ ଅଶୋକ କୁମାର ଭୋଇଙ୍କୁ ଯୋଗାଯୋଗ କରିବାରୁ ସରକାରୀ ଜମି ପ୍ରଦାନ ପାଇଁ ଆବଶ୍ୟକ କାଗଜପତ୍ର କରାଯାଇଛି। କିନ୍ତୁ କେଉଁ ସ୍ତରରେ ତାହା ଅଟକି ରହିଛି ତାର ତଦନ୍ତ କରି ତୁରନ୍ତ ସହିଦ ପରିବାରକୁ ଜମି ଯୋଗାଇ ଦେବାର ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି।
Comments are closed.